Unknown

 

 

 

 

 

 

 

 

 

 

 

ମୃତ୍ୟୁଦୂତ

ଶ୍ରୀ ସୁରେନ୍ଦ୍ର ଚଉଧୁରୀ

 

ମୃତ୍ୟୁଦୂତ

–ଏକ–

 

ଇଡ଼େ୍‍ନ୍‌ ଗାର୍ଡ଼ନ.... ।

 

ମୁହଁ ସଞ୍ଜ । ସୁଲୁସୁଲିଆ ଉତ୍ତରା ପବନ ହୋସେନ୍‌ ହେନାର ମନ ମତାଣିଆ ସୁରଭି କୁଞ୍ଜ ଉହାଡ଼ରୁ ଚୋରାଇ ଆଣି ପଥିକଙ୍କୁ ଭେଟି ଦେଉଥାଏ ।

 

ପାର୍କ ଭିତରୁ ଜଣେ ଲୋକ ଚଞ୍ଚଳ ପଦରେ ବାହାରି ଆସି ଗେଟ୍‌ଠାରୁ କିଛି ଦୂରରେ ଅନ୍ଧାରେ ମିଶି ଛିଡ଼ା ହେଲା । ଲୋକଟାର କାନ୍ଧରେ ଅଛି ଜଣକର ଅଚେତନ ଦେହ ।

 

ଲୋକଟିର ଦେହରେ ସାହେବୀ ପୋଷାକ । ମୁହଁ ଜାଲଜାଲୁଆ ଅନ୍ଧାରେ ଦେଖିବାର ଉପାୟ ନାହିଁ–ହ୍ୟାଟ୍‌ରେ ଅଧା ଘୋଡ଼ାଇ ହୋଇଛି ।

 

ଯେଉଁ ଲୋକଟି ଅଚେତନ, ତାହା ଦେହରେ ହ୍ୟାପ୍‌ପ୍ୟାଣ୍ଟ୍‌ ଓ ସାର୍ଟ ।

 

ଲୋକଟି କାନ୍ଧରେ ପକାଇଥିବା ନିର୍ଜୀବ ଲୋକଟିକୁ ଧରି ଚକିତ, ଚଞ୍ଚଳ ଚାହାଣୀରେ ଦୁଇକଡ଼କୁ ଚାହୁଁଥାଏ ।

 

ଏହି ସମୟରେ ହଠାତ୍‌ ଗୋଟାଏ ଟାକ୍‌ସି ଲୋକଟାର ପାଖ ଦେଇ ଗଲା ।

 

ଲୋକଟି ଚଞ୍ଚଳ କଣ୍ଠରେ କହିଲା–ଏ ଟାକ୍‌ସି ରୋକୋ’ । ଟାକ୍‌ସି ଛିଡ଼ା ହୋଇଗଲା ।

 

ଲୋକଟି କାନ୍ଧରେ ବୋହିଥିବା ଲୋକଟିର ଅସାଡ଼ ଦେହକୁ ଭିତରେ ରଖି ନିଜେ ପାଖରେ ବସିପଡ଼ି ଟାକ୍‌ସି ଚାଳକକୁ କହିଲା–ମେରା ଦୋସ୍ତ ସରାବ୍‌ ପିକେ ବେହୋସ୍‌ ହୋଗୟା ହୈ । ଯଲ୍‌ଦି ଚଲୋ–୪୩୬ ନମ୍ୱର ଦୁର୍ଗାମୋହନ ମିତ୍ର ରୋଡ୍‌....ଡବଲ୍‌ ବକ୍‌ସିସ୍‌ ମିଲେଗା ।

 

ଟାକ୍‌ସି ଚାଳକ ବିଜୁଳି ବେଗରେ କଲିକତାର ଜନଗହଳି ରାସ୍ତାଦେଇ ଟାକ୍‌ସି ଛାଡ଼ିଦେଲା ।

 

ସାମନାରେ ପୋଲିସ୍‌ । ଭୀଷଣ ଭିଡ଼ । ଟ୍ରାଫିକ୍‌ ବନ୍ଦ । ଟାକ୍‌ସି ଚାଳକ ଗାଡ଼ିର ଗତି କମେଇ ଦେଲା ।

 

ପାଞ୍ଚମିନିଟ୍‌ ପରେ.... । ଟାକ୍‌ସି ଛୁଟିବାକୁ ଲାଗିଲା ।

 

ଦୁର୍ଗାମୋହନ ମିତ୍ର ରୋଡ଼–ଭବାନୀପୁର ।

 

ଟାକ୍‌ସି ଗୋଟାଏ ପ୍ରକାଣ୍ଡ ଚାରିମାହାଲ କୋଠାର ଗେଟ୍‌ ସାମନାରେ ଛିଡ଼ା ହେଲା ।

 

ଏ ପାଖରୁ ସେ ପାଖକୁ ଲମ୍ୱିଯାଇଛି ସାରିବନ୍ଦି ଘର । ସବୁଗୁଡ଼ିକ ଭଡ଼ା ଦିଆଯାଏ । ଗେଟ୍‌ ସାମନାରେ ଜଣେ ଗୁର୍ଖା ଦରଓ୍ୟାନ ଛିଡ଼ା ହୋଇଥାଏ ।

 

ଟାକସି ଚାଳକ କିଛିକ୍ଷଣ ଅପେକ୍ଷା କରିବା ପରେ ମଧ୍ୟ କେହି ନ ଓହ୍ଲାଇବାରୁ ତଳକୁ ଆସି କହିଲା–ଉତ୍ତରିଏ ସାହେବ ।

 

କାହାରି ଉତ୍ତର ନାହିଁ !!!

 

ଟାକ୍‌ସି ଚାଳକ ସାମାନ୍ୟ ଆଶ୍ଚର୍ଯ୍ୟ ହୋଇ ଦରଜା ଖୋଲିଦେଇ ଭିତରକୁ ଚାହିଁଲା । ସାମନରେ ବିଷଧର ସର୍ପ ଦେଖିଲେ ଲୋକେ ଯେପରି ଚମକି ଉଠି ଚିତ୍କାର କରନ୍ତି, ଟାକ୍‌ସି ଚାଳକଟି ଟାକ୍‌ସି ଭିତରକୁ ଚାହିଁ ସେହିପରି ଭୟରେ ଚିତ୍କାର କରି ଉଠିଲା–ଇୟା ଆ-ଲ୍ଲା.... । ପୋଲିସ...ଖୁନ୍‌–ଖୁନ୍‌ ।

 

ଲୋକଟାର ସାରାଦେହ ବରଡ଼ା ପତରପରି ଥରିବାକୁ ଲାଗିଲା । ଟାକ୍‌ସି ଭିତରେ ଜଣେ ଲୋକ ଅସାଡ଼ ଭାବରେ ପଡ଼ିଛି । ଛାତିରେ ତା’ର ବସିଛି ଗୋଟାଏ ତୀକ୍ଷ୍‌ଣ ଛୁରୀ । କ୍ଷତ ସ୍ଥାନରୁ ଅଜସ୍ର ରକ୍ତଧାର ଚାରିଆଡ଼ ରଞ୍ଜିତ କରିଛି । ମୃତ୍ୟୁ ଯନ୍ତ୍ରଣାରେ ଲୋକଟାର ମୁହଁ ବିକୃତ ହୋଇଉଠିଛି ।

 

ନିକଟରେ କେହି ନାହିଁ । ଯେଉଁ ଲୋକଟି ମୃତବ୍ୟକ୍ତିର ଅଚେତନ ଦେହ ଆଣିଥିଲା, ସେ ଅଦୃଶ୍ୟ.... ।

 

ଟାକ୍‌ସି ଚାଳକର ପାଟିଶୁଣି ଗେଟ୍‌ର ଦରଓ୍ୟାନ ଦଉଡ଼ି ଆସିଲା । ଟାକ୍‌ସି ଭିତରର ଦୃଶ୍ୟଦେଖି ସେ ଥରି ଥରି ମ୍ୟାନେଜର ନିକଟକୁ ଦଉଡ଼ିଲା ।

 

ଦରଓ୍ୟାନ୍‌ ମୁହଁରୁ ସବୁ ଘଟଣା ଶୁଣି ମ୍ୟାନେଜର ପୋଲିସ୍‌ ଥାନାକୁ ଫୋନ୍‌ କଲେ ।

 

ରାତି ନ’ଟା । ବିଜୟ ବାବୁ ବୈଠକ ଖାନାରେ ବସି ‘ଷ୍ଟେଟସ୍‌ମ୍ୟାନ୍‌’ ଖବର କାଗଜ ଦେଖୁଛନ୍ତି । ପାଖରେ ଆଉ ଗୋଟାଏ ଚେୟାରରେ ଗୋପାଳ ବାବୁ କେତେଗୁଡ଼ାଏ ଦରକାରୀ ରିପୋର୍ଟ ଲେଖୁଥାଆନ୍ତି ।

 

ଏହି ସମୟରେ ପାଖ ଟେବୁଲ ଉପରେ ଟେଲିଫୋନ୍‌ ଝଣଝଣ କରି ଉଠିଲା । ଗୋପାଳବାବୁ ଉଠିଯାଇ ରିସିଭର୍‌ଟା ଉଠାଇ ନେଲେ ।

 

–ହାଲୋ, କଣ କହିଲେ ? ବିଜୟ ବାବୁ ? ହଁ, ଘରେ ଅଛନ୍ତି । ଆଚ୍ଛା .... । ’ ସେ ବିଜୟ ବାବୁଙ୍କୁ ରିସିଭରଟା ବଢ଼ାଇ ଦେଇ, କହିଲେ–ତୁମକୁ କିଏ ଡାକୁଛନ୍ତି ।

 

ବିଜୟ ବାବୁ ଫୋନ୍‌ପାଖକୁ ଉଠିଗଲେ । ରିସିଭର ଉଠାଇ ନେଇ ପଚାରିଲେ–ହ୍ୟାଲୋ....କିଏ ? ଅମୀୟବାବୁ ! ନମସ୍କାର ! ମୋତେ ବର୍ତ୍ତମାନ ଯିବାକୁ ହେବ ! କାହିଁକି ? କଣ କହିଲେ ? କେଉଁଠି...ଭବାନୀପୁରରେ ? ଚାଲନ୍ତୁ ଯାଉଛି ।

 

ବିଜୟ ବାବୁ ରିସିଭର ରଖିଦେଲେ ।

 

‘ଖୁଣ’ ହେବା କଥା ଶୁଣି ଗୋପାଳ ବାବୁ ଚମକି ଉଠିଲେ । ବିଜୟ ବାବୁଙ୍କୁ ଚାହିଁ ଦେଖିଲେ ଉତ୍ତେଜନାରେ ତାଙ୍କ ମୁହଁ ଗମ୍ଭୀର ହୋଇଉଠିଛି ।

 

ସେ ଚଞ୍ଚଳ କଣ୍ଠରେ ପଚାରିଲେ–ଖୁନ୍‌ କେଉଁଠି ହୋଇଛି ବିଜୟବାବୁ ? କିଏ କାହାକୁ ଖୁନ୍‌ କରିଛି ?

 

ବିଜୟ ବାବୁ ପୋଷାକ ପିନ୍ଧୁ ପିନ୍ଧୁ ଗମ୍ଭୀର ଭାବରେ କହିଲେ–ଭବାନୀପୁରରେ ଗୁରୁ ଦୟାଲ ମାରଓ୍ୟାଡ଼ିର ଜଣେ ଭଡ଼ାଟିଆ ।

 

ଗୋପାଳବାବୁ କିଛି ନ କହି ଗ୍ୟାରେଜ୍‌ରୁ ମୋଟର ଆଣିବା ନିମନ୍ତେ ଚାଲିଗଲେ ।

 

କିଛି ସମୟପରେ ଦୁର୍ଗାମୋହନ ମିତ୍ର ରୋଡ଼ର ଗୁରୁଦୟାଲର ପ୍ରକାଣ୍ଡ ଚାରିମାହାଲ କୋଠାର ଗେଟ୍‌ ସାମନାରେ ମୋଟର ଛିଡ଼ା ହେଲା ।

 

ବିଜୟ ବାବୁ ଓ ଗୋପାଳ ବାବୁ ମୋଟରରୁ ଓହ୍ଲାଇ ପଡ଼ିଲେ । ଫାଟକ ସାମନାରେ ପ୍ରକାଣ୍ଡ ଜନତା–ସମସ୍ତେ ଘଟଣା କଣ ଜାଣିବାପାଇଁ ଉଦ୍‌ଗ୍ରୀବ । କେତେଜଣ ସ୍ଥାନୀୟ କନେଷ୍ଟବଳ ଜନତାକୁ ଘଉଡ଼ାଇବାପାଇଁ ପିତଳ ଲାଲମରା ବାଡ଼ି ଉଠାଇ ଚିତ୍କାର କରୁଥାଆନ୍ତି–ତଫାତ୍‌ ଯାଓ–ତଫାତ୍‌ ଯାଓ ।

 

ଫାଟକ ଦୁଇ ପାଖରେ ଦୁଇଜଣ ପୋଲିସ୍‌ ସଙ୍ଗିନ୍‌ ଧରି ପହରା ଦେଉଛନ୍ତି । ବିଜୟବାବୁ ଓ ଗୋପାଳ ବାବୁଙ୍କୁ ଦେଖି ସଂଭ୍ରମରେ ଅଭିବାଦନ କରି ଫାଟକ ଖୋଲି ଦେଲେ ।

 

ଉଭୟେ ଭିତରକୁ ଯାଇ ଦେଖିଲେ ଭଡ଼ାଟିଆଗୁଡ଼ାକ ପଦାରେ ଛିଡ଼ା ହୋଇ ଭୟ ଚକିତ ଚାହାଣୀରେ ଗୋଟାଏ ଟାକ୍‌ସିକୁ ଚାହିଁଛନ୍ତି । ଟାକସି ଚାରିକଡ଼ ପୋଲିସ୍‌ ପହରା ।

 

ଏମାନଙ୍କୁ ଦେଖି ସ୍ଥାନୀୟ ପୋଲିସ୍‌ ଇନ୍‌ସପେକ୍ଟର ଅମୀୟବାବୁ ଓ ପୋଲିସ୍‌ ସାହେବ ମିଷ୍ଟର ରର୍ବାଟସନ୍‌ ମ୍ୟାନେଜରଙ୍କ ଅଫିସରୁ ଉଠିଆସି ଅଭିବାଦନ କଲେ ।

 

ଅମୀୟ ବାବୁ ମୃଦୁହସି କହିଲେ–ଆପଣଙ୍କର ପ୍ରତୀକ୍ଷାରେ ବସିଥିଲୁ । ମୂଲ୍ୟବାନ୍‌ ସମୟ ନଷ୍ଟକରି ଯଦି କିଛି ଦୋଷ–

 

ବିଜୟ ବାବୁ ହସି ଉଠି କହିଲେ–ଆପଣ ପାଗଳ ନା କଣ ! ଏ ସବୁ ରହସ୍ୟ ତଦନ୍ତ କରିବାରେ ମୁଁ ପ୍ରଚୁର ତୃପ୍ତି ପାଏ । ବରଂ ଏ ହତ୍ୟା ରହସ୍ୟ ତଦନ୍ତ କରିବାକୁ ସାହାଯ୍ୟ ନିମନ୍ତେ ମୋତେ ଡକାଇଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି ।

 

ଅମୀୟ ବାବୁ କହିଲେ ବିଜୟ ବାବୁ ମୁଁ ଏହି ରହସ୍ୟଜନକ ହତ୍ୟାକାଣ୍ଡର ଆଦିଅନ୍ତ ପାଉନାହିଁ । ଆପଣଙ୍କ ଅନୁସନ୍ଧାନ ଉପରେ ସବୁ ନିର୍ଭର କରୁଛି । ଯଦି କିଛି କିନରା କରିପାରନ୍ତି, ତେବେ ଚେଷ୍ଟା କରନ୍ତୁ ।

 

ବିଜୟ ବାବୁ କହିଲେ–ସମସ୍ତ ଘଟଣାଟା ମୋତେ ପ୍ରଥମେ କୁହନ୍ତୁ । ପ୍ରକୃତରେ କଣ ଘଟିଛି ଏ ପର୍ଯ୍ୟନ୍ତ ବିଶଦ ଭାବରେ ଜାଣି ନାହିଁ ।

 

ଅମୀୟ ବାବୁ ଯାହା କହିଲେ ତାହାର ସାରମର୍ମ ଏହି–ଗତକାଲି ସନ୍ଧ୍ୟାରେ ଜଣେ ପ୍ରୌଢ଼ ଚାରିମାହାଲାରେ ଘରଭଡ଼ା ନେଇ ରହିଲା । ଆଜି ପ୍ରାୟ ଚାରିଟା ସମୟରେ ଲୋକଟି ବଜାରରେ କାମ ଅଛି କହି ଚାଲିଗଲା । ପ୍ରାୟ ଦୁଇଘଣ୍ଟା ପରେ ଲୋକଟିର ମୃତ ଦେହ ଟାକ୍‌ସିରେ ମିଳିଲା । କିଏ କେଉଁ ଉଦ୍ଦେଶ୍ୟରେ ଲୋକଟିକୁ ହତ୍ୟା କରିଛି ଏ ପର୍ଯ୍ୟନ୍ତ ଜଣା ଯାଇନାହିଁ । ଟାକ୍‌ସି ଚାଳକର ଇଜାହାରରୁ ଜଣାଯାଏ ଯେ ଜଣେ ସାହେବୀ ପୋଷାକ ପିନ୍ଧା ଲୋକ ଇଡ଼େନ୍‌ ଗାର୍ଡ଼ନ ପାଖରେ ଏକ ବ୍ୟକ୍ତିର ଅଚେତନ ଦେହ ବୋହି ତାହାର ଟାକ୍‌ସିରେ ବସି ଏହିଠାକୁ ଆସିବାକୁ କହିଲା । ମାତ୍ର ଏଠାରେ ପହଞ୍ଚି ଦେଖାଗଲା, ଲୋକଟି ଖୁନ୍‌ ହୋଇପଡ଼ିଛି, ଅଥଚ ସେ ସାହେବବେଶୀ ଲୋକଟି ଫେରାର ।

 

ସମସ୍ତ ଶୁଣି ବିଜୟ ବାବୁ ଗମ୍ଭୀର ହୋଇ ମ୍ୟାନେଜରଙ୍କୁ ପଚାରିଲେ–ଲୋକଟାର ପରିଚୟ କିଛି ଜାଣନ୍ତି ?

 

ମ୍ୟାନେଜର ଶୁଷ୍କ କଣ୍ଠରେ କହିଲେ–ନା, ବିଶେଷ କିଛି ଜାଣେ ନାହିଁ । ତେବେ ଏତିକି ମାତ୍ର ଜାଣେ ଯେ ତାହାର ନାମ ବିନୋଦ କୁମାର ଦାସ । ଲୋକଟା ଅନେକ ଦିନ ହେଲା ବର୍ମାରେ ଥିଲା । ସେ ଯେ କିଛି ଗୋଟାଏ ଗୁରୁତର ବିଷୟରେ ଲିପ୍ତ ଅଛି, ଏ କଥା ତାହାର ଚାଲିଚଲଣରୁ ବେଶ୍‌ ବୁଝା ପଡ଼ୁଥିଲା । ଏତିକି ମାତ୍ର ତାହା ବିଷୟରେ ମୁଁ ଜାଣେ ।

 

କିଛିକ୍ଷଣ ଗମ୍ଭୀର ରହି ବିଜୟ ବାବୁ କହିଲେ–ଚାଲନ୍ତୁ, ଲୋକଟାକୁ ଥରେ ମୁଁ ପରୀକ୍ଷା କରିବାକୁ ଚାହେଁ ।

 

ବିଜୟ ବାବୁ ଓ ଗୋପାଳ ବାବୁଙ୍କ ସଙ୍ଗେ ଅମୀୟ ବାବୁ, ପୋଲିସ୍‌ ସାହେବ ଟାକ୍‌ସି ନିକଟକୁ ଆସିଲେ ।

 

ଟାକ୍‌ସି ନିକଟରେ ଦୁଇଜଣ ସଶସ୍ତ୍ର ପୋଲିସ୍‌ ଜଗୁଆଳ ଥିଲେ । ଏମାନଙ୍କୁ ଦେଖି ଅଭିବାଦନ କରି ସେମାନେ ପାଖେଇ ଗଲେ ।

 

ଟାକ୍‌ସି ଭିତରେ ସେ କରୁଣ ଦୃଶ୍ୟ ଦେଖି ବିଜୟବାବୁଙ୍କ ଛାତି ଥରି ଉଠିଲା । ମନୁଷ୍ୟ ମନୁଷ୍ୟତ୍ୱ ହରାଇ କି ବିଭତ୍ସକାଣ୍ଡ ଅକୁଣ୍ଠିତ ଚିତ୍ତରେ କରିପାରେ, ଏ ହତ୍ୟାକାଣ୍ଡ ତାହାର ଜ୍ୱଳନ୍ତ ଉଦାହରଣ ।

 

ମନର ଉତ୍ତେଜନା କମିଯିବାରୁ ବିଜୟବାବୁ ଧୀରେ ଧୀରେ ମୃତବ୍ୟକ୍ତିକୁ ପରୀକ୍ଷା କରିବାକୁ ଲାଗିଲେ । ଦେଖିଲେ, ଲୋକଟିର କୋଟ୍‌ଟି ବିପର୍ଯ୍ୟସ୍ତ ଭାବରେ ଦେହରୁ ଅଧା ଖସି ଆସିଛି । ଅନୁମାନ କଲେ, ହତ୍ୟାକାରୀ ହତ୍ୟାକରି ସାରି କୌଣସି ଗୁପ୍ତ ଜିନିଷ ବ୍ୟଗ୍ର ଭାବରେ ଅନୁସନ୍ଧାନ କରିବାରୁ କୋଟ୍‌ଟିର ଏପରି ଶୋଚନୀୟ ଅବସ୍ଥା ହୋଇଛି । ତାହାରି ଉପରେ ନିର୍ଭର କରି ସେ ଲୋକଟିର ରକ୍ତାକ୍ତ କୋଟ୍‌ଟି ଲେଉଟାଇ ଦେଇ ଭିତର ଅଂଶ ତୀକ୍ଷ୍‌ଣ ଦୃଷ୍ଟିରେ ଅନୁସନ୍ଧାନ କରିବାକୁ ଲାଗିଲେ । କିଛିକ୍ଷଣ ଅନୁସନ୍ଧାନ କରିବା ପରେ ତାଙ୍କର ମୁଖ ଉଜ୍ଜ୍ୱଳ ହୋଇଉଠିଲା । ସେ ଦେଖିଲେ ଭିତରପଟ ଗୁପ୍ତ ପକେଟଟି କୌଣସି ତୀକ୍ଷ୍‌ଣ ଅସ୍ତ୍ର ଦ୍ୱାରା ଛିନ୍ନ କରା ହୋଇଛି । ଗୋଟାଏ ପାଖରେ ଖଣ୍ଡେ ସାଦା କାଗଜର କିଛି ଅଂଶ ଦେଖାଗଲା । ବିଜୟବାବୁ କମ୍ପିତ ହସ୍ତରେ ସେ ଖଣ୍ଡିକ ଆଣିବାକୁ ଯାଇ ଦେଖିଲେ, ସୁତାରେ ସେ ଖଣ୍ଡିକ ସିଲାଇ କରା ହୋଇଛି । ଭାବିଲେ କାଗଜ ଖଣ୍ଡିକ ନିଶ୍ଚୟ ମୂଲ୍ୟବାନ୍‌ ବା ସେଥିରେ ନିଶ୍ଚୟ କିଛି ଗୁପ୍ତ ବିଷୟ ଲେଖାଥିଲା । ତା’ ନୋହିଲେ ମୃତବ୍ୟକ୍ତି ସେ ଖଣ୍ଡିକକୁ ଏପରି ଗୁପ୍ତରେ ରଖିବାର କାରଣ କଣ ? ସେହି କାଗଜଖଣ୍ଡିକ ପାଇଁ ଯେ ହତଭାଗ୍ୟକୁ ଚିରଦିନ ପାଇଁ ବିଦାୟ ନେବାକୁ ପଡ଼ିଛି, ଏ କଥା ସେ ସ୍ପଷ୍ଟଭାବରେ ବୁଝି ପାରିଲେ ।

 

କିନ୍ତୁ କାଗଜ ଖଣ୍ଡିକ ପରୀକ୍ଷାକରି, ସେ ଖଣ୍ଡିକ କି କାଗଜ ତାହା ଠାକ୍‌ କରି ପାରିଲେ ନାହିଁ ।

 

ବିଜୟବାବୁ ମୃତବ୍ୟକ୍ତି ନିକଟରୁ ଚାଲିଆସିବାକୁ ବାହାରିଛନ୍ତି, ଏହି ସମୟରେ ହଠାତ୍‌ ତାଙ୍କର ଦୃଷ୍ଟି ଲୋକଟିର ମୃଷ୍ଟିବଦ୍ଧ ହାତରେ ପଡ଼ିଲା । ସେ ଚଞ୍ଚଳ ଲୋକଟିର ମୁଠା ଭିତରୁ କଣ ବାହାର କରି ଆଣି ପରୀକ୍ଷା କରିବାକୁ ଲାଗିଲେ ।

 

ଅମୀୟ ବାବୁ ଓ ପୋଲିସ ସାହେବ ଏତେବେଳ ପର୍ଯ୍ୟନ୍ତ ନୀରବରେ ତାଙ୍କର ଅନୁସନ୍ଧାନ କୌଶଳ ଦେଖୁଥିଲେ । ହଠାତ୍‌ ମୃତବ୍ୟକ୍ତିର ହାତ ମୁଠାରୁ କଣ ନେବାର ଦେଖି ସମସ୍ୱରରେ ପଚାରିଲେ–ସେ ଖଣ୍ଡିକ କଣ ବିଜୟବାବୁ ?

 

ବିଜୟବାବୁ ନୀରବରେ ସେ ଖଣ୍ଡିକ ତାଙ୍କ ହାତକୁ ବଢ଼ାଇ ଦେଲେ । ଅମୀୟବାବୁ ବିସ୍ମୟର ସହିତ ଦେଖିଲେ, ସେ ଖଣ୍ଡିକ କୌଣସି କୋଟ୍‌ର ଛିନ୍ନ ଅଂଶ । ସେ ପ୍ରଶ୍ନସୂଚକ ଦୃଷ୍ଟିରେ ଚାହିଁଲେ ।

 

ବିଜୟ ବାବୁ ଗମ୍ଭୀର ଭାବରେ କହିଲେ–ସେ ଖଣ୍ଡିକ ନିଶ୍ଚୟ ହତ୍ୟାକାରୀ ପିନ୍ଧିଥିବା କୋଟ୍‌ର ଛିନ୍ନ ଅଂଶ । ହତ୍ୟା ପୂର୍ବରୁ ଧସ୍ତାଧସ୍ତି ସମୟରେ ମୃତବ୍ୟକ୍ତି ନିଶ୍ଚୟ ହତ୍ୟାକରୀର କୋଟ୍‌କୁ ଜୀବନ ବିକଳରେ ଧରିଥିଲା । ହତ୍ୟାକାରୀ ପଳାଇବା ସମୟରେ ସେ ଖଣ୍ଡିକ ତାହାର ଦୃଢ଼ ମୃଷ୍ଟିଭିତରେ ରହିଯାଇଛି ।

 

ଅମୀୟ ବାବୁ କହିଲେ–ତାହାରି ସାହାଯ୍ୟରେ ହତ୍ୟାକାରୀକୁ ଧରିବାରେ କିଛି ସୁବିଧା ହୋଇପାରିବ ବୋଲି ମୋର ଆଶା ।

 

ବିଜୟବାବୁ ଗମ୍ଭୀର ଭାବରେ କହିଲେ–ଅସମ୍ଭବ । ହତ୍ୟାକାରୀର ଯେ କେବଳ ସେହି ରଙ୍ଗର କୋଟ୍‌ ଅଛି ଆଉ କାହାରି ନାହିଁ ଏହା ଭାବିବା ଭୁଲ୍‍ । ତେବେ ସେ ଖଣ୍ଡିକ ଭବିଷ୍ୟତରେ ଦରକାରବେଳେ କର୍ମରେ ଆସିପାରେ, ଏପରି ଅନୁମାନ କରିବା ଦୋଷାବହ ନୁହେଁ-

 

କିଛିକ୍ଷଣ ଅନୁସନ୍ଧାନ ପରେ ବିଜୟବାବୁ ଟାକ୍‌ସି ଚାଳକକୁ ଡାକିଲେ । ଅଚାନକ ଏପରି ବିପଦରେ ପଡ଼ି ଟାକ୍‌ସି ଚାଳକ ବିଚରା ହତବୁଦ୍ଧି ହୋଇ ଗୋଟାଏ କଡ଼ରେ ବସିଥିଲା–ଡାକରା ଶୁଣି ଥରିଥରି ଆସି ଛିଡ଼ା ହେଲା ।

 

ବିଜୟବାବୁ ନରମ କଣ୍ଠରେ ପଚାରିଲେ–ତୁ ଏ ଭଡ଼ାଟିଆକୁ କେଉଁ ଜାଗାରୁ ଆଣିଥିଲୁ-?

 

–ହଜୁର, ଇଡେନ୍‌ ଗାର୍ଡ଼ନ ପାଖରୁ ।

 

–ଜଣେ ଥିଲା ନା ଦୁଇଜଣ ?

 

–ହଜୁର ଦୁଇଜଣ ।

 

–ଅନ୍ୟ ଜଣକ କେତେବେଳେ ଓହ୍ଲାଇଗଲା ଜାଣୁ ?

 

–ନା, ହଜୁର ।

 

ଉତ୍ତର ଶୁଣି ବିଜୟବାବୁ ଗମ୍ଭୀର ହୋଇଉଠିଲେ ।

 

ପଚାରିଲେ ବାଟରେ କେଉଁଠି ଟାକ୍‌ସି ଛିଡ଼ା କରିଥିଲୁ ?

 

ଟାକ୍‌ସି ଚାଳକ କିଛିକ୍ଷଣ ଭାବି କହିଲା–ନା–ହିଁ ହଜୁର ବାଟରେ ଟ୍ରାଫିକ୍‌ ବନ୍ଦଥିବାରୁ ଅଳ୍ପସମୟ ଟାକ୍‌ସି ବନ୍ଦ କରିଥିଲି ।

 

ବିଜୟବାବୁଙ୍କ ମୁହଁ ଉଜ୍ଜ୍ୱଳ ହୋଇଉଠିଲା । ଅସ୍ପଷ୍ଟ ସ୍ୱରରେ କହିଲେ–ହଁ, ବୁଝିଲି ।

 

କିଛି ଶବ୍ଦ ଶୁଣିଥିଲୁ ।

 

–ନା, ହଜୁର ।

 

ବିଜୟବାବୁ ଅମୀୟବାବୁଙ୍କୁ ଚାହିଁ କହିଲେ–ଚାଲନ୍ତୁ, ଲୋକଟାର ବେଡ୍‌ରୁମ୍‌ଟା ଥରେ ପରୀକ୍ଷା କରିବା ।

 

ଉପର ମହଲାର ୪୮ ନମ୍ୱର କ୍ୟାମେରା । ବିଜୟବାବୁ ଭିତରକୁ ଯାଇ ଦେଖିଲେ, ଝରକାଆଡ଼କୁ ଗୋଟାଏ ଖଟ । ଖଟ ନିକଟରେ ଗୋଟାଏ ସୁଟ୍‌କେଶ୍‌ । ଏହା ବ୍ୟତୀତ କକ୍ଷଟିରେ ଆଉ କିଛି ଜିନିଷ ନାହିଁ ।

 

ବିଜୟବାବୁ ସୁଟକେଶ୍‌ଟା ଖୋଲି ଦେଖିବାକୁ ଲାଗିଲେ । ଭିତରେ ସେପରି କିଛି ନାହିଁ । ଦୁଇ ତିନିଖଣ୍ଡ ସାର୍ଟ, ଗୋଟାଏ ହାପ୍‌ ପ୍ୟାଣ୍ଟ୍‌ ।

 

ବିଜୟବାବୁ ସେଗୁଡ଼ିକ ଉଠାଇଦେବା ମାତ୍ରେ ତଳେ ଗୋଟାଏ ମନିବ୍ୟାଗ୍‌ ଦେଖିଲେ । ଫିଟାଇ ଦେଖିଲେ, ପ୍ରାୟ ଦୁଇଶହ ଟଙ୍କାର ଦଶଟଙ୍କିଆ ନୋଟ ଅଛି ।

 

ଗୋଟାଏ କଡ଼ରେ ସାଦାହୋଇ କଣ ଦିଶୁଥିବାର ଦେଖି ସେ ରୁଦ୍ଧ ନିଃଶ୍ୱାସରେ ଆଣିଲେ । ସେ ଖଣ୍ଡିକ ଦେଖି ତାଙ୍କ ମୁହଁରୁ ଗୋଟାଏ ଅବ୍ୟକ୍ତ ଶବ୍ଦ ବାହାରିଲା ।

 

ଅମୀୟବାବୁ ଝୁଙ୍କିପଡ଼ି ଦେଖିଲେ–କାଗଜ ଖଣ୍ଡିକରେ ଜଣେ ଯୁବକ ଓ ଜଣେ ନବୀନା ଯୁବତୀର ଫଟୋ ।

 

କିଛିକ୍ଷଣ ପର୍ଯ୍ୟନ୍ତ କାହାରି ମୁହଁରୁ କଥା ବାହାରିଲା ନାହିଁ । ବିସ୍ମୟର ନିଶା କଟିଯିବାରୁ ଅମୀୟବାବୁ ପଚାରିଲେ–ଏ କି ରହସ୍ୟ ବିଜୟବାବୁ ?

 

–କିଛି ବୁଝାପଡ଼ୁ ନାହିଁ । ତେବେ ରହସ୍ୟ ଭେଦ କରିବାର ଏ ଖଣ୍ଡିକ ଯେ ସାହାଯ୍ୟ କରିବ ଏଥିରେ ସନ୍ଦେହ ନାହିଁ ।

 

ସେ ଫଟୋଟି ପକେଟରେ ରଖି କହିଲେ–ମୋର ଅନୁସନ୍ଧାନ ସରିଲା । ଆଶାକରେ କାଲି ଏ ବିଷୟରେ କିଛି ଆଲୋକର ସନ୍ଧାନ ଦେଇପାରିବି ।

 

ମୋଟରରେ ଫେରିବା ସମୟରେ ହଠାତ୍‌ ବିଜୟବାବୁ ପଚାରିଲେ–କେସ୍‌ଟା ସମ୍ୱନ୍ଧରେ ତୁମର ମତ କଣ ଗୋପାଳବାବୁ ?

 

ଗୋପାଳବାବୁ କହିଲେ–ସତ କହୁଛି ବିଜୟବାବୁ, କେସ୍‌ଟା ଏତେ ଗୋଳମାଳିଆ ଯେ ହଠାତ୍‌ କିଛି ଠିକ୍‌ କରି ହେଉନାହିଁ । କେବଳ ଏତିକି କହିପାରେ ଯେ ଲୋକଟା ଅଜ୍ଞାନ ଅବସ୍ଥାରେ ଖୁନ୍‌ ହୋଇଛି ।

 

ବିଜୟବାବୁ ହଠାତ୍‌ କହି ଉଠିଲେ–ସାବାସ୍‌ ! ଠିକ୍‌ କହିଛ କିନ୍ତୁ କୋଟ୍‌ର ଛିଣ୍ଡା ଅଂଶ ତା ହାତମୁଠାକୁ ଆସିଲା କେତେବେଳେ ? ମୋଟର ଭିତରେ ଯେ ଏ ଘଟଣା ହୋଇ ନାହିଁ ଏକଥା ସ୍ଥିର ନିଶ୍ଚୟ ।

 

ଗୋପାଳବାବୁ କହିଲେ–ମୋର ବିଶ୍ୱାସ ଲୋକଟା ଖୁନ୍‌ ହେବାପୂର୍ବରୁ କୌଣସି ସ୍ଥାନରେ ହତ୍ୟାକାରୀ ସହିତ ଧସ୍ତାଧସ୍ତି ହୋଇଛି । ତା’ପରେ–Excellent ! ତୁମେ ଦିନେ ନିଶ୍ଚୟ ନାମଜାଦା ଡିଟେକ୍‌ଟିଭ ହେବ । କଥା ହେଉଛି ଘଟଣାଟା କେଉଁଠି ଘଟିଥିଲା ?

 

କିଛିକ୍ଷଣ ନୀରବରେ ଚିନ୍ତାକରି ହଠାତ୍‌ କହିଲେ––ତୁମେ ଘରକୁ ଯାଅ ଗୋପାଳବାବୁ ! ମୁଁ ଗୋଟାଏ ଜରୁରି କାମ ଶେଷ କରି କିଛିକ୍ଷଣ ପରେ ଯିବି ।

 

ଗୋପାଳ ବାବୁ ନୀରବରେ ସମ୍ମତି ଜଣାଇଲେ । କର୍ଣ୍ଣଓ୍ୟାଲିସ୍‌ ଷ୍ଟ୍ରିଟ୍‌ରେ ତାଙ୍କୁ ଛାଡ଼ିଦେଇ ବିଜୟ ବାବୁ ମୋଟର ନେଇ ଚାଲିଗଲେ ।

 

–ଦୁଇ–

 

ନିଝୁମ୍‍ ରାତି । ଗୋପାଳବାବୁ ଓ ଅମୀୟ ବାବୁ ବୈଠକଖାନାରେ ବସି ନୀରବରେ ସିଗାରେଟ୍‌ ଖାଉଛନ୍ତି ।

 

ନୀରବତା ଭାଙ୍ଗି ଅମୀୟବାବୁ ପଚାରିଲେ–ଏତେ ରାତି ପର୍ଯ୍ୟନ୍ତ ଆପଣଙ୍କ ଗୁରୁଜୀ କୁଆଡ଼େ ଗଲେ ? କିଛି କହିଯାଇ ନାହାନ୍ତି ?

 

ନା । ବୋଧହୁଏ ସେହି ହତ୍ୟା ସମ୍ପର୍କରେ କିଛି ନୂତନ ସୂତ୍ର ଆବିଷ୍କାରପାଇଁ ଯାଇଛନ୍ତି । ତାଙ୍କର ସବୁ କାମ ରହସ୍ୟମୟ–

 

ରହସ୍ୟମୟ ଘଟଣାରେ ରହସ୍ୟମୟ ନହେଲେ କାମ ଚଳିବ କିମିତି ?–କଥା ପଦକ କହି ବିଜୟବାବୁ ବୈଠକ ଖାନା ଭିତରକୁ ଆସିଲେ । ତାଙ୍କୁ ଦେଖି ଗୋପାଳବାବୁ ଚଞ୍ଚଳ କଣ୍ଠରେ ପଚାରିଲେ କଣ କିଛି ସୂତ୍ର ପାଇଲେ ବିଜୟବାବୁ ?

 

ଗୋଟାଏ ଚେୟାର ଟାଣିଆଣି ବସିପଡ଼ି ବିଜୟବାବୁ ମୃଦୁ ହସି କହିଲେ–ଅନେକ କିଛି, ଯାହାକି ଆଶା କରି ନ ଥିଲି ।

 

ତାଙ୍କ କଥା ଶୁଣି ଗୋପାଳ ବାବୁ ଓ ଅମୀୟବାବୁ ଉତ୍ତେଜନା ଭରା ମନରେ ପାଖକୁ ଘୁଞ୍ଚି ଆସିଲେ ।

 

ବିଜୟବାବୁ ପକେଟରୁ ଗୋଟାଏ ରକ୍ତାକ୍ତ ରୁମାଲ ବାହାର କରି ଟେବୁଲ ଉପରେ ରଖିଲେ । ରୁମାଲ୍‌ଟି ସିଲିକ୍‌ ତିଆରି । ଏସେନ୍‌ସର ମଧୁର ଗନ୍ଧ ବର୍ତ୍ତମାନ ସୁଦ୍ଧା ତହିଁରେ ଲାଖି ରହିଛି ।

 

ଗୋପାଳବାବୁ ଓ ଅମୀୟ ବାବୁ କିଛି ବୁଝି ନପାରି ବିସ୍ମୟରେ ତାଙ୍କ ମୁହଁକୁ ଚାହିଁଲେ ।

 

ବିଜୟବାବୁ କିଛି ନ କହି ଅଙ୍ଗୁଳିରେ ରୁମାଲଟିର ଗୋଟାଏ ଅଂଶ ଦେଖାଇ ଦେଲେ ।

 

ଉଭୟଙ୍କ ମୁହଁରୁ ଗୋଟାଏ ଅସ୍ପଷ୍ଟ ଶବ୍ଦ ବାହାରିଲା ସେ ଜାଗାଟାକୁ ଦେଖି ।

 

ସେମାନେ ବିସ୍ମୟର ସହିତ ଦେଖିଲେ ରୁମାଲର ଗୋଟାଏ କଣରେ ନାଲିସୂତାରେ ଲେଖାହୋଇଛି–‘ପ୍ରେମଲତା’ । ନାଁଟି ଯେ ନିଶ୍ଚୟ କୌଣସି ବିଳାସିନୀ ସ୍ତ୍ରୀଲୋକର ଏଥିରେ କୌଣସି ସନ୍ଦେହ ନାହିଁ । ସେମାନେ ଭାବିବାକୁ ଲାଗିଲେ, ସ୍ତ୍ରୀଲୋକର ରୁମାଲ କିପରି ଆସିଲା ? ଏହାର ହତ୍ୟାକାଣ୍ଡ ସହିତ କି ପ୍ରକାର ସମ୍ପର୍କ ? ସେମାନେ ନିର୍ବାକ୍‍ ଭାବରେ ଚାହିଁ ରହିଲେ । ଅନବରତ ସେମାନଙ୍କ ମନରେ ପ୍ରଶ୍ନ ଉଠିବାକୁ ଲାଗିଲା–ପ୍ରେମଲତା କିଏ ?

 

ସେମାନଙ୍କୁ ନିର୍ବାକ ଦେଖି ବିଜୟ ବାବୁ ମୃଦୁହସି କହିଲେ–ତୁମ ଅନୁମାନ ଠିକ୍‌ ଗୋପାଳ ବାବୁ ! ଏ ହତ୍ୟାକାଣ୍ଡର ପ୍ରଥମ ଅଙ୍କ ଆରମ୍ଭ ହୋଇଛି ଇଡ଼େନ୍‌ ଗାର୍ଡ଼ନ ଭିତରେ । ସେହିଠାରେ ପ୍ରଥମ ହତ୍ୟାକାରୀ ଓ ମୃତବ୍ୟକ୍ତିର ଧସ୍ତାଧସ୍ତି ଲାଗିଥିଲା । ଶେଷରେ ହତ୍ୟାକାରୀ କ୍ଳୋରୋଫରମ୍‌ ଦ୍ୱାରା ଲୋକଟାକୁ ହତଜ୍ଞାନ କରି ବାଟରେ ଟାକ୍‌ସିରେ ହତ୍ୟା କରିଛି । ଧସ୍ତାଧସ୍ତି ସମୟରେ ଏ ରୁମାଲଟି ଦୁଇଜଣଙ୍କ ମଧ୍ୟରୁ କାହାରି ଜଣକର ପକେଟରୁ ପଡ଼ିଯାଇଛି ।

 

କିଛିକ୍ଷଣ ରହି କହିଲେ–ଯାହାର ଏ ରୁମାଲ ଅନୁମାନ କରେ ତାହାର ସନ୍ଧାନ ମଧ୍ୟ ପାଇଛି । ସେମାନେ ରୁମାଲ ହଜିଛି ବୋଲି ଜାଣିପାରି ଆସିଥିଲେ ଅନୁସନ୍ଧାନ କରିବାକୁ ।

 

ବିସ୍ମୟରେ ଗୋପାଳ ବାବୁ ଓ ଅମୀୟ ବାବୁ ହତବୁଦ୍ଧି ହୋଇଗଲେ ତାଙ୍କ କଥାଶୁଣି । ଉତ୍ତେଜନା ଭରା କଣ୍ଠରେ କହିଲେ–ସେମାନେ ? ମାନେ !

 

–ହଁ, ସେମାନେ–ଦୁଇଜଣ । ଜଣେ ପୁରୁଷ–ଆରଜଣକ ଜଣେ ନବୀନା ସୁନ୍ଦରୀ । ସେ ଦୁଇଜଣଙ୍କୁ ତୁମେ ଦୁହେଁ ଚିହ୍ନ । ମୃତ ବ୍ୟକ୍ତିର ପକେଟରୁ ପାଇଥିବା ଫଟୋରେ ସେ ଦୁଇଟି ଯୁବକ ଯୁବତୀ, ଆଉ ଆଜି ଯେଉଁ ଦୁଇଜଣଙ୍କୁ ଦେଖିଲି, ସୋମନେ ଏକ ଲୋକ ।

 

–କିନ୍ତୁ ଆପଣ ସେମାନଙ୍କୁ ନଜରବନ୍ଦି ନ କରି–ଭୟନାହିଁ । ତା’ର ଉପାୟ ମୁଁ କରିଛି-! ସେ ଦୁହିଁଙ୍କ ଉପରେ ନଜର ରଖିବାପାଇଁ ଜଣେ ସି. ଆଇ. ଡ଼ିକୁ ପଠାଇଛି । ସେମାନେ ଇମ୍ପିରିଆଲ ହୋଟେଲରେ ରହନ୍ତି । ଯୁବକଟିର ନା’ ଉଦୟଶଙ୍କର ଦାସ–ଯୁବତୀର ନା’ ମାୟାଦେବୀ ।

 

ଏତେ ଅଳ୍ପ ସମୟରେ ଯେ ବିଜୟବାବୁ ରହସ୍ୟ ଅନ୍ଧାରରେ ଏତେ ଆଗେଇ ପାରିବେ, ଏ କଥା ଗୋପାଳ ବାବୁ କିମ୍ୱା ଅମୀୟ ବାବୁ ଭାବି ନ ଥିଲେ । ସବୁ ଶୁଣି ପ୍ରଂଶସାରେ ସେମାନଙ୍କ ମନ ଭରି ଉଠିଲା ।

 

କିଛିକ୍ଷଣ ନୀରବ ରହି ବିଜୟବାବୁ କହିଲେ–କିନ୍ତୁ ଗୋଟାଏ କଥାର କୂଳକିନାରା ପାଉନାହିଁ । ଇଡ଼େନ୍‌ ଗାର୍ଡ଼୍‍ନ ଭିତରେ ଯେଉଁ ସ୍ଥାନରେ ଏ ଘଟଣା ଘଟିଲା, ସେ ସ୍ଥାନରେ ଆଉ ଜଣକର ପାଦଚିହ୍ନ ପଡ଼ିଛି । ସେ ଲୋକଟି ସହିତ ମୃତବ୍ୟକ୍ତିର ଅନେକକ୍ଷଣ ପର୍ଯ୍ୟନ୍ତ କଥାବାର୍ତ୍ତା ହୋଇଥିଲା । ତାପରେ ସେ ଲୋକଟିଯିବାରୁ ହତ୍ୟାକାରୀ ସହିତ ମୃତ ବ୍ୟକ୍ତିର ଧସ୍ତାଧସ୍ତି ହୋଇଛି-। ପାଦଚିହ୍ନ ଆଣିଛି–ଦେଖାଯାଉ ।

 

ହତ୍ୟାକାଣ୍ଡ ସମ୍ୱନ୍ଧରେ କିଛିକ୍ଷଣ ଆଲୋଚନା କରି ଅମୀୟବାବୁ ପରଦିନ ଦେଖା କରିବେ କହି ଚାଲିଗଲେ । ବିଜୟ ବାବୁ ଓ ଗୋପାଳ ବାବୁ ମଧ୍ୟ ବିଶ୍ରାମ ନେବାକୁ ଉଠିଗଲେ ।

 

ପରଦିନ ରାତି ଆଠଟା । ବିଜୟବାବୁ କେତେଗୁଡ଼ାଏ ଦରକାରୀ ରିପୋର୍ଟ ଲେଖୁଥାନ୍ତି–ପାଖରେ ଗୋପାଳବାବୁ ଗୋଟାଏ ଆରାମ୍‌ ଚେୟାରରେ ଶୋଇ ଲଣ୍ଡନରୁ ସଦ୍ୟ ପ୍ରକାଶିତ Criminal seriesର ଗୋଟାଏ ନଭେଲ ପଢ଼ିବାରେ ବ୍ୟସ୍ତ ।

 

ଏହି ସମୟରେ ଦରଓ୍ୟାନ୍‌ ଅସି କହିଲା–ବାବୁ, ଆପଣଙ୍କୁ କିଏ ଡାକୁଛନ୍ତି ।

 

ସେ ଖଣ୍ଡେ କାର୍ଡ଼ ବଢ଼ାଇଦେଲା ବିଜୟ ବାବୁଙ୍କ ହାତକୁ ।

 

କାର୍ଡ଼ଖଣ୍ଡିକ ଦେଖି ବିଜୟବାବୁ କହିଲେ–ତାଙ୍କୁ ବୈଠକ ଖାନାକୁ ଡାକ–ମୁଁ ଯାଉଛି ।

 

ଦରଓ୍ୟାନ୍‌ ଚାଲିଗଲା ।

 

ଗୋପାଳବାବୁ ପଚାରିଲେ–ଏତେ ରାତିରେ କେଉଁ ଭଦ୍ରଲୋକଙ୍କ ଶୁଭାଗମନ ହୋଇଛି ବିଜୟ ବାବୁ ?

 

ବିଜୟବାବୁ ଅନ୍ୟମନସ୍କ ଭାବରେ କହିଲେ–କୁମାର ସିଂ । ଇମ୍ପିରିଆଲ ହୋଟେଲ ଉପରେ ଦୃଷ୍ଟି ରଖିବା ଭାର ଯାହା ଉପରେ ଦେଇଥିଲି । କୁମାର ସିଂ ! ଏତେ ରାତିରେ କି ଖବର ନେଇ ଆସିଛି ? ପୁଣି କିଛି ଗଣ୍ଡଗୋଳ ଘଟିଲା ନା କଣ ? ଗୋପାଳ ବାବୁଙ୍କ ଛାତି ଧଡ଼ପଡ଼ ହେବାକୁ ଲାଗିଲା । ଭାବିଲେ ସେ ଦୁଇଜଣ କଣ ଏମାନଙ୍କ ଆଖିରେ ଧୂଳି ପକାଇ ପଳାୟନ କଲେ ନା କଣ ? ନିଦ୍ରା ସୁଖରୁ ବଞ୍ଚିତହେବାରୁ ମନେ ମନେ ବିରକ୍ତ ହୋଇ ସେ ବିଜୟ ବାବୁଙ୍କ ସଙ୍ଗରେ ବୈଠକ ଖାନାକୁ ଆସିଲେ ।

 

ଲୋକଟି ବିଜୟବାବୁଙ୍କୁ ଦେଖି ଅଭିବାଦନ କଲା । ତାହାର ଚେହେରା ଦେଖି ବିଜୟ ବାବୁଙ୍କ ମନ ପାପ ଛୁଇଁଲା । ଆଖିରେ ତାର ଅଜଣା ଭୟର ଚିହ୍ନ ।

 

ବିଜୟ ବାବୁ ମନର ଭାବ ଚାପିରଖି ପଚାରିଲେ–ଖବର କଣ କୁମାର ?

 

ଲୋକଟି ଛେପ ଢୋକି କହିଲା–ଶିଘ୍ର ଆସନ୍ତୁ ସାର୍‌ । ସର୍ବନାଶ ହୋଇଛି । କିଏ ଜାଣିଥିଲା ଏତେବଡ଼ ଭୀଷଣ ଘଟଣା ଘଟିବ ବୋଲି ।

 

ବିଜୟ ବାବୁ ଗମ୍ଭୀର ହୋଇ କହିଲେ–କଣ ଘଟିଛି–କିଛି ଅଶୁଭ । ଲୋକଟି ଉତ୍ତର ନ ଦେଇ ଚିଠି ଖଣ୍ଡିଏ ବଢ଼ାଇ ଦେଇ କହିଲା–ଅମୀୟ ବାବୁ ଦେଇଛନ୍ତି ।

 

ବିଜୟ ବାବୁ ରୁଦ୍ଧ ନିଶ୍ୱାସରେ ଚିଠି ଖଣ୍ଡିକ ପଢ଼ିବାକୁ ଲାଗିଲେ । ଗୋପାଳ ବାବୁ କୌତୁହଳୀ ହୋଇ ପାଖକୁ ଘୁଞ୍ଚ ଆସିଲେ । ଲେଖାଅଛି–ପ୍ରିୟ ବିଜୟ ବାବୁ,

 

ଏ ଚିଠି ପାଇବା ମାତ୍ରେ ଇମ୍ପିରିଆଲ ହୋଟେଲକୁ ଚାଲି ଆସିବେ । ଯେଉଁ ମାୟାଦେବୀଙ୍କ ସ୍ୱାମୀ ଉପରେ ଆପଣ ସନ୍ଦେହ କରି ସତର୍କ ଦୃଷ୍ଟି ରଖିଥିଲେ, ତାହାକୁ କିଏ ଆଜି ଗୁପ୍ତରେ ହତ୍ୟାକରି ଚମ୍ପଟ କରିଛି । ମାୟାଦେବୀ ଫେରାର୍‌ । ଏହାର ରହସ୍ୟ କିଛି ବୁଝା ପଡ଼ୁନାହିଁ-। ଆପଣଙ୍କୁ ଅପେକ୍ଷା କରିଛି–ଆସିଲେ କିଛି ଗୋଟାଏ ବ୍ୟବସ୍ଥା କରିବା ।

 

ଆପଣଙ୍କର

ଅମୀୟକୁମାର ଦାସ

 

ଚିଠିଖଣ୍ଡିକ ପଢ଼ି ବିସ୍ମୟରେ କିଛିକ୍ଷଣ ପର୍ଯ୍ୟନ୍ତ ବିଜୟ ବାବୁଙ୍କ ମୁହଁରୁ କଥା ବାହାରିଲା ନାହିଁ । ଏ ଅଚାନକ ଖବର ଶୁଣି ଗୋପାଳବାବୁ ମୂକପରି ଛିଡ଼ା ହୋଇ ରହିଲେ ।

 

ବିଜୟବାବୁଙ୍କ ଚିନ୍ତାଧାରା ଗୋଳମାଳ ହୋଇଗଲା । ଭାବିଲେ, ଯାହାକୁ ହତ୍ୟାକାରୀ ବୋଲି ସନ୍ଦେହ କରିଥିଲେ, ତାକୁ ପୁଣି କିଏ ହତ୍ୟାକଲା ? ଏ ଦୁଇଟି ହତ୍ୟାକାଣ୍ଡ ମୂଳରେ ହତ୍ୟାକାରୀର କି ଉଦ୍ଦେଶ୍ୟ ଅଛି, ଭାବି ଭାବି ଠିକ୍‌ କରି ପାରିଲେ ନାହିଁ ।

 

ଗୋପାଳ ବାବୁଙ୍କ ଗ୍ୟାରେଜରୁ ମୋଟର ଆଣିବାପାଇଁ କହି ସେ ପୋଷାକ ପରିବର୍ତ୍ତନ କରିବାକୁ ଚାଲିଗଲେ ।

 

ଇମ୍ପିରିଆଲ ହୋଟେଲ ପାଖରେ ଗାଡ଼ି ଛିଡ଼ା କରି ବିଜୟ ବାବୁ ଓହ୍ଲାଇ ପଡ଼ିଲେ । ହୋଟେଲ ବାରଣ୍ଡାରେ ଅମୀୟ ବାବୁ ଗମ୍ଭୀର ମୁଖରେ ମ୍ୟାନେଜରଙ୍କ ସହିତ କଣ କଥାବାର୍ତ୍ତା କରୁଥିଲେ–ବିଜୟ ବାବୁଙ୍କୁ ଦେଖି ଅଭିବାଦନ କଲେ ।

 

ବିଜୟବାବୁ ପଚାରିଲେ ଘଟଣା କଣ ଅମୀୟ ବାବୁ ? ସି. ଆଇ. ଡ଼ିର ସତର୍କ ଦୃଷ୍ଟି ସତ୍ୱେ ଏପରି ଘଟଣା କିପରି ଘଟିଲା ?

 

ଅମୀୟବାବୁ ନୀରସ କଣ୍ଠରେ କହିଲେ–ବଡ଼ ତାଜ୍ଜବ କଥା ବିଜୟବାବୁ । ମୁଁ ମଧ୍ୟ ବୁଝିପାରୁ ନାହିଁ ଏପରି ଶୋଚନୀୟ ଘଟଣା କିପରି ଘଟିଲା । ମ୍ୟାନେଜରଙ୍କ ଜମାନବନ୍ଦୀରୁ ପ୍ରକାଶ ଯେ ମାୟାଦେବୀ ଓ ତାଙ୍କର ସ୍ୱାମୀ ଦୁଇଦିନପାଇଁ ହୋଟେଲରେ ରହିବେ ବୋଲି ଜବାବ୍‌ କରିଥିଲେ । ଟଙ୍କା ପଇସା ମଧ୍ୟ ମ୍ୟାନେଜରଙ୍କ ସଙ୍ଗେ ଚୁକ୍ତି ହୋଇ ଯାଇଥିଲା । ଆଜି ସନ୍ଧ୍ୟା ସମୟରେ ଉଭୟେ ହୋଟେଲରୁ ଯାଇଥାନ୍ତେ । ନିର୍ଦ୍ଦିଷ୍ଟ ସମୟରେ ହୋଟେଲରଇଁ ଖାନସମା ବିଲ ନେଇ ଟଙ୍କା ନେବାପାଇଁ ଆସି ଦେଖିଲା ଯେ ଲୋକଟି ବେଛାଡ଼ ଭାବରେ ଚେୟାରରେ ବସିଛି । ସେ ଭାବିଲା ବୋଧହୁଏ ବାବୁ ନିଶାରେ ଅଜ୍ଞାନ ହୋଇ ପଡ଼ିଛନ୍ତି । ଚାରିଆଡ଼କୁ ଚାହିଁ ଦେଖିଲା ସ୍ତ୍ରୀ ଲୋକଟିର କୌଣସି ଚିହ୍ନବର୍ଣ୍ଣ ନାହିଁ । ହଠାତ୍‌ ତାର ଦୃଷ୍ଟି ତଳେ ପଡ଼ିବାରୁ ସେ ଭୟରେ ଚିତ୍କାରକରି ଉଠିଲା । ସେ ସଙ୍ଗେ ସଙ୍ଗେ ମ୍ୟାନେଜରଙ୍କୁ ଖବର ଦେଲା । ମ୍ୟାନେଜର ଆସି ଦେଖିଲେ ଲୋକଟିର ଛାତିରେ କିଏ ତୀକ୍ଷ୍‌ଣ ଛୁରୀ ବସାଇ ଦେଇଛି । ସେ ସଙ୍ଗେ ସଙ୍ଗେ ଥାନାକୁ ଫୋନ୍‌ କଲେ ମୋତେ ଆସିବାପାଇଁ । ମୁଁ ଆସି କକ୍ଷଟି ତନ୍ନ ତନ୍ନ କରି ପରୀକ୍ଷା କଲି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ କୌଣସିଠାରେ ହତ୍ୟାକାରୀର ଅଙ୍ଗୁଳି ଚିହ୍ନ ବା ପଦଚିହ୍ନ ପାଇଲି ନାହିଁ । ମୋର ଅନୁମାନ ବୋଧହୁଏ ହତ୍ୟାକାରୀ ଧରାପଡ଼ିବା ଭୟରେ ହାତରେ ରବରର ଦସ୍ତାନା ବ୍ୟବହାର କରିଥିଲା ।

 

ସମସ୍ତ ଘଟଣା ଶୁଣିସାରି ବିଜୟବାବୁ କହିଲେ–ଚାଲନ୍ତୁ ସେ କକ୍ଷଟା ଥରେ ପରୀକ୍ଷା କରି ଦେଖିବା ।

 

ଉପର ମହଲାକୁ ଉଠୁ ଉଠୁ ଅମୀୟବାବୁ କ୍ଷୁବ୍‌ଧ ସ୍ୱରରେ କହିଲେ ବଡ଼ ଦୁଃଖର କଥା–ଦି’ଦିଟା ଖୁନ୍‌ ହେଲା ଅଥଚ ଏପର୍ଯ୍ୟନ୍ତ କିଛି କିନାରା ହୋଇପାରିଲା ନାହିଁ । ବୋଧହୁଏ ଏଥର ଚାକିରିରୁ ଇସ୍ତଫା ଦେବାକୁ ପଡ଼ିବ ।

 

ହତ୍ୟା ହୋଇଥିବା କକ୍ଷ ବାହାରେ ଦୁଇଜଣ ପୋଲିସ୍‌ ପହରା ଦେଉଥିଲେ–ଏମାନଙ୍କୁ ଦେଖି ଅଭିବାଦନ କରି ଘୁଞ୍ଚିଗଲେ । ଅମୀୟବାବୁଙ୍କ ପଛେ ପଛେ ବିଜୟବାବୁ ଓ ଗୋପାଳ ବାବୁ କକ୍ଷ ଭିତରକୁ ପଶିଗଲେ ।

 

ଦେଖିଲେ ଚଟାଣ ରକ୍ତରେ ଭାସୁଛି । ଲୋକଟି ସେହିପରି ବେଛାଡ଼ ହୋଇ ଚେୟାରରେ ବସିଛି । ତାକୁ ଦେଖିବାମାତ୍ରେ ବିଜୟବାବୁ ମାୟାଦେବୀର ସ୍ୱାମୀ ବୋଲି ଚିହ୍ନି ପାରିଲେ ।

 

ବିଜୟବାବୁ ତୀକ୍ଷ୍‌ଣ ଦୃଷ୍ଟିରେ କକ୍ଷଟି ପରୀକ୍ଷା କରିବାକୁ ଲାଗିଲେ । କିନ୍ତୁ କୌଣସିଠାରେ କିଛି ସନ୍ଦେହଜନକ ଦ୍ରବ୍ୟ ଦେଖିଲେ ନାହିଁ ।

 

ଝରକା ପରୀକ୍ଷା କରି ଦେଖିଲେ ତାହା ଭିତରପଟୁ ବନ୍ଦ । ସୁତରାଂ ହତ୍ୟାକାରୀ ଯେ ସଦର ଦରଜାବାଟେ ଗୃହ ମଧ୍ୟରେ ପ୍ରବେଶ କରିଥିଲା, ଏ ବିଷୟରେ ସନ୍ଦେହ ନାହିଁ ।

 

ଝରକା ନିକଟରେ ଗୋଟାଏ ଡ୍ରେସିଂ ଟେବୁଲ । ଉପରେ ଦୁଇ ତିନିଖଣ୍ଡ କାଗଜ ବ୍ୟତୀତ ଆଉ କିଛି ନାହିଁ । ବିଜୟବାବୁ ପରୀକ୍ଷା କରି ଦେଖିଲେ ସେ ଗୁଡ଼ିକ ଚିଠିଲେଖା କାଗଜ ବୋଧହୁଏ କୌଣସି ରାଇଟିଂ ପ୍ୟାଡ଼ରୁ ଚିରାହୋଇଛି ।

 

ସେ ମନେ ମନେ କଣ ଭାବି ଟେବୁଲତଳ ଅନୁସନ୍ଧାନ କରିବାକୁ ଲାଗିଲେ । ଟେବୁଲ ତଳେ Waste paper basket ଛଡ଼ା ଆଉ କିଛି ନାହିଁ । ସେ ତାହାକୁ ପଦାକୁ ଟାଣିଆଣି ଭିତରେ ପଡ଼ିଥିବା ଅଳିଆ କାଗଜଗୁଡ଼ାକ ଖେଳାଇ ଦେଖିବାକୁ ଲାଗିଲେ । କିଛିକ୍ଷଣ ପରେ ସେ ଖଣ୍ଡେ ଗୁଡ଼ିଆ ହୋଇଥିବା କାଗଜ ଉଠାଇ ଆଣି ପରୀକ୍ଷା କରିବାକୁ ଲାଗିଲେ ।

 

ଗୋପାଳବାବୁ କୌତୁହଳୀ ହୋଇ ପାଖକୁ ଆସି ଦେଖିଲେ ସେ ଖଣ୍ଡିକ ଗୋଟିଏ ବ୍ଳଟିଂ ପେପ୍‌ର ।

 

ବିଜୟବାବୁ କିଛିକ୍ଷଣ ପରୀକ୍ଷା କରିବା ପରେ ସେ ଖଣ୍ଡିକ ଅଇନା ସାମନାରେ ଧରିଲେ-। ଅଇନା ଉପରେ କେତେଗୁଡ଼ାଏ ଲେଖା ଫୁଟି ଉଠିଲା ।

 

ଅନେକ କଷ୍ଟରେ ପଢ଼ିଲେ, ଲେଖାଅଛି–‘ଚିତ୍ତରଞ୍ଜନ ହୋଟେଲ–ନନ୍ଦନପୁର । ’

 

କୃତକାର୍ଯ୍ୟ ହେବାରୁ ତାଙ୍କ ମନ ଉତ୍ତେଜନାରେ ଭରି ଉଠିଲା । ଏତେବେଳେ ସେ ଅନ୍ଧାରେ ଆଲୁଅ ଦେଖିପାରିଲେ ।

 

ବିଜୟବାବୁ ସେ ଖଣ୍ଡିକ ପକେଟରେ ରଖି ଅମୀୟବାବୁଙ୍କୁ କହିଲେ–ମୋର ଏଠାର ଅନୁସନ୍ଧାନ ଶେଷ ହେଲା । ଆଜି ରାତିରେ ମୋତେ ନନ୍ଦନପୁର ଯିବାକୁ ପଡ଼ିବ ।

 

ଅମୀୟ ବାବୁ କୌତୁହଳପୂର୍ଣ୍ଣ ନେତ୍ରରେ ତାଙ୍କର ଅନୁସନ୍ଧାନ କୌଶଳ ଦେଖୁଥିଲେ । ଚଞ୍ଚଳ କଣ୍ଠରେ ପଚାରିଲେ କଣ କିଛି ନୂତନ ସୂତ୍ର ପାଇଲେ ।

 

ବିଜୟବାବୁ କହିଲେ–ସେପରି ବିଶେଷ କିଛି ପାଇନାହିଁ । ତଥାପି ଯାହା କିଛି ପାଇଛି ତାହାରି ସାହାଯ୍ୟରେ ଅନ୍ଧାରେ କିଛିଦୂର ଆଗେଇ ପାରିବି ବୋଲି ମୋର ଆଶା ଅଛି ।

 

ସେ ସଂକ୍ଷେପରେ ତାଙ୍କ ଆଗରେ ନୂତନ ଆବିଷ୍କାର କଥା କହିଲେ ।

 

ସବୁ ଶୁଣି ଅମୀୟ ବାବୁ କହିଲେ–ଧନ୍ୟ ଆପଣଙ୍କର ଅନୁସନ୍ଧାନ ଚାତୁରୀ ! ଆପଣଙ୍କର ସାହାଯ୍ୟ ନ ପାଇଲେ ଏ ରହସ୍ୟ ଜାଲ ଭେଦ କରିବା ମୋ ପକ୍ଷରେ ଅସମ୍ଭବ । ମୁଁ ଏ ରହସ୍ୟର ଆଦି ଅନ୍ତ ପାଉ ନାହିଁ । ହତ୍ୟାକରୀର ଅନୁସରଣ କରୁକରୁ ବର୍ତ୍ତମାନ ହତ୍ୟାକାରୀର ହତ୍ୟାକାରୀକୁ ଅନୁସରଣ କରିବାକୁ ପଡ଼ିଲାଣି । ମୋ ଚାକିରି ଜୀବନ ମଧ୍ୟରେ ଏପରି ରହସ୍ୟଜନକ ଘଟଣା ଘଟି ନ ଥିଲା ।

 

ବିଜୟ ବାବୁ କିଛି ଉତ୍ତର ଦେଲେ ନାହିଁ ।

 

ମୃତ ବ୍ୟକ୍ତିକୁ ହସପିଟାଲକୁ ପଠାଇବାର ବନ୍ଦୋବସ୍ତ କରି ତିନିହେଁ ଫେରି ଆସିଲେ ।

 

ଘରେ ପହଞ୍ଚିବାମାତ୍ରେ ଦରଓ୍ୟାନ ବିଜୟ ବାବୁଙ୍କ ହାତକୁ ଗୋଟାଏ ଟେଲିଗ୍ରାମ ବଢ଼ାଇ ଦେଲେ । ପଢ଼ିଲେ, ଲେଖାଅଛି–ପ୍ରିୟ ବିଜୟ ବାବୁ,

 

ଭୟାନକ ବିପଦରେ ପଡ଼ିଛି । ଟେଲିଗ୍ରାମ ପାଇବା ମାତ୍ରେ ଅନୁଗ୍ରହ କରି ଆସିବେ । ଯଦିଚ ମୁଁ ଭଲ ଭାବରେ ଆପଣଙ୍କୁ ଚିହ୍ନେ ନାହିଁ, ତଥାପି ଆପଣଙ୍କ ପ୍ରଶଂସା ଅନେକ ମୁହଁରୁ ଶୁଣିଛି-। ବିଶେଷତଃ ଭୁବନେଶ୍ୱରର ରହସ୍ୟମୟ ଡକାଇତକୁ ଜବତ କରିଥିବାର ଶୁଣି ମୋର ଦୃଢ଼ ଧାରଣା ଯେ ଆପଣହିଁ ଏ ରହସ୍ୟ ଭେଦ କରିବାପାଇଁ ପୋଲିସ ଡିପାର୍ଟମେଣ୍ଟର ଏକମାତ୍ର ସୁଯୋଗ୍ୟ ବ୍ୟକ୍ତି । କାର୍ଯ୍ୟ ଶେଷ ହେଲେ ଉପଯୁକ୍ତ ପାରିଶ୍ରମିକ ଦେଇ ଧନ୍ୟବାଦ ଜ୍ଞାପନ କରିବି-

 

ଆପଣଙ୍କର

କିଶୋର ଦେବ

 

କିଛିକ୍ଷଣ ନିରବ ରହି ବିଜୟ ବାବୁ ପଚାରିଲେ–କିଶୋର ଦେବ କିଏ ଜାଣ ?

 

ଗୋପାଳ ବାବୁ କହିଲେ–ନନ୍ଦନପୁରର ବିଖ୍ୟାତ ଧନି କୁବେର ନରେନ୍ଦ୍ର ଦେବଙ୍କ ପୁତ୍ର କିଶୋର ଦେବଙ୍କୁ କିଏ ନ ଚିହ୍ନେ ? ତାଙ୍କ ନା’ରେ କାଲି ଖବର କାଗଜରେ କଣ ଗୋଟାଏ ପଢ଼ିଲାପରି ମନେ ହେଉଛି ।

 

ବିଜୟ ବାବୁ କହିଲେ–ହଁ, ଲୋକଟା ବର୍ମାକୁ କୌଣସି ଗୋଟାଏ ଗୁପ୍ତ କର୍ମରେ ଯାଇଥିଲା । ଅନେକ ଦିନ ହେଲା ଖବର ନ ମିଳିବାରୁ କିଶୋର ଦେବ ବର୍ମା ପୋଲିସ୍‌ର ସାହାର୍ଯ୍ୟ ନେଲେ । ଏ ପର୍ଯ୍ୟନ୍ତ କିଛି ଖବର ମିଳି ନାହିଁ ।

 

କିଛିକ୍ଷଣ ରହି ଗମ୍ଭୀର ହୋଇ କହିଲେ–ଏ ହତ୍ୟାକାଣ୍ଡ ସହିତ ତାଙ୍କର କିଛି ସମ୍ୱନ୍ଧ ଯେ ନ ଥିବ କିଏ କହିବ ?

 

ଗୋପାଳ ବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ–ମାନେ ?

 

–ମାନେ କିଛି ନୁହେଁ । ଭବାନୀପୁରର ମୃତବ୍ୟକ୍ତି ବର୍ମାର ଲୋକ । ପୁଣି ମାୟାଦେବୀର ସ୍ୱାମୀ ବର୍ମାର ଲୋକ–ସେଠାର ‘ଓରିୟେଣ୍ଟାଲ ଡାୟମଣ୍ଡ କମ୍ପାନୀର’ ମ୍ୟାନେଜର-। ତା’ପରେ ନରେନ୍ଦ୍ର ଦେବଙ୍କ ବର୍ମା ଅଭିଯାନ । କିଏ ଜାଣେ ସାରୁ ଖୋଳୁ ଖୋଳୁ ଯେ ମହାଦେବ ନ ବାହାରିବେ ?

 

–ତିନି–

 

ଦଶଟା ବେଳେ ଅମୀୟ ବାବୁ ଆସି ପହଞ୍ଚିଲେ । ପୂର୍ବରୁ ବିଜୟ ବାବୁ ଓ ଗୋପାଳ ବାବୁ ପ୍ରସ୍ତୁତ ହୋଇଥିଲେ । ତିନିହେଁ ଷ୍ଟେସନ୍‌ ଅଭିମୁଖରେ ଯାତ୍ରା କଲେ ।

 

ବାଲିଗଞ୍ଜ ଷ୍ଟେସନରେ ଟ୍ରେନ୍‌ରୁ ଓହ୍ଲାଇ ତିନିହେଁ ପ୍ଳାଟଫ୍‍ର୍ମ ବାହାରକୁ ଆସିଲେ । ପଦାରେ ଗୋଟାଏ ମୂଲ୍ୟବାନ୍‌ ରୋଲସ୍‌ ରୟେସ୍‌ କାର୍‌ ଏମାନଙ୍କ ଅପେକ୍ଷାରେ ଥିଲା । ତିନିହେଁ ମୋଟରରେ ବସିଲେ । ମୋଟର ଫୁଲ୍‌ ସ୍ପିଡ଼୍‌ରେ ଚାଲିଲା ।

 

ଚାରିଆଡ଼େ ବିସ୍ତୃତ ପ୍ରାନ୍ତର । ସ୍ଥାନେ ସ୍ଥାନେ ଘନ ଜଙ୍ଗଲ ମରୁଭୂମିରେ ଓୟେସିସ୍‌ ପରି ଦିଶୁଥାଏ ।

 

ନିଛାଟିଆ ରାସ୍ତା । ପ୍ରାୟ ଅଧଘଣ୍ଟା ପରେ ମୋଟର ଗୋଟାଏ ଗ୍ରାମରେ ପ୍ରବେଶ କଲା-

 

ଗ୍ରାମଟି ବେଶ୍‌ ବଡ଼ । ଅନେକଗୁଡ଼ିଏ ବସ୍ତି । ସ୍ଥାନେ ସ୍ଥାନେ ଦ୍ୱିତଳ ପ୍ରାସାଦ-ସୁଦୃଶ୍ୟ ହୋଟେଲ ।

 

ମୋଟର ଗୋଟାଏ ନାଲି ରଙ୍ଗର ଚାରିମାହାଲା କୋଠା ଆଗରେ ଛିଡ଼ା ହେଲା । ତିନିହେଁ ମୋଟରରୁ ଓହ୍ଲାଇ ପଡ଼ିଲେ ।

 

ସାମନାରେ ଲୁହାର ଗେଟ୍‌ । ଦରଓ୍ୟାନ ଅଭିବାଦନ କରି ଗେଟ୍‌ ଖୋଲି ଦେଲା । ତିନିହେଁ ଭିତରକୁ ଗଲେ ।

 

ବିଜୟବାବୁ ଲକ୍ଷ୍ୟ କଲେ ଏତେବଡ଼ କୋଠାଟା ହେଲେ ଜନପ୍ରାଣୀର ସୋରଶବଦ ନାହିଁ ।

 

ଦରଓ୍ୟାନ ସେମାନଙ୍କୁ ବୈଠକ ଖାନାରେ ବସାଇ ଦେଇ ଭିତରକୁ ଚାଲିଗଲା । ବିଜୟ ବାବୁ ବିସ୍ତୃତ ଭାବରେ କକ୍ଷଟିରେ ମୂଲ୍ୟବାନ ସାଜସଜ୍ଜା ଦେଖିବାକୁ ଲାଗିଲେ ।

 

ପାଦ ଶବ୍ଦ ଶୁଣି ତିନିହେଁ ଫେରି ଚାହିଁଲେ । ଜଣେ ବଳିଷ୍ଠ ଯୁବକ କକ୍ଷ ମଧ୍ୟରେ ପ୍ରବେଶ କଲେ । ଯୁବକଟିର ମୁଖ ମ୍ଳାନ–ଅସ୍ଥିରତା ଓ ଭୟ ଫୁଟି ଉଠୁଛି ।

 

ତିନିହେଁ ବୁଝିଲେ ଏହି ଯୁବକ ନରେନ୍ଦ୍ର ଦେବଙ୍କ ପୁତ୍ର କିଶୋର ଦେବ । ସେ ତିନିଙ୍କୁ ଅଭିବାଦନ କରି ଚେୟାରରେ ବସିଲେ ।

 

ବିଜୟ ବାବୁ ତୀକ୍ଷ୍‌ଣ ଦୃଷ୍ଟିରେ ତାଙ୍କୁ ଚାହିଁଥିଲେ । ହଠାତ୍‌ କଣ ଦେଖି ଭୀଷଣ ଭାବରେ ମନେ ମନେ ଚମକି ଉଠିଲେ । ଏ କି ରହସ୍ୟ ! ସେ ଯାହା ସ୍ୱପ୍ନରେ ଭାବି ନଥିଲେ, ତାହାହିଁ ଆଖି ଆଗରେ ଦେଖୁଛନ୍ତି । ସେ ପ୍ରଥମେ ନିଜ ଆଖିକୁ ବିଶ୍ୱାସ କଲେ ନାହିଁ । ସେ ଯେ ଏପରି ଘଟଣାର ସମ୍ମୁଖୀନ ହେବେ, ଏ କଥା ଭାବି ନଥିଲେ । ଯେଉଁ କିଶୋର ଦେବଙ୍କ ଖ୍ୟାତି ଅନେକ ଦିନୁ ଶୁଣି ଆସିଛନ୍ତି, ସେ ଯେ ଏପରି ଭୟାବହ କାର୍ଯ୍ୟରେ ଭାଗିଦାର ହେବେ, ଏ କଥା ଭାବି ନଥିଲେ ।

 

ଗୋପାଳ ବାବୁ ବିଜୟ ବାବୁଙ୍କ ମୁଖର ଭାବ ଦେଖି ବିସ୍ମିତ ହେଲେ । ସେ ତାଙ୍କ ଚାହାଣି ସହିତ ଚାହାଣି ମିଶାଇ ସେ ଦିଗକୁ ଚାହିଁ ଚମକି ପଡ଼ିଲେ । ତାଙ୍କ ଶିରା ପ୍ରଶିରାରେ ବିଜୁଳି ଖେଳିଗଲା । ଏତେବେଳେ ବୁଝିଲେ ବିଜୟ ବାବୁ ହଠାତ୍‌ କାହିକିଁ ଗମ୍ଭୀର ଆଉ ଅନ୍ୟମନସ୍କ ହୋଇ ପଡ଼ିଛନ୍ତି । ସେ ମଧ୍ୟ ପ୍ରଥମେ ବିଶ୍ୱାସ କରିପାରିଲେ ନାହିଁ । ଏତେବଡ଼ ଘଟଣାଚକ୍ର ପଛରେ ଯେ କିଶୋର ଦେବଙ୍କ ଭଳି ସରଳମତି ଯୁବକର ହାତ ଅଛି, ସେ କଥା ଭାବିବାକୁ ସେ କ୍ଳେଶ ଅନୁଭବ କଲେ । ତେବେ ସେମାନେ ଅନ୍ଧାରେ ଯାହାର ଅନୁସରଣ କରୁଥିଲେ, ସେ ଏତେ ନିକଟରେ ! କିଶୋର ଦେବ ତେବେ କଣ–? ସେ ନିର୍ବାକ ଭାବରେ ବସିରହିଲେ ।

 

ଅମୀୟ ବାବୁ ମଧ୍ୟ ଦୁଇଜଣଙ୍କର ଏ ପରିବର୍ତ୍ତନ ଲକ୍ଷ୍ୟକରି ପ୍ରକୃତ ଘଟଣାଟା ବୁଝିପାରିଲେ । ଆଶାରେ ତାଙ୍କମନ ଭରିଉଠିଲା । ଏତେ ଶୀଘ୍ର ଯେ ସୁନାମର ଅଧିକାରୀ ହେବେ, ସେ ଭାବି ନଥିଲେ ।

 

ହଠାତ୍‌ ଏ ତିନିଜଣଙ୍କର ଏ ଭାବାନ୍ତର ଲକ୍ଷ୍ୟକରି କିଶୋର ଦେବ ମନେ ମନେ ଆଶ୍ଚର୍ଯ୍ୟ ହେଲେ । ଅଜଣା ଭୟରେ ତାଙ୍କ ମନ ଚଞ୍ଚଳ ହୋଇଉଠିଲା । ବିରସ ମୁହଁ ଆହୁରି ବିରସ ହୋଇଗଲା ।

 

ସେ ବିଜୟ ବାବୁଙ୍କୁ ଳକ୍ଷ୍ୟ କରି ରହି ରହି କହିଲେ–ଏତେ ରାତିରେ ଆପଣଙ୍କର ନିଦ୍ରାସୁଖରେ ବାଧା ଦେଲି, ମନରେ କିଛି ଭାବିବେ ନାହିଁ । ମୋ ଜୀବନ ଉପରେ ପଡ଼ିବାରୁ ଏ ଅବେଳରେ ଆପଣଙ୍କୁ ଡକାଇବାକୁ ବାଧ୍ୟ ହୋଇଛି ।

 

ତାଙ୍କ କଥାରେ ବିଜୟ ବାବୁଙ୍କ ଚମକ ଭାଙ୍ଗିଲା । ସେ ପ୍ରକୃତିସ୍ଥ ହୋଇ ମୃଦୁହସି ମନର ଭାବ ଚାପି ରଖି କହିଲେ–ନା–ନା, ଏଥିରେ ଭାବିବାର କଣ ଅଛି ? ବିପଦଗ୍ରସ୍ତ ଲୋକର ସାହାଯ୍ୟ କରିବା ମୋର କାର୍ଯ୍ୟ । ଆପଣଙ୍କର ଟେଲିଗ୍ରାମରୁ ବୁଝିପାରିଲି ନିଶ୍ଚୟ କିଛି ଗୋଟାଏ ବଡ଼ ରକମ ବିପଦରେ ପଡ଼ିଛନ୍ତି ।

 

କିଶୋର ଦେବ ଚଞ୍ଚଳ କଣ୍ଠରେ କହିଲେ–ଆପଣଙ୍କର ଅନୁମାନ ଯଥାର୍ଥ ବିଜୟ ବାବୁ-! ଏପରି ବିପଦ ବୋଧହୁଏ କାହାରି ଭାଗ୍ୟରେ ଘଟିନାହିଁ, ମୋତେ ଏଥିରୁ ରକ୍ଷା କରନ୍ତୁ-। ତାହା ଉପରେ ମୋର ସୁଖ ସମ୍ପଦ, ଆମର ପାରିବାରିକ ସୁଖ ଆଉ ଆମ ବଂଶର ମାନସଂଭ୍ରମ ନିର୍ଭର କରୁଛି ।

 

ଏକି ରହସ୍ୟ । ଲୋକଟିର ପ୍ରତ୍ୟେକ କଥା ଯେ ରହସ୍ୟପୂର୍ଣ୍ଣ ! ବିଜୟ ବାବୁ ବିସ୍ମୟର ଭାବ ଗୋପନ ରଖି କହିଲେ–

 

ସେ ବିଷୟରେ ଆପଣ ନିଶ୍ଚିନ୍ତ ରହନ୍ତୁ । ଆପଣଙ୍କୁ ସାହାଯ୍ୟ କରିବାକୁ ହିଁ ଏଠାକୁ ଆସିଛି । କିନ୍ତୁ କି ପ୍ରକାର ବିପଦରେ ପଡ଼ିଛନ୍ତି, କାହା ଉପରେ ଆପଣଙ୍କର, ଆପଣଙ୍କ ପରିବାରର ଓ ବଂଶର ମାନ ନିର୍ଭର କରୁଛି, ସେ ସମସ୍ତ ଖୋଲି ନ କହିଲେ ମୁଁ କିପରି ଭାବରେ ତାହାର ବ୍ୟବସ୍ଥା କରିବି ?

 

ତାଙ୍କ କଥା ଶୁଣି କିଶୋର ଦେବଙ୍କ ମୁହଁ ମଳିନ ହୋଇ ଆସିଲା । ସେ ଥରେ ଗୋପାଳ ବାବୁ ଓ ଅମୀୟ ବାବୁଙ୍କୁ ଚାହିଁଲେ ।

 

ବିଜୟ ବାବୁ ତାଙ୍କର ମନଭାବ ବୁଝିପାରି କହିଲେ–ଏମାନଙ୍କ ସମ୍ମୁଖରେ ମନର କଥା ପ୍ରକାଶ କରିବାକୁ କୁଣ୍ଠିତ ହେବାର କୌଣସି କାରଣ ନାହିଁ । ଏମାନେ ମୋର ସହକର୍ମୀ । ମୋତେ ସାହାଯ୍ୟ କରିବାପାଇଁ ଆସିଛନ୍ତି ।

 

ସେ ଗୋପାଳ ବାବୁ ଓ ଅମୀୟବାବୁଙ୍କ ସହିତ ତାଙ୍କର ପରିଚୟ କରାଇ ଦେଲେ । କିଶୋର ଦେବ ମଳିନ ମୁଖରେ କହିଲେ–ମୋତେ ମାଫ୍‌ କରନ୍ତୁ ବିଜୟ ବାବୁ ! ସେ କଥା ମୁଁ କରି ପାରିବି ନାହିଁ । କେବଳ ଏତିକି ମନେ ରଖନ୍ତୁ ମୋର ଯେଉଁ ମୂଲ୍ୟବାନ ବସ୍ତୁ ଚୋରି ଯାଉଛି, ତା ତୁଳନାରେ ମୋ ଜୀବନବି କିଛି ନୁହେଁ ।

 

କିଶୋର ଦେବ ପ୍ରକୃତ ରହସ୍ୟ ଗୋପନ କରିବାର ଦେଖି ତାଙ୍କର କୌତୁହଳ ବଢ଼ିଗଲା । ସେ ତୀକ୍ଷ୍‌ଣ ଦୃଷ୍ଟିରେ ତାଙ୍କୁ ଚାହିଁ କହିଲେ–ଦେଖନ୍ତୁ କିଶୋର ବାବୁ ! କି ଜିନିଷ ଚୋରି ଯାଇଛି ନ କହିଲେ ମୁଁ କଣ ଅନୁସନ୍ଧାନ କରିବି । କେବଳ ଅନ୍ଧାରେ ଭୂଆଁ ବୁଲିବା ହିଁ ସାର ହେବ । ଆପଣଙ୍କର ଗୁପ୍ତ କଥା ମୋ ଦ୍ୱାରା ପ୍ରକାଶ ହେବାର ଭୟ ନାହିଁ । ବିପଦଗ୍ରସ୍ତଙ୍କର ସାଥି ମୁଁ-। ସେମାନଙ୍କ ସହିତ ମନ ନ ମିଳିଲେ ଏ ସବୁ କାମରେ ପାଦେ ଆଗକୁ ଯିବା ଯେ ଅସମ୍ଭବ-

 

କିଶୋର ଦେବ କିଛିକ୍ଷଣ ନୀରବ ରହି ଛେପ ଢୋକି କହିଲେ–ମନରେ କିଛି ଭାବିବେ ନାହିଁ । ମୋତେ ବାଧ୍ୟ କଲେ ସୁଦ୍ଧା ସେ କଥା ମୁଁ ମୁହଁରେ ଧରି ପାରିବି ନାହିଁ । କେବଳ ଏତିକି ମନେ ରଖନ୍ତୁ, ମୋ ଶୟନ କକ୍ଷରୁ ମୂଲ୍ୟବାନ୍‌ ଆଲବମ୍‌ (ଫଟୋ) ଚୋରି ଯାଇଛି । ସେ ଖଣ୍ଡିକ ମୁଁ ଯେ କୌଣସି ମତେ ଫେରି ଚାହେଁ । ଆପଣ କଳେ ବଳେ କୌଶଳେ ଯେ ପ୍ରକାର ହେଉ ଦସ୍ୟୁ ହାତରୁ ସେ ଖଣ୍ଡିକ ଉଦ୍ଧାର କରି ମୋ ହାତରେ ଦେଲେ ଶାନ୍ତିରେ ଟିକେ ନିଶ୍ୱାସ ମାରି ପାରିବି । ନୋହିଲେ ଆର ପୁରରେ ବି ମୋତେ ଶାନ୍ତି ମିଳିବ ନାହିଁ ।

 

ଏକି ଅଦ୍ଭୁତ ରହସ୍ୟ ! ଚୋରି ଯାଇଛି ସାମାନ୍ୟ ଗୋଟାଏ ଆଲବମ୍‌ ! ସେ କଥା ପ୍ରକାଶ କରିବାକୁ ଲୋକଟିର ଏତେ କୁଣ୍ଠା କାହିଁକି ? ସେ ଖଣ୍ଡିକ ଫେରି ପାଇବାପାଇଁ ସେ ଏପରି ଅଧିର କାହିଁକି ? ସାମାନ୍ୟ ଆଲବମ୍‌ ହରଣରେ ଏପରି କାତର ହେବା ଦେଖି ବିଜୟ ବାବୁ ଆଶ୍ଚର୍ଯ୍ୟ ନ ହୋଇ ରହି ପାରିଲେ ନାହିଁ । ଭାବିଲେ ଆଲବମ୍‌ଟିରେ ନିଶ୍ଚୟ କିଛି ଗୁପ୍ତ ରହସ୍ୟ ନିହିତ ଅଛି । ତା ନୋହିଲେ ଏପରି ତୁଚ୍ଛ ଘଟଣାଟିକୁ ଏପରି ଗୁରୁତର ଭାବିବା କୌଣସି ଲୋକ ପକ୍ଷରେ ସମ୍ଭବ ନୁହେ । ଗୋଟାଏ ପ୍ରଶ୍ନର ଉତ୍ତର ସେ କୌଣସି ମତେ ଖୋଜି ପାଇଲେ ନାହିଁ । ସେ ଯେତିକି ଭାବିଲେ, ତାଙ୍କର ପୂର୍ବ ସନ୍ଦେହ ତେତିକି ଦୃଢ଼ ହେଲା । ସେ ଭାବିବାକୁ ଲାଗିଲେ ନରେନ୍ଦ୍ର ଦେବଙ୍କ ଭଳି ଧନକୁବେରଙ୍କ ଭଣ୍ଡାରରେ ଅସଂଖ୍ୟ ଅମୂଲ୍ୟ ହୀରା, ମାଣିକ୍ୟ ଜହରତ ଥିବା ସତ୍ୱେ ସେଗୁଡ଼ିକୁ ଖାତିର ନ କରି ଦସ୍ୟୁ ସାମାନ୍ୟ ମୂଲ୍ୟହୀନ ଆଲବମ୍‌ କାହିଁକି ଚୋରିକଲା-? ତେବେ କଣ ଆଲବମ୍‌ଟି ଏତେ ଐଶ୍ୱର୍ଯ୍ୟ ଅପେକ୍ଷା ମୂଲ୍ୟବାନ ! ନିଶ୍ଚୟ ଦସ୍ୟୁ ମତରେ ଆଲବମ୍‌ଟି ଅମୂଲ୍ୟ ।

 

ତାଙ୍କ ମୁହଁରୁ ଆଲବମ୍‌ ଚୋରିଯିବା କଥା ଶୁଣି ଗୋପାଳବାବୁ ଓ ଅମୀୟ ବାବୁ ମଧ୍ୟ ବିସ୍ମିତ ନ ହୋଇ ରହି ପାରିଲେ ନାହିଁ । ଭାବିଲେ ଲୋକଟା ପାଗଳ ନା କଣ ? ଟେଲିଗ୍ରାମ ପାଇ ବିପଦରୁ ଉଦ୍ଧାର କରିବାପାଇଁ ରାତି ଅଧରେ ଛୁଟିଆସି ଶୁଣୁଛନ୍ତି ଚୋରି ଯାଇଛି ଗୋଟାଏ ସାମାନ୍ୟ ଆଲବମ୍‌ ! ଏହାଠାରୁ ହାସ୍ୟାସ୍ପଦବିଷୟ କଣ ହୋଇ ପାରେ । ଏ ଯେ Much ado about nothing.

 

ମୁହୂର୍ତ୍ତକପାଇଁ ସେ ଦୁହିଁଙ୍କର ଚକ୍ଷୁବିନିମୟ ହେଲା ବିଜୟ ବାବୁଙ୍କ ସହିତ । ବିଜୟ ବାବୁ ମନର ଭାବ ଗୋପନ ରଖି ପଚାରିଲେ–ଆଲବମ୍‌ଟି (ଫଟୋଟି) କାହାର ?

 

‘ମୋ ପିତାଙ୍କର ପ୍ରତିମୂର୍ତ୍ତି’–କିଶୋର ଦେବ କହିଲେ ।

 

ବିଜୟ ବାବୁ ବିସ୍ମିତ ହୋଇ କହିଲେ–ଆପଣଙ୍କ ପିତାଙ୍କର ଫଟୋ ! କି ଆଶ୍ଚର୍ଯ୍ୟ ! ସାମାନ୍ୟ ପ୍ରାଣହୀନ ଫଟୋଟା ହରଣ କରି ଦସ୍ୟୁର କି ଲାଭ ?

 

–ଲାଭ ? ଢେର–ନା–ନା–ମୁଁ ସେ କଥା କିପରି କହିବି । ତେବେ ଫଟୋଟି ମୋ ନିକଟରେ ବହୁ ମୂଲ୍ୟବାନ୍‌ । ସେ ଖଣ୍ଡିକ ଯେ କୌଣସି ମତେ ଉଦ୍ଧାର କରିବା ଚାହେଁ ।

 

ବିଜୟବାବୁ ଗୋଲକ ଧନ୍ଦାରେ ପଡ଼ିଲେ । ଏ କି ରହସ୍ୟ ସେ କୌଣସି ମତେ ବୁଝି ପାରିଲେ ନାହିଁ ।

 

ନୀରବରେ କିଛିକ୍ଷଣ ଭାବି କହିଲେ–ଫଟୋଟି ଚୋରି ହେବା ପୂର୍ବରୁ କେଉଁଠାରେ ଥିଲା ?

 

–ମୋ ଶୟନ ଗୃହରେ ଆଜି ସନ୍ଧ୍ୟା ସମୟରେ ଚୋରି ହୋଇଛି ।

 

–ଫଟୋଟି ସବୁଦିନେ ସେଠାରେ ଥିଲା ନା ଅଳ୍ପଦିନ ହେବ ସେଠାରେ ରଖିଥିଲେ ?

 

କିଶୋର ଦେବ କିଛିକ୍ଷଣ ନୀରବ ରହି କହିଲେ–ନା–ଅଳ୍ପଦିନ ତଳେ ଏଇ ବୈଠକ ଖାନାରୁ ଫଟୋଟି ନେଇ ଶୟନ ଗୃହରେ ରଖିଥିଲି ।

 

–ଏଠାରୁ ଫଟୋ ସ୍ଥାନାନ୍ତରିତ କରିବାର ଅନ୍ଦାଜ କେତେ ଦିନ ହେବ ?

 

–କାଲି ସନ୍ଧ୍ୟା ସମୟରେ ନେଇଥିଲି ।

 

–କାଲି ସନ୍ଧ୍ୟା ସମୟରେ ?–ହୁଁ–ବିଜୟବାବୁ କିଛିକ୍ଷଣ ନୀରବ ରହି କଣ ଭାବିଲେ । କିଛିକ୍ଷଣ ପରେ ପୁଣି ପଚାରିଲେ–ଫଟୋ ନେବା ବିଷୟ ବାହାର ଲୋକ କିଏ ଜାଣେ ?

 

–ନା–

 

–ଆପଣଙ୍କ ଶୟନ ଗୃହକୁ କିଏ କିଏ ଯିବାଆସିବା କରନ୍ତି ।

 

–ମୋ ସ୍ତ୍ରୀ, ଭଉଣୀ, ମା ଆଉ ଦୀନବନ୍ଧୁ ବାବୁ ।

 

ଦୀନବନ୍ଧୁ ବାବୁ କିଏ ?

 

–ସେ ମୋ ପିତାଙ୍କର ଅନ୍ତରଙ୍ଗ ବନ୍ଧୁ । ସେ ଆମ ପରିବାରରୁ ଜଣେ କହିଲେ ଚଳେ-। ବୟସରେ ମୋ ପିତାଙ୍କ ସମାନ । ଘରେ ସମସ୍ତେ ତାଙ୍କୁ ଭକ୍ତି କରନ୍ତି ।

 

–ଆପଣ ଘରେ ଫଟୋ ରଖିବା ସମୟରେ କିଛି ଘଟିଥିଲା କି ?

 

ନା–ହଁ-ହଁ, ମୁଁ ଫଟୋ ରଖିବାକୁ ଯାଉଛି, ଏହି ସମୟରେ ବାରଣ୍ଡାରେ କାହାର ପାଦଶବ୍ଦ ଶୁଣି କବାଟ ଖୋଲି ଦେଖିଲି କେହି ନାହାନ୍ତି । ଘରେ କେହି ନାହାନ୍ତି । ମନରେ ସନ୍ଦେହ ହେଲା । ତଳକୁ ଯାଇ ତନ୍ନ ତନ୍ନ କରି ଖୋଜିଲି କାହାକୁ ପାଇଲି ନାହିଁ । ଭାବିଲି ବୋଧହୁଏ ମୋ ଶୁଣିବା ଭୁଲ । ତା’ ପରେ ଫେରି ଆସି ଦେଖିଲି ଫଟୋଟି ଅନ୍ତର୍ଦ୍ଧାନ–ଚୋରି ହୋଇଛି ।

 

–ଆପଣ ତଳେ କେତେବେଳ ପର୍ଯ୍ୟନ୍ତ ଥିଲେ ?

 

–ପ୍ରାୟ ଦଶ ମିନିଟ୍‌ ।

 

–ହୁଁ–ଆଚ୍ଛା ବର୍ତ୍ତମାନ କହିଲେ ନା ଫଟୋ ରଖିବା ସମୟରେ କେହି ନ ଥିଲେ–’

 

–ହଁ–ଆମ ଘରର ସମସ୍ତେ ନୀଳରତନ ବାବୁଙ୍କ ଘରେ ନିମନ୍ତ୍ରଣ ଖାଇବାକୁ ଯାଇଥିଲେ-

 

–ଆଚ୍ଛା ଦୀନବନ୍ଧୁ ବାବୁ ଏଠାକୁ ଆସିଥିଲେ କି ?

 

–ନା–ସେ ଘରକୁ ଯାଇଥିଲେ । ସେହିଦିନ ରାତି ଆଠଟାରେ ଘରୁ ଫେରିଛନ୍ତି ।

 

–ଆପଣଙ୍କର କାହା ଉପରେ ସନ୍ଦେହ ହୁଏ ।

 

ସନ୍ଦେହ ? ନା–ସେହିପରି ଲୋକ କେହି ନାହିଁ ।

 

–ଆଚ୍ଛା ଆପଣଙ୍କ ସହିତ କାହାର ଶତ୍ରୁତା ଅଛି ?

 

–ଶତ୍ରୁତା ? ମୋ ସଙ୍ଗରେ ? ନା–ମୁଁ କେବେ କାହାର ଅନିଷ୍ଟ କରିନାହିଁ ।

 

ବିଜୟ ବାବୁ ବୁଝି ପାରିଲେ, ସେ କିଛି ଗୋଟାଏ ଗୋପନ କରୁଛନ୍ତି । ମନର ଭାବ ଗୋପନ ରଖି କହିଲେ–ମୋର ଆଉ କିଛି ପଚାରିବାର ନାହିଁ । ବର୍ତ୍ତମାନ ଚାଲନ୍ତୁ ଆପଣଙ୍କର ଶୟନ ଗୃହଟା ପରୀକ୍ଷା କରିବା ।

 

କିଶୋର ଦେବ ସମ୍ମତି ଜଣାଇ ସେମାନଙ୍କୁ ସଙ୍ଗରେ ନେଇ ଉପରକୁ ଗଲେ । ଚାରି ମାହାଲାରେ ତାଙ୍କର ଶୟନ ଗୃହ । କକ୍ଷଟି ମୂଲ୍ୟବାନ୍‌ ଆସବାବ୍‌ରେ ସଜ୍ଜିତ । କାନ୍ଥରେ ଅନେକଗୁଡ଼ିଏ ଛବି । ବଗିଚା ପଟକୁ ଲୁହା ରଡ଼ ଦିଆ ଦୁଇଟି ଝରକା ।

 

ବିଜୟ ବାବୁ ତୀକ୍ଷ୍‌ଣ ଦୃଷ୍ଟିରେ କକ୍ଷଟି ପରୀକ୍ଷା କରିବାକୁ ଲାଗିଲେ । ଝରକା ନିକଟକୁ ଯାଇ ସତର୍କ ଭାବରେ କଣ ଦେଖିବାକୁ ଲାଗିଲେ । କିଛିକ୍ଷଣ ପରୀକ୍ଷା ପରେ ତାଙ୍କ ମୁଖ ଉଜ୍ଜ୍ୱଳ ହୋଇଉଠିଲା ।

 

କିଶୋରଦେବଙ୍କୁ ପଚାରିଲେ–ଆଚ୍ଛା କିଶୋରବାବୁ ! ଆପଣ ଫଟୋ ରଖିବା ସମୟରେ ଝରକା ଖୋଲା ରଖିଥିଲେ କି ?

 

–ହଁ–କିନ୍ତୁ ପରଦା ଟଣା ହୋଇଥିଲା ।

 

ଉତ୍ତର ଶୁଣି ତାଙ୍କ ଚକ୍ଷୁ ଉଜ୍ଜ୍ୱଳ ହୋଇଉଠିଲା । ସେ ତାଙ୍କ ନିକଟକୁ ଫେରିଆସି କହିଲେ–ଫଟୋଟା କେଉଁଠି ଟଙ୍ଗା ହୋଇଥିଲା ?

 

କିଶୋରଦେବ କାନ୍ଥର ଗୋଟାଏ ଶୂନ୍ୟସ୍ଥାନ ଦେଖାଇ ଦେଲେ । ବିଜୟବାବୁ ସେ ସ୍ଥାନ ଦେଖୁ ଦେଖୁ ହଠାତ୍‌ ତଳେ ଦୃଷ୍ଟି ପଡ଼ିବାରୁ ସେ ଅନ୍ୟମନସ୍କ ହୋଇପଡ଼ିଲେ । ତାଙ୍କର ଏ ଭାବାନ୍ତର ଦେଖି କିଶୋରଦେବ କିଛି ଚଞ୍ଚଳ ହେଲା ପରି ଜଣା ପଡ଼ିଲେ । ବିଜୟବାବୁଙ୍କ ତୀକ୍ଷ୍‌ଣଦୃଷ୍ଟି ନିକଟରେ ଏ ପରିବର୍ତ୍ତନ ଅଛପା ରହିଲା ନାହିଁ ।

 

କିଶୋରବାବୁଙ୍କୁ ଚାହିଁ କହିଲେ–ଚାଲନ୍ତୁ ମୋ ଅନୁସନ୍ଧାନ ଶେଷ ହେଲାଣି ।

 

–କଣ କିଛି ସୂତ୍ର ପାଇଲେ ?

 

–ହଁ ଚୋର କି ଉପାୟରେ ଘରେ ପ୍ରବେଶ କରିଥିଲା ଜାଣିପାରିଛି ।

 

–କିପରି ଜାଣିଲେ ?–କିଶୋରଦେବଙ୍କ ସ୍ୱର ଉବ୍ଦେଗ ପୂର୍ଣ୍ଣ ।

 

ବିଜୟବାବୁ ମୃଦୁହସି କହିଲେ–ଚୋର କୌଣସି ଉପାୟରେ ଫଟୋ ସ୍ଥାନାନ୍ତରିତ କଥା ଜାଣିପାରି ଝରକା ବାହାରେ ରହି ଆପଣଙ୍କର କାର୍ଯ୍ୟକଳାପ ଦେଖୁଥିଲା । ତା’ପରେ ଘରେ ସମସ୍ତଙ୍କର ଅନୁପସ୍ଥିତିର ସୁଯୋଗ ପାଇ ଉପରମହଲାକୁ ଆସି ଆପଣଙ୍କୁ କୌଶଳରେ ଅନ୍ୟମନସ୍କକରି ପାର୍ଥିବବସ୍ତୁଟି ଚୋରିକରି ଚମ୍ପଟ କରିଛି ।

 

ତାଙ୍କ କଥା ପୁଣି କିଶୋରଦେବଙ୍କ ମୁଖ ମଳିନ ପଡ଼ିଗଲା । କିଛିକ୍ଷଣ ନିର୍ବାକ ରହି ଶୁଷ୍କ କଣ୍ଠରେ କହିଲେ–ଅସମ୍ଭବ ! ସଦର ଦରଜାବାଟେ ଆସିଥିଲେ ମୁଁ ନିଶ୍ଚୟ ଦେଖିଥାନ୍ତି ।

 

ବିଜୟବାବୁ କହିଲେ–ମନେ ରଖନ୍ତୁ ଚୋର ଭୟାନକ ସତର୍କ ଓ ଚତୁର । ସେ ଛଞ୍ଚାଣପରି କ୍ଷିପ୍ର ।

 

କିଶୋରଦେବ କିଛି ଉତ୍ତର ଦେଲେ ନାହିଁ । ସେମାନଙ୍କୁ ସଙ୍ଗରେ ନେଇ ଚାରିମହାଲାର ଶେଷରେ ଗୋଟାଏ ପ୍ରଶସ୍ତ ସୁସଜ୍ଜିତ କକ୍ଷ ଦେଖାଇଦେଇ କହିଲେ–ଏହି ଘରେ ଆପଣମାନଙ୍କର ରହିବାର ବନ୍ଦୋବସ୍ତ କରିଛି । କିଛି ଅସୁବିଧା ହେବ ନାହିଁତ ?

 

ବିଜୟ ବାବୁ ଘର ଭିତରକୁ ପଶିଯାଇ ଦେଖିଲେ, ତିନୋଟି ସୁସଜ୍ଜିତ ଖଟିଆ ପଡ଼ିଛି । ପାଖରେ ଗୋଟାଏ ଡ୍ରେସିଂଟେବୁଲ । ସେ ତାଙ୍କୁ ଧନ୍ୟବାଦ ଜଣାଇଲେ ।

 

ସେମାନଙ୍କ ରହିବାର ସବୁ ବନ୍ଦୋବସ୍ତ କରିଦେଇ କିଶୋରଦେବ ଚାଲିଗଲେ । ବିଜୟବାବୁ ଭିତରପଟୁ କବାଟ ବନ୍ଦକରି ଖଟରେ ଅବଶ ଦେହ ଲୋଟାଇ ଦେଲେ ।

 

ଗୋପାଳ ବାବୁ ନିକଟରେ ବସିପଡ଼ି କହିଲେ–ଏପରି ରହସ୍ୟମୟ ଘଟଣା ମୁଁ ଜୀବନରେ ଦେଖି ନ ଥିଲି । କିଶୋରଦେବ ଯେ ଏପରି ଘଟଣା ପଛରେ ଅଛନ୍ତି ଏ କଥା କିଏ ବିଶ୍ୱାସ କରିଥିଲା ?

 

ଅମୀୟ ବାବୁ କହିଲେ–ସତେ ବିଜୟ ବାବୁ ଘଟଣାଟା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ । କିଶୋରଦେବ ଯେ ଭବାନୀପୁରରେ ସେ ଅପରିଚିତ ଲୋକଟିକୁ ହତ୍ୟା କରିଛନ୍ତି, ସେ କଥା କିଏ ଜାଣିଥିଲା । ଯାହା ହେଉ ଆମକୁ ଏ ହତ୍ୟା ରହସ୍ୟ ପଛରେ ବେଶି ମଥା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ମୁଁ କାଲି ଆସାମୀକୁ ଗିରଫ କରି କଲିକତା ଫେରିଯିବି ।

 

ବିଜୟବାବୁ କହିଲେ–ଭଲରୂପେ ଅନୁସନ୍ଧାନ ନ କରି ହଠାତ୍‌ ଗୋଟାଏ କାମ କରିପକାଇବା ଉଚିତ ନୁହେଁ । ଏହା ଭିତରେ ପ୍ରକୃତ ରହସ୍ୟ କଣ ଏ ପର୍ଯ୍ୟନ୍ତ ଜଣାଯାଇ ନାହିଁ ।

 

ଅମୀୟ ବାବୁ କହିଲେ–ଏଥିରେ ଭାବିବାର କିଛି ନାହିଁ । କିଶୋର ଦେବ ଯେ ଖୁନୀ ତାହାର ପ୍ରମାଣ କିଶୋର ଦେବ ନିଜେ । ଯେଉଁ କୋଟ୍‌ର ଛିନ୍ନ ଅଂଶ ମୃତବ୍ୟକ୍ତିର ହାତ ମୁଠା ଭିତରେ ଥିଲା, ସେ କୋଟ୍‌ କିଶୋର ଦେବଙ୍କ ଦେହରେ ଅଛି । ଆପଣ କଣ କିଶୋର ଦେବଙ୍କ କୋଟରେ ସେ ଛିନ୍ନ ଅଂଶ ଆଜି ଦେଖି ନାହାନ୍ତି । ଏହାଠାରୁ ଆଉ ଉତ୍କୃଷ୍ଟ ପ୍ରମାଣ କଣ ଚାହାଁନ୍ତି ।

 

ବିଜୟ ବାବୁ ଗମ୍ଭୀର ହୋଇ କହିଲେ–କିନ୍ତୁ ମୋର ମନେହୁଏ, ଏ ହତ୍ୟାକାଣ୍ଡ ପଛରେ ନିଶ୍ଚୟ କିଛି ଗୁପ୍ତ ରହସ୍ୟ ଅଛି । ଭବାନୀପୁରର ହତ୍ୟାକାଣ୍ଡ ସହିତ ଏଠାକାର ନରେନ୍ଦ୍ର ଦେବଙ୍କ ଫଟୋ ଚୋରିର ନିଶ୍ଚୟ କିଛି ସମ୍ପର୍କ ଅଛି ।

 

ତାଙ୍କ କଥା ଶୁଣି ଗୋପାଳବାବୁ ଓ ଅମୀୟବାବୁ ବିସ୍ମିତ ହୋଇ ସମସ୍ୱରରେ କହି ଉଠିଲେ–କିପରି ?

 

ବିଜୟବାବୁ କହିଲେ–କିଶୋରଦେବଙ୍କ ଶୟନଗୃହ ପରୀକ୍ଷା କରି ଏ ସନ୍ଦେହ ଦୃଢ଼ ହୋଇଛି । ଯେଉଁ ସ୍ଥାନରେ ନରେନ୍ଦ୍ରଦେବଙ୍କ ଫଟୋ ଟଙ୍ଗା ହୋଇଥିଲା, ଠିକ୍‌ ତା’ ତଳେ ମେଜ ଉପରେ ଫଟୋ ବାନ୍ଧିବାର କେତେଗୁଡ଼ିଏ ଛୋଟ କଣ୍ଟା ଆଉ ମଲାଟ ପଡ଼ିଥିଲା । ସେଥିରୁ ଅନୁମାନ ହୁଏ, କିଶୋରଦେବ କୌଣସି କାରଣରୁ ଫଟୋଟି ଖୋଲିଥିଲେ । ବର୍ତ୍ତମାନ ପ୍ରଶ୍ନ ହେଉଛି–ସେ ଫଟୋଟିକୁ କାହିଁକି ଖୋଲିଥିଲେ ? ଦସ୍ୟୁ କଣ ଦେଖିବାପାଇଁ ଝରକା ନିକଟରେ ଗୁପ୍ତ ଭାବରେ ରହିଥିଲା ? ଏଥିରୁ ଜଣାପଡ଼ୁଛି ଫଟୋଟିରେ ନିଶ୍ଚୟ କିଛି ଗୁପ୍ତ ରହସ୍ୟ ଅଛି । ସେହି ଗୁପ୍ତ ରହସ୍ୟ ଜାଣିବାପାଇଁ ଦସ୍ୟୁ ନିଜ ଜୀବନକୁ ବିପନ୍ନ କରି ଚାରିମାହାଲାରେ ଉଠି ଝରକା ବାହାରେ ରହି ପରଦା ଆଢ଼ୁଆଳରେ କିଶୋରଦେବଙ୍କ କାର୍ଯ୍ୟ କଳାପ ଦେଖୁଥିଲା ।

 

ବର୍ତ୍ତମାନ ଭବାନୀପୁରର ହତ୍ୟାକାଣ୍ଡ ବିଷୟ ଦେଖନ୍ତୁ । ମୃତ ବ୍ୟକ୍ତିର କୋଟ୍‌ ଅବସ୍ଥା କିପରି ହୋଇଥିଲା, ଦେଖିଛନ୍ତି । ସେଥିରୁ ଅନୁମାନ ହୁଏ ହତ୍ୟାକାରୀ ତାହାର ଗୁପ୍ତ ପକେଟରୁ ନିଶ୍ଚୟ କୌଣସି ମୂଲ୍ୟବାନ ଜିନିଷ ଖୋଜିଥିଲା ଏବଂ ସେହି କାରଣରୁ ଲୋକଟିକୁ ହତ୍ୟାକରା ହୋଇଛି ।

 

ମୋର ଅନୁମାନ ଯେଉଁ ଜିନିଷ ପାଇବା ନିମନ୍ତେ ହତ୍ୟାକାରୀ ସେ ଲୋକଟିକୁ ବୃଥାରେ ହତ୍ୟାକଲା ସେହି ଜିନିଷ ସେ ଝରକା ବାହାରେ ଥାଇ କିଶୋର ଦେବଙ୍କ ଶୟନ ଗୃହରେ ଦେଖିପାରିଥିଲା । ବର୍ତ୍ତମାନ ପ୍ରଶ୍ନ ହେଉଛି–ଜିନିଷଟି କଣ ? ଯାହାପାଇ ଦୁଇଟା ଖୁନ୍‌ ଓ ଗୋଟାଏ ଚୋରିହେଲା ?

 

ବିଜୟବାବୁଙ୍କ କଥା ଶୁଣି ଉତ୍ତେଜନାରେ ଗୋପାଳବାବୁ ଓ ଅମୀୟବାବୁଙ୍କ ମନ ଭରିଗଲା । ସେମାନେ ନିର୍ବାକ ଭାବରେ ଚାହିଁ ରହିଲେ ।

 

ଅମୀୟବାବୁ କହିଲେ–କି ସୁନ୍ଦର ଅନୁମାନ ଶକ୍ତି ଆପଣଙ୍କର ! ଧନ୍ୟ ଆପଣଙ୍କର ବିଶ୍ଳେଷଣ ଶକ୍ତି !

 

ବିଜୟବାବୁ କହିଲେ–ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଆପଣ ମଧ୍ୟ ଏହା କରି ପାରିବେ ।

 

ଗୋପାଳବାବୁ କହିଲେ–ତେବେ କିଶୋରଦେବ ଭବାନୀପୁରର ସେ ଅପରିଚିତ ବ୍ୟକ୍ତିର ହତ୍ୟାକାରୀ ନୁହନ୍ତି ।

 

–ନିଶ୍ଚୟ ! ଯେଉଁ ବ୍ୟକ୍ତି ଭବାନୀପୁରରେ ହତ୍ୟା କରିଛି, ସେହି ବ୍ୟକ୍ତି ଇମ୍ପିରିଆଲ ହୋଟେଲରେ ହତ୍ୟା କରିଛି ଆଉ କିଶୋରଦେବଙ୍କ ଫଟୋ ଚୋରି କରିଛି । ବର୍ତ୍ତମାନ ଗୋଟିଏ ବିଷୟ ଆମ ପ୍ରଧାନ ଲକ୍ଷ୍ୟ ହେଉଛି–ଯେଉଁ ଜିନିଷ ହସ୍ତଗତ କରିବା ସକାଶେ ଦୁଇଟା ଖୁନ୍‌ ଓ ଗୋଟାଏ ଚୋରି ହେଲା, ସେ ଜିନିଷଟା କଣ ? ସେହିତକ ଜାଣି ପାରିଲେ ସବୁ ରହସ୍ୟର ସମାଧାନ ହୋଇପାରିବ–ହତ୍ୟାକାରୀ ଧରା ପଡ଼ିବ ।

 

କିଛିକ୍ଷଣ ନୀରବ ରହି କହିଲେ–କାଲି ଆଉ ଗୋଟାଏ ବିଷୟ ଅନୁସନ୍ଧାନ କଲେ ଜଣାପଡ଼ିଯିବ ଦୁଇ ଦୁଇଟା ହତ୍ୟାକାଣ୍ଡ ଓ ଚୋରି ଜଣେ କରିଛି କି ଭିନ୍ନ ବ୍ୟକ୍ତି କରିଛି । ପରେ ଏ ବିଷୟ ଆଲୋଚନା କରିବା । ବର୍ତ୍ତମାନ ରାତି ବହୁତ ହେଲାଣି ।

 

ସେ କଡ଼ ନେଉଟାଇ ରାପର୍‌ଟା ଘୋଡ଼ିହୋଇ ଶୋଇ ପଡ଼ିଲେ । ଗୋପାଳ ବାବୁ ଓ ଅମୀୟ ବାବୁ ମଧ୍ୟ ଯେଝା ଖଟରେ ଶୋଇ ପଡ଼ିଲେ ।

 

–ଚାରି–

 

ରାତି ଅଧରେ ବିଜୟବାବୁଙ୍କ ନିଦ କାହିଁକି ଭାଙ୍ଗିଗଲା । ସେ ଖଟ ଉପରେ ଉଠି ବସିଲେ । ହଠାତ୍‌ ଯେ କାହିଁକି ତାଙ୍କ ନିଦରେ ବ୍ୟାଘାତ ଘଟିଲା, ସେ କିଛି ଠିକ୍‌ କରି ପାରିଲେ ନାହିଁ । ପକେଟରୁ ଘଣ୍ଟା ବାହାର କରି ଦେଖିଲେ ଦୁଇଟା ବାଜିଛି । ସେ ପୁଣି ଶୋଇବାକୁ ବାହାରିଛନ୍ତି, ଏହି ସମୟରେ ହଠାତ୍‌ ଗୋଟାଏ ଅସ୍ପଷ୍ଟ ଶବ୍ଦ ଶୁଣି ଚମକି ପଡ଼ିଲେ । ଏତେ ରାତିରେ ଏକି ଶବ୍ଦ ? ଶବ୍ଦଟା କିଶୋର ବାବୁଙ୍କ ଶୟନ ଗୃହ ଆଡ଼ୁ ଆସିଥିବାର ସେ ଅନୁମାନ କଲେ । ସେ ସତର୍କ ଭାବରେ କାନ ଡେରିଲେ ପୁଣି କିଛି ଶବ୍ଦ ଶୁଣିବା ଆଶାରେ । ତାଙ୍କୁ ଜଣାଗଲା ମୃଦୁ ଆବାଜଟା ଯେପରି କବାଟ ଖୋଲିବା ଶବ୍ଦ । ଭାବିଲେ ଏତେ ରାତିରେ କିଏ କେଉଁ ଉଦ୍ଦେଶ୍ୟରେ ବାହାରିଛି ?

 

କିଛିକ୍ଷଣ ପରେ ମୃଦୁ ପାଦ ଶବ୍ଦ ଶୁଭିଲା । ଶବ୍ଦଟା କ୍ରମେ ନିକଟବର୍ତ୍ତୀ ହେବାର ଜଣାଗଲା । ବିଜୟ ବାବୁ କ୍ଷିପ୍ର ପଦରେ କବାଟ ନିକଟକୁ ଆସି ରୁଦ୍ଧ ନିଶ୍ୱାସରେ ଛିଡ଼ା ହେଲେ । ଶବ୍ଦଟା କ୍ରମେ ଅସ୍ପଷ୍ଟ ହୋଇଆସିଲା–ଆଉ ଶୁଭିଲା ନାହିଁ ।

 

କିଛିକ୍ଷଣ ଅପେକ୍ଷା କରିବା ପରେ ବିଜୟ ବାବୁ କବାଟ ଖୋଲି ପଦାକୁ ଆସିଲେ । ବାହାରେ ଭୀଷଣ ଅନ୍ଧକାର–କେହି କୁଆଡ଼େ ନାହିଁ । କଣ ଭାବି ବିଜୟବାବୁ ଚାରିଆଡ଼କୁ ସତର୍କ ଦୃଷ୍ଟି ଦେଇ ଧୀର ପଦରେ କିଶୋର ବାବୁଙ୍କ ଶୟନ କକ୍ଷ ଆଡ଼େ ଯିବାକୁ ଲାଗିଲେ ।

 

କବାଟ ଫାଙ୍କ ବାଟେ ଭିତରେ ଜଳୁଥିବା ଆଲୁଅ ବାରଣ୍ଡାର ରେଲିଂ ଉପରେ ପଡ଼ିଥାଏ-। ବିଜୟ ବାବୁ ରୁଦ୍ଧ ନିଶ୍ୱାସରେ କବାଟ ନିକଟରେ ଛିଡ଼ା ହୋଇ କାନ ଡ଼େରିଲେ । ଭିତରୁ କାହାର ମୃଦୁ ନିଶ୍ୱାସରେ ଶବ୍ଦ ଶୁଭୁଥାଏ ।

 

ବିଜୟ ବାବୁ ମନରେ ସାହସ ବାନ୍ଧି କବାଟରେ ହାତ ମାରିଲେ । କବାଟ ଖୋଲାଥିଲା–ଧୀରେ ଧୀରେ ଖୋଲିଗଲା । ଭିତରେ ଗୋଟାଏ କଣରେ ମେଜ ଉପରେ ଲଣ୍ଠନଟିଏ ନିସ୍ତେଜ ଭାବରେ ଜଳୁଛି । ତାହାରି କ୍ଷୀଣ ଆଲୋକରେ ଦେଖିଲେ ଖଟ ଉପରେ ଜଣେ ସ୍ତ୍ରୀ ଲୋକ ଶୋଇଛି । ରମଣୀଟି ଯେ କିଶୋର ବାବୁଙ୍କ ସ୍ତ୍ରୀ ଏଥିରେ ତାଙ୍କର କୌଣସି ସନ୍ଦେହ ରହିଲା ନାହିଁ-

 

ନିକଟବର୍ତ୍ତୀ ଖଟଟିକୁ ଚାହିଁ ସେ ଅନ୍ୟମନସ୍କ ହୋଇପଡ଼ିଲେ । ସେ ଯାହା ସନ୍ଦେହ କରିଥିଲେ, ତାହା ସତ୍ୟ ବୋଲି ଜାଣି ପାରିଲେ । ଭାବିଲେ, କିଶୋରବାବୁ ଏତେ ରାତିରେ ଏକାକୀ କୁଆଡ଼େ ଗଲେ ? ତାଙ୍କର ଏ ନୈଶ ଅଭିଯାନ ପଛରେ କି ଗୁପ୍ତ ରହସ୍ୟ ଜଡ଼ିତ ଅଛି ? ନରେନ୍ଦ୍ରଦେବଙ୍କ ପରିବାର କେତେଦିନ ହେଲା ଏ ରହସ୍ୟପୂର୍ଣ୍ଣ ହୋଇଉଠିଛି, ଏଥିରେ ସନ୍ଦେହନାହିଁ-। ସେ ଗମ୍ଭୀର ହୋଇ ଏହି ସବୁ ଚିନ୍ତା କରୁଛନ୍ତି ଏହି ସମୟରେ ହଠାତ୍‌ କିଶୋରବାବୁଙ୍କ ସ୍ତ୍ରୀ କଡ଼ ଲେଉଟାଇ ନିଦବାଉଳାରେ ଅସ୍ପଷ୍ଟ ଶବ୍ଦ କଲେ ।

 

ବିଜୟବାବୁ କ୍ଷିପ୍ର ହସ୍ତରେ କବାଟ ଆଉଜାଇ ଆଣି ବାରଣ୍ଡାର ଗୋଟାଏ ଅନ୍ଧାର କୋଣରେ ଆତ୍ମଗୋପନ କଲେ ।

 

ଶୁଣିଲେ କିଶୋରବାବୁଙ୍କ ସ୍ତ୍ରୀ କହୁଛନ୍ତି–ଶୁଭୁଛି–କୁଆଡ଼େ ଗଲ ? କଣ୍ଠସ୍ୱର ଭୟମିଶା–ଉତ୍ତେଜନା ଭରି ରହିଛି ।

 

ପରକ୍ଷଣରେ କିଶୋରବାବୁଙ୍କ ସ୍ତ୍ରୀଙ୍କର ଚାପା କ୍ରନ୍ଦନଧ୍ୱନି ଶୁଣାଗଲା । ବିଜୟବାବୁ ନିର୍ବାକ ଭାବରେ ଛିଡ଼ା ହୋଇରହିଲେ । ଅନେକ ଚିନ୍ତା କରି ସୁଦ୍ଧା ସେ ଅଦ୍ଭୁତ ରହସ୍ୟର କୁଳ କିନାରା ପାଇଲେ ନାହିଁ ।

 

କିଛିକ୍ଷଣ ଅପେକ୍ଷା କରି ବିଜୟାବାବୁ ଫେରିଆସିଲେ । ଗୋପାଳ ବାବୁ ଓ ଅମୀୟବାବୁ ନିଘୋଡ଼ ନିଦରେ ଶୋଇଥିବା ଦେଖି ସେ ଅତି ସନ୍ତର୍ପଣରେ ତଳକୁ ଓହ୍ଲାଇ ଆସିଲେ ।

 

ପଛପଟେ ପ୍ରକାଣ୍ଡ ବଗିଚା । ନକ୍‌ସା ଚୋରି ବିଷୟରେ ଗୋଟାଏ ବିଷୟ ଅନୁସନ୍ଧାନ ବାକି ରହି ଯାଇଥିବାରୁ, ତାହାକୁ ଶୀଘ୍ର ଶେଷ କରିଦେବା ନିରାପଦ ଭାବି ସେ ଦରଆଉଜା ବଗିଚାର ଲୁହାଗେଟ୍‌ ଖୋଲି ଭିତରକୁ ଗଲେ ।

 

ପକେଟରୁ ଗୁପ୍ତ ଲଣ୍ଠନ ବାହାର କରିବାକୁ ଯାଉଛନ୍ତି, ଏହି ସମୟରେ ଅଦୂରେ କାହାର ଅସ୍ପଷ୍ଟ କଣ୍ଠସ୍ୱର ଶୁଣି ଛିଡ଼ାହେଲେ । କିଛିକ୍ଷଣ ଅପେକ୍ଷା କରିବା ପରେ ଶବ୍ଦ ଲକ୍ଷ୍ୟ କରି ଧୀରେ ଧୀରେ ଯିବାକୁ ଲାଗିଲେ । କିଛିଦୂର ନୀରବରେ ଆସିବା ପରେ କାହାର ଛାୟାମୂର୍ତ୍ତି ଦେଖି ନିଶ୍ଚଳ ଭାବରେ ଛିଡ଼ା ହେଲେ ।

 

ତୀକ୍ଷ୍‌ଣ ଦୃଷ୍ଟିରେ ଚାହିଁ ଦେଖିଲେ, କିଛିଦୂରରେ ଗୋଟାଏ ସିମେଣ୍ଟ ବେଞ୍ଚରେ ଦୁଇଜଣ କିଏ ବସି ଧିମା ସ୍ୱରରେ କଥାବାର୍ତ୍ତା କରୁଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ସ୍ତ୍ରୀଲୋକ ବୋଲି ଚିହ୍ନି ପାରିଲେ । ଅନ୍ୟ ଜଣକ ପୁରୁଷ । ତାଙ୍କର ବିସ୍ମୟର ସୀମା ରହିଲାନାହିଁ ଏ ଦୃଶ୍ୟ ଦେଖି । ଏ ନିର୍ଜ୍ଜନ ରାତିରେ ବଗିଚା ମଧ୍ୟରେ ଏମାନେ କିଏ ? କି ଉଦ୍ଦେଶ୍ୟରେ ଏମାନଙ୍କର ଏପରି ନିର୍ଜନ ଆଳାପ ।

 

ବିଜୟବାବୁ କୌତୁହଳ ଦମନ କରି ନପାରି ଅତି ସାବଧାନରେ ଆହୁରି ନିକଟକୁ ଅଗ୍ରସର ହୋଇ ଗୋଟାଏ ତରାଟଗଛ ପଛରେ ରହି ସେ ଦୁହିଁଙ୍କୁ ତୀକ୍ଷ୍‌ଣ ଦୃଷ୍ଟିରେ ଲକ୍ଷ୍ୟ କଲେ । ହଠାତ୍‌ ସେମାନଙ୍କ ଭିତରୁ ଜଣକୁ ଚିହ୍ନିପାରି ସେ ଚମକି ଉଠିଲେ । ଏଯେ କିଶୋର ବାବୁ ! ନିର୍ଜନ ରାତିରେ ଗୁପ୍ତ ଭାବରେ ଆଉ ଜଣେ ଅପରିଚିତା ରମଣୀ ସହିତ ସାକ୍ଷାତର କାରଣ କ’ଣ ? ସ୍ତ୍ରୀ ଲୋକଟି ସହିତ ତାଙ୍କର କି ପ୍ରକାର ସମ୍ୱନ୍ଧ ?

 

ମନେ ପଡ଼ିଲା କିଶୋର ବାବୁଙ୍କ ସ୍ତ୍ରୀଙ୍କର ଚାପା କ୍ରନ୍ଦନଧ୍ୱନି । ତେବେ କଣ କିଶୋର ବାବୁ ନଷ୍ଟ ଚରିତ୍ର । ତାଙ୍କ ଭଳି ସରଳ, ଗୁଣବାନ ଯୁବକ ଯେ ଏତେ ଅଧଃପତନକୁ ଯାଇପାରେ ସେ ବିଶ୍ୱାସ କରି ପାରିଲେ ନାହିଁ ।

 

ପରକ୍ଷଣରେ ଆଉ ଗୋଟାଏ ବିଷୟ ଲକ୍ଷ୍ୟକରି ତାଙ୍କର ବିସ୍ମୟ ବଢ଼ିଗଲା–ପୂର୍ବ ସନ୍ଦେହ ବଦଳିଗଲା । ସେ ଆଶ୍ଚର୍ଯ୍ୟହୋଇ ଦେଖିଲେ ସ୍ତ୍ରୀ ଲୋକଟି ଯୁବତୀ ନୁହେଁ–ଜଣେ ବୃଦ୍ଧା-! ଜଣେ ବୃଦ୍ଧା ସ୍ତ୍ରୀ ଲୋକ ସହିତ କିଶୋର ବାବୁଙ୍କ ଭଳି କୋଟିପତି ଯୁବକର ନିଦ୍ରାସୁଖରୁ ବଞ୍ଚିତ ହୋଇ ଗୁପ୍ତଭାବରେ ଆଲୋଚନା କରିବା ପଛରେ କି ରହସ୍ୟ ନିହିତ ଅଛି ସେ ବୁଝିପାରିଲେ ନାହିଁ-। ପାଷଣ ମୂର୍ତ୍ତି ପରି ଛିଡ଼ା ହୋଇ ଚାହିଁ ରହିଲେ ।

 

ଦୂରରେ ଥିବାଯୋଗୁଁ ବିଜୟବାବୁ ସେମାନଙ୍କ ମନ୍ତ୍ରଣା କିଛି ଶୁଣିପାରିଲେ ନାହିଁ । ଧରାପଡ଼ିବା ଭୟରେ ନିକଟକୁ ଯିବାକୁ ମଧ୍ୟ ସାହସ ହେଲା ନାହିଁ ।

 

କିଛିକ୍ଷଣ ପରେ ଉଭୟେ ଛିଡ଼ା ହେଲେ । ବୃଦ୍ଧାଟି ବିଦାୟ ନେଇ ଫେରିଗଲା । କିଶୋରବାବୁ ଥରେ ଚାରିଆଡ଼କୁ ସତର୍କଭାବରେ ଚାହିଁ ଚାଲିଗଲେ ।

 

ବିଜୟବାବୁ ଗୁପ୍ତଲଣ୍ଠନ ବାହାର କରି କିଶୋରବାବୁଙ୍କ ଶୟନକକ୍ଷ ଲକ୍ଷ୍ୟ କରି ବଗିଚାର ଦକ୍ଷିଣ ଦିଗକୁ ଗଲେ ।

 

ସକାଳେ ଅମୀୟ ବାବୁଙ୍କ ଡାକରେ ଗୋପାଳବାବୁଙ୍କ ନିଦ ଭାଙ୍ଗିଗଲା । ପାଖ ଖଟକୁ ଚାହିଁ ଗୋପାଳବାବୁ ପଚାରିଲେ–ବିଜୟବାବୁ କୁଆଡ଼େ ଗଲେ ?

 

ମୁଁ ମଧ୍ୟ ସକାଳୁ ଉଠି ତାଙ୍କୁ ଦେଖି ନାହିଁ–ଅମୀୟ ବାବୁ କହିଲେ ।

 

ଚାକର ଚାହା ଆଣି ଦେଇଗଲା । ଉଭୟେ ମୁହଁ ହାତ ଧୋଇବାପାଇଁ ତଳକୁ ଚାଲିଗଲେ ।

 

ଚା’ ଖାଇ ସାରି ବୈଠକ ଖାନାକୁ ଆସି ଦେଖିଲେ କିଶୋରବାବୁ ଓ ବିଜୟବାବୁ ଜଣେ ପ୍ରୌଢ଼ବ୍ୟକ୍ତି ସହିତ ଗଳ୍ପ କରୁଛନ୍ତି । ଲୋକଟିକୁ ପୂର୍ବରୁ କେବେ ଉଭୟେ ଦେଖି ନ ଥିଲେ ।

 

ଏମାନଙ୍କୁ ଦେଖି କିଶୋର ବାବୁ ମୃଦୁ ହସି କହିଲେ–ଆସନ୍ତୁ ଏହାଙ୍କ ସହିତ ଆପଣମାନଙ୍କର ପରିଚୟ କରାଇ ଦିଏ । ଇଏ ହେଉଛନ୍ତି ଦୀନବନ୍ଧୁ ବାବୁ–ମୋର ପିତାଙ୍କର ଶୈଶବ ବନ୍ଧୁ । ଏଠାରେ ନଥିଲେ–ଦୁଇଦିନ ହେଲା ଆସିଛନ୍ତି ।

 

ଉଭୟେ ନମସ୍କାର କଲେ । ଲୋକଟିର ମୁହଁ ସବୁବେଳେ ହସ ହସ–ଭାରି ମେଳାପି ପରି ଜଣାପଡ଼ୁଥାଏ ।

 

ବିଜୟ ବାବୁଙ୍କୁ ଚାହିଁ ପଚାରିଲେ–ଆପଣଙ୍କର ଅନୁସନ୍ଧାନ କେତେଦୂର ଗଲା ? ସେ ରହସ୍ୟମୟ ଫଟୋ ହରଣକାରୀକୁ ଧରି ପାରିବେ ବୋଲି ଆଶା କରୁଛନ୍ତି ?

 

ବିଜୟ ବାବୁ ମୃଦୁ ହସି କହିଲେ–ଆଶାତ ଅଛି । ଫଳାଫଳ ଭଗବାନଙ୍କ ହାତରେ । ତେବେ ଅଳ୍ପଦିନ ମଧ୍ୟରେ ଏ ଚୋରି ରହସ୍ୟ ଓ ହତ୍ୟା ରହସ୍ୟର କିଛି ନା କିଛି ଗୋଟାଏ ସମାଧାନ ହୋଇପାରିବ ବୋଲି ମୋର ଅନୁମାନ ।

 

ଦୀନବନ୍ଧୁ ବାବୁ କହିଲେ–ହତ୍ୟାକାଣ୍ଡ ବିଷୟ ମୁଁ ଖବର କାଗଜରୁ ଜାଣିପାରିଛି । ବାସ୍ତବିକ ଏପରି ରହସ୍ୟ ପୂର୍ଣ୍ଣ ଘଟଣା ମୁଁ କେବେ ଶୁଣି ନଥିଲି । ଶୁଣୁଛି ଆପଣ ସେ ତଦନ୍ତର ଭାର ନେଇଛନ୍ତି । ଅନୁମାନ କଣ କରୁଛନ୍ତି ।

 

ବିଜୟ ବାବୁ କହିଲେ–ବିଶେଷ କିଛି ଜାଣି ପାରିନାହିଁ । ତେବେ ହତ୍ୟାକାଣ୍ଡ ଓ ନକ୍‌ସା ଚୋରି ଯେ ଗୋଟାଏ ଲୋକଦ୍ୱାରା ହୋଇଛି, ସେ ବିଷୟରେ ମୁଁ ଭଲ ପ୍ରମାଣ ପାଇଛି । ହତ୍ୟାକାଣ୍ଡ ପଛରେ ଯେଉଁ ଉଦ୍ଦେଶ୍ୟ ଥିଲା, ଫଟୋ ଚୋରିରେ ତାହା ସଫଳ ହୋଇଛି ।

 

ତାଙ୍କ କଥା ଶୁଣି କିଶୋରବାବୁ ଚମକି ପଡ଼ିଲେ । ଦୀନବନ୍ଧୁବାବୁ ପଚାରିଲେ–କିପରି ଜାଣିଲେ ?

 

–ଭବାନୀପୁର ହତ୍ୟାକାରୀର ପାଦଚିହ୍ନ ଓ ବଗିଚାରେ ପଡ଼ିଥିବା ଫଟୋ ହରଣକାରୀର ପାଦଚିହ୍ନ ନିଖୁଣ ଭାବରେ ମିଶି ଯାଉଛି । ଉଭୟ କାର୍ଯ୍ୟ ପଛରେ ଯେ ଜଣେ ଲୋକର ହାତ ରହିଚି ଏଥିରେ ସନ୍ଦେହ ନାହିଁ ।

 

ଦୀନବନ୍ଧୁବାବୁଙ୍କ ମୁହଁରେ ଆଶ୍ଚର୍ଯ୍ୟଭାବ ଫୁଟି ଉଠିଲା । କିଛିକ୍ଷଣ କଥାବାର୍ତ୍ତା ପରେ ଦୀନବନ୍ଧୁ ବିଦାୟ ନେଲେ । ଯିବାବେଳେ ବିଜୟ ବାବୁଙ୍କୁ ନିମନ୍ତ୍ରଣ କରିଗଲେ ଯିବାପାଇଁ ତାଙ୍କ ଘରକୁ ।

 

ନୀରବରେ କିଛି ସମୟ ଧୂମ୍ରପାନ କରିବା ପରେ ବିଜୟବାବୁ କିଶୋର ବାବୁଙ୍କୁ ପଚାରିଲେ–ଆପଣଙ୍କୁ କେତେଗୁଡ଼ିଏ ପ୍ରଶ୍ନ ପଚାରିବି । ଆଶାକରେ ଠିକ୍‌ ଉତ୍ତର ଦେବେ ।

 

କିଶୋରବାବୁଙ୍କ ମୁଖ ମଳିନ ହୋଇ ଉଠିଲା । ରହି ରହି କହିଲେ–ପ୍ରଶ୍ନ ! ପଚାରନ୍ତୁ, ଜାଣିଥିଲେ ନିଶ୍ଚୟ କହିବି ।

 

ବିଜୟବାବୁ ଗମ୍ଭୀର ଭାବରେ କହିଲେ–ଦୁଇଦିନ ତଳେ ଆପଣ କାହା ସହିତ ଦେଖା କରିବାକୁ ଭବାନୀପୁର ଯାଇଥିଲେ ?

 

ତାଙ୍କ ପ୍ରଶ୍ନ ଶୁଣି କିଶୋରବାବୁ ଚମକି ଉଠିଲେ । ଅତିକଷ୍ଟରେ ଆତ୍ମସମ୍ୱରଣ କରି କହିଲେ–ଭବାନୀପୁର ! ନା–ହଁ–ହଁ ଯାଇଥିଲି ।

 

–ସେ ଲୋକ ସହିତ ଆପଣଙ୍କର କି ପ୍ରକାର ସମ୍ପର୍କ ?

 

–ସେ ମୋ ପିତାଙ୍କର ସେକ୍ରେଟରୀ ।

 

–କେଉଁ ନିମନ୍ତେ ତାଙ୍କ ସହିତ ଦେଖା କରିବାକୁ ଯାଇଥିଲେ ?

 

–କ୍ଷମା କରନ୍ତୁ ସେ ବିଷୟ କହି ପାରିବି ନାହିଁ ।

 

–ଦେଖନ୍ତୁ କିଶୋର ବାବୁ! ଏ ସମୟରେ ସତ୍ୟକଥା ଗୋପନ କଲେ ଆମର ଅନୁସନ୍ଧାନ ଜଟିଳ ହୋଇ ପଡ଼ିବ ଆଉ ଆପଣଙ୍କର ଜୀବନ ବିପଦ ସଙ୍କୁଳ ହୋଇଉଠିବ ।

 

–ଯେତେ ବିପଦ ଆସୁ ପଛକେ ଜୀବନ ଥିବା ପର୍ଯ୍ୟନ୍ତ ସେ କଥା କହି ପାରିବି ନାହିଁ । କେବଳ ଏତିକି ଜାଣନ୍ତୁ ମୋ ପିତାଙ୍କର ଖବର ବୁଝିବାପାଇଁ ଯାଇଥିଲି ।

 

ସେ ଯେ ମିଥ୍ୟା କହିଲେ ସେ କଥା ବିଜୟବାବୁ ବୁଝି ପାରିଲେ । ମନର ଭାବ ଗୋପନ ରଖି ପଚାରିଲେ–ଆପଣଙ୍କର ପିତା ବର୍ତ୍ତମାନ କେଉଁଠି ଅଛନ୍ତି ।

 

କିଶୋରବାବୁ ଆଖିରେ ଲୁହ ଜମି ଆସିଲା । ଛେପ ଢୋକି କହିଲେ–ସେ ହରଣଚାଳ ହୋଇଛନ୍ତି । ଅଦୃଶ୍ୟ ଶତ୍ରୁ ହାତରେ ବନ୍ଦୀ । ବୋଧହୁଏ ତାଙ୍କର–ସେ କଥା ନ କହି ଅଟକି ଗଲେ ।

 

ବିଜୟବାବୁ ବିସ୍ମିତ ହୋଇ ପଚାରିଲେ–ହରଣଚାଳ ? ସେ ଜୀବନରେ ଏପରି କିଛି କାର୍ଯ୍ୟ କରିଥିବାର ଜାଣନ୍ତି କି ଯାହାପାଇଁ ତାଙ୍କର ଏପରି ଭୀଷଣ ଶତ୍ରୁ ଥାଇପାରେ ।

 

କିଶୋରବାବୁଙ୍କ ମୁହଁ ଆହୁରି ମଳିନ ହୋଇଗଲା । ସେ ନିରସ ସ୍ୱରରେ କହିଲେ–ବାପା ଯେପରି ଲୋକଥିଲେ ସେ ବିଷୟ ସମସ୍ତେ ଜାଣନ୍ତି । ଏପରି ଦେବତୁଲ୍ୟ ଲୋକର ଯେ ଶତ୍ରୁ ଥାଇପାରେ ଏକଥା କଳ୍ପନାତୀତ-

 

ସେ କିଛି ଗୋଟାଏ ଗୋପନ କରୁଛନ୍ତି, ତାହା ସ୍ପଷ୍ଟ ରୂପେ ବିଜୟବାବୁ ବୁଝିପାରିଲେ । ନରେନ୍ଦ୍ରଦେବ ଯେ କୌଣସି ଗୋଟାଏ ଗୁପ୍ତକର୍ମରେ ଲିପ୍ତ ଅଛନ୍ତି, ଏ ବିଷୟ କାର୍ଯ୍ୟଗତିରୁ ସେ ବେଶ ବୁଝି ପାରିଥିଲେ । ଯଦି ସେ ଗୁପ୍ତ କର୍ମଟା ଜାଣିପାରନ୍ତେ–

 

ଭାବନାରୁ ବିରତ ହୋଇ ପଚାରିଲେ–ଆପଣ ସେଠାରେ କେତେବେଳ ପର୍ଯ୍ୟନ୍ତ ଥିଲେ-?

 

–ପ୍ରାୟ ସନ୍ଧ୍ୟା ଛ’ଟା ପର୍ଯ୍ୟନ୍ତ ।

 

ତା’ପରେ ଆଉ ଲୋକଟି ସହିତ ଦେଖା କରି ନାହାନ୍ତି ?

 

–ନା–

 

–ସତ କୁହନ୍ତୁ–ଜାଣି ଜାଣି ବିପଦ ବରଣ କାହିଁକି କରୁଛନ୍ତି ? ରାତି ନଅଟାରେ ପୁନରାୟ ସେ ଲୋକଟି ସହିତ ଦେଖା କରିବାକୁ ଯାଇନାହାନ୍ତି ?

 

–ରାତି ନଅଟା ? ମିଥ୍ୟାକଥା ।

 

ବିଜୟବାବୁ କିଛି ନକହି ପକେଟରୁ ମୃତ ବ୍ୟକ୍ତି ହାତରୁ ପାଇଥିବା କୋଟର ଛିନ୍ନ ଅଂଶଟି ବାହାର କଲେ । ସେ ଖଣ୍ଡିକ କିଶୋରଦେବଙ୍କ ସମ୍ମୁଖରେ ଧରି ପଚାରିଲେ–ଏ ଖଣ୍ଡିକ କାହାର ଚିହ୍ନି ପାରୁଛନ୍ତି ?

 

କୋଟର ଛିନ୍ନ ଅଂଶକୁ ଦେଖି କିଶୋରବାବୁ ଥରି ଉଠିଲେ । ଦୃଷ୍ଟି ତାଙ୍କର ଆପେ ଆପେ ଚାଲିଗଲା ପିନ୍ଧିଥିବା କୋଟଟିର ଛିନ୍ନ ଅଂଶକୁ । ଛେପ ଢୋକି କହିଲେ–ଏ କି ରହସ୍ୟ ! ଆପଣ ତାକୁ କେଉଁଠି କିପରି ପାଇଲେ ?

 

ବିଜୟବାବୁ ମୃଦୁ ହସି କହିଲେ–ଭବାନୀପୁରର ମୃତବ୍ୟକ୍ତି ହାତ ମୁଠାରୁ ।

 

କିଶୋରବାବୁ ଚମକି ଉଠିଲେ । ଥରା ଗଳାରେ କହିଲେ–ମୃତବ୍ୟକ୍ତିର ହାତ ମୁଠାରୁ-! ଅସମ୍ଭବ ! ମୋର କୋଟର ଛିନ୍ନ ଅଂଶ ତା’ ହାତକୁ କିପରି ଗଲା ।

 

ବିଜୟବାବୁ ଗମ୍ଭୀର ହୋଇ କହିଲେ–ହସାଇଲେ ଆପଣ । କୌଣସି ପାଗଳକୁ ଏକଥା କହିଲେ ସେ ବିଶ୍ୱାସ ଯିବ ନାହିଁ । ଆପଣଙ୍କ କୋଟ୍‌ର ଛିନ୍ନ ଅଂଶ ସହିତ ଏ ଖଣ୍ଡିକ ସମ୍ପୂର୍ଣ୍ଣ ମିଶି ଯାଉଛି, ଅଥଚ ଆପଣ ଜାଣନ୍ତି ନାହିଁ ସେ ଖଣ୍ଡିକ ମୃତବ୍ୟକ୍ତି ହାତମୁଠାକୁ କିପରି ଆସିଲା ?

 

କିଶୋରଦେବ ତାଙ୍କ ହାତ ଧରିପକାଇ କହିଲେ–ମୋତେ ବିଶ୍ୱାସ କରନ୍ତୁ ବିଜୟବାବୁ-! ମୁଁ ଏ ରହସ୍ୟର ଆଦିଅନ୍ତ ଜାଣେ ନାହିଁ ।

 

ତାଙ୍କ କଥା ଶୁଣି ବିଜୟ ବାବୁ କିଛି ଉତ୍ତର ନ ଦେଇ ପକେଟରୁ ରକ୍ତାକ୍ତ ରୁମାଲଟି ବାହାର କଲେ ।

 

–ବର୍ତ୍ତମାନ ବୋଧହୁଏ କହି ପାରିବେ ଏ ରୁମାଲଟି କାହାର ଓ କେଉଁ କାରଣରୁ ଇଡ଼େନ ଗାର୍ଡ଼ନ ଭିତରେ ପଡ଼ିଥିଲା ।

 

ରୁମାଲଟି ସହିତ ଯେ କିଶୋର ବାବୁଙ୍କର କିଛି ସମ୍ୱନ୍ଧ ଥାଇପାରେ’ ଏ ସନ୍ଦେହ ତାଙ୍କ ମନରେ କେବେ ଉଙ୍କି ମାରି ନଥିଲା । କେବଳ କାଲି ତାଙ୍କର ନୈଶ ଅଭିଯାନ ଦେଖି ଅନୁମାନ କରି ରୁମାଲଟି ତାଙ୍କୁ ଦେଖାଇଲେ ।

 

ରୁମାଲଟି ଦେଖି କିଶୋର ଦେବଙ୍କ ମୁହଁ ମଲା ଲୋକର ମୁହଁପରି ସାଦା ହୋଇଗଲା । ସେ କଥା କହିବାକୁ ଚେଷ୍ଟା କଲେ ସୁଦ୍ଧା ପାରିଲେ ନାହିଁ । ତାଙ୍କ ଚକ୍ଷୁ ବୁଜି ଆସି ସେ ମୂର୍ଚ୍ଛିତ ହୋଇପଡ଼ିଲେ ।

 

ହଠାତ୍‌ ରୁମାଲଟି ଦେଖି ମୂର୍ଚ୍ଛିତ ହେବାରୁ ବିଜୟବାବୁଙ୍କ ମନ ସନ୍ଦେହ ପୂର୍ଣ୍ଣ ହେଲା । ଭାବିଲେ, ତେବେ କଣ କିଶୋରଦେବ ହତ୍ୟାକାଣ୍ଡରେ ଲିପ୍ତ ଅଛନ୍ତି ? ରୁମାଲରେ ଯେଉଁ ସ୍ତ୍ରୀ ଲୋକଟିର ନାମ ଲେଖା ହୋଇଛି, ତା’ସହିତ କିଶୋରଦେବଙ୍କର କି ସମ୍ପର୍କ ? ସେ କଣ ଏହାଙ୍କର ରକ୍ଷିତା ? ନା ହତ୍ୟାକାଣ୍ଡରେ ଏହାଙ୍କର ସଙ୍ଗିନୀ ?

 

ସେ ଭାବନାରେ ବିରତ ହୋଇ ଗୋପାଳବାବୁଙ୍କୁ ଶୀଘ୍ର ପାଣି ଆଣିବାକୁ କହିଲେ । ମୁହଁରେ ପାଣି ଛିଞ୍ଚିବାରୁ ତାଙ୍କର ହୋସ ହେଲା, ଆଖି ଫିଟାଇ ଭୟମିଶା କଣ୍ଠରେ କହିଲେ–ମୋତେ ବିପଦରେ ପକାଇବାକୁ ଏ ଘୋର ଷଡ଼ଯନ୍ତ୍ର । ଶତ୍ରୁ ଦଳର ଚାଲାକି–ମୁଁ ଏ ବିଷୟରେ ବିନ୍ଦୁ ବିସର୍ଗ ଜାଣେ ନାହିଁ ।

 

ବିଜୟବାବୁ ପଚାରିଲେ–ସେ ସ୍ତ୍ରୀ ଲୋକଟି କିଏ କିଶୋରବାବୁ ?

 

–ସ୍ତ୍ରୀଲୋକ ? କେଉଁ ସ୍ତ୍ରୀଲୋକ ? ପ୍ରେମଲତା ! ମୁଁ ଏ ନାମ ଜୀବନରେ ଆଜି ପ୍ରଥମ ଶୁଣିଲି । କହିବି କିପରି ।

 

ବିଜୟବାବୁ ନୀରବରେ କଣ ଚିନ୍ତା କଲେ । ତା’ପରେ ଗମ୍ଭୀର ହୋଇ କହିଲେ–ତାହାହେଲେ ଆପଣ ଯାଇନାହାନ୍ତି ରାତି ନଅଟାରେ ?

 

–‘ନା’–ଦୃଢ଼ ସ୍ୱରରେ କିଶୋରବାବୁ କହିଲେ ।

 

–ତେବେ ସନ୍ଧ୍ୟାଠାରୁ ରାତି ନଅଟା ପର୍ଯ୍ୟନ୍ତ ଆପଣ କେଉଁଠାରେ ଥିଲେ ।

 

–ମାଫ କରନ୍ତୁ ବିଜୟବାବୁ, ଏ କଥାର ଉତ୍ତର ମୁଁ ଦେଇ ପାରିବି ନାହିଁ ।

 

–ଦେଖନ୍ତୁ ତାହାରି ଉପରେ ଆପଣଙ୍କର ସବୁ ନିର୍ଭର କରୁଛି । ଏ ସମୟରେ ନୀରବ ରହିଲେ ସବୁ ସନ୍ଦେହ ଆପଣଙ୍କ ଉପରେ ପଡ଼ିବ । ତଥାପି କିଶୋରଦେବ ନିରୁତ୍ତର!!

 

ଅମୀୟବାବୁ ଉଠି ଛିଡ଼ା ହେଲେ । କିଶୋରଦେବଙ୍କୁ ଚାହିଁ କହିଲେ–ମୁଁ ଆପଣଙ୍କୁ ଭବାନୀପୁରର ହତ୍ୟା ସମ୍ପର୍କରେ ଗିରଫ୍‌ କଲି ।

 

ତାଙ୍କ କଥା ଶୁଣି କିଶୋରଦେବ ସର୍ପାହତ ପରି ଚମକି ଉଠିଲେ । ବିଜୟବାବୁଙ୍କୁ ଚାହିଁ ଭୟାର୍ତ୍ତ କଣ୍ଠରେ କହିଲେ–ମୋତେ ରକ୍ଷା କରନ୍ତୁ ବିଜୟବାବୁ ! ମୁଁ ଏହାର ବିନ୍ଦୁବିସର୍ଗ ଜାଣେ ନାହିଁ-। ଏ ସବୁ ଷଡ଼ଯନ୍ତ୍ର–ଘୋର ଷଡ଼ଯନ୍ତ୍ର ।

 

ତାଙ୍କ କରୁଣ କଥା ଶୁଣି ବିଜୟବାବୁଙ୍କ ନରମ ପ୍ରାଣରେ ଆଘାତ ଲାଗିଲା । ସେ ଅମୀୟବାବୁଙ୍କୁ ଚାହିଁ କହିଲେ–ଅମୀୟବାବୁ ! ଆପଣ ନିର୍ଭୟରେ କିଶୋରବାବୁଙ୍କୁ ମୋ ଜିମା ଛାଡ଼ି ଦିଅନ୍ତୁ । ତାଙ୍କ ଭାର ମୋ ଉପରେ । ଯେତେବେଳେ ଦରକାର ପଡ଼ିବ କହିଲେ ମୁଁ ତାଙ୍କୁ ଯଥା ସମୟରେ କୋର୍ଟରେ ହାଜିର କରାଇବି ।

 

ଅମୀୟବାବୁ କ୍ଷୁଣ୍ଣ ମନରେ ଚେୟାରରେ ବସି ପଡ଼ିଲେ । ଏପରି ଚାକ୍ଷୁଷ ପ୍ରମାଣ ସତ୍ତ୍ୱେ କାହିଁକି ଯେ ବିଜୟବାବୁ ଆସାମିକୁ ଗିରଫ କରୁନାହାନ୍ତି, ସେ ବୁଝିପାରିଲେ ନାହିଁ ।

 

ବିଜୟବାବୁ କଣ କହିବାକୁ ଯାଉଛନ୍ତି, ଏହି ସମୟରେ ଜଣେ ବୈଷ୍ଣବୀ ଗୀତ ଗାଇ ଗାଇ ବାହାର ଗେଟ୍‌ ନିକଟରେ ଛିଡ଼ା ହେଲା । ତା’ର କଣ୍ଠସ୍ୱର ଶୁଣି କିଶୋରବାବୁ ଚଞ୍ଚଳ ହୋଇ ଉଠିଲେ । ପଦାକୁ ଯିବାକୁ ଉଦ୍ୟତ ହୋଇ ବିଜୟବାବୁଙ୍କୁ କହିଲେ–ଯାଉଛି ବୈଷ୍ଣବୀକୁ କିଛି ଦେଇ ଆସେ । ବିଚରା ଭାରି ଦୁଃଖୀ–ଅନେକ ଦିନ ହେଲା ଦେଖା ନ ଥିଲା ।

 

ସେ କ୍ଷିପ୍ର ପଦରେ ଚାଳଇଗଲେ ।

 

ଲୁହାରଗେଟ୍‌ ବୈଠକଖାନାକୁ ଭଲଭାବରେ ଦେଖାଯାଉଥାଏ । ବୈଷ୍ଣବୀ ଗେଟ୍‌କୁ ଆଉଜି ଛିଡ଼ା ହୋଇଥାଏ । ତା ପ୍ରତି ନଜର ପଡ଼ିବାକ୍ଷଣି ବିଜୟବାବୁ ଅନ୍ୟମନସ୍କ ହୋଇପଡ଼ିଲେ ।

 

ଗୋପାଳବାବୁ ତାଙ୍କର ପରିବର୍ତ୍ତନ ଲକ୍ଷ୍ୟକରି ବିସ୍ମିତ ହେଲେ । କିଶୋରଦେବ ଦାନଶୀଳ ବୋଲି ନନ୍ଦନପୁରରେ ସମସ୍ତେ ଜାଣନ୍ତି । ବୈଷ୍ଣବୀକୁ ଦେଖି ଦାନ କରିବାଟା ତାଙ୍କପକ୍ଷରେ ସ୍ୱାଭାବିକ । ଏଥିରେ ଚିନ୍ତା କରିବାର କଣ ଅଛି, ସେ ବୁଝିପାରିଲେ ନାହିଁ ।

 

ବିସ୍ମିତକଣ୍ଠରେ ପଚାରିଲେ–କଥା କଣ ବିଜୟବାବୁ ?

 

ବିଜୟବାବୁ ବୈଷ୍ଣବୀ ଉପରୁ ଚକ୍ଷୁ ଫେରାଇ କହିଲେ–ଗୋପାଳବାବୁ ! ତୁମ ଉପରେ ଗୋଟାଏ କାର୍ଯ୍ୟଭାର ଦେଉଛି । ଏ ବୈଷ୍ଣବୀର ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ । ଛଦ୍ମବେଶରେ ଦୂରରେ ରହି ତାହାର ଅନୁସରଣ କରି ସେ କେଉଁଠାରେ ରହେ, କଣ କରେ ମୋତେ କହିବ ।

 

ତାଙ୍କକଥା ଶୁଣି ଅମୀୟବାବୁ କହିଲେ–ମୁଁ ଜାଣେ କିଶୋର ବାବୁଙ୍କ ପ୍ରତ୍ୟେକ କାର୍ଯ୍ୟ ସନ୍ଦେହଜନକ । ତାଙ୍କୁ ଗିରଫ କରିଥିଲେ ରହସ୍ୟର କିଛି ନା କିଛି ଗୋଟାଏ କିନାରା ହୋଇ ପାରିଥାନ୍ତା । ଆପଣ ବାଧା ଦେଇ–

 

ବିଜୟବାବୁ ଗମ୍ଭୀର ହୋଇ କହିଲେ–ଭୁଲ ଧାରଣା ଆପଣଙ୍କର । ଶିକାରକୁ କୟେଦୀ କରି ରଖିଲେ ଶିକାରୀକୁ ଧରିବା ମୁଷ୍କିଲ ହୋଇ ପଡ଼ିଥାଆନ୍ତା !

 

ଅମୀୟବାବୁ କିଛି କହିଲେ ନାହିଁ । ଗୋପାଳବାବୁ ଛଦ୍ମ ବେଶର ଉପକରଣ ଆଣିବାପାଇଁ ଉପରକୁ ଚାଲିଗଲେ ।

 

କିଛିକ୍ଷଣ ପରେ କିଶୋରବାବୁ ଫେରି ଆସିଲେ । ସେହି ସମୟରେ ଗୋପାଳବାବୁମଧ୍ୟ ଛଦ୍ମବେଶର ଉପକରଣ ଗୁପ୍ତଭାବରେ ରଖି ବୈଠକଖାନାକୁ ଆସିଲେ । ବିଜୟବାବୁ ଶୀଘ୍ର ଯିବାପାଇଁ ତାଙ୍କୁ ଚକ୍ଷୁ ଦ୍ୱାରା ଇଙ୍ଗିତ କଲେ । ଗୋପାଳବାବୁ ବଜାରକୁ ବୁଲି ଯାଉଛନ୍ତି କହି ତ୍ୱରିତ ପଦରେ ବାହାରିଗଲେ ।

 

ବିଜୟବାବୁ ସ୍ୱସ୍ତିର ଗୋଟିଏ ନିଶ୍ୱାସ ପକାଇ ପକେଟରୁ ସିଗାରେଟ୍‌ ବାହାର କଲେ ।

 

–ପାଞ୍ଚ–

 

ମୁହଁସଞ୍ଜ । ଅମୀୟବାବୁ କଲିକତା ଯିବାକୁ ବାହାରିଲେ । ତାଙ୍କ ହାତରେ ଦୁଇ, ତିନିଟା କେସ ଅଛି–ଶୀଘ୍ର ନଗଲେ ବଡ଼ସାହେବ ଅସନ୍ତୁଷ୍ଟ ହୋଇପାରନ୍ତି ଭାବି ବିଜୟବାବୁ ମଧ୍ୟ ବାଧା ଦେଲେ ନାହିଁ । ତାଙ୍କର ସାହାଯ୍ୟର ପ୍ରୟୋଜନ ହେଲେ ସଙ୍ଗେ ସଙ୍ଗେ ଜଣାଇବେ ବୋଲି ବିଜୟବାବୁ କହି ଚାଲିଗଲେ ।

 

ବିଜୟବାବୁ ବୈଠକଖାନାରେ ଏକାକି ନୀରବରେ ଧୂମ୍ରପାନ କରୁଥାଆନ୍ତି । ତାଙ୍କ ମନ ନାନା ଚିନ୍ତାରେ ପୂର୍ଣ୍ଣ । ଗୋପାଳବାବୁଙ୍କୁ ସେ ଅନେକବେଳୁ ପଠାଇଲେଣି ବୈଷ୍ଣବୀର ଅନୁସରଣ କରିବା ପାଇଁ । ଅଥଚ ଏତେବେଳ ହେଲାଣି ସେ ନ ଫେରିବାରୁ ତାଙ୍କର ଉଦ୍‌ବେଗ ବଢ଼ିଯାଇଛି । ନୂତନ ଯାଗା–ଏପରି ସ୍ଥାନରେ କାହାର ଅନୁସରଣ କରିବା କିପରି ବିପଜ୍ଜନକ ସେ ଭଲରୂପେ ଜାଣନ୍ତି । ତାଙ୍କ ପାଇଁ ବିଜୟବାବୁଙ୍କ ମନରେ ନାନା ଅଶୁଭ ଘଟଣା ଉଙ୍କି ମାରିବାକୁ ଲାଗିଲା ।

 

ଏହି ସମୟରେ ହଠାତ୍‌ ତାଙ୍କର ମନେ ପଡ଼ିଲା ଇମ୍ପିରିଆଲ ହୋଟେଲରେ ବ୍ଳଟିଂ ପେପରରେ ପଢ଼ିଥିବା ଚିତ୍ତରଞ୍ଜନ ହୋଟେଲ କଥା । କେବଳ ବସିବା ଅପେକ୍ଷା ଥରେ ସେଠାରେ ବୁଲି ଆସିବାହିଁ ଭଲ–ମନେ ଭାବି ବାହାରି ପଡ଼ିଲେ ।

 

ଅନ୍ଧାର ହୋଇ ଆସୁଥାଏ । କିଛିଦୂର ଆସିବାପରେ ବିଜୟ ବାବୁଗୋଟାଏ ସଂକୀର୍ଣ୍ଣ ଅନ୍ଧାରୁଆ ଗଳି ଭିତରକୁ ଗଲେ । ନିକଟରେ ଗୋଟାଏ ନିର୍ଜନ ଭଙ୍ଗାଘର–ବିଜୟବାବୁ ଚାରିଆଡ଼କୁ ସତର୍କ ଭାବରେ ଚାହିଁ ଘର ଭିତରକୁ ଗଲେ । ସେଠାରେ କ୍ଷିପ୍ର ହସ୍ତରେ ଛଦ୍ମବେଶ ଧାରଣ କରି ଯେତେବେଳେ ପଦାକୁ ଆସିଲେ ସେତେବେଳେ କାହାରି ଚିହ୍ନିବାର ଉପାୟ ନାହିଁ ଯେ ସେ ସୁପ୍ରସିଦ୍ଧ ଡିଟେକ୍‍ଟିଭ ବିଜୟକୁମାର । ତାଙ୍କର ସୁନ୍ଦର ବଳିଷ୍ଠ ଚେହେରା । ଗୋଟାଏ ଦରିଦ୍ର ବୃଦ୍ଧ ରୂପରେ ରୂପାନ୍ତରିତ ହୋଇଥାଏ ।

 

ହୋଟେଲଟି ଖୋଜିବାକୁ ବେଶି ଅସୁବିଧା ହେଲାନାହିଁ । ପହଞ୍ଚି ଦେଖିଲେ, ପ୍ରକାଣ୍ଡ ହୋଟେଲ–ଲୋକ ଗହଳିରେ କମ୍ପି ଉଠୁଛି ।

 

କିଛିକ୍ଷଣ ବାହାରେ ଅପେକ୍ଷା କରି ଧୀର ପାଦରେ ଭିତରକୁ ଗଲେ । ବଡ଼ ହଲ୍‌ଟା ଲୋକରେ ପୂର୍ଣ୍ଣ । ଅନେକ ଜାତିର ଲୋକ ଭୋଜନ କରୁଛନ୍ତି । ବସିବା ପାଇଁ ସ୍ଥାନ ନାହିଁ । ବିଜୟ ବାବୁ ଦେଖିଲେ କେବଳ ହଲ୍‌ର ଗୋଟାଏ କଣରେ ଗୋଟାଏ ସିଟ୍‌ ଖାଲି ଅଛି । ସେ କୁଆଡ଼କୁ ଦୃଷ୍ଟି ନ ଦେଇ ସେଠାରେ ବସି ପଡ଼ିଲେ ।

 

ଖାନ୍‌ଦାନ୍‌ ଲୋକଙ୍କ ମଧ୍ୟରେ ଗୋଟାଏ ଦରିଦ୍ର ବୁଢ଼ାକୁ ଦେଖି ଖାନସାମା ବିରକ୍ତିମିଶା କଣ୍ଠରେ କହିଲା–କିରେ ବୁଢ଼ା କଣ ଚାହି ?

 

ଗୋଟାଏ କପ୍‌ ଚାହା–ବିଜୟବାବୁ ଥରାଗଳାରେ କହିଲେ ।

 

–ପଇସା ଅଛି ନା ମୁହଁ ଦେଖାଇବାକୁ ଆସିଛୁ–

 

–ଆଜ୍ଞା ଅଛି–ପକେଟ ଝଣ ଝଣ କରି ବିଜୟବାବୁ କହିଲେ ।

 

–କାହା ମୁଣ୍ଡରେ ହାତ ବୁଲାଇ ସେତକ ରୋଜଗାର କରିଛୁ–ଉତ୍ତରର ଅପେକ୍ଷା ନ କରି ଖାନସାମା ଚାଲିଗଲା ଚା’ ଆଣିବା ପାଇଁ ।

 

ବିଜୟବାବୁ ଚା’ ପିଉ ପିଉ ଚାରିଆଡ଼କୁ ସତର୍କ ଦୃଷ୍ଟିରେ ଚାହିଁବାକୁ ଲାଗିଲେ । ଦେଖିଲେ, କିଛି ଦୂରରେ ଦୁଇଜଣ ଲୋକ ନିମ୍ନସ୍ୱରରେ କଣ ଆଲୋଚନା କରୁଛନ୍ତି । କିଛିକ୍ଷଣ ସେମାନଙ୍କ ଆଲୋଚନା ଶୁଣିବା ପରେ ବୁଝିପାରିଲେ, ସେମାନଙ୍କ ମଧ୍ୟରୁ ଜଣେ ହୋଟେଲର ମ୍ୟାନେଜର–ଅନ୍ୟଜଣକ ଖରିଦଦାର ।

 

ସେମାନଙ୍କ କଥାବାର୍ତ୍ତାରୁ ଜଣକ ନାଁ ଶୁଣି ସେ ଚମକି ପଡ଼ିଲେ ପ୍ରେମଲତା !–ପ୍ରେମଲତା କିଏ ? ଏ ରହସ୍ୟମୟୀ ରମଣୀଟି କିଶୋରବାବୁଙ୍କ ଜୀବନ ସହିତ ଜଡ଼ିତ–ଏଠାରେ ମଧ୍ୟ ଅପରିଚିତ ଲୋକ ଦୁଇଟି ମୁହଁରେ ତାହାରି ନାମ !

 

ସେ ଚିନ୍ତିତ ହୋଇ ପଡ଼ିଲେ । ଲକ୍ଷ୍ୟ କଲେ ଲୋକ ଦୁଇଟି ଯେପରି କାହାର ପ୍ରତୀକ୍ଷାରେ ବସିଛନ୍ତି । ସେ ମଧ୍ୟ ଶେଷଫଳ ଦେଖିବା ପାଇଁ ବସି ରହିଲେ ।

 

କିଛିକ୍ଷଣ ଅପେକ୍ଷା କରିବା ପରେ ଦୁଇଜଣ ଲୋକ ଆସି ପୂର୍ବୋକ୍ତ ଲୋକ ଦୁଇଜଣ ନିକଟରେ ଛିଡ଼ା ହେଲେ । ସେମାନଙ୍କ ଭିତରୁ ଜଣେ ମଇଳା ଲୁଗା ଖଣ୍ଡେ ପିନ୍ଧଛି–ମୁହଁରୁ ଜଣାଯାଉଛି ଭାରି ଗରିବ । ତା’ ସଙ୍ଗରେ ଥିବା ଲୋକଟି ମ୍ୟାନେଜରକୁ ଲକ୍ଷ୍ୟକରି କହିଲା–ଅନେକ କଷ୍ଟରେ ଏ ଲୋକଟାକୁ ଯୋଗାଡ଼ କରିଛି । କଥା ଫୁଟିଆରା ହବାର ଭୟ ନାହିଁ–ଭାରି ବୋକା । ରାତିକୁ ଦୁଇ ଟଙ୍କାରେ ରାଜି ଅଛି ।

 

ମ୍ୟାନେଜର ଲୋକଟାକୁ ଥରେ ଚାହିଁ କହିଲେ–ବେଶ୍‌ ଉତ୍ତମ । ବେଶି ନାହିଁ କେବଳ ଘଣ୍ଟାକର କାମ ! ଆଜିରାତି ନଅଟାରେ ଆସୁ ।

 

ଲୋକ ଦୁଇଟି ଚାଲିଗଲେ । ଘଟଣାଟା ବେଶି ଉଲ୍ଲେଖ ଯୋଗ୍ୟ ନ ହେଲେ ମଧ୍ୟ ବିଜୟବାବୁଙ୍କ ମନରେ କାହିଁକି ସନ୍ଦେହ ହେଲା । ଲୋକଟା ଯେ ଚାକର କାମରେ ରହିବା ପାଇଁ ଆସିଥିଲା, ସେ ବୁଝିପାରିଲେ । ଭାବିଲେ ରାତି ନିଅଟାରେ ଘଣ୍ଟାଏ କାମ ପାଇଁ ଦୁଇ ଟଙ୍କା ଦେଇ ଗୋଟାଏ ମୋଟା ବୁଦ୍ଧିଆ ଚାକର ରଖିବାର ଉଦ୍ଦେଶ୍ୟ କଣ ? ନିଶ୍ଚୟ ଏହା ଭିତରେ କିଚଇ ଗୋପନ ରହସ୍ୟ ଅଛି । ସେ ନିମିଷକ ମଧ୍ୟରେ କର୍ତ୍ତବ୍ୟ ସ୍ଥିର କରି ଉଠି ପଡ଼ିଲେ ।

 

ବାହାରକୁ ଆସି ଦେଖିଲେ ଲୋକଟା ବେଶି ଦୂର ଯାଇନାହିଁ । ପାଖକୁ ଯାଇ କହିଲେ–ତୋ ନା’ କଣ କିରେ ?

 

ଅଚାନକ ଭାବରେ ଜଣେ ଅପରିଚିତ ବୁଢ଼ା ତା’ର ନାମ ପଚାରିବାର ଶୁଣି ଲୋକଟି ଚମକି ପଡ଼ିଲା । ତାଙ୍କ ମୁହଁକୁ କିଛିକ୍ଷଣ ଚାହିଁ ରହି ରହି କହିଲା–ଭୋଳା !’

 

–ବାଃ ଭଲ ନା’ଟିତ । ଆଚ୍ଛା ଦେଖ୍‌, ତୁ ଯଦି ମୋ କଥା ମାନିବୁ, ବେଶ ଦି ପଇସା ତୋର ରୋଜଗାର ହେବ ।

 

ଲୋକଟି କିଛି ବୁଝି ନ ପାରି ତାଙ୍କ ମୁହଁକୁ ଚାହିଁ ରହିଲା ।

 

ବିଜୟବାବୁ ଗମ୍ଭୀର ହୋଇ କହିଲେ–ତୁ ଆଜି ରାତିରେ ଘଣ୍ଟାଏ କାମ କରି ଦୁଇଟଙ୍କା ପାଇଥାନ୍ତୁ । ମୋତେ ଯଦି ତୋ କାମଟା ଛାଡ଼ି ଦେବ, ଦଶଟଙ୍କା ଦେବି–ରାଜି ଅଛୁ ?

 

ଏକାଥରକେ ଏତେ ଗୁଡାଏ ଟଙ୍କା ତା ଜୀବନରେ କେବେ ଦେଖି ନାହିଁ । ଲୋଭରେ ତା ମୁହଁ ଉଜ୍ଜ୍ୱଳ ହୋଇ ଉଠିଲା ।

 

ବିଜୟବାବୁ ପକେଟରୁ ଦଶଟଙ୍କିଆ ନୋଟ ଖଣ୍ଡେ ବାହାର କରି ତା’ହାତକୁ ବଢ଼ାଇ ଦେଇ କହିଲେ–ନେ ଟଙ୍କାରଖ । ଦୁଇଦିନ ପର୍ଯ୍ୟନ୍ତ ଏ ହୋଟେଲ ଦୁଆର ମୁହଁ ମାଡ଼ିବୁ ନାହିଁ–ବୁଝିଲୁ ?

 

ଲୋକଟି ଖୁସି ମନରେ କାନିରେ ନୋଟ ବାନ୍ଧି ସଲାମ କରି ଚାଲିଗଲା ।

 

ବିଜୟବାବୁ ଚାରିଆଡ଼କୁ ଚାହିଁ ଯେଉଁ ଭଡ଼ାଘରେ ଛଦ୍ମବେଶ ବାନ୍ଧିଥିଲେ, ସେଠାକୁ ଚାଲିଗଲେ । ଅଇନା ହାତରେ ଧରି ସେ ଲୋକଟିର ଛଦ୍ମବେଶ ବାନ୍ଧିବାକୁ ଲାଗିଲେ । କିଛିକ୍ଷଣ ପରେ ସେ ଜଣେ ଦରିଦ୍ର ଚାକର ରୂପରେ ରୂପାନ୍ତରିତ ହେଲେ । ଅଇନାରେ ମୁହଁ ଦେଖି ନିଜକୁ ନିଜେ ଚିହ୍ନି ପାରିଲେ ନାହିଁ । ଆଶାତୀତ ଆନନ୍ଦରେ ହୋଟେଲ ଅଭିମୁଖରେ ବାହାରି ପଡ଼ିଲେ ।

 

ହୋଟେଲରେ ପହଞ୍ଚିବାବେଳକୁ ଠିକ୍‌ ନଅଟା । ମ୍ୟାନେଜର ତାଙ୍କରି ଅପେକ୍ଷାରେ ଥିଲେ । ତାଙ୍କୁ ଦେଖି କହିଲେ ଠିକ୍‌ ସମୟରେ ଆସିଛୁ–ଆ ।

 

ବିଜୟବାବୁ ତାଙ୍କ ସଙ୍ଗରେ ଯାଇ ଗୋଟାଏ ଟେବ୍‌ଲ ପାଖରେ ଛିଡ଼ା ହେଲେ । ଟେବ୍‌ଲ ଉପରେ ଅନେକ ଗୁଡ଼ାଏ ଦେଶୀ, ବିଲାତି ମଦ ବୋତଲ ଆଉ ସୋଡ଼ାପାଣି ବୋତଲ ଥୁଆ ହୋଇଛି ।

 

ମ୍ୟାନେଜର ସେଗୁଡ଼ିକ ଦେଖାଇ ଦେଇ କହିଲେ–ମଦ ଆଉ ସୋଡ଼ା ଏ ଗ୍ଳାସରେ ମିଶାଇ ରଖିବୁ । କାମ ସରିଲେ ଘଣ୍ଟା ବଜାଇଲେ ମୁଁ ଆସି ଏ ସବୁ ନେଇଯିବି । ଖବରଦାର୍‌ ସେ ଘରକୁ ଯିବୁ ନାହିଁ–ବୁଝିଲୁ ?

 

ବିଜୟବାବୁ ନୀରବରେ ସମ୍ମତି ଜଣାଇଲେ ।

 

ସାମନାରେ ଗୋଟାଏ ଘର ଦୁଆର ମୁହଁରେ ପରଦା ଝୁଲୁଥିଲା । ମ୍ୟାନେଜର ପରଦା ଆଡ଼େଇ ଭିତରକୁ ଗଲା । ଘର ଭିତରୁ ତିନି ଚାରିଜଣ ଲୋକର ଅସ୍ପଷ୍ଟ ଗୁଞ୍ଜନ ଭାସି ଆସୁଥାଏ । ଲୋକଗୁଡ଼ାକୁ ଦେଖିବାପାଇଁ ତାଙ୍କର କୌତୁହଳ ବଢ଼ି ଉଠିଲା । ଭାବିଲେ, ନିଶ୍ଚୟ କିଛି ଗୁପ୍ତ ପରାମର୍ଶ ଚାଲିଛି । କିନ୍ତୁ କିପରି ଯିବେ ? ଉପାୟ କଣ ?

 

ସେ ନୀରବରେ କାମ ଶେଷ କରି ଘଣ୍ଟା ବଜାଇଲେ । ଘଣ୍ଟା ଶୁଣି ମ୍ୟାନେଜର ଚାଲି ଆସିଲା । ବିଜୟ ବାବୁଙ୍କ କାମର ତାରିଫ୍‌ କରି ଟ୍ରେ ଉଠାଇ ନେଲା ।

 

ଏହି ସମୟରେ ହଠାତ୍‌ ବିଜୟବାବୁଙ୍କ ଦୃଷ୍ଟି ଲୋକଟିର ପକେଟରେ ପଡ଼ିଲା । ଦେଖିଲେ ଗୋଟାଏ ଗୋଲାପ ରଙ୍ଗର କାଗଜର କିଛି ଅଂଶ ବାହାରକୁ ଦେଖାଯାଉଛି । ସେ ଖଣ୍ଡିକ ହସ୍ତଗତ କରିବାପାଇଁ ତାଙ୍କ ମନ ଉଚ୍ଛନ୍ନ ହୋଇଉଠିଲା ।

ସେ ଧୀର ପଦରେ ତା’ ପଛେ ପଛେ ଯିବାକୁ ଲାଗିଲେ । ଲୋକଟି କିଛି ଜାଣି ପାରିଲା ନାହିଁ ।

ଲୋକଟି ଘର ଭିତରକୁ ଯିବା ସମୟରେ ବିଜୟ ବାବୁ କାଗଜଟିକୁ ଧରି ପକାଇଲେ । ସେ ଘରଭିତରକୁ ଚାଲିଯିବା ସଙ୍ଗେ ସଙ୍ଗେ ଧୃତ କାଗଜଟି ତାଙ୍କ ହାତରେ ରହିଗଲା । ଆନନ୍ଦରେ ତାଙ୍କ ମନ ନାଚି ଉଠିଲା । ସେ କାଗଜଟିକୁ ପକେଟରେ ରଖି ହୋଟେଲରୁ ଚାଲି ଆସିଲେ ।

କାଗଜଟି ନିଶ୍ଚୟ କିଛି ଗୋଟାଏ ମୂଲ୍ୟବାନ ଦଲିଲ ବା ସେହିପରି କିଛି, ସେ ଅନୁମାନ କଲେ-। ଘରେ ସେ ଖଣ୍ଡିକ ପଢ଼ିବେ ଭାବି ସେ ଗୋଟାଏ ଲ୍ୟାମ୍ପ ପୋଷ୍ଟ ତଳେ ଆସି ଛିଡ଼ା ହେଲେ-

ବର୍ତ୍ତମାନ କର୍ତ୍ତବ୍ୟ କଣ ? ଦଲିଲ ସହିତ ତାଙ୍କର ଅନ୍ତର୍ଦ୍ଧାନ ଜାଣି ପାରିଲେ, ସେମାନେ ନିଶ୍ଚୟ ପାଗଳା କୁକୁରଙ୍କ ପରି ଚାରିଆଡ଼େ ଖୋଜି ବୁଲିବେ । ଧରା ପଡ଼ିଲେ ମୃତ୍ୟୁ ନିଶ୍ଚୟ–ତଥାପି ସେ ହଠାତ୍‌ ଚାଲିଯିବାଟା ଠିକ୍‌ ବୋଲି ଭାବିଲେ । ଲୋକଗୁଡ଼ିକ କିଏ ? କି ଗୁପ୍ତ ପରାମର୍ଶ ହେଉଛି ଏ ସବୁ ଜାଣିବା ପାଇଁ ତାଙ୍କର କୌତୁହଳ ବଢ଼ିଗଲା । ବିପଦ ଆସୁ ପଛକେ, ତଥାପି ସେ ଶେଷଫଳ ନ ଦେଖି ଫେରିବେ ନାହିଁ ବିଚାର କରି ସତର୍କ ଭାବରେ ଚାରିଆଡ଼କୁ ଚାହିଁ ହୋଟେଲ ପଛପଟକୁ ଗଲେ ।

ଚାହିଁ ଦେଖିଲେ ଉପର ଝରକାଗୁଡ଼ାକ ବନ୍ଦ । ତଳେ ଗୋଟାଏ ଝରକା ବାଟେ ଭିତରୁ ଆଲୁଅ ଆସୁଛି । ପରଦାଯୋଗୁ କିଛି ଦେଖାଗଲା ନାହିଁ । ବିଜୟବାବୁ ସତର୍କ ପଦରେ ଝରକା ନିକଟକୁ ଆସି ରୁଦ୍ଧ ନିଶ୍ୱାସରେ ଛିଡ଼ା ହେଲେ ।

ଘରଭିତରେ ମୃଦୁ କଥାବାର୍ତ୍ତା ଶବ୍ଦ ଶୁଭୁଥାଏ । ବିଜୟ ବାବୁ ଧୀର ଭାବରେ ପରଦା ଆଡ଼େଇ ଭିତରକୁ ଚାହିଁଲେ ।

ଦେଖିଲେ ଘର ଭିତରେ ଚାରିଜଣ ଚେୟାରରେ ବସି ନିମ୍ନ ସ୍ୱରରେ କଣ ଆଲୋଚନା କରୁଛନ୍ତି । ସମସ୍ତେ ଅପରିଚିତ । ସେମାନଙ୍କ ଦଳପତିର ଚେହେରା ଖୁବ୍‌ ବଳିଷ୍ଠ । ମୁହଁରେ କୃଷ୍ଣବର୍ଣ୍ଣର ଘନ ଦାଢ଼ି–ଆଖିରେ ନୀଳବର୍ଣ୍ଣର ଚଷମା–ଚିହ୍ନିବାର ଉପାୟ ନାହିଁ । ଲୋକଟାର କଣ୍ଠସ୍ୱର ଶୁଣି ଜାଣିପାରିଲେ ସେଇଟା ସ୍ୱାଭାବିକ କଣ୍ଠସ୍ୱର ନୁହେଁ । ଗୋପନ ରଖିବାକୁ ଏପରି ବିକୃତ ଭାବରେ କହୁଛି ।

ପାଖରେ ଗୋଟାଏ ଫଟୋ ଖୋଲା ହୋଇପଡ଼ିଛି । ଲୋକଟି ସେ ଦିଗକୁ ଚାହିଁ ମ୍ୟାନେଜରକୁ ବିକୃତ କଣ୍ଠରେ କହିଲା–ଫଟୋ ଭିତରୁ କାଗଜ ବାହାର କରିଛ ପରା–ଦେଖେ-?

‘ଫଟୋ ! କାଗଜ !’ ବିଜୟ ବାବୁ ଚମକି ପଡ଼ିଲେ । ଭାବିଲେ କିଶୋର ବାବୁଙ୍କ ଘରୁ ଯେଉଁ ଫଟୋ ଚୋରି ହୋଇଥିଲା, ଏ କଣ ସେଇ ଫଟୋ ? ତାହାହେଲେ ସେ କିଛିକ୍ଷଣ ପୂର୍ବେ ଯେଉଁ କାଗଜ ଚୋରି କରିଛନ୍ତି, ସେହି କାଗଜ ଥିଲା ? ନିଶ୍ଚୟ–ଏତେବେଳେ ବୁଝି ପାରିଲେ କିଶୋରବାବୁ କାହିଁକି ଫଟୋ ଖୋଲିଥିଲେ ଏବଂ କେଉଁ ଜିନିଷ ହସ୍ତଗତ କରିବାପାଇଁ ଫଟୋ ଚୋରି ହୋଇଥିଲା । କାଗଜଟି ପଢ଼ିଲେ ସବୁ ରହସ୍ୟର ସମାଧାନ ହେବ ବୋଲି ଆନନ୍ଦରେ ତାଙ୍କ ମନ ନାଚି ଉଠିଲା ।

ହଠାତ୍‌ ଭିତରେ ଗୋଟାଏ ଗୋଳମାଳ ଶୁଣି ସେ ଚକିତ ହୋଇ ଚାହିଁଲେ । ଦେଖିଲେ, ମ୍ୟାନେଜରର ମୁହଁ ଭୟରେ ମଳିନ ହୋଇଯାଇଛି । ଉତ୍ତେଜନାରେ ତା’ର ଦେହ ଥରୁଛି । ଲୋକଟି ପକେଟରେ ହାତଦେଇ ମୂକଙ୍କ ଭଳି ଛିଡ଼ା ହୋଇଛି । ଦଳପତି ଗର୍ଜିଉଠି କହିଲା–କଣ କାଗଜ ଚୋରି ଯାଇଛି ? କିପରି ? ଏତେ କଷ୍ଟରେ ଯେଉଁ ଶେଷ ଅସ୍ତ୍ର ଯୋଗାଡ଼ କରିଥିଲି, ପିଲାଙ୍କ ଭଳି କୁଆଡ଼େ ହଜାଇଲ । ବାରଘଣ୍ଟା ସମୟ ଦେଲି । ତାହାରି ଭିତରେ ସେ ଖଣ୍ଡିକ ମୋତେ ଚାହି–ଚାହି, ନଚେତ୍‌–

ଦଳପତି ପକେଟରୁ ପିସ୍ତଲ ବାହାର କଲା । ଲୋକଟି କିଛି ନକହି ତ୍ୱରିତ ପଦରେ ଚାଲିଗଲା । ପରକ୍ଷଣରେ ଫେରିଆସି ଭୀତ-ଜଡ଼ିତ କଣ୍ଠରେ କହିଲା–ସର୍ବନାଶ ! ଚାକରଟା ଫେରାର ହୋଇଛି । ଏ କାମ ନିଶ୍ଚୟ ତାହାର । ସେ ନିଶ୍ଚୟ କୌଣସି ଗୁପ୍ତଚର ।

–ଗୁପ୍ତଚର ! –ଦଳପତି ଉତ୍ତେଜନାରେ ଥରିବାକୁ ଲାଗିଲା । କିଛିକ୍ଷଣ ରହି କହିଲା–ତେବେ କଣ ବିଜୟର କାରସାଦି ! କିନ୍ତୁ ଏଠାକାର ଠିକଣା ସେ କିପରି ଜଣିଲା ?

–ସେ ଯିଏ ହେଉ–ମୋ ଆଖିରେ ଧୂଳି ଦେଇ ପାରିବ ନାହିଁ । ବେଶିଦୂର ଯାଇନଥିବ ଦେଖେ–କହି ମ୍ୟାନେଜର ଦ୍ରୁତ ପାଦରେ ଚାଲିଗଲା ।

ସମସ୍ତେ ନୀରବ । କିଛିକ୍ଷର ପରେ ନୀରବତା ଭାଙ୍ଗି ଦଳପତି କହିଲା–ବୁଢ଼ୀଟାକୁ ଠିକ୍‌ ରୂପେ ବନ୍ଦୀକରି ରଖିଛ ନା ସେ ମଧ୍ୟ ଗୁପ୍ତଚର ସାହାଯ୍ୟରେ ଚମ୍ପଟ କଲାଣି ?

–ଏତେ ସାହସ କାହାର ହେବ ? –ଦଳଭିତରୁ ଜଣେ କହିଲା ।

–ପକେଟରୁ ଯେତେବେଳେ କାଗଜ ଚୋରି ହେଲା–ଦୋମହାଲା ଉପରୁ ବନ୍ଦୀ ପଳାଇବାଟା ବେଶି ବଡ଼ କଥା ନୁହେଁ । ଛାଡ଼ ସେ କଥା–ତା’ଠାରୁ କଥା ଆଦାୟ କଲ ?

 

–ନା–ବୁଢ଼ୀଟା ଭାରି ବଜ୍ଜାତ୍‌–ପେଟରୁ କଥା ନେବା ମୁସ୍କିଲ ।

 

ଉତ୍ତର ଶୁଣି ଦଳପତିର ମୁହଁ କଠିନ ହୋଇଉଠିଲା । ତୀବ୍ର ସ୍ୱରରେ କହିଲା–ପୁଣି ଚେଷ୍ଟାକର । କାଗଜ ଯେତେବେଳେ ହାତ ମୁଠାରୁ ଗଲାଣି, ସେହି ଆମର ପ୍ରଧାନ ଅସ୍ତ୍ର ।

 

ସେମାନଙ୍କ ଭିତରୁ ଜଣେ ଲୋକ ଦିମହଲା ଉପରକୁ ଚାଲିଗଲା । ବନ୍ଦୀ କଥା ଶୁଣି ବିଜୟବାବୁ ଚିନ୍ତିତ ହୋଇପଡ଼ିଲେ । କେଉଁ ବୁଢ଼ୀକୁ ଏମାନେ ଗୁପ୍ତରେ କୟେଦ କରିଛନ୍ତି ? ସେ କଣ ଜାଣେ ? ଏ ରହସ୍ୟ ସହିତ ତା’ର କିପ୍ରକାର ସମ୍ପର୍କ ? ସେ ଏହାର ଉତ୍ତର ପାଇଲେ ନାହିଁ ।

 

ଭାବିଲେ ଏତେଦୂର ଯେତେବେଳେ ଆସିଛନ୍ତି, ନିଶ୍ଚୟ ବନ୍ଦୀ କିଏ ଦେଖିକରି ଯିବେ । ତଦ୍ଦ୍ୱାରା କିଛି ଆଲୋକର ସନ୍ଧାନ ମିଳିପାରେ । କିନ୍ତୁ ଉପରକୁ ଯିବେ କିପରି ?

 

ସେ ମନେ ମନେ ଏହି ସବୁ ଚିନ୍ତା କରୁଛନ୍ତି, ହଠାତ୍‌ ଉପରୁ ସ୍ତ୍ରୀଲୋକର କରୁଣ ଚିତ୍କାର ଶୁଭିଲା । ତାଙ୍କର ଛାତି ଥରି ଉଠିଲା । ସେ ଉପରକୁ ଚାହିଁ ଦେଖିଲେ ଗୋଟାଏ ଦର ଆଉଜା ଝରକାବାଟେ ଆଲୁଅ ଆସୁଛି । ଶବ୍ଦଟା ଯେ ସେହି କକ୍ଷରୁ ଆସୁଛି ଏଥିରେ ସନ୍ଦେହ ନାହିଁ ।

 

କିନ୍ତୁ ଝରକା ନିକଟକୁ ଯିବାର ଉପାୟନାହିଁ । ପାଣି ପାଇପିଟା ଝରକାର କିଛିଦୂରରେ ଉପରକୁ ଉଠିଯାଇଛି । ପ୍ରଥମେ ଉପରକୁ ଉଠି ତାହାର ବ୍ୟବସ୍ଥା କରିବେ ଭାବି ପାଇପ୍‌ ସାହାଯ୍ୟରେ ଉପରକୁ ଉଠିଗଲେ ।

 

ଉପରକୁ ଆସି ତଳକୁ ଚାହିଁଲେ ଝରକା ପ୍ରାୟ ପାଞ୍ଚହାତ ତଳେ । ଯିବାର ସୁବିଧା ନାହିଁ-। ସେ ହତାଶ ଭାବରେ ଚାରିଆଡ଼କୁ ଚାହିଁଲେ । ପାଖରେ ଗୋଟାଏ ଦଉଡ଼ି ପଡ଼ିଛି । ହଠାତ୍‌ ତାଙ୍କୁ ଗୋଟାଏ ବୁଦ୍ଧି ଦିଶିଲା । ସେ କ୍ଷିପ୍ର ହସ୍ତରେ ଦଉଡ଼ି ଆଣି କୋଠା ବାଡରେ ଝରକା ସିଧାରେ ବାନ୍ଧିଦେଲେ । ତା’ପରେ ଦଉଡ଼ି ଧରି ସାବଧାନରେ ଝରକା ନିକଟକୁ ଆସିବାକୁ ଲାଗିଲେ-

 

ଶୁଣିଲେ; ଲୋକଟା ଧମକ ଦେଇ କହୁଚି–ଦେଖ ବୁଢ଼ୀ ! ଏ ବୟସରେ ଯଦି ଶାନ୍ତିରେ ଯମପୁରକୁ ଯିବାକୁ ଚାହୁଁ, ତେବେ ସବୁକଥା ଖୋଲି କହିଦେ । ପରପାଇଁ କାହିଁକି ଜନ୍ଦାପିମ୍ପୁଡ଼ି ପରି ମରିବୁ ।

 

ବୁଢ଼ୀଟି ଲୁହଭରା କଣ୍ଠରେ କହିଲା–ମୋତେ ମିଛରେ କାହିଁକି ବଳାଉଛ ବାବୁ ! ମୁଁ କିଛି ଜାଣେ ନାହିଁ ।

 

ଲୋକଟା ଗର୍ଜିଉଠି କହିଲା–ଏହି ଛୁରୀରେ ତୋ ଦେହର ଛାଲ ଉତାରି ମାରିବି । ଯମପୁରରୁ ତୋ ଡାକରା ଆସିଲାଣି ।

 

ବୁଢ଼ୀଟି ରୁଦ୍ଧ କଣ୍ଠରେ କହିଲା–ହଁ ବାବୁ ସେ ଡାକ ମୋତେ ଶୁଭିଲାଣି । ଚଞ୍ଚଳ ମୋତେ ବିଦା କର–ମୁଁ ଆଉ ଏ କଷ୍ଟ ସହି ପାରିବି ନାହିଁ ।

 

କିଛିକ୍ଷଣ ରହି ଲୋକଟା କହିଲା–ଦେଖ୍‌ ଆଜି ରାତିଟା ତୋତେ ସମୟ ଦେଲି । କାଲି କହିବୁ ପ୍ରେମଲତା କେଉଁଠି ଅଛି । ନୋହିଲେ–

 

ଲୋକଟା ଜୋତା ମସ୍‌ ମସ୍‌ କରି ଚାଲିଗଲା ।

 

ବିଜୟବାବୁ ଝରକା ପରଦା ଆଡ଼େଇ ଭିତରକୁ ଚାହିଁ ଚମକି ପଡ଼ିଲେ । ଏ କି ରହସ୍ୟ ! ଏ ଯେ ବୈଷ୍ଣବୀ–ଯାହାର ଅନୁସରଣ ପାଇଁ ଗୋପାଳବାବୁ ପଠାଇଥିଲେ । ବୈଷ୍ଣବୀ ଏଠାରେ ବନ୍ଦିନୀ–ଗୋପାଳବାବୁ ଗଲେ କୁଆଡ଼େ । ତେବେ କଣ ସେ ଶତ୍ରୁ କବଳରେ ପଡ଼ିଲେ । ତାଙ୍କ ମନ ନାନା ଚିନ୍ତାରେ ଆନ୍ଦୋଳିତ ହେବାକୁ ଲାଗିଲା । ଭାବଲେ, ବୈଷ୍ଣବୀ ପ୍ରେମଲତାପରି ରହସ୍ୟମୟୀ ରମଣୀ ବିଷୟରେ କଣ ଜାଣେ ?

 

ଚାହିଁ ଦେଖିଲେ ବୁଢ଼ୀଟି ନିସ୍ତେଜ ଭାବରେ ଖଟରେ ପଡ଼ିଛି । ମୁହଁରେ ସଦ୍ୟ ନିଷ୍ଠୁର ଅତ୍ୟାଚାରର ଚିହ୍ନ–ଝାଳ ଟୋପା ଟୋପା ବୋହି ପଡ଼ୁଛି । ବିଜୟବାବୁଙ୍କ ମନ ହା–ହାକାର କରି ଉଠିଲା ।

 

ଚାପାକଣ୍ଠରେ କହିଲେ–ଏ ବୁଢ଼ୀ–ଶୁଣିଯା–

 

ଅଚାନକ ଝରକା ବାହାରେ କଣ୍ଠସ୍ୱର ଶୁଣି ବୁଢ଼ୀଟି ଭୟରେ ଚମକି ଉଠି ଚାହିଁଲା ।

 

ବିଜୟବାବୁ ହାତ ଠାରି ପାଖକୁ ଡାକିଲେ । ଭୟରେ ଥରିଥରି ବୁଢ଼ୀ ଝରକା ପାଖକୁ ଆସିଲା । ବିଜୟବାବୁ ସାନ୍ତ୍ୱନା ଦେଇ କହିଲେ–ଭୟ ନାହିଁ ବୁଢ଼ୀ–ମୁଁ ତୋର ଶତ୍ରୁ ନୁହେଁ । କିଶୋର ଦେବଙ୍କ ପରି ମୁଁ ବି ତୋର ମିତ୍ର ।

 

ତାଙ୍କ ମୁହଁରୁ କିଶୋରଦେବଙ୍କ ନାଁ ଶୁଣି ବୁଢ଼ୀଟି ଚମକି ଉଠିଲା । ବିଜୟବାବୁ ପଚାରିଲେ–ତୋତେ ଏଠାରେ କାହିଁକି ବନ୍ଦ କରିଛନ୍ତି ?

 

–ମୁଁ ଜାଣେ ନାହିଁ ବାବୁ! ମିଛରେ ମୋତେ ଧରି ଆଣିଛନ୍ତି–ବୁଢ଼ୀ ଥରାଗଳାରେ କହିଲା-

 

–ମିଛକଥା କହି ବିପଦ କାହିଁକି ଡାକୁଛୁ । ସବୁକଥା ଖୋଲି କହିଲେ, ତୋର ମୁକ୍ତିପାଇଁ ଉପାୟ କରିବି !

 

–ମୁଁ କଣ ଜାଣେ ବାବୁ–କହିବି ।

 

–ପ୍ରେମଲତା କିଏ ?

 

‘ନା ଶୁଣି ବୁଢ଼ୀ ଚମକି ପଡ଼ିଲା । ଛେପ ଢୋକି କହିଲା–ମୁଁ କିପରି କହିବି ବାବୁ ! ମୋ ଦୁଇ କୁଳରେ ପାଣି ମୁନ୍ଦେ ଦବାକୁ କେହି ନାହିଁ ।

 

ବିଜୟବାବୁ ଗମ୍ଭୀର ହୋଇ କହିଲେ–ତେବେ ବୈଷ୍ଣବୀ ସାଜି କିଶୋରବାବୁଙ୍କ ପାଖକୁ କାହିଁକି ଆସିଥିଲୁ ?

 

ବୁଢ଼ୀର ମୁହଁ ମଳିନ ହୋଇଗଲା । କିଛିକ୍ଷଣ ନୀରବ ରହି କହିଲେ–ବୈଷ୍ଣବୀ ? ଏ କଣ କହୁଛ ବାବୁ ! ଭୁଲ ଦେଖିଛ ?

 

ପୂର୍ବପରି ଗମ୍ଭୀର ଭାବରେ ବିଜୟବାବୁ କହିଲେ–କାଲି ରାତି ଅଧରେ ବଗିଚାରେ କିଶୋରବାବୁଙ୍କ ସଙ୍ଗେ ଦେଖା କରିବାକୁ କିଏ ଆସିଥିଲେ ?

 

ବିଜୟବାବୁଙ୍କ ମୁହଁରେ ଏକଥା ଶୁଣି ଜଣାଗଲା ସତେ ଯେପରି ବୁଢ଼ୀଟି ମୂର୍ଚ୍ଛା ଯିବ । ଅତି କଷ୍ଟରେ ନିଜକୁ ସମ୍ଭାଳି ନେଇ ବିସ୍ମୟଭରା କଣ୍ଠରେ କହିଲା–ତୁମେ କିପରି ଜାଣିଲ ବାବୁ ?

 

–‘ମୋତେ ସେ ସବୁ ଖବର ରଖିବାକୁ ହୁଏ । ଶୀଘ୍ର କହ ପ୍ରେମଲତା କିଏ–ତୁ ତା’ ବିଷୟ କଣ ଜାଣୁ ?

 

–ମୋ ବେକ କଟିଗଲେ ବି ସେ କଥା ମୋ ମୁହଁରୁ ବାହାରିବ ନାହିଁ–କାହିଁକି ମିଛରେ ବଳାଉଛ । –ବୁଢ଼ୀ ତଳକୁ ମୁହଁପୋତି ଧୀରକଣ୍ଠରେ କଥାଗୁଡ଼ିକ କହିଲା ।

 

ବୁଢ଼ୀର କର୍ତ୍ତବ୍ୟଜ୍ଞାନ ସତ୍‌ସାହସ ଦେଖି ହୃଦୟ ତାଙ୍କର ପ୍ରଶଂସାରେ ଭରି ଉଠିଲା । ବେଶି ସମୟ ଅପେକ୍ଷା କଲେ ଧରାପଡ଼ିବାର ସମ୍ଭାବନା ଭାବି ସେ ଉପରକୁ ଉଠି ଆସିଲେ ।

 

ତଳକୁ ଆସି ଦେଖିଲେ ଲୋକଗୁଡ଼ାକ ଚାଲିଗଲେଣି । ଦଳପତି କୁଆଡ଼େ ଅଦୃଶ୍ୟ ହୋଇଛି । କେବଳ ମ୍ୟାନେଜର ଚଞ୍ଚଳ ପଦରେ ରାସ୍ତାରେ ଯାଉଥିବାର ଦେଖିପାରି ସେ ଦୂରରେ ରହି ତାହାର ଅନୁସରଣ କଲେ ।

 

ଅନେକ ପଥ ଘୂରି ଲୋକଟି ମେନ୍‌ରୋଡ଼ର ପାଖରେ ଗୋଟାଏ ଘର ଭିତରକୁ ଚାଲିଗଲା । ବିଜୟବାବୁ ଘରଟାକୁ ଚିହ୍ନିରଖି ଫେରି ଆସିଲେ ।

 

କିଶୋରବାବୁଙ୍କ ଘରେ ପହଞ୍ଚି ଶୁଣିଲେ ଗୋପାଳବାବୁ ଏ ପର୍ଯ୍ୟନ୍ତ ଆସି ନାହାନ୍ତି । ତାଙ୍କ ମନ ନାନା ଦୁଶ୍ଚିନ୍ତାରେ ଭରି ଉଠିଲା । କୋଟଟାକୁ ହୁକ୍‌ରେ ଟଙ୍ଗାଇ ଦେଇ ସେ ଅବଶ ଦେହଟାକୁ ଖଟରେ ଲୋଟାଇ ଦେଲେ ।

 

ପୂଜାରୀ ଖାଇବାପାଇଁ ଡାକିବାକୁ ଆସି କହିଲା–ବାବୁ ତୁମର ଚିଠି ଆସିଛି–ଟେବୁଲ ଉପରେ ରଖିଦେଇଛି ।

 

–କିଏ ଦେଲା ? ଟେବୁଲ ଉପରୁ ଚିଠିଟା ଉଠାଇଆଣି ବିଜୟବାବୁ ପଚାରିଲେ ।

 

–ଗୋଟାଏ ପିଲା ଘଣ୍ଟାଏ ହେବ ଦେଇଯାଇଛି–କହି ପୂଝାରୀ ଚାଲିଗଲା ।

 

ବିଜୟବାବୁ ଚିଠି ଖୋଲି ପଢ଼ିଲେ, ଲେଖାଅଛି–

 

ବିଜୟ,

 

ତୁ କାହା ପଛରେ ଲାଗିଛୁ, ଏ ପର୍ଯ୍ୟନ୍ତ ଜାଣିନାହୁଁ । ସେଥିପାଇଁ ତୋତେ ଆଗରୁ ସାବଧାନ କରିଦେଉଛି । ମୋତେ ଫାନ୍ଦରେ ପକାଇବାଭଳି ଶକ୍ତି ତୋର ହୋଇନାହିଁ–ବୃଥାରେ ଭରା ଯଉବନ ବେଳେ ଶୋଭା ଆଉ ନିର୍ମଳା ମଥାର ସୋହାଗ ସିନ୍ଦୂର କାହିଁକି ଲିଭିବ ? ବର୍ତ୍ତମାନ ସୁଦ୍ଧା ସମୟ ଅଛି ଏ କାମରୁ ଇସ୍ତଫା ଦେଇ ଶୋଭାର ଯଉବନ ଉଚ୍ଛଳା ମନକୁ ଶାନ୍ତ କରିବୁ ଯା । ନନ୍ଦନପୁରରେ ଶହେ ବର୍ଷ ରହିଲେ ସୁଦ୍ଧା ଏ ରହସ୍ୟର କିଛି କୂଳକିନାରା କରିପାରିବୁ ନାହିଁ । ତୋର ଆଖି ଆଗରେ ମୁଁ ମୋର ଭୀଷଣ ପ୍ରତିଶୋଧ ନେବି । ମୋର ପ୍ରତିହିଂସା ନିଆଁରେ ଦୁଇଜଣ ପୋଡ଼ି ହୋଇ ମଲେଣି । ବାକି ଚାରିଜଣ । ଯେତେଦିନ ପର୍ଯ୍ୟନ୍ତ ସେମାନଙ୍କ ତତଲା ରକ୍ତରେ ମୁଁ ହାତ ନଧୋଇଛି, ସେତେଦିନ ପର୍ଯ୍ୟନ୍ତ ମୋ ପ୍ରତିହିଂସା ନିଆଁ ନିଭିବ ନାହିଁ । ଆଉ ବେଶିଦିନ ନୁହେଁ–ତିଳ ତିଳ ହୋଇ ଭସ୍ମ ହେବ । ମୋତେ ଯେପରି ତିଳେ ତିଳେ ପୋଡ଼ି ମାରୁଥିଲେ, ସେହିପରି କୁକୁରଙ୍କ ପରି ସେମାନଙ୍କୁ ହତ୍ୟା କରିବି । ସେମାନଙ୍କ ତାଜାରକ୍ତ ପରଶରେ ମୋ ମନ ଭିତରେ ଯେଉଁ ନିଆଁ ହୁ–ହୁ ହୋଇ ଜଳୁଛି, ଶାନ୍ତ ହେବ–ତା’ ପୂର୍ବରୁ ନୁହେଁ-। ମୋର ପ୍ରତିହିଂସା ସାଧନରେ ଯିଏ ବାଧା ଦେବ ତାକୁ ପୋଡ଼ି ଛାରଖାର କରିଦେବି-। ସାବଧାନ ବିଜୟ ! ମୋ ଶୁଭ କାମବେଳେ ବାଧା ଦେ’ନା । ପ୍ରତିହିଂସା ଯଜ୍ଞର ପୂର୍ଣ୍ଣାହୁତି ବେଳେ ଲକ୍ଷ୍ମଣ ସାଜି ବାଧା ଦେଲେ ସେଥିରୁ ରକ୍ଷା କରିବା ପାଇଁ ହନୁମାନ ଏ ପୃଥିବୀରେ ନାହିଁ । ସାବଧାନ ! ବିରହିଣୀ ଶୋଭାର ସୁହାଗଭରା ଡାକ ମୋତେ ଶୁଭୁଛି, ତୋ କାନରେ ପଡ଼ୁନାହିଁ ? ଶୀଘ୍ର ମୋ ରାସ୍ତାରୁ ପାଖେଇ ଯା । ତୋର ସହକାରୀ ଗୋପାଳ ବାବୁ ପରି ବୋକା ଜାନୋଆର କେଉଁଠି ଦେଖି ନାହିଁ-

 

ବିଛା ମନ୍ତ୍ର ନଜାଣି ସାପ ଲାଙ୍ଗୁଡ଼ରେ ହାତ ଦେବାକୁ ବାହାରି ଥିଲା । ଉଦ୍ଧତର ଫଳ ପାଇଛ । ଏତେବେଳକୁ ବୋଧହୁଏ ବମ୍ୱେ ମେଲ ତଳେ ଜନ୍ଦା, ପିମ୍ପୁଡ଼ିଙ୍କ ପରି ପେଶି ହୋଇ ମରିବଣି । ତୁ ଯଦି ରକ୍ଷା ପାଇବୁ, ମୋ ରାସ୍ତାରୁ ପାଖେଇ ଯା’ ।

 

ତୋର

ଅଦୃଶ ଯମ

 

ଗୋପାଳ ବାବୁଙ୍କ ଶୋଚନୀୟ ମୃତ୍ୟୁ ଖବର ପଢ଼ି ହାତରୁ ଚିଠି ଖଣ୍ଡିକ ଖସି ପଡ଼ିଲା । ତାଙ୍କୁ ଚାରିଆଡ଼ ଅନ୍ଧାର ଦିଶିଲା । ଏ କ୍ଷେତ୍ରରେ ରାତିରେ ତାଙ୍କର ଅନୁସନ୍ଧାନ କେଉଁଠି କରିବେ ? ପୁଣି ଭାବିଲେ, ତେବେ କଣ ଏ ହତ୍ୟାକାରୀର ଫନ୍ଦି ? ଗୋପାଳ ବାବୁଙ୍କ ସାହସ ସେ ଭଲରୂପେ ଜାଣନ୍ତି । ଏବେ ସହଜରେ ଯେ ସେ ଶତ୍ରୁର ଜାଲରେ ପଡ଼ି ମୃତ୍ୟୁକୁ ବରଣ କରିବେ, ବିଶ୍ୱାସ କରି ପାରିଲେ ନାହିଁ । ପୁଣି ଭାବିଲେ, ଅଦୃଶ୍ୟ ହତ୍ୟାକାରୀର ଯେଉଁ ଶକ୍ତି, କୁଟିଳ ବୁଦ୍ଧି, ଏପରି ଘଟିବାଟା ଆଶ୍ଚର୍ଯ୍ୟ କଣ ?

 

ସେ କିଶୋର ବାବୁଙ୍କ ସଙ୍ଗେ ଦେଖା କରିବା ପାଇଁ ଅସ୍ଥିର ମନରେ ବୈଠକଖାନାକୁ ଆସିଲେ । କିନ୍ତୁ ତାଙ୍କୁ ନ ପାଇ ପୁଣି ନିଜ ଘରକୁ ଫେରିଯାଇ କ୍ଳାନ୍ତ ଭାବରେ ଚେୟାରରେ ବସି ପଡ଼ିଲେ । ଭାବିଲେ ଏ ସମୟରେ ଏପରି ଅଧୈର୍ଯ୍ୟ ହେବା ଭଲ ନୁହେଁ । ଧୀରସ୍ଥିର ଭାବରେ କାମ କରିବାହିଁ ବୁଦ୍ଧିମାନର କଥା । ସେ ଏହାର ପ୍ରତିଶୋଧ ନିଶ୍ଚୟ ନେବେ । ତାଙ୍କ ମୁହଁ କଠିନ ହୋଇଉଠିଲା । ମନର ପୂର୍ବ ସାହସ, ବଳ ଫେରି ଆସିଲା । ସକାଳେ ଏ ବିଷୟ ଅନୁସନ୍ଧାନ କରିବେ ଭାବି ଦସ୍ୟୁ ପକେଟରୁ ଚୋରିକରି ଆଣିଥିବା କାଗଜଟା ପଢ଼ିବେ ବୋଲି କୋଟ୍‌ ପାଖକୁ ଗଲେ ।

 

ହଠାତ୍‌ ପକେଟରେ ହାତ ଦେଇ ସର୍ପାହତ ପରି ଚମକି ପଡ଼ିଲେ । ଏ କି ଐନ୍ଦ୍ର ଜାଲିକ କାଣ୍ଡ ! ପକେଟରୁ କାଗଜ କୁଆଡ଼େ ଗଲା ? ତେବେ କଣ ସେ ବୈଠକଖାନାକୁ ଯିବା ସମୟରେ ଅଦୃଶ୍ୟ ଶତ୍ରୁ ତାକୁ ହରଣ କରିଚି । ଉପର୍ଯୁପରି ଦୁଇଟା ବିପଦରେ ପଡ଼ି ତାଙ୍କ ମନ ବିକ୍ଷିପ୍ତ ହୋଇ ଉଠିଲା । କୂଳକୁ ଆସି ଡଙ୍ଗା ବୁଡ଼ିବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ।

 

ଏହିପରି ଚିନ୍ତା କରୁଥିବା ସମୟରେ କିଶୋର ବାବୁ ଘର ଭିତରକୁ ପଶିଆସିଲେ । ବିଜୟବାବୁ ଲକ୍ଷ୍ୟକଲେ ତାଙ୍କର ନୀରସ ମୁହଁ ଆଜି ସରସ ହୋଇ ଉଠିଛି । ଏହାର କାରଣ କଣ ବୁଝି ପାରିଲେ ନାହିଁ ।

 

ସେ ହସି ହସି ବିଜୟବାବୁଙ୍କୁ କହିଲେ–ଦୀନବନ୍ଧୁ ବାବୁ ଶୁକ୍ରବାର ଦିନ ତାଙ୍କ ଘରକୁ ଆପଣଙ୍କୁ ନିମନ୍ତ୍ରଣ କରିଛନ୍ତି । ସେ କଲିକତାରୁ ଷ୍ଟାର ଥିଏଟରପାର୍ଟିକୁ ଡକାଇଛନ୍ତି । ଶୁକ୍ରବାର ଦିନ ତାଙ୍କ ଘର ସାମନାରେ ଥିଏଟର ହେବ । ତମ୍ୱୁ ବନ୍ଧାବନ୍ଧି କାମ ଆରମ୍ଭ ହୋଇଗଲାଣି । ଥିଏଟର ହେବା ନା ଶୁଣି ମଫସଲରୁ ଦଳ ଦଳ ହୋଇ ଲୋକ ନନ୍ଦନପୁର ଆସିବାକୁ ଆରମ୍ଭ କଲେଣି । ଭଡ଼ାଘର ମିଳିବା ଅସମ୍ଭବ ହୋଇଉଠିବ । ଆଜି ବୁଧବାର ଆଉ ଦିନକ ପରେ ।

 

ବିଜୟବାବୁ ନୀରବରେ ତାଙ୍କ କଥାଶୁଣିଲେ–ଉତ୍ତର ଦେଲେ ନାହିଁ । ତାଙ୍କ ମୁହଁକୁ ଚାହିଁ ହଠାତ୍‌ ଗମ୍ଭୀର ହୋଇ କିଶୋରବାବୁ କହିଲେ–କଥା କଣ ବିଜୟବାବୁ ? ଆପଣ ଏପରି ବିରସ କାହିଁକି ? ଗୋପାଳବାବୁଙ୍କର ଦେଖାନାହିଁ–ତାଙ୍କର କଣ ବିପଦ ଘଟିଲାକି ?

 

ବିଜୟବାବୁ ଗମ୍ଭୀର ହୋଇ କହିଲେ–ଗୋପାଳବାବୁ ଜଣେ ବନ୍ଧୁଙ୍କ ଘରେ ନିମନ୍ତ୍ରଣ ଖାଇ ଯାଇଛନ୍ତି । ତାଙ୍କର କିଛି ବିପଦ ଘଟିନାହିଁ । ପକେଟରୁ ନୋଟ ବହିଟା ଚୋରି ହୋଇଛି କିଛିକ୍ଷଣ ପୂର୍ବେ । ତାହାରି ପାଇଁ ମନଟା ଖରାପ ଅଛି ।

 

କିଶୋରବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ ଘର ଭିତରୁ ଆପଣଙ୍କ ପକେଟରୁ ନୋଟବହି ଚୋରି ହୋଇଛି । ଏ କଥା ଯେ ବିଶ୍ୱାସ କରି ହେଉନାହିଁ ।

 

–ଘଟଣାଟା ସେହିପରି–ବିଜୟବାବୁ ଅନ୍ୟମନସ୍କ ଭାବରେ କହିଲେ ।

 

ତାଙ୍କୁ ଏପରି ଅନ୍ୟମନସ୍କ ଦେଖି କାଲି ଏ ବିଷୟ ଅନୁସନ୍ଧାନ କରିବେ କହି କିଶୋରବାବୁ ଚାଲିଗଲେ ।

 

ବିଜୟବାବୁ କବାଟ ବନ୍ଦ କରି ଖଟଉପରେ ବସିଲେ । ମନ ଭିତରେ ତାଙ୍କ ଚିନ୍ତାର ତୁମୁଳ ଝଡ଼ ତୋଫାନ ଉଠୁଥାଏ । ସେ ପକେଟରୁ ସିଗାରେଟ୍‍ ବାହାରକରି ଅଧୀର ଭାବରେ ଘରଭିତରେ ପଦଚାରଣ କରିବାକୁ ଲାଗିଲେ । ସିଗାରେଟ୍‍ ଉପରେ ସିଗାରେଟ ଶେଷ ହେବାକୁ ଲାଗିଲା । ତାଙ୍କ ଭାବନାର ଶେଷ ନାହିଁ । ଆଜି ପର୍ଯ୍ୟନ୍ତ ଯେତେଗୁଡ଼ାଏ ଘଟଣା ଘଟିଛି ସେ ତନ୍ନ ତନ୍ନ କରି ମନେ ମନେ ଆଲୋଚନା କରିବାବୁ ଲାଗିଲେ ।

 

ଅଦୃଶ୍ୟ ହତ୍ୟାକରୀର ଚାରିଜଣଙ୍କ ଉପରେ ପ୍ରତିଶୋଧ ନେବା ବାଣୀ ତାଙ୍କ ମନରେ ଆଲୋଡ଼ିତ ହେବାକୁ ଲାଗିଲା । ଭାବିଲେ ସେ ଚାରିଜଣ କିଏ ? ସେମାନେ କଣ ଏପରି ଅନିଷ୍ଟ କରିଛନ୍ତି ଯେଉଁ ସକାଶେ ହତ୍ୟାକାରୀର ପ୍ରତିହିଂସା ପ୍ରବୃତ୍ତି ପ୍ରବଳ ହୋଇ ଉଠିଛି । ନରେନ୍ଦ୍ରଦେବ ନିଶ୍ଚୟ ଏପରି ଗୋଟାଏ ଗୁପ୍ତ କର୍ମ କରିଛନ୍ତି, ଯେଉଁଥିପାଇଁ ସେ ନିଜେ ଓ ତାଙ୍କର ପରିବାର ହତ୍ୟାକରୀର ବିଷ ନଜରରେ ପଡ଼ିଛନ୍ତି । ସେ ଗୁପ୍ତ କର୍ମ କଣ ? ଭାବିଲେ, ସମସ୍ତ ଘଟଣା ପଛରେ ଯେ ପ୍ରତିହିଂସାର ନିଆଁ ଜଳୁଛି ଏଥିରେ ସନ୍ଦେହ ନାହିଁ ।

 

ତିନିଟା ବାଜିଲା । ଶୋଇବାର ଉଦ୍ୟମ କରୁଛନ୍ତି । ଏହି ସମୟରେ କିଶୋରବାବୁଙ୍କ କକ୍ଷରୁ ଚାପା ଗର୍ଜନ ଶୁଭିଲା । ଜଣାଗଲା କିଏ ଯେପରି କାହାକୁ ଶାସନ କରୁଛି । ବିଜୟ ବାବୁ ନିଃଶବ୍ଦରେ କବାଟ ଖୋଲି ଧୀରପଦରେ ଆସି କିଶୋର ବାବୁଙ୍କ କକ୍ଷ ନିକଟରେ ଛିଡ଼ା ହେଲେ ।

 

ଶୁଣିଲେ, କିଶୋରବାବୁଙ୍କ ସ୍ତ୍ରୀ ପଚାରୁଛନ୍ତି–ପ୍ରେମଲତା କିଏ, ମୋତେ କୁହ । ମୁଁ ସବୁ ଜାଣି ଚୁପ୍‌ ରହୁଥିଲି–ଆଉ ପାରିବି ନାହିଁ । ତୁମ ପାଖକୁ ସିଏ ଯେଉଁ ଚିଠି ଦେଇଥିଲା–ତୁମେ ତାକୁ ପୋଡ଼ି ପକାଇଥିଲ–ସେ ଦରପୋଡ଼ା ଚିଠି ପଢ଼ି ସବୁ ବୁଝି ପାରିଛି । ‘ଅଭାଗିନୀ ପ୍ରେମ’–କିଏ କାହାକୁ ଲେଖିପାରେ ଏକଥା ମୋତେ ଅଜଣା ନାହିଁ ।

 

କିଶୋରବାବୁ ଅଧୀର ଭାବରେ କହିଲେ–ସେ ମୋର ରକ୍ତ ମାଂସ ସବୁ । ଆଉ କିଛିଦିନ ଗଲେ ସବୁ ପାରିବ । କେବଳ ଏତିକି ମନେରଖ–ମୋ ଉପରୁ ବିଶ୍ୱାସ ହରାଅ ନାହିଁ । ଅଭାଗିନୀ ନିଜର ହୋଇ ଆଜି ଭାଗ୍ୟଦୋଷରୁ, ସେ ହୀନ କୁକୁରର ହିଂସ୍ର ଦୃଷ୍ଟି ତେଜରୁ ମରଣ କଷ୍ଟ ପାଉଛି ।

Unknown

 

–‘ହଁ ତା ନୋହିଲେ ରାତିଅଧରେ’–ତାଙ୍କ ସ୍ତ୍ରୀ ଅଭିମାନଭରା କଣ୍ଠରେ କହିଲେ ।

 

ଚୁପ୍‌ କିଏ ଶୁଣିବ–କିଶୋରବାବୁ ଶାସନ ସ୍ୱରରେ କହିଲେ ।

 

ବିଜୟବାବୁ ସେଠାରେ ଅପେକ୍ଷା ନ କରି ଫେରିଆସିଲେ । ଭାବିଲେ, କିଶୋରବାବୁ ହୀନ କୁକୁର କାହାକୁ ଲକ୍ଷ୍ୟ କରି କହିଲେ–

 

–ଛଅ–

 

ପାହାନ୍ତା ପହରକୁ ଟେଲିଫୋନ୍‌ର ଝଣ୍‌ ଝଣ୍‌ ଶବ୍ଦରେ ବିଜୟବାବୁଙ୍କ ନିଦ ଭାଙ୍ଗିଗଲା । ଅଳସ ପଦରେ ଉଠିଯାଇ ରିସିଭର୍‌ ଉଠାଇ ଧରିଲେ ।

 

ହ୍ୟାଲୋ....କିଏ ? ଗୋପାଳ ବାବୁ ! ତୁମେ ! କଣକହିଲ ? ବାଲିଗଞ୍ଜ ଷ୍ଟେସନରେ ଅଛି ? ଆଚ୍ଛା ସଙ୍ଗେ ସଙ୍ଗେ ଯାଉଛି ।

 

ଗୋପାଳବାବୁ ନିରାପଦରେ ଅଛନ୍ତି ଦେଖି ଆନନ୍ଦରେ ତାଙ୍କ ମନ ନାଚି ଉଠିଲା । ଟେଲିଫୋନରୁ ବୁଝିପାରିଲେ ସେ ଭୀଷଣ ବିପଦରେ ପଡ଼ିଥିଲେ–ଅଳ୍ପକେ ରକ୍ଷା ପାଇଛନ୍ତି ।

 

ସେ ତରବରରେ ପୋଷାକ ବଦଳାଇ ଗ୍ୟାରେଜରୁ ମୋଟର ବାହାର କରି ଫୁଲ୍‌ସ୍ପିଡ଼୍‌ରେ ଛାଡ଼ିଦେଲେ ବାଲିଗଞ୍ଜ ଷ୍ଟେସନ ଅଭିମୁଖରେ ।

 

X X X

 

ବୈଷ୍ଣବୀର ଅନୁସରଣ କରିବାକୁ ବିଜୟବାବୁଙ୍କଠାରୁ ଆଦେଶ ପାଇ ଗୋପାଳବାବୁ ଦୂରରେ ରହି ତାହାର ଅନୁସରଣ କଲେ । ବୈଷ୍ଣବ ଆପଣା ମନକୁ ଗୁଣୁ ଗୁଣୁ ସ୍ୱରରେ ଗୀତ ବୋଲି ରାସ୍ତା କଡ଼େ କଡ଼େ ଏକମୁହାଁ ହୋଇ ଚାଲୁଥାଏ । ଅନେକ ରାସ୍ତା ବୁଲି ବୁଲି ଶେଷରେ ବଜାରର ଶେଷ ସୀମାରେ ଗୋଟାଏ ଏକମହାଲା କୋଠା ପାଖରେ ଛିଡ଼ା ହେଲା ।
 

ଗୋପାଳବାବୁ ନିକଟରେ ଗୋଟାଏ ପାନ ଦୋକାନରେ ପାନ କିଣିବା ବାହାନାରେ ଛିଡ଼ାହୋଇ ତୀକ୍ଷ୍‌ଣ ଦୃଷ୍ଟିରେ ତାହାର ଗତିବିଧି ଉପରେ ନଜର ରଖିଲେ । ଦେଖିଲେ, ବୈଷ୍ଣବୀଟି କିଛିକ୍ଷଣ କୋଠାଆଡ଼େ ଏକଦୃଷ୍ଟିରେ ଚାହିଁ ଧୀରେ ଧୀରେ ଗେଟ୍‌ ଫିଟାଇ ଭିତରକୁ ଗଲା । ଗୋପାଳବାବୁ ଦୋକାନରେ ବସି ତାକୁ ଅପେକ୍ଷା କଲେ ।

 

ପାଞ୍ଚମିନିଟ୍‌....ଦଶ....ପନ୍ଦର ମିନିଟ୍‌ ଗଲା, ତଥାପି ବୈଷ୍ଣବୀର ଦେଖାନାହିଁ । ଗୋପାଳବାବୁ ଅଧୀର ହୋଇଉଠିଲେ । କୌତୁହଳ ଦମନ ନକରିପାରି ସତର୍କ ଦୃଷ୍ଟିରେ ଚାରିଆଡ଼କୁ ଚାହିଁ ଗେଟ୍‌ ନିକଟରେ ଆସି ଛିଡ଼ାହେଲେ । ଦେଖିଲେ ଗେଟ୍‌ରେ ପିତଳ ବୋର୍ଡ଼ରେ ଲେଖାହୋଇଛି–‘ହରନାଥ ମିଶ୍ର’–(ବାର–ଏଟ୍‌–ଲ).... ।

 

ଗେଟ୍‌ ଭିତରକୁ ଚାହିଁଲେ–କିଛି ଦେଖାଗଲା ନାହିଁ । ବୈଷ୍ଣବୀ ଗଲା କୁଆଡ଼େ ? ସେ ଚିନ୍ତିତ ହୋଇ ପଡ଼ିଲେ । ବାରିଷ୍ଟର ନିକଟରେ ଏତେକ୍ଷଣ ଅପେକ୍ଷା କରିବାର କାରଣ କଣ ? ଏହା ପଛରେ କି ରହସ୍ୟ ଅଛି ? ଭାବିଲେ, ବିଜୟବାବୁଙ୍କ ଅନୁମାନ ଠିକ୍‌ । ବୈଷ୍ଣବୀର ଚାଲିଚଲଣ ସନ୍ଦେହ ଜନକ ।

 

ସେ ଫେରିଆସି ଦୋକାନରେ ବସିଲେ । ଘଣ୍ଟା ପରେ ଘଣ୍ଟା ବିତିଯିବାକୁ ଲାଗିଲା–ବୈଷ୍ଣବୀର ଦେଖାନାହିଁ । ଗୋପାଳବାବୁଙ୍କ ଜିଦ୍‌ ବଢ଼ିଗଲା । ଭାବିଲେ, ଯେତେବେଳ ହେଉ ପଛକେ ସେ ଏହାର ଶେଷଫଳ ନଦେଖି ଫେରିବେ ନାହିଁ ।

 

ମୁହଁ ସଞ୍ଜବେଳ । ବୈଷ୍ଣବୀ ଫାଟକ ଫିଟାଇ ପଦାକୁ ଆସିଲା । ଗୋପାଳବାବୁ ଗୋଟାଏ ସ୍ୱସ୍ତିର ନିଶ୍ୱାସ ପକାଇ ଉଠି ଛିଡ଼ାହେଲେ ।

 

ବୈଷ୍ଣବୀ କୁଆଡ଼କୁ ନ ଚାହିଁ ଏକ ମନରେ ଦକ୍ଷିଣମୁହାଁ ଯିବାକୁ ଲାଗିଲା । ଗୋପାଳବାବୁ ବିସ୍ମିତ ମନରେ ତାହାର ଅନୁସରଣ କରିବାକୁ ଲାଗିଲେ । ତାଙ୍କର ବିସ୍ମିତ ହେବାର କାରଣ ଅଛି । ବୈଷ୍ଣବୀ ଯେଉଁ ଦିଗକୁ ଯାଉଛି, ସେ ଦିଗଟା ଜନବସତିର ଶେଷାଶେଷି । ଲୋକ ଚଳାଚଳ ଆଦୌ ନାହିଁ । ନିକଟରେ ଜଙ୍ଗଲ । ସରୁ ରାସ୍ତାଟି ଜଙ୍ଗଲ ଭିତର ଦେଇ ଦୂରକୁ ଲମ୍ୱିଯାଇଛି ।

 

ନିର୍ଜନ ପଥ ଦେଇ ଗୋପାଳବାବୁ ସତର୍କ ଭାବରେ ତାହାର ଅନୁସରଣ କଲେ । କିଛିଦୂର ଆସିବା ପରେ ସେ ବୈଷ୍ଣବୀକୁ ଦେଖିଲେ ନାହିଁ–ଜଙ୍ଗଲ ଭିତରେ ସେ ଅଦୃଶ ହୋଇଛି-। ଗୋପାଳବାବୁଙ୍କ ମନ ଦୁଶ୍ଚିନ୍ତାରେ ଭରି ଉଠିଲା । ଏତେ ପରିଶ୍ରମ ବୃଥାହେଲା ଭାବି ତାଙ୍କ ମନ ତିକ୍ତ ହୋଇଉଠିଲା । ସେ କଣ୍ଟକାକୀର୍ଣ୍ଣ ରାସ୍ତା ଦେଇ କିଛିଦୂର ଅଗ୍ରସର ହେଲେ । ଏହି ସମୟରେ ହଠାତ୍‌ ନିକଟବର୍ତ୍ତୀ ଜଙ୍ଗଲକୁ ନାରୀକଣ୍ଠର ତୀବ୍ର ଚିତ୍କାର ଶୁଭିଲା । ଜଣାଗଲା କିଏ ଯେପରି କୌଣସି ଅସହାୟ ନାରୀ ଉପରେ ବଳାତ୍କାର ପ୍ରୟୋଗ କରୁଛି । ପରକ୍ଷଣରେ ସେ କରୁଣ ଭୟମିଶା ଚିତ୍କାର ନିଝୁମ ରାତିର ବୁକୁରେ ମିଳାଇ ଗଲା ।

 

ତା’ପରେ ଚାରିଆଡ଼ ନିଶୁନ.....ଦୂରରେ କେତେଗୁଡ଼ାଏ ଅଜଣା ପକ୍ଷୀର କଣ୍ଠସ୍ୱର ନୀରବ ରାତିର ନୀରବତାକୁ ବଢ଼ାଉଥାନ୍ତି...

 

ଅଚାନକ ସ୍ତ୍ରୀକଣ୍ଠର ଆର୍ତ୍ତନାଦ ଶୁଣି ଗୋପାଳବାବୁ ସ୍ଥିର ହୋଇ ଛିଡ଼ାହେଲେ । ତାଙ୍କ ଛାତି ଥରି ଉଠିଲା । ତେବେ କଣ ବୈଷ୍ଣବୀର ଇହଲୀଳା ସାଙ୍ଗ ହେଲା ଅଦୃଶ୍ୟ ହତ୍ୟାକାରୀର ଛୁରୀରେ ?

 

ସେ ଶବ୍ଦ ଲକ୍ଷ୍ୟ କରି ଯିବାକୁ ବାହାରିଛନ୍ତି, ଏହି ସମୟରେ ମୋଟର ଇଞ୍ଜିନର ଘସ୍‌ଘସ୍‌ଶବ୍ଦ ଶୁଣି ଚମକି ପଡ଼ିଲେ । ଶବ୍ଦଟା ଚିତ୍କାର ଯେଉଁ ଦିଗରୁ ଆସୁଥିଲା, ସେହି ଦିଗରୁ ଆସୁଥିବାର ଜଣା ଯାଉଥାଏ । ଗୋପାଳବାବୁ ନିଜକୁ ସମ୍ଭାଳି ନେଇ ସେ ଦିଗକୁ ଯିବା ପୂର୍ବରୁ ଶବ୍ଦଟା ଧୀରେ ଧୀରେ ଦୂରରେ ମିଳାଇ ଗଲା । ଦସ୍ୟୁ ଯେ ପଳାୟନ କଲା ଏଥିରେ କୌଣସି ସନ୍ଦେହ ରହିଲା ନାହିଁ ।

 

ଉପସ୍ଥିତି କ୍ଷେତ୍ରରେ କଣ କରିବେ ଭାବୁଛନ୍ତି, ଏହି ସମୟରେ ସମ୍ମୁଖରେ ମୃଦୁପାଦ ଶବ୍ଦ ଶୁଣି ଗୋପାଳବାବୁ କ୍ଷିପ୍ର ପଦରେ କଡ଼ରେ ଗୋଟାଏ ବୁଦା ପଛରେ ଆତ୍ମଗୋପନ କଲେ । ପକେଟରୁ ଗୁଳିଭରା ପିସ୍ତଲ ବାହାର କରି ଅନ୍ଧକାରରେ ତୀକ୍ଷଣ ଦୃଷ୍ଟିରେ ଚାହିଁ ରହିଲେ ଆଗନ୍ତୁକର ଆସିବା ପଥକୁ ।

 

ପାଦଶବ୍ଦ ପାଖକୁ ଆସିଲା । ଗୋଟାର ଛାୟା ମୂର୍ତ୍ତି ମୁହୂର୍ତ୍ତ ମଧ୍ୟରେ ତାଙ୍କ ପାଖଦେଇ ଚାଲିଗଲା ।

 

ଗୋପାଳବାବୁ ବିଳମ୍ବ ନକରି ତାହାର ଅନୁସରଣ କଲେ । ଅନେକ ପଥ ବୁଲି ବୁଲି ଶେଷରେ ଲୋକଟି ଗୋଟାଏ ହୋଟେଲରେ ପ୍ରବେଶ କଲା । ସେ ହୋଟେଲ ଭିତରକୁ ଯିବେ କି ନାହିଁ, ଏହି ସମୟରେ ହୋଟେଲର ନାଁଟି ଉପରେ ତାଙ୍କର ଦୃଷ୍ଟିପଡ଼ିଲା ନାଁ’ଟି ପଢ଼ି ସେ ବିସ୍ମୟରେ କିଛିକ୍ଷଣ ପର୍ଯ୍ୟନ୍ତ ନିର୍ବାକ ହୋଇ ଛିଡ଼ା ହେଲେ । ଏ ଯେ ‘ଚିତ୍ତରଞ୍ଜନ ହୋଟେଲ’ ! ଇମ୍ପିରିଆଲ ହୋଟେଲରେ ନିହତ ବ୍ୟକ୍ତିର ବ୍ଳଟିଂପେପର୍‌ଉପରୁ ନା’ଟି ଆବିଷ୍କାର କରିଥିଲେ ବିଜୟବାବୁ !

 

ସେ କାଳବିଳମ୍ବ ନ କରି ସତର୍କ ଭାବରେ ଚାରିଆଡ଼କୁ ଚାହିଁ ହୋଟେଲ ପଛପଟକୁ ଆସିଲେ । ଉପରକୁ ଚାହିଁ ଦେଖିଲେ ପରଦା ଦେହରେ ଦୁଇ, ତିନି ଜଣଙ୍କ ଛାୟା ପଡ଼ିଛି । ପରକ୍ଷଣରେ ଜଣେ ଲୋକ ପରଦା ଆଡ଼େଇ ବାହାରେ କଣ ଦେଖିବାକୁ ଲାଗିଲା । ଗୋପାଳବାବୁ ଚିହ୍ନି ପାରିଲେ–ଏହି ଲୋକଟିର ଅନୁସରଣ କରି ସେ ଏତେବାଟ ଆସିଛନ୍ତି ।

 

ସେ ଭିତରର ଘଟଣା ଦେଖିବା ପାଇଁ ସାବଧାନରେ ପାଣି ପାଇପ ସାହାଯ୍ୟରେ ଝରକା ନିକଟକୁ ଗଲେ ।

 

କାନ ପାରି ଶୁଣିଲେ ଜଣେ କହୁଛି–ଲଛମନକୁ ବୁଢ଼ୀ ଉପରେ ନଜର ରଖିବା ଭାର ଦିଆ ହୋଇଥିଲା, ଏତେବେଳ ଯାଏ ଫେରିଲା ନାହିଁ କାହିଁକି ?

 

ଅନ୍ୟ ଜଣକ କହିଲା ବେଳ ହୋଇଗଲାଣି–ଆସୁଥିବ । ବୁଢ଼ୀଟା ଯେପରି ଚାଲାକ, ତାକୁ ଫାନ୍ଦରେ ପକାଇବାକୁ ନାକେଦମ କରିବ । ଦେଖାଯାଉ ଆଜି ଜାଲରେ ପଡ଼ୁଛି କି ନାହିଁ ।

 

ପ୍ରଥମ ଜଣକ କହିଲା–ଥରେ ଥୋପ ଧରିଲେ, ବୁଢ଼ୀର ଦିମାକ ବୁଝନ୍ତି । ବୈଷ୍ଣବୀ ହେବାର ସଉକ ମେଣ୍ଟି ଯାଆନ୍ତି ।

 

ସେ ଯେ କାହିଁକି କିଶୋରଦେବ ଆଉ ହରନାଥର ଗୁପ୍ତଚର କାମ କରୁଛି ଜଣା ପଡ଼ୁନାହିଁ ।

 

ଏହି ସମୟରେ ବାହାରେ ମୋଟର ହର୍ଣ୍ଣ ଶୁଭିଲା । ଶବ୍ଦଶୁଣି ଜଣେ କହିଲା–ବୋଧହୁଏ ଶିକାର ଜାଲରେ ପଡ଼ିଛି–ଦୁଇଜଣ ତଳକୁ ଓହ୍ଳାଇ ଗଲେ ।

 

ସେମାନଙ୍କ କଥା ଶୁଣି ଗୋପାଳବାବୁ ଚିନ୍ତିତ ହୋଇପଡ଼ି ଭାବିଲେ, ସେ ବୈଷ୍ଣବୀ କଣ ଏମାନଙ୍କ ଚକ୍ରାନ୍ତରେ ପଡ଼ିଛି ?

 

ଅପେକ୍ଷା କରିବା ବୃଥା ଭାବି ସେ ଓହ୍ଳାଇ ପଡ଼ିଲେ ।

 

ଏତେବେଳ ପର୍ଯ୍ୟନ୍ତ ଜଣେ ଲୋକ ଅନ୍ଧାରରେ ଛପି ରହି ତାଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥିଲା । ଗୋପାଳବାବୁ ସ୍ୱପ୍ନରେ ଭାବି ନ ଥିଲେ ଯେ କେହି ଅଦୃଶ୍ୟ ଭାବରେ ତାଙ୍କର ଗତିବିଧି ଉପରେ ଲକ୍ଷ୍ୟ ରଖିଛି ।

 

ତାଙ୍କୁ ତଳକୁ ଆସିବାର ଦେଖି ଧୀରେ ଧୀରେ ଲୋକଟି ପାଖେଇ ଆସିଲା–ତାର ହାତରେ ଶାଣିତ ଛୁରିକା ଅନ୍ଧାରରେ ଝଲସି ଉଠିଲା ।

 

ଗୋପାଳବାବୁ ତଳେ ପାଦ ଦେବାକ୍ଷଣି ଲୋକଟା ତାଙ୍କୁ କ୍ଷୁଧିତ ବ୍ୟାଘ୍ର ପରି ଆକ୍ରମଣ କଲା ।

 

କିନ୍ତୁ ଗୋପାଳବାବୁ ପାଦଶବ୍ଦ ଶୁଣି ବିଜୁଳିବତି ପାଖକୁ ଘୁଞ୍ଚି ଛିଡ଼ା ହେଲେ । ଉଦ୍ୟତ ଛୁରୀ ଲକ୍ଷ୍ୟ ଭ୍ରଷ୍ଟ ହୋଇ ତାଙ୍କ ବାହୁରେ ବିଦ୍ଧ ହେଲା । ପରମୁହୂର୍ତ୍ତରେ ସେ ଦସ୍ୟୁର ଲଲାଟ ଲକ୍ଷ୍ୟ କରି ବଜ୍ରମୁଷ୍ଟି ପ୍ରହାର କଲେ । ସେ ଅବ୍ୟକ୍ତ ଚିତ୍କାର କରି ପଡ଼ିଗଲା । ସଙ୍ଗେ ସଙ୍ଗେ ଗୋପାଳବାବୁ ତାହାର ବୁକୁ ଉପରେ ବସି ପିସ୍ତଲ ଦେଖାଇ କହିଲେ–ମୋ ସଙ୍ଗେ ଚାଲାକି ! ଚୁପ୍‌ପାଟି କଲେ ପିସ୍ତଲରେ ତୋ ଖପୁରି ଉଡ଼ାଇ ଦେବି ।

 

ସେ ଗୋଟିଏ ହାତରେ ପିସ୍ତଲ ଧରି ଅନ୍ୟ ହସ୍ତରେ ପକେଟରୁ ଦଉଡ଼ି ବାହାର କରିବାକୁ ଯାଉଛନ୍ତି, ଏହି ସମୟରେ ଅଚାନକ ମୁଣ୍ଡରେ ଦାରୁଣ ଆଘାତ ପାଇ ଚିତ୍କାର କରି ଉଠିଲେ । ତାଙ୍କୁ ଚାରିଆଡ଼ ଅନ୍ଧାର ଦିଶିଲା । ସେ ମୂର୍ଚ୍ଛିତ ହୋଇ ତଳେ ପଡ଼ିଗଲେ ।

 

ତାଙ୍କୁ ଆଘାତ କରିଥିବାଲୋକଟା ଅନ୍ୟ ଲୋକକୁ ପଚାରିଲା–କିଏ ଦୀନୁ ! ଲୋକଟା କିଏ ? ସେ ଏଠିକି ଆସିଲା କିପରି ?

 

ଗୋପାଳବାବୁ ବୃଦ୍ଧ ଫକୀରର ଛଦ୍ମବେଶରେ ସଜ୍ଜିତ ହୋଇଥିଲେ । ସେମାନେ ତାଙ୍କୁ ଚିହ୍ନି ପାରିଲେ ନାହିଁ ।

 

ଦିନୁ ତଳୁ ଝାଡ଼ିଝୁଡ଼ି ହୋଇ ଉଠି କହିଲା–କିଏ ଜାଣେ–ପାଜି ଭିକମଗା ଚୋର ହୋଇଥିବ । ଆସିଥିଲା ଓର ବୁଝିବାକୁ ।

 

–ଚାଲୁ ତାକୁ ଉପରକୁ ନେଇଯିବା–ଅନ୍ୟଜଣକ କହିଲା । ଦୁହେଁ ଧରାଧରି କରି ତାଙ୍କର ଅସାଡ଼ ଦେହକୁ ଉପର ମାହାଲାର ଗୋଟଏ କକ୍ଷକୁ ନେଇଗଲେ ।

 

କକ୍ଷରେ ଦୁଇଜଣ ମାତ୍ର ଲୋକ ଥିଲେ । ସେମାନଙ୍କ ଭିତରୁ ଜଣକ ମୁହଁରେ ଘନକୃଷ୍ଣ ଦାଢ଼ି–ଆଖିରେ ନୀଳବର୍ଣ୍ଣର ଚଷମା ।

 

ଗୋପାଳବାବୁଙ୍କ ମୂର୍ଚ୍ଛିତ ଦେହଟାକୁ ଆଣିବାର ଦେଖି ଲୋକଟା ବିକୃତ କଣ୍ଠରେ କହିଲା–ଏଇଟା କିଏ ? ଫକୀରଟାକୁ ଏଠିକି କାହିଁକି ଆଣିଛ ?

 

ସେମାନଙ୍କ ଭିତରୁ ଜଣେ କହିଲା–ଲୋକଟା ଦୋମହଲାରେ ଉଙ୍କିମାରି କଣ ଶୁଣୁଥିଲା-। ଦୀନୁ ଆକ୍ରମଣ କଲାରୁ ତାକୁ କାବୁକରି ପିସ୍ତଲ ଉଞ୍ଚାଇ ଧମକ ଦଉଥିଲା ।

 

ଦାଢ଼ିବାଲା ଲୋକଟା ତୀକ୍ଷଣ ଦୃଷ୍ଟି ଗୋପାଳ ବାବୁଙ୍କ ଅସଡ଼ା ଦେହକୁ ଚାହିଁ ରହିଲା–ଲୋକଟା ଏତେ ଉପରକୁ ଉଠି ନିଜ ଜୀବନ ବିପନ୍ନ କରି ଆମ ପରାମର୍ଶ କାହିଁକି ଶୁଣୁଥିଲା । ଟଙ୍କା ପଇସା ଚୋରି କରିବା ଏହାର ମତଲବ ନୁହେଁ ବୋଲି ମୋର ସନ୍ଦେହ ହେଉଛି । ...ଦୀନୁ ! ପରୀକ୍ଷା କରି ଦେଖିଲୁ, ଲୋକଟା ଫକୀର ନା ଗୁପ୍ତଚର !

 

ଦୀନୁ ନଇଁପଡ଼ି ପରୀକ୍ଷା କରିବାକୁ ଲାଗିଲା । ତାଙ୍କର ଦାଢ଼ିରେ ହାତମାରି ଟାଣି ଦେବାର କୃତ୍ରିମ ଦାଢ଼ି ବାହାରି ଆସିଲା । ଗୋପାଳବାବୁଙ୍କ ପ୍ରକୃତ ରୂପ ଧରା ପଡ଼ିଲା ।

 

ଲୋକଟା ବିସ୍ମୟରେ ଚିତ୍କାର କରି କହିଲା–ଏ କିଏ ? ଏ ଯେ ଗୋପାଳବାବୁ ! ବିଜୟର ସହକାରୀ !

 

–ଗୋପାଳବାବୁ !–ଦାଢ଼ିବାଲା ଲୋକଟିର ମୁହଁର ଭାବ କଠିନ ହୋଇଉଠିଲା । ଦାନ୍ତ ଚିପି କହିଲା–ହଁ, ସବୁ ବୁଝିଲ ।

 

ପକେଟରୁ ଘଣ୍ଟା କାଢ଼ି ଦେଖି ପାଖରେ ଛିଡ଼ା ହୋଇଥିବା ଦିଟା ଲୋକଙ୍କୁ କହିଲା–‘‘ବମ୍ବେ ମେଲ୍‌ ଆସିବା ସମୟ ହୋଇଗଲାଣି । ନେଇ ଯା–ଏଇଟାକୁ ବାଲିଗଞ୍ଜରେ ରେଲ୍‌ଲାଇନରେ ପକାଇ ଦେଇ ଆସ । ଡିଟେକ୍‍ଟିଭଗିରି କରିବା ସଉକ ତା’ର ମେଣ୍ଟି ଯାଉ-। ଆମ ଅପେକ୍ଷା ବମ୍ବେ ମେଲ୍‌ ତା’ର ଚର୍ଚ୍ଚା ଭଲରୂପେ କରିବ । ମୋ ସଙ୍ଗେ ଚାଲାକି !’’

 

ଲୋକଦି’ଟା ଗୋପାଳବାବୁଙ୍କୁ ଧରାଧରି କରି ତଳକୁ ନେଇଗଲେ । ପର ମୁହୂର୍ତ୍ତରେ ମୋଟର ଷ୍ଟାଟ ହେବାର ଶବ୍ଦ ଶୁଭିଲା । ଘର ଭିତରେ ଲୋକଟା ଅଟ୍ଟହାସ୍ୟ କରି ଉଠିଲା । ତା’ ମନରେ ହିଂସଭାବ ମୁହଁରେ ଫୁଟି ବାହାରୁଥାଏ ।

 

ବାଲିଗଞ୍ଜ ଷ୍ଟେସନର କିଛି ଦୂରରେ ଗୋଟିଏ ନିଛାଟିଆ ଜାଗାରେ ମୋଟର ଛିଡ଼ାକରି ଦସ୍ୟୁ ଦୁଇଜଣ ଗୋପାଳବାବୁଙ୍କ ଅଚେତନ ଦେହ ବୋହି ନେଇ ରେଲ୍‌ଲାଇନ୍‌ ଉପରେ ପକାଇ ଦେଲେ ।

 

ଦୂରରେ ବମ୍ବେ ମେଲ୍‌ର ତୀବ୍ର ହୁଇସିଲ ଶୁଭିଲା । ଅନ୍ଧାରର ବୁକୁ ଚିରି ଟ୍ରେନ୍‌ର କ୍ଷୀଣ ଆଲୁଅ ଦେଖାଗଲା ।

 

ଦସ୍ୟୁ ଦୁଇଜଣଙ୍କ ମୁହଁରେ କ୍ରୁର ହସ ଫୁଟି ଉଠିଲା । ମୋଟର ଷ୍ଟାଟ କରି ଝଡ଼ବେଗରେ ସେମାନେ ଅନ୍ଧାରରେ ମିଳାଇ ଗଲେ ।

 

ଥଣ୍ଡା ପବନ ଦେହରେ ବାଜି ଗୋପାଳବାବୁଙ୍କ ଚେତା ହେଲା । ସେ ଧୀରେ ଧୀରେ ଅବଶ ଆଖିପତା ମେଲି ଚାହିଁଲେ । ପ୍ରଥମେ ସେ କିଛି ବୁଝି ପାରିଲେ ନାହିଁ । କିନ୍ତୁ ପରକ୍ଷଣରେ ଦସ୍ୟୁର ଭୀଷଣ ଚାତୁରୀ ବୁଝିପାରି ତାଙ୍କ ଛାତି ଥରି ଉଠିଲା । ମଣିଷ ଯେ ଏକେ ଶୟିତାନ, କ୍ରୂର, ଭୀଷଣ ହୋଇପାରେ, ସେ ଆଜି ବୁଝିପାରିଲେ । ନିଜର ଶୋଚନୀୟ ପରିଣାମ ବୁଝିପାରି ତାଙ୍କ ମୁହଁରୁ ଠସ୍‌ଠସ୍‌ ଝାଳ ବୋହିବାକୁ ଲାଗିଲା ।

 

ସେ ଉଠିବା ପାଇଁ ପ୍ରାଣପଣେ ଚେଷ୍ଟା କଲେ, କିନ୍ତୁ ପାରିଲେ ନାହିଁ । ରେଳଲାଇନର ମୃଦୁ କମ୍ପନ ଅନୁଭବ କଲେ । ଟ୍ରେନ୍‌ପାଖେଇ ଆସୁଛି–ଆଉ ରକ୍ଷା ନାହିଁ । ଦେଖିଲେ ମୃତ୍ୟୁ ବିକଟମୁଖ ଭଙ୍ଗି କରି ଧାଇଁ ଆସୁଛି ତାଙ୍କ ପାଖକୁ । ଓଃ କି ଭୀଷଣ ମୃତ୍ୟୁ ! ଆଉ ଟିକକ ପରେ ଜନ୍ଦା, ପିମ୍ପୁଡ଼ି ପରି ପେଶି ହୋଇଯିବେ ଦ୍ରୁତଗାମୀ ଟ୍ରେନ୍‌ର କ୍ଷୁଧିତ ଚକ ତଳେ । ତାଙ୍କ ଦେହ ଶିତେଇ ଉଠିଲା । ମୁହଁ ତାଙ୍କର ମଲାଲୋକର ମୁହଁପରି ସାଦା ହୋଇଗଲା ।

 

ଦେହର ସମସ୍ତ ଶକ୍ତି ପ୍ରୟୋଗ କରି ସେ ଉଠିବାକୁ ଚେଷ୍ଟା କଲେ–କିନ୍ତୁ ମଥା ଘୂରିବାର ଲାଗିଲା । ସାରା ଦେହ ଅବଶପାରିଲେ ନାହିଁ ।

 

ହଠାତ୍‌ ଉଜ୍ଜ୍ୱଳ ଆଲୋକରେ ତାଙ୍କର ଚକ୍ଷୁ ବନ୍ଦିଗଲା । ସେ ଦେହର ସମସ୍ତ ବଳ ପ୍ରୟୋଗ କରି ଲାଇନ୍‌କଡ଼କୁ ଝୁଙ୍କିପଡ଼ିଲେ-ଆଖି ଦି’ଟା ବନ୍ଦ ହୋଇଗଲା ଭୟରେ । ଟ୍ରେନ୍‌ଟା ସଶବ୍ଦରେ ଲାଇନ୍‌ କମ୍ପାଇ ଚାଲିଗଲା । ଗୋପାଳବାବୁଙ୍କ କାନ ତାବଦା ହୋଇଗଲା । ଜଣାଗଲା ସତେଯେପରି ଶହେଟା ବଜ୍ର ଖସିପଡ଼ିଲା ତାଙ୍କ ମୁଣ୍ଡ ଉପରେ ।

 

ଗୋପାଳବାବୁଙ୍କ ଅବଶ ଦେହ ଗଡ଼ିପଡ଼ିଲା ତଳକୁ । ଥଣ୍ଡା ପବନ ବାଜି ଅବଶ ଭାବଟା କଟିଗଲା । ସେ ଉଠି ଛିଡ଼ା ହୋଇ ଚାହିଁଲେ ଟ୍ରେନ୍‌ଆଡ଼କୁ । ପଛର ନାଲି ରଙ୍ଗର ଲାଇଟଟା ଅନ୍ଧାରରେ ଜୁଳୁ ଜୁଳୁ ଦିଶୁଥାଏ... । ଓଃ କି ଭୀଷଣ ମୃତ୍ୟୁ କବଳରୁ ଆଜି ସେ ରକ୍ଷା ପାଇଲେ ।

 

ଅବଶ ପାଦ ଦି’ଟା କୌଣସି ମତେ ଟାଣି ସେ ଷ୍ଟେସନ ଆସି ବିଜୟବାବୁଙ୍କୁ ଫୋନ୍‌କଲେ ମୋଟର ନେଇ ଆସିବାପାଇଁ ।

 

+ + +

 

ମୋଟରରେ ଆସୁ ଆସୁ ବିଜୟବାବୁ ଗମ୍ଭୀର ଭାବରେ ଗୋପାଳବାବୁଙ୍କ ଶୋଚନୀୟ ବିପଦ କଥା ଶୁଣୁଥିଲେ ।

 

କଥା ଶେଷ କରି ଗୋପାଳବାବୁ ପଚାରିଲେ–ଚିତ୍ତରଞ୍ଜନ ହୋଟେଲରୁ କିଛି ନୂତନ ସୂତ୍ର ପାଇଲେ ?

 

ବିଜୟବାବୁ ଆନୁପୂର୍ବକ ତାଙ୍କର ଅନୁସନ୍ଧାନ ବିଷୟ କହିଗଲେ ।

 

ସବୁ ଶୁଣି ଗୋପାଳବାବୁ କହିଲ–ମୋର ମନେହୁଏ କିଶୋରବାବୁ ଫଟୋ ଭିତରେ କୌଣସି ମୂଲ୍ୟବାନ ଉଇଲ୍‌ ରଖିଥିଲେ ।

 

ତୁମର ଅନୁମାନ ଠିକ୍‌ହୋଇପାରେ–ନ ହୋଇପାରେ ମଧ୍ୟ ।–ମାନେ–

 

–ଆଇନତଃ ଦେଖିବାକୁ ଗଲେ ଉତ୍ତରାଧିକାରୀ ସୂତ୍ରରେ ସମସ୍ତ ସମ୍ପତ୍ତିର ମାଲିକ ହେଉଛନ୍ତି କିଶୋରବାବୁ । ତେବେ ଉଇଲ୍‌ଟା ଏପରି ରଖିବା ଓ ସେ ଖଣ୍ଡିକ ରହସ୍ୟମୟ ଭାବରେ ଚୋରି କରିବାରେ ଅନ୍ୟ ଲୋକର କି ସ୍ୱାର୍ଥ ଅଛି ବୁଝିବା ମୁସ୍କିଲ ।

 

–ତାହାହେଲେ ତୁମେ କଣ ଭାବୁଛ ସେ ଖଣ୍ଡିକ ଅନ୍ୟ କିଛି ଗୁପ୍ତ ବିଷୟ ସଂକ୍ରାନ୍ତିୟ କାଗଜ ?

 

–ହଁ, ମୋର ତାହାହିଁ ଅନୁମାନ । ଅଦୃଶ୍ୟ ହତ୍ୟାକାରୀର ଚିଠିରୁ ଜାଣିପାରୁଛି ଅତୀତରେ ନରେନ୍ଦ୍ର ଦେବ ଏପରି କିଛି ଗୋଟାଏ ଗୁପ୍ତ କାମରେ ଲିପ୍ତ ଅଛନ୍ତି ଯାହାର ଫଳରେ ଦ୍ୱିତୀୟ ଲୋକର କ୍ଷତି ହୋଇଛି ଆଉ ପ୍ରତିହିଂସାର ନିଆଁ ଜଳାଇଦେଇଛି ତା ମନରେ । ତାହାରିପାଇଁ ସେ ଲୋକଟା ପାଗଳ ହୋଇ ଉଠିଛି ପ୍ରତିହିଂସା ନେବାପାଇଁ । ମୋର ଅନୁମାନ ସେହି ଗୁପ୍ତ କର୍ମର ପ୍ରମାଣ କାଗଜଟିରେ ଅଛି ।

 

ଗୋପାଳବାବୁ କହି ଉଠିଲେ–ଯଦି ନରେନ୍ଦ୍ରଦେବଙ୍କ ଗୁପ୍ତ କର୍ମର ବିବରଣ ହତ୍ୟାକାରୀକୁ ଜଣା, ସେ ପ୍ରମାଣର କାଗଜଟା ହସ୍ତଗତ କରିବାପାଇଁ ଏତେ ଚେଷ୍ଟିତ କାହିଁକି ?

 

–That’s the point–ସେହି କଥାଟାର link ଖୋଜି ପାଉନାହିଁ । ଯେତେ ଗଣ୍ଡଗୋଳ ସବୁ ସେଇଠାରେ ।

 

ଗୋପାଳବାବୁ ନୀରବରେ ବସି ରହିଲେ–କିଛି ଉତ୍ତର ଦେଲେ ନାହିଁ ।

 

କିଛିକ୍ଷଣ ପରେ ଗୋପାଳବାବୁ କହିଲେ–ଆଚ୍ଛା ବିଜୟବାବୁ–କିଶୋରବାବୁ ଇଡ଼େନ୍‌ଗାର୍ଡ଼ନ୍‌କୁ ମୃତବ୍ୟକ୍ତି ସହିତ ଦେଖା କରିବାକୁ ଯାଇଥିଲେ ସୁଦ୍ଧା ଆଉ ତାଙ୍କ ବିରୁଦ୍ଧରେ ଏତେ ପ୍ରମାଣ ସତ୍ୱେ ତାଙ୍କୁ ଗିରଫ୍‌ କରୁ ନାହିଁ କାହିଁକି ?

 

କାରଣ କେବଳ ଯେ ଜଣେ ଜଣେ ଲୋକ ସହିତ ସାକ୍ଷାତ କଲେ ଦୋଷ ବୋଲି ଧରାଯିବ ତାହା ନୁହେଁ । ଯଦିଚ କିଶୋର ଦେବ ଇଡ଼େନ୍‌ଗାର୍ଡ଼ନ୍‌ରେ ବିନୋଦ ସାଙ୍ଗରେ ଦେଖା କରିଥିଲେ, ତଥାପି ସେ ନିର୍ଦ୍ଦୋଷ । ପ୍ରକୃତ ହତ୍ୟା ହେଉଛି ଦ୍ୱିତୀୟ ବ୍ୟକ୍ତି–ଯେ କିଶୋରବାବୁଙ୍କ ପରେ ସେ ଲୋକ ସହିତ ଦେଖା କରିବାକୁ ଯାଇଥିଲା ।

 

ଗୋପାଳବାବୁ ବିସ୍ମିତ ହୋଇ ତାଙ୍କ ମୁହଁକୁ ଚାହିଁ କହିଲେ–ସେ ଯଦି ଯାଇ ନାହାନ୍ତି, ତେବେ ତାଙ୍କୁ କୋଟର ଛିନ୍ନଅଂଶ ଆଉ ରୁମାଲ ଆସିଲା କେଉଁଠୁ ?

 

ବିଜୟବାବୁ ଅନ୍ୟମନସ୍କ ଭାବରେ କହିଲେ–ଜଣେକେହି କିଶୋରବାବୁ ନିଶ୍ଚୟ ଘଟନା କ୍ଷେତ୍ରରେ ଥିଲେ ।

 

–ମାନେ ?–ଗୋପାଳବାବୁ ବିହ୍ୱଳ ଭାବରେ ତାଙ୍କ ମୁହଁକୁ ଚାହିଁଲେ ।

 

–ଅତି ସହଜ । କିଶୋରବାବୁଙ୍କ Part ନେଇ ଅଭିନୟ କରିବାଟା ଅସମ୍ଭବ ନୁହେଁ । ଗୋପାଳବାବୁ ନିର୍ବାକ ଭାବରେ ତାଙ୍କୁ ଚାହିଁ ରହିଲେ ।

 

ରାସ୍ତା ମୋଡ଼ ଘୁରି ମୋଟର ଛୁଟିବାକୁ ଲାଗିଲା । ରାସ୍ତାକଡ଼ରେ ଗୋଟିଏ ହଳଦିଆ ରଙ୍ଗର କୋଠା ଦେଖାଇ ଦେଇ ବିଜୟବାବୁ କହିଲେ–ଚିତ୍ତରଞ୍ଜନ ହୋଟେଲର ମ୍ୟାନଜର ସେଠାରେ ରହେ । ଆଜିଠାରୁ ସତର୍କ ଭାବରେ ତା’ର ଗତିବିଧି ଲକ୍ଷ୍ୟ କରିବା ଭାର ତୁମ ଉପରେ-

 

ଗୋପାଳବାବୁ ତୀକ୍ଷଣ ଦୃଷ୍ଟିରେ କୋଠାଟାକୁ ଥରେ ଦେଖି ନେଲେ । ହଠାତ୍‌ ପଥପାର୍ଶ୍ୱକୁ ଚାହିଁ ସେ ବିସ୍ମିତ କଣ୍ଠରେ ପଚାରିଲେ–ଦୀନବନ୍ଧୁବାବୁଙ୍କ ଘର ସାମନାରେ ଏତେ ଲୋକ ଯମା ହୋଇଛନ୍ତି କାହିଁକି ?

 

ଥରେ ସେ ଦିଗକୁ ଆଖି ବୁଲାଇ ନେଇ ବିଜୟ କହିଲେ–ଦୀନବନ୍ଧୁ ବାବୁ କଲିକତାରୁ ଷ୍ଟାର ଥିଏଟର ପାର୍ଟିକୁ ଡକାଇଛନ୍ତି–ଶୁକ୍ରବାର ଅର୍ଥାତ୍‌ କାଲି ଆରମ୍ଭ ରଜନୀ । ତାହାର ଆୟୋଜନ ଚାଲିଛି ।

 

ନୀରସ ଆବ୍‌ହାଉଆ ମଧ୍ୟରେ କିଛିଦିନ ଆମୋଦ-ପ୍ରମୋଦରେ କଟିଯିବ ଭାବି ତାଙ୍କ ମନ ସରସ ହୋଇ ଉଠିଲା ।

 

ଗ୍ୟାରେଜରେ ମୋଟର ରଖି ଆସି ବିଜୟବାବୁ ଦେଖିଲେ ବୈଠକଖାନାରେ କିଶୋରବାବୁ ଆଉ ଦୀନବନ୍ଧୁବାବୁ ପ୍ରାଣଖୋଲା ଗଳ୍ପ କରୁଛନ୍ତି । ଆନନ୍ଦରେ କିଶୋରବାବୁଙ୍କ ମୁହଁ ଉଜ୍ଜ୍ୱଳ ହୋଇଉଠିଛି । ହଠାତ୍‌ ଏ ପରିବର୍ତ୍ତନର କାରଣ କଣ ସେ ବୁଝି ପାରିଲେ ନାହିଁ ।

 

ଏମାନଙ୍କୁ ଦେଖି କିଶୋରବାବୁ କହିଉଠିଲେ–ଏଇ ଯେ ଗୁରୁଶିଷ୍ୟ ଆସିଲେଣି । ଦୀନବନ୍ଧୁବାବୁ ବୁଲିପଡ଼ି ଗୋପାଳବାବୁଙ୍କ ନୀରସ ମୁହଁକୁ ଚାହିଁ କହିଲେ–ହ୍ୟାଲୋ ଗୋପାଳବାବୁ–ଆପଣଙ୍କ ମୁହଁ ଏପରି ଶୁଖିଲା କାହିଁକି–ଦିନ ଗୋଟାଏ ଦେଖା ନଥିଲାଯେ–ବୋଧହୁଏ ଲୋଭକରି ବନ୍ଧୁ ଗୃହରେ ଗୁରୁଭୋଜନ–ଫଳରେ ବଦହଜମୀ ।

 

ଗୋପାଳବାବୁ–ମୃଦୁହସି କହିଲେ–ନା–ଶକତ୍‌ବନ୍ଧୁ ହାବୁଡ଼ରେ ପଡ଼ିଥିଲି । ଏତେଦିନପରେ ଦେଖି ଛାଡ଼ିବାକୁ ଏକଦମ୍‌ ନାରାଜ୍‌ । ବାନ୍ଧି ରଖିଥିଲେ–ଅତି କଷ୍ଟରେ ଖସି ପଳାଇଆସିଛି ।

 

କିଶୋରବାବୁ ହସିଉଠି କହିଲେ–ବାଃ ଆପଣତ ବେଶ୍‌ ମଜାର ଲୋକ ! ଦୀନବନ୍ଧୁବାବୁ ତାଙ୍କ କଥାର ଅର୍ଥ ନ ବୁଝି ପାରିଲେ ମଧ୍ୟ ହସି ଉଠିଲେ ।

 

ବିଜୟବାବୁ କିନ୍ତୁ ଭାବୁଥିଲେ କିଶୋର ବାବୁଙ୍କ ପରିବର୍ତ୍ତନର କାରଣ । ହଠାତ୍‌ ତାଙ୍କର ନଜର ପଡ଼ିଲା ଖବର କାଗଜଉପରେ । କାଗଜଟା ଖୋଲା ହୋଇ ତାଙ୍କ ଆଗରେ ପଡ଼ିଥିଲା । ବୋଧହୁଏ ପଢ଼ୁଥିଲେ–ସେମାନଙ୍କୁ ଦେଖି ରଖିଦେଇଛନ୍ତି ।

 

ଖୋଲା ହୋଇଥିବା ପୃଷ୍ଠାରେ କଣ ଅଛି ଦେଖିବାପାଇଁ ସେ ପାଖକୁ ଚାଲିଆସି କଣେଇ ଚାହିଁଲେ । ହଠାତ୍‌ ଜଣକର ଫଟୋ ଦେଖି ସେ ଚମକି ପଡ଼ିଲେ । କାଗଜ ଉପରେ ଇମ୍ପିରିଆଲ ହୋଟେଲରେ ଖୁନ୍‌ ହୋଇଥିବା ଲୋକଟିର ଫଟୋ !–ମାୟାଦେବୀଙ୍କ ମୃତ ସ୍ୱାମୀର ଫଟୋ ! ତେବେ କଣ ଏହି ମୃତ ଲୋକର ଫଟୋହିଁ ତାଙ୍କର ଏ ପରିବର୍ତ୍ତନର କାରଣ ? ସେ କଣ ମାୟାଦେବୀଙ୍କ ସ୍ୱାମୀକୁ ଚିହ୍ନନ୍ତି ? ସେ ଗୋଲକ ଧନ୍ଦାରେ ପଡ଼ିଲେ ।

 

କିଛିକ୍ଷଣ କଥାବାର୍ତ୍ତା ପରେ ଦୀନବନ୍ଧୁ ବାବୁ ଫେରିଗଲେ । ପୋଷାକ ବଦଳାଇବା ବାହାନାରେ ବିଜୟବାବୁ ଓ ଗୋପାଳବାବୁ ଉଠି ଆସିଲେ ।

 

କିନ୍ତୁ ହଠାତ୍‌ ଉପରକୁ ନଯାଇ ଦୁଆରବନ୍ଧ ନିକଟରେ ଛିଡ଼ା ହୋଇ ବିଜୟବାବୁ ମୁହୂର୍ତ୍ତକ ପାଇଁ ବୈଠକଖାନା ଭିତରକୁ ଫେରି ଚାହିଁଲେ । ଦେଖିଲେ, କିଶୋରବାବୁ ଆବେଗ ଓ ଉତ୍ତେଜନାରେ କାଗଜଟା ହାତରେ ଧରି ଫଟୋଟାକୁ ଏକଦୃଷ୍ଟିରେ ଚାହିଁଛନ୍ତି–ଆଖିରେ ପଲକ ନାହିଁ । ମୁହଁରେ ଭରି ଉଠିଛି ପ୍ରାଣ ଖୋଲା ହସ ! ତେବେ କଣ ତାଙ୍କର ଅନୁମାନ ଠିକ୍‌ ?

 

ବିଜୟବାବୁ ଚିନ୍ତିତ ମନରେ ଉପରକୁ ଉଠି ଆସିଲେ ।

 

ରାତିରେ ଖିଆପିଆ ସାରି ବିଜୟବାବୁ ନିଜ କକ୍ଷରେ ବସି ନୀରବରେ ନୋଟ ବହିରେ ଅନୁସନ୍ଧାନର ଫଳାଫଳ ଆଉ କାର୍ଯ୍ୟକ୍ରମ ଟିପି ନେଉଛନ୍ତି । ଗୋପାଳ ବାବୁ ମ୍ୟାନେଜରର ଗତିବିଧି ଉପରେ ଦୃଷ୍ଟି ରଖିବାପାଇଁ ଚାଲିଗଲେଣି ଅନେକବେଳୁ ।

 

ଘଣ୍ଟା ପରେ ଘଣ୍ଟା ବିତିବାକୁ ଲାଗିଲା । ପକେଟରୁ ଘଣ୍ଟା ବାହାରକରି ଦେଖି ବିଜୟବାବୁ ନୋଟବହି ବନ୍ଦକରି ଅଳସ ଭାଙ୍ଗି ଖଟ ଉପରକୁ ଉଠି ଆସିଲେ ।

 

ଶୋଇବାକୁ ଉଦ୍ୟମ କରୁଛନ୍ତି, ଏହି ସମୟରେ ଗୋପାଳବାବୁ ଘର ଭିତରକୁ ପଶି ଆସିଲେ ।

 

ବିଜୟବାବୁ ଉତ୍ସୁକ ଭାବରେ ପଚାରିଲେ–କଣ ହେଲା ?

 

ଗୋପାଳବାବୁ ଶ୍ରାନ୍ତ ଭାବରେ ଖଟ ଉପରେ ବସି ପଡ଼ି କହିଲେ–ତୁମ ଅନୁମାନ ଠିକ୍‌-। ଲୋକଟାର ଚାଲିଚଳଣ ସନ୍ଦେହ ଜନକ ଆଉ ରହସ୍ୟମୟ । ଅନୁସନ୍ଧାନ କରି ବୁଝିଲି ଲୋକଟା ହୋଟେଲରୁ ଫେରି ଟାକ୍‌ସି କରି ନିତି ରାତି ଅଧରେ କୁଆଡ଼େ ଯାଏ । ଆଜିବି ଯାଇଥିଲା–କିନ୍ତୁ ଟାକ୍‌ସିରେ ଯାଉଥିବାରୁ ତାହାର ଅନୁସରଣ କରିପାରିଲି ନାହିଁ ।

 

ବିଜୟବାବୁ ନୀରବରେ କିଛିକ୍ଷଣ ଚିନ୍ତା କଲେ । ହଠାତ୍‌ ପଚାରିଲେ ଟାକ୍‌ସିର ନମ୍ବରଟା ଆଣିଛ ?

 

–ଆଣିବା କିଛି ଆବଶ୍ୟକ ନାହିଁ । ସେହି ଗୋଟିଏ ଟାକ୍‌ସିରେ ସେ ପ୍ରତିଦିନ ବୁଲିବାକୁ ଯାଏ । ବୋଧହୁଏ ଟାକ୍‌ସି ଡ୍ରାଇଭରଟା ମୋଟା ରକମ କିଛି ବକ୍‌ସିସ୍‌ ତାହାଠୁ ପାଏ ।

 

ବିଜୟବାବୁ ଗମ୍ଭୀର ଭାବରେ ବସି ରହିଲେ । କିଛି ସମୟ ନୀରବରେ ଚିନ୍ତା କରିବା ପରେ ସେ ଉଠିଯାଇ ଗୋପାଳବାବୁଙ୍କ କାନରେ କଣ କହିଲେ ।

 

ଗୋପାଳବାବୁ ସମ୍ମତି ଜଣାଇଲେ ।

 

–ୟା ଛଡ଼ାଆଉ ଉପାୟ ନାହିଁ । ତୁମ ଉପରେ ସବୁ ନିର୍ଭର କରୁଛି ଆସ, ଆଜି ରାତିକ ବିଶ୍ରାମ ନେବା–ସେ ବିଷୟରେ ବର୍ତ୍ତମାନ ମୁଣ୍ଡ ଖର୍ଚ୍ଚ କରି ଲାଭ ନାହିଁ ।

 

ସେ ରାପରଟା ଟାଣି ଆଣିଲେ । ଗୋପାଳବାବୁ ମଧ୍ୟ ନିଜ ଖଟରେ ଶୋଇ ପଡ଼ିଲେ ।

 

–ସାତ–

 

ପରଦିନ ସକାଳ । ବିଜୟବାବୁ ବୈଠକଖାନାକୁ ଆସି କିଶୋରବାବୁଙ୍କୁ ନ ଦେଖି ଚାକରଠୁ ବୁଝିଲେ, ସେ ନାହାନ୍ତି–ଦୀନବନ୍ଧୁବାବୁଙ୍କ ଘରକୁ ଯାଇଛନ୍ତି । ଆଜି ଷ୍ଟାର ଥିଏଟର ପାର୍ଟି ପହଞ୍ଚିଛନ୍ତି । କିଶୋରବାବୁ ଆଉ ଦୀନବନ୍ଧୁବାବୁଙ୍କୁ ନିଶ୍ୱାସ ମାରିବାକୁ ଫୁରସତ୍‌ ନାହିଁ । ଥିଏଟର ଅଭିନେତା ଆଉ ଅଭିନେତ୍ରୀମାନଙ୍କର ଖବର ବୁଝିବା ଭାର କିଶୋରବାବୁଙ୍କ ଉପରେ ଆଉ ଥିଏଟରର ପେଣ୍ଡାଲ ନିର୍ମାଣ କରିବା, ଦର୍ଶକମାନଙ୍କର ବସିବା ସୁବିଧା କରିବା ଭାର ଦୀନବନ୍ଧୁବାବୁଙ୍କ ଉପରେ । ଅନେକ ଭଦ୍ରବ୍ୟକ୍ତି ନିମନ୍ତ୍ରିତ ହୋଇଛନ୍ତି । ଆଖପାଖ ଅଞ୍ଚଳରେ ଦୀନବନ୍ଧୁ ବାବୁଙ୍କ ନାମ ଡାକ ଖୁବ୍‌ତାଙ୍କର ସରଳ ମନ ଆଉ ପ୍ରାଣଖୋଲା ବ୍ୟବହାରରେ ସମସ୍ତେ ସନ୍ତୁଷ୍ଟ ।

 

କିଶୋରବାବୁଙ୍କ ଘରେ ମଧ୍ୟ ଗୋଟାଏ ଚାପା ଉତ୍ତେଜନା ଖେଳି ଯାଇଛି । ପରିବାରର ସମସ୍ତ ନିମନ୍ତ୍ରିତ ହୋଇଛନ୍ତି ଦେଖାଯିବା ପାଇଁ ଥିଏଟର । ଯିବାର ଆୟୋଜନ ବର୍ତ୍ତମାନଠୁ ସୁରୁ ହୋଇଛି ।

 

ଦିନ ବାରଟାରେ ଚାକର ଖବର ନେଇ ଆସିଲା–କିଶୋରବାବୁ ଖାଇବା ପାଇଁ ଆସିପାରିବେ ନାହିଁ, ତାଙ୍କର ଫୁରସତ ନାହିଁ ।

 

ଘରେ ବିଜୟବାବୁ ଆଉ ଗୋପାଳବାବୁ । ବସି ବସି ବିରକ୍ତ ଲାଗିବାରୁ ବିଜୟବାବୁ କହିଲେ–ଆସ ଗୋପାଳବାବୁ ! ବାରିଷ୍ଟର ହରନାଥ ମିଶ୍ରଙ୍କ ଘରଆଡ଼େ ବୁଲି ଆସିବା ।

 

ଉଦ୍ଦେଶ୍ୟର ସହିତ ବିଜୟବାବୁ ମୋଟର ନେଲେ ନାହିଁ । ପଦବ୍ରଜରେ ଉଭୟେ ବାହାରି ପଡ଼ିଲେ ।

 

ଦୀନବନ୍ଧୁ ବାବୁଙ୍କ ଘର ପାଖରେ ପହଁଞ୍ଚି ଦେଖିଲେ, ଲୋକ କୋଳାହଳରେ ସ୍ଥାନଟି ମୁଖରିତ ହୋଇଉଠିଛି । ସେ ଭିଡ଼ରେ କିଶୋରବାବୁ ଆଉ ଦୀନବନ୍ଧୁଙ୍କ ଦେଖା ମିଳିଲା ନାହିଁ ।

 

ସେ ଦିଗକୁ ଲକ୍ଷ୍ୟ ନ ଦେଇ ଉଭୟେ ଯିବାକୁ ଲାଗିଲେ । କିଛିଦୂର ଆସିବା ପରେ ଦୂରରେ କଣ ଦେଖି ହଠାତ୍‌ ବିଜୟବାବୁଙ୍କ ଗତି ଶିଥିଳ ହୋଇଆସିଲା । ଗୋପାଳବାବୁ କାରଣ ବୁଝି ନ ପାରି ତାଙ୍କ ଦୃଷ୍ଟି ଅନୁସରଣ କରି ସେ ମଧ୍ୟ ବିସ୍ମିତ ହେଲେ ।

 

ଦେଖିଲେ କିଛିଦୂରରେ ରାସ୍ତାକଡ଼ରେ ଗୋଟାଏ ପୋଲିସ୍‌ ଭ୍ୟାନ୍‌ ଛିଡ଼ା ହୋଇଛି । ପାଖରେ ଦୁଇ ତିନି ଜଣ ପୋଲିସ୍‌ ଟହଲୁଛନ୍ତ ।

 

ଗୋପାଳବାବୁ ଆଶ୍ଚର୍ଯ୍ୟ ହୋଇ କହିଲେ–ସର୍ବନାଶ ! ଏ ଯେ ବାରିଷ୍ଟର ହରନାଥ ମିଶ୍ରଙ୍କ ଘରେ । ପୋଲିସ୍‌ କାହିଁକି ସେଠାରେ ଛିଡ଼ା ହୋଇଛନ୍ତି ।

 

ବିଜୟବାବୁ ଦ୍ରୁତବେଗରେ ଚାଲିବାକୁ ଆରମ୍ଭ କରି କହିଲେ–ଶୀଘ୍ର ଆସ । ଯାହା ଭାବିଥିଲି ତାହାହିଁ ଘଟିଲା । ଆଉ ଗୋଟାଏ ସଂଖ୍ୟା ବଢ଼ିଲା–ହରନାଥଙ୍କୁ ମିଶାଇ ତିନି ହେଲା । ବାକି ତିନିଜଣ ।

 

–ମାନେ–ଗୋପାଳବାବୁ ବିହ୍ୱଳ ଭାବରେ ପଚାରିଲେ ।

 

–ହତ୍ୟାକାରୀର ପ୍ରତିହିଂସା ନିଆଁରେ ତିନିଜଣ ପୋଡ଼ି ମଲେ–ବାକି ରହିଲେ ତିନିଜଣ ।

 

ଗୋପାଳବାବୁଙ୍କ ଅନ୍ତରାତ୍ମା ଥରି ଉଠିଲା ।

 

ଜଣେ କନେଷ୍ଟବଲଠାରୁ ବୁଝିଲେ, ତାଙ୍କର ଅନୁମାନ ଠିକ୍‌ । ରାତିରେ କିଏ ବାରିଷ୍ଟର ହରନାଥଙ୍କୁ ହତ୍ୟା କରିଛି ।

 

କି ଭୀଷଣ ପ୍ରତିହିଂସା ! ଗୋପାଳବାବୁ ନିର୍ବାକ ଭାବରେ କୋଠାଟା ଆଡ଼େ ଚାହିଁ ରହିଲେ ।

 

ଚମକ ଭାଙ୍ଗିଲା ତାଙ୍କର ବଜୟବାବୁଙ୍କ କଥାରେ । ଶୁଣିଲେ ସେ କହିଛନ୍ତି–କି ଦୁର୍ଭେଦ୍ୟ ରହସ୍ୟ ! ଆଉ ତିନିଜଣ ପରବର୍ତ୍ତୀ ଶୀକାର କିଏ ଜାଣିବାର ଉପାୟ ନାହିଁ । ଜଣାଥିଲେ ଅବା ଚେଷ୍ଟା କରାଯାଇ ପାରିଥାଆନ୍ତା ପ୍ରତିହିଂସା ମୁହଁରୁ ସେମାନଙ୍କୁ ରକ୍ଷା କରିବାକୁ । ଆଜି କି କାଲି ସେମାନଙ୍କୁ ମଧ୍ୟ ହତ୍ୟାକାରୀର ରକ୍ତପିପାସୁ ଛୁରୀ ମୁହଁରେ ଛାତି ଦେଖାଇବାକୁ ପଡ଼ିବ ।

 

ସେଠାରେ ଅପେକ୍ଷା କରିବା ବୃଥା ଭାବି ଉଭୟେ ଫେରି ଆସିଲେ । ବାଟରେ ଆସୁ ଆସୁ ଗୋପାଳବାବୁ ପଚାରିଲେ–କିଶୋରବାବୁ ଆଉ ଦୀନବନ୍ଧୁ ବାବୁ ବୋଧହୁଏ ଏ ଖବର ଶୁଣି ନାହାନ୍ତି ।

 

ବିଜୟବାବୁ ସଂକ୍ଷେପରେ ‘ନ’ କହିଲେ । ସେ ଅନ୍ୟମନସ୍କ ହୋଇ ଭାବୁଥିଲେ ଏ ଖବର ଶୁଣି କିଶୋରବାବୁଙ୍କ ମନର ଭାବ କିପରି ହେବ ।

 

କିଛିଦୂର ଆସିଛନ୍ତି, ଏହି ସମୟରେ ପଛରୁ ତାଙ୍କନାଁ ଧରି କିଏ ଡାକିଲା । ଅପରିଚିତ କଣ୍ଠସ୍ୱର...ବିଜୟବାବୁ ଚକିତ ହୋଇ ବୁଲିପଡ଼ି ଦେଖିଲେ ଜଣେ ବୃଦ୍ଧଲୋକ ଦ୍ରୁତପଦରେ ତାଙ୍କ ଆଡ଼କୁ ଆସୁଛି । ଲୋକଟିକୁ କେଉଁଠାରେ ଦେଖିଛନ୍ତି ବୋଲି ତାଙ୍କର ମନେହେଲା ନାହିଁ ତେବେ ସେ ତାଙ୍କର ନାମ ଜାଣିଲା କିପରି ? ବିଜୟବାବୁ ସନ୍ଦେହଭରା ଚାହାଁଣୀରେ ଲୋକଟାକୁ ଚାହିଁଲେ-

 

ଲୋକଟି ପାଖକୁ ଆସି ନମସ୍କାର କଲା । ବିଜୟବାବୁ ପ୍ରତି ନମସ୍କାର କରି ପ୍ରଶ୍ନଭରା ଚାହାଁଣୀରେ ଚାହିଁଲେ ।

 

ଲୋକଟି ମୃଦୁହସି କହିଲା–ଆଜ୍ଞା ମୋ ନା ନିତ୍ୟାନନ୍ଦ–ସୁନା, ରୂପା ଢଳେଇ କାମ କରେ । ଆପଣ ବୋଧହୁଏ ମୋତେ ଚିହ୍ନି ନାହାନ୍ତି–କିନ୍ତୁ ମୁଁ ଆପଣଙ୍କୁ ଚିହ୍ନେ । ହତ୍ୟାକାଣ୍ଡ ତଦନ୍ତ ସମ୍ବନ୍ଧରେ ଆସିଛନ୍ତି–କିଶୋରବାବୁ କହୁଥିଲେ ।

 

‘କିଶୋରବାବୁ !’ ବିଜୟବାବୁଙ୍କ ମନ ସନ୍ଦେହୀ ହୋଇଉଠିଲା ଲୋକଟିର କଥା ଶୁଣି ।

 

ଲୋକଟି ଥରେ ବାରିଷ୍ଟର ହରନାଥ ବାବୁଙ୍କ ଘରଆଡ଼େ ଚାହିଁ ପଚାରିଲା–ସେଠାରେ ଏତେ ପୋଲିସ୍‌ କାହିଁକି ଛିଡ଼ା ହୋଇଛନ୍ତି ?

 

କାଲି ରାତିରେ ହରନାଥ ବାବୁଙ୍କୁ କିଏ ହତ୍ୟା କରିଛି–ବିଜୟବାବୁ ତୀକ୍ଷଣ ଦୃଷ୍ଟିରେ ଚାହିଁ କହିଲେ ।

 

–ହତ୍ୟା ? ହରନାଥବାବୁ ?

 

ଲୋକଟର ମୁହଁ ଭୟରେ ସାଦା ହୋଇଗଲା–ଆଖି ଦୁଇଟା ଆତଙ୍କରେ ଭରି ଉଠିଲା-। ଲୋକଟି ଚାରିଆଡ଼କୁ ଭୟ ଚକିତ ଦୃଷ୍ଟିରେ ଚାହିଁ ଥରିବାକୁ ଲାଗିଲା ।

 

ଲୋକଟିର ହଠାତ୍‌ ଏ ପରିବର୍ତ୍ତନ ଦେଖି ବିଜୟବାବୁଙ୍କ ମନରେ ପୂର୍ବ ସନ୍ଦେହ ଦୃଢ଼ ହେଲା ।

 

କିଛିକ୍ଷଣ ରହି ଲୋକଟି କହିଲା–ଏପରି ଯେ ତାଙ୍କ କପାଳରେ ଦିନେ ଘଟିବ, ଆଗରୁ ଜାଣିଥିଲି ।

 

ଲୋକଟା ଏ କଣ କହୁଛି ? ବିଜୟବାବୁ ସନ୍ଦେହମିଶା କୌତୁହଳ ଦମନ କରି ପଚାରିଲା–ଆପଣ କିପରି ଜାଣିଲେ ? ତାଙ୍କ ବିଷୟ କଣ ଜାଣନ୍ତି ?

 

ଲୋକଟି ଥରେ ତାଙ୍କ ମୁହଁକୁ ଚାହିଁଲା । ରହି ରହି କହିଲା–ସେ ଅନେକ ଦିନର କଥା ବାବୁ ! କହି କିଛି ଲାଭ ନାହିଁ ।

 

ତା’ କଥା ଶୁଣି ବିଜୟବାବୁ ଭାବିଲେ ଲୋକଟା ନରେନ୍ଦ୍ରଦେବ ପରିବାର ସମ୍ବନ୍ଧରେ ଅନେକ କଥା ଜାଣେ । କୌଣସି ଗୋଟାଏ ଅଜଣା ଭୟରେ କହିବାକୁ କୁଣ୍ଠିତ ହେଉଛି ।

 

ହଠାତ୍‌ ପଚାରିଲେ–ଆପଣଙ୍କୁ କେତେଗୁଡ଼ିଏ ପ୍ରଶ୍ନ ପଚାରିବି–ଆଶାକରେ ଠିକ ଠିକ୍‌ ଉତ୍ତର ଦେବେ । ଏହାଦ୍ୱାରା ମୋର ଯେତେ ଉପକାର ନ ହେବ, ତା’ଠାରୁ ବେଶି ଉପକାର ହେବ ନରେନ୍ଦ୍ର ଦେବଙ୍କ ପରିବାରର ।

 

–ପଚାରନ୍ତୁ, ଜଣାଥିଲେ କହିବାକୁ ମୋର ଆପତ୍ତି ନାହିଁ–

 

–ନରେନ୍ଦ୍ର ଦେବଙ୍କ ଚରିତ୍ର କିପରି ଥିଲା ?

 

–ଏ ଦେଶରେ ତାଙ୍କ ପରି ଗୋଟାଏ ଲୋକ ଜନ୍ମହେବା ଭାଗ୍ୟର କଥା । ଲୋକଙ୍କର ପେଟ ଚିହ୍ନି ଦୁଇହାତରେ ଧୂଳିମୁଠା ପରି ପଇସା ବିଞ୍ଚିବା ଲୋକ ମୋ ଷାଠିଏ ବରଷ ଜୀବନକାଳ ଭିତରେ ଗୋଟିଏ ହେଲେ ଦେଖିନି । ହେଲେ କପାଳ ଗରଦସ୍ତି–ଧର୍ମ ସହିଲା ନାହିଁ । ତାଙ୍କ କପାଳରେ ପୁଣି ଏତେ କଥା ଲେଖାଥିଲା ।

 

ଲୋକଟା ଗୋଟାର ଦୀର୍ଘ ନିଶ୍ୱାସ ପକାଇ ତୁନି ହେଲା ।

 

ବିଜୟବାବୁ କୌତୁହଳୀ ହୋଇ ପଚାରିଲେ–ନରେନ୍ଦ୍ର ଦେବଙ୍କର କଣ ହେଲା ? ସେ ବର୍ତ୍ତମାନ କେଉଁଠି ଅଛନ୍ତି ?

 

–ସେ କଥା ଉପରେ ଯିଏ ଦିନରାତି କରୁଛି ତାଙ୍କୁହିଁ ଜଣା । ଅନେକ ଦିନ ତଳେ ଯାହା ଦେଖା ହୋଇଥିଲା, ସେତିକି । ଆଉ ତାଙ୍କୁ ଦେଖି ନାହିଁ । ସେ ଦିନ କଥା ମନେ ପକାଇଲେ ଆଜି ବି ଦେହ ଉଲୁସି ଉଠୁଛି । ଦେବତା ପରି ଲୋକ ହଠାତ୍‌ କାହିଁକି ଯେ ତାଙ୍କର ମତିଗତି ବଦଳିଗଲା, ଆଜିଯାକେ ତାର ଉତ୍ତର ପାଇ ନାହିଁ ।

 

–ନରେନ୍ଦ୍ର ଦେବଙ୍କୁ ଶେଷଥର ପାଇଁ କେତେଦିନ ତଳେ ଦେଖିଥିଲେ ?

 

–ସେ ଆଜକୁ ଛମାସ ତଳେ–

 

–ତାଙ୍କର ମତି ଗତି ବଦଳିଛି ବୋଲି କିପରି ଜାଣିଲେ ? କଣ ମଦ କିମ୍ବା ଆଉ କିଛି–

 

ଲୋକଟି ଜିଭ କାମୁଡ଼ି ପକାଇ କହିଲା–ଏ କଥା ଯିଏ ମୁହଁରେ ଧରିବ ନରକରେ ତାକୁ ଠାବ ହେବନାହିଁ । ତେବେ ଘଟଣାଟା କଣ ଆଜିଯାଏ ମୁଁ ଠିକ୍‌ କରି ପାରିଲି ନାହିଁ ।

 

–କି ଘଟଣା ଖୋଲିକରି କହନ୍ତୁ–ବୁଝି ପାରିଲି ନାହିଁ ।

 

ମୁଁ ଘଟଣା ସ୍ଥଳରେ ଥାଇ ବୁଝି ପାରିଲି ନାହିଁ–ଆପଣ ଶୁଣିକରି କଣ ବୁଝିବେ ?

 

କିଛିକ୍ଷଣ ନୀରବ ରହି ଲୋକଟି କହିବାକୁ ଲାଗିଲା–ସେ ପ୍ରାୟ ଛମାସ ତଳର କଥା । ପୁଅ ମୋର ଯାଇଥାଏ ବାଲିଗଞ୍ଜ ଷ୍ଟେସନକୁ । ରାତି ତିନିଘଡ଼ି ହେଲା–ଫେରିଲା ନାହିଁ । ବାହାରିଲି ଲଣ୍ଠନଟିଏ ଧରି ଷ୍ଟେସନକୁ ପୁଅକୁ ଖୋଜିବା ପାଇଁ । ଅନ୍ଧାର ରାତି ମେଘୁଆ ପାଗ ହୋଇଥାଏ । ମୁଁ ଏକ ମନରେ ଚାଲିଥାଏ । ବଡ଼ ରାସ୍ତା ଟପିଲେ ଜଙ୍ଗଲ । ପାଖରେ କେତେଗୁଡ଼ିଏ ଲୋକ କଥାବାର୍ତ୍ତା ହେଉଥିବା ଶୁଣିଲି । ସେ ଦିଗକୁ ନଜର ନ ଦେଇ ଯିବାକୁ ବାହାରିଛି, ପଛରୁ ମୋ ନାଁ ଧରି କିଏ ଡାକିଲା । କଣ୍ଠସ୍ୱର ଶୁଣି ଚମକି ପଡ଼ିଲି । ଏ ଯେ ନରେନ୍ଦ୍ର ଦେବଙ୍କ କଣ୍ଠସ୍ୱର ! ସେ ଏତେ ରାତିରେ ଏଠାରେ କଣ କରୁଛନ୍ତି ? ପାଖକୁ ଗଲି–ଦେଖିଲି, ଚାରିଜଣ ଲୋକ ମେଘୁଆ ଅନ୍ଧାରରେ ମିଶି ଛିଡ଼ା ହୋଇଛନ୍ତି ।

 

ନରେନ୍ଦ୍ରଦେବ ମୋ ପାଖରୁ ଆସି ଖଣ୍ଡେ କାଗଜ ବଢ଼ାଇ ଦେଇ କହିଲେ–ଠିକ୍‌ ସମୟରେ ଆସିଛୁ ନିତ୍ୟାନନ୍ଦ ! ଏଥିରେ ଗୋଟାଏ ଦସ୍ତଖତ କରିଦେଲୁ ।

 

ହଠାତ୍‌ଏ କି ରହସ୍ୟ ମୁଁ ବୁଝିପାରିଲି ନାହିଁ । କି କାଗଜ କାହିଁକି ଦସ୍ତଖତ କରିବି ମନେ ମନେ ଗୁଣି ହେଉଥାଏ । ମୋତେ ନୀରବ ଦେଖି ବାରିଷ୍ଟର ହରନାଥବାବୁ ପାଖକୁ ଆସି କହିଲେ–ଭାବୁଛ କଣ ? କିଛି ଜାଣିବା ଦରକାର ନାହିଁ–ତୁ ଯେ ଆମକୁ ଏଠି ଦେଖିଛୁ ଏହି ଯଥେଷ୍ଟ-

 

ହାତ ଟିପରେ କାଗଜ ତଳେ ଗୋଟାଏ ଜାଗା ଦେଖାଇ ଦେଲେ । ମୁଁ ଦସ୍ତଖତ କଲି ।

 

ବିଜୟବାବୁ ହଠାତ୍‌ ପଚାରିଲେ–କି ରଙ୍ଗର କାଗଜ ? କଣ ଲେଖାଥିଲା ?

 

–ଗୋଲାପି ରଙ୍ଗର କାଗଜ । କିନ୍ତୁ କଣ ଲେଖା ଥିଲା କହିପାରିବି ନାହିଁ–ଅନ୍ଧାରରେ ପଢ଼ି ପାରିଲି ନାହିଁ ।

 

ଗୋଲାପି ରଙ୍ଗର କାଗଜ ! ବିଜୟବାବୁ ମନେ ମନେ ଚମକି ଉଠିଲେ । ସେ ଯେଉଁ କାଗଜ ଚୋରି କରିଥିଲେ ନିଶ୍ଚୟ ସେହି କାଗଜ । କିନ୍ତୁ କଣ ଲେଖିଥିଲା ସେଥିରେ ? ସେ ଯଦି ଥରେ ସେ ଖଣ୍ଡିକ ପଢ଼ି ପାରିଥାନ୍ତେ ରହସ୍ୟ ଏତେ ଜଟିଳହୋଇ ନ ଥାନ୍ତା–ଏତେଗୁଡ଼ାଏ ଲୋକ ହତ୍ୟା ହୋଇ ନଥାନ୍ତେ ।

 

ଚିନ୍ତିତ ଭାବରେ ପଚାରିଲେ–ଆଉ ଦୁଇଜଣ କିଏ ? ସେମାନଙ୍କୁ ଚିହ୍ନନ୍ତି ? ଲୋକଟି କହିଲା–ନା’ ଅନ୍ଧାରରେ ସେ ଦୁହିଁଙ୍କ ମୁହଁ ଭଲକରି ଦେଖିପାରି ନାହିଁ । ତେବେ ସେ ଦୁହିଁଙ୍କ ଭିତରେ ଜଣେ ସ୍ତ୍ରୀଲୋକ ଏଥିରେ ସନ୍ଦେହ ନାହିଁ ।

 

–ସ୍ତ୍ରୀଲୋକ ! ବିଜୟବାବୁଙ୍କ ଚିନ୍ତାଧାରା ବଦଳିଗଲା । ଉଦ୍‌ବେଗ ହୋଇ ପଚାରିଲେ–କିଏ ସେ ସ୍ତ୍ରୀଲୋକ ?

 

–ମୁଁ ସେ ବିଷୟ କହିପାରିବି ନାହିଁ । ଭଗବାନ ଜାଣନ୍ତି ।–ତା’ ପରେ–

 

–ନରେନ୍ଦ୍ରଦେବଙ୍କ ପାଗଳାମି କଥା ଭାବି ଭାବି ଫେରୁଛି, ଏହି ସମୟରେ ପଛରୁ କାହାର ଗର୍ଜନ ଶୁଣି ଛିଡ଼ା ହେଲି । ଶୁଣିଲି କିଏ କ୍ରୋଧରେ କମ୍ପି ଉଠି କହୁଛି–ମୋ ସଙ୍ଗେ ପ୍ରତାରଣା ! ସବୁ ବୁଝିଲି । ମୋ ରକ୍ତ ଶୋଷିବାକୁ ଏ ଫନ୍ଦି କରିଛ । ଏହାର ପ୍ରତିଫଳ ତୁମେ ଚାରିଜଣ ଭୋଗିବ । ଆଜି ହେଉ କାଲି ହେଉ ଏ ଜଘନ୍ୟ ଚକ୍ରାନ୍ତର ପ୍ରତିଶୋଧ ନେବି–ନେବି ।

 

ଲୋକଟାର କଥାର ପ୍ରତିହିଂସାର ଝଲକ ଫୁଟି ଉଠୁଛି । ସ୍ୱରଟା ସମ୍ପୂର୍ଣ୍ଣ ଅପରିଚିତ–ଚିହ୍ନି ପାରିଲି ନାହିଁ ।

 

ପରକ୍ଷଣରେ ନରେନ୍ଦ୍ର ଦେବଙ୍କ ବିଦ୍ରୂପ କଣ୍ଠସ୍ୱର ଶୁଭିଲା–ନାଲି ଆଖି ଆଉ କାହାକୁ ଦେଖାଇବୁ । ଆଜିଯାଏ ଗୁପ୍ତରେ ତୁ ମୋର ରକ୍ତ ଶୋଷିଛୁ–ମୋ ଆଖିରେ ଧୂଳି ଦେଇଛୁ । ମୋର ଯେଉଁ ସର୍ବନାଶ କରିଛୁ, ତୋର ଚମଡ଼ା ବାହାର କରି କୁକୁରକୁ ଖାଇବାକୁ ଦେଲେ ବି ଏହାର ପ୍ରାୟଶ୍ଚିତ ହେବନାହିଁ–ମୋ ମନ ଶାନ୍ତି ହେବ ନାହିଁ । ତୋପରି ନୀଚ, ପଛକାମୁଡ଼ା ବେମାନ କୁକୁରର ମୁହଁ ଚାହିଁଲେ ପାପ !

 

–ଆଚ୍ଛା ଏତେ ଆସ୍ପର୍ଦ୍ଧା ! ମୁଁ କୁକୁର ! ଦେଖିବୁ ଦିନେ ଏହି କୁକୁରର ରକ୍ତପିପାସୁ ଭୋକିଲା ଦାନ୍ତରେ ତୋର ସର୍ବନାଶ ହେବ । ତୋ ପରିବାରକୁ ପୋଡ଼ି ଛାରଖାର କରିଦେବି । କୁକୁର ମୁହଁ ଆଗରୁ ତତେ କିଏ ରକ୍ଷା କରିବ ଦେଖିବି ।

 

ଲୋକଟା ଦ୍ରୁତ ପଦରେ ଅନ୍ଧାରରେ ଅଦୃଶ୍ୟ ହୋଇଗଲା ।

 

ଏକ ରହସ୍ୟ ଆଜିଯାଏ ମୁଁ ବୁଝି ପାରିଲିନାହିଁ । ସେହିଦିନଠୁଁ ବୁଝିଲି ଲୋକଟାର ରକ୍ତ ଲୋଲୁପ ଆଖି ଦିଟା ସବୁବେଳେ ଚାହିଁ ରହିଛି । ବିଚରା ହରନାଥ ବାବୁ ତାହାରି ପ୍ରତିହିଂସା ନିଆଁରେ ପୋଡ଼ି ହୋଇ ମଲା ।

 

ଲୋକଟା ଚୁପ ହେଲା । ବିଜୟବାବୁ ଓ ଗୋପାଳବାବୁ ନିର୍ବାକ ଭାବରେ ତାହାର କଥା ଶୁଣି ଯାଉଥିଲେ । ଏ ପୁଣି କି ନୂତନ ରହସ୍ୟରେ ସେ ଜଡ଼ିତ ହେଲେ । ନରେନ୍ଦ୍ରଦେବ କିଛି ନା କିଛି ଗୋଟାଏ ଗୁପ୍ତକର୍ମରେ ଜଡ଼ିତ ଅଛନ୍ତି ବୋଲି ଯାହା ସେ ଅନୁମାନ କରୁଥିଲେ, ତାହା ଅନେକ ପରିମାଣରେ ସତ୍ୟ ବୋଲି ଜାଣି ପାରିଲେ । ଛମାସ ତଳେ ବାଲିଗଞ୍ଜର ନିର୍ଜନ ଜଙ୍ଗଲରେ ଏଠାରେ ଘଟିଥିବା ରହସ୍ୟମୟ ଶୋଚନୀୟ ଘଟଣାର ବୀଜ ବୁଣା ହୋଇଥିଲା ବୋଲି ବିଜୟବାବୁ ଜାଣି ପାରିଲେ । ନୀଚ, ଜଘନ୍ୟ ପ୍ରତିହିଂସାର ଶୋଚନୀୟ ପରିଣାମ !–ବିଜୟବାବୁଙ୍କ ଛାତି ଥରି ଉଠିଲା ।

 

କି ଭୀଷଣ ପ୍ରକୃତିର ଲୋକର ହାତ ଏ ଘଟଣା ପଛରେ ଅଛି, ସେ ସ୍ପଷ୍ଟ ବୁଝି ପାରିଲେ-

 

ଗମ୍ଭୀର ହୋଇ ପଚାରିଲେ–ନରେନ୍ଦ୍ରଦେବଙ୍କୁ ଆଉ କେବେ ଦେଖିଛନ୍ତି ?

 

–ନା, ସେହି ମୋର ଶେଷ ଦେଖା ।

 

–ଏ ଘଟଣା ଘଟିବା ପୂର୍ବରୁ ଆଉ କିଛି ପରିବର୍ତ୍ତନ ତାଙ୍କ ଚରିତ୍ରରେ ଦେଖିଥିଲେ ?

 

ଲୋକଟି କିଛି ଭାବି କହିଲା–ନା-ହଁ-ହଁ ମନେ ପଡ଼ିଲା । ଏ ଘଟଣା ଘଟିବାର ମାସକ ପୂର୍ବରୁ ସେ ମୋପାଖରୁ ଢଳାଇକାମ ଶିଖୁଥିଲେ ।

 

–କଣ କହିଲେ ? ଢଳାଇ କାମ ? କାହିଁକି ଶିଖୁଥିଲେ କହି ପାରିବେ ?

 

–ନା, ପଚାରିବାରୁ କହିଲେ ସବୁ କମରୁ କିଛି ଜାଣିବା ଦରକାର । ସେଇ ଦିନଠୁ ବୁଝିଲି ତାଙ୍କର ଜୀବନ ରହସ୍ୟମୟ ହୋଇଉଠିଛି ।

 

ବିଜୟବାବୁ ଗମ୍ଭୀର ହୋଇଉଠିଲେ । ଏପରି ଦୁର୍ଭେଦ୍ୟ ରହସ୍ୟମୟ ଘଟଣା ଯେ ଜୀବନରେ କ୍ୱଚିତ୍‌ ଦେଖିଛନ୍ତି । ଗୋଟାଏ ଲୋକର ଜୀବନ ଯେ ଏପରି ଏତେଗୁଡ଼ାଏ ରହସ୍ୟ ଜାଲରେ ଜଡ଼ିତ ହୋଇପାରେ, ଏ କଥା ନରେନ୍ଦ୍ରଦେବଙ୍କ ଜୀବନରେ ସେ ପ୍ରଥମେ ଦେଖିଲେ ।

 

ଲୋକଟି ବିଦାୟ ନେଇ ଯିବାକୁ ବାହାରିଲା । ବିଜୟବାବୁ ଯାଉ ଯାଉ ଫେରିପଡ଼ି ହଠାତ୍‌ ପଚାରିଲେ–ନରେନ୍ଦ୍ରଦେବ ବର୍ମାରେ ରହସ୍ୟମୟ ଭାବରେ ଅଦ୍ୟଶ୍ୟ ହେବା କାରଣ କଣ ଜାଣନ୍ତି ?

 

ଲୋକଟି କହିଲା–ନା, ସେପରି ସଠିକ୍‌ଭାବରେ କିଛି ଜାଣେ ନାହିଁ । ତେବେ ଶୁଣିଥିଲି ସୁନ୍ଦରବନ ଜଙ୍ଗଲରୁ ଅନେକଗୁଡ଼ାଏ ଗୁପ୍ତ ସୁନା, ହୀରା, ମାଣିକ୍ୟର ସନ୍ଧାନ ପାଇଥିଲେ, କଥାଟା ସତ କି ମିଛ ଜାଣିନାହିଁ ।

 

ବିଜୟବାବୁ କିଛି ଉତ୍ତର ଦେଲେ ନାହିଁ ।

 

ବାଟରେ ଆସୁ ଆସୁ ବିଜୟବାବୁ ଗମ୍ଭୀର ଭାବରେ କହିଲେ–ନିତ୍ୟାନନ୍ଦ ଉପରେ ଦୃଷ୍ଟି ରଖିବାକୁ ପଡ଼ିବ । ଲୋକଟା ହତ୍ୟାକାରୀର ପରବର୍ତ୍ତୀ ଶିକାର ।

 

ଗୋପାଳବାବୁ କିଛି ବୁଝି ନପାରି ବିହ୍ୱଳ ଭାବରେ ତାଙ୍କ ମୁହଁକୁ ଚାହିଁଲେ ।

 

ମୁହଁ ସଞ୍ଜବେଳ । କିଶୋରବାବୁ ଫେରି ନଥାନ୍ତି । ବିଜୟବାବୁ ଚାକରଠୁ ବୁଝିଲେ, ସେ ଆଜି ରାତିରେ ଘରକୁ ଆସି ପାରିବେ ନାହିଁ–ସକାଳେ ଆସିବେ । ଦୁଇଟା ଟାକ୍‌ସି ଆସି ଗେଟ୍‌ପାଖରେ ଛିଡ଼ା ହୋଇଛି–କିଶୋରବାବୁଙ୍କ ଘରର ସମସ୍ତେ ଯିବେ ଦୀନବନ୍ଧୁବାବୁଙ୍କ ଘରକୁ ଥିଏଟର ଦେଖିବାପାଇଁ । ଦୀନବନ୍ଧୁ ବାବୁଙ୍କ ସ୍ତ୍ରୀ ନିଜେ ଆସିଛନ୍ତି ସେମାନଙ୍କୁ ଡାକିବାପାଇଁ । ଘର ଭିତରେ ସଜବାଜର ଚହଳ ପଡ଼ିଯାଇଛି ।

 

ଉପର ମହଲାରେ ବିଜୟବାବୁ ଆଉ ଗୋପାଳବାବୁ ନୀରବରେ ବସି ଧୂମ୍ରପାନ କରୁଛନ୍ତି ।

 

ଆଠଟା ବାଜିଲା । ଗୋପାଳବାବୁ ବିଜୟବାବୁଙ୍କଠାରୁ କେତେଗୁଡ଼ାଏ ମୂଲ୍ୟବାନ ଉପଦେଶ ଶୁଣି ବାହାରିଗଲେ ଚିତ୍ତରଞ୍ଜନ ହୋଟେଲର ମ୍ୟାନେଜରର ଗତିବିଧି ଉପରେ ଦୃଷ୍ଟି ରଖିବାପାଇଁ ।

 

ବିଜୟବାବୁ ଏକାକୀ ନୀରବରେ ବସି ଗଭୀର ଚିନ୍ତାମଗ୍ନ । ଆଜି ଅଚାନକ ଭାବରେ ବୃଦ୍ଧ ନିତ୍ୟାନନ୍ଦଙ୍କଠାରୁ ଯେଉଁ ରହସ୍ୟମୟ ଘଟଣା ଶୁଣିଲେ, ତାହା ତାଙ୍କ ମନରେ ଆଣିଛି ଚିନ୍ତାର ଝଡ଼ । ଘଟଣାଗୁଡ଼ିକ ତାଙ୍କ ମୁଣ୍ଡ ଭିତରେ ଚିନ୍ତାଧାରାକୁ ଓଲଟ ପାଲଟ କରିବାକୁ ଲାଗିଲା । ଭାବିଲେ, ଛମାସ ତଳେ ବାଲିଗଞ୍ଜ ନିକଟରେ ମେଘୁଆ ଅନ୍ଧାର ରାତିରେ କେଉଁ ରହସ୍ୟର ପଟ୍ଟ ଉତ୍ତୋଳନ ହୋଇଥିଲା ? ସେ ରହସ୍ୟମୟ ଘଟଣାରେ ସେ ସ୍ତ୍ରୀଲୋକଟିର ସ୍ଥାନ କେଉଁଠି ? ସେ ଏ ରହସ୍ୟ ସହିତ କି ପ୍ରକାର ଜଡ଼ିତ ? ତାହାହେଲେ କିଶୋରବାବୁ କଣ ହତ୍ୟାକାରୀ ସହିତ ପରିଚିତ ? ନିଶ୍ଚୟ, ଏଥିରେ ସନ୍ଦେହ ନାହିଁ । ତେବେ ସେ ହତ୍ୟାକାରୀର ନାମ ପ୍ରକାଶ ନକରି ହତ୍ୟାକାରୀର ପ୍ରତିଶୋଧ ନେବାର ବାଟ କାହିଁକି ପରିଷ୍କାର କରୁଛନ୍ତି ?

 

ମନେ ପଡ଼ିଲା, ଆଜି ସକାଳେ ଖବର କାଗଜରେ ଇମ୍ପିରିଆଲ ହୋଟେଲରେ ମୃତ ବ୍ୟକ୍ତିର ଫଟୋ ଦେଖି ତାଙ୍କର ପରିବର୍ତ୍ତନ ! ମୁହଁରେ ହସର ରେଖା–ତେବେ କଣ ସେହି ବ୍ୟକ୍ତି ଏ ରହସ୍ୟମୟ ନାଟକର ପ୍ରଧାନ ଅଭିନେତା–ନରେନ୍ଦ୍ରଦେବଙ୍କର ପ୍ରତିଶୋଧ ଗ୍ରହଣକାରୀ ? ହରନାଥବାବୁଙ୍କୁ ହତ୍ୟାକଲା କିଏ ? ଓଃ କି ଦୁର୍ଭେଦ୍ୟ ରହସ୍ୟ ! ସେ ଏତେଗୁଡ଼ାଏ ପ୍ରଶ୍ନର ଉତ୍ତର ଖୋଜି ପାଇଲେ ନାହିଁ ।

 

ନୀରବରେ ସେ କକ୍ଷରେ ପଦଚାରଣ କରିବାକୁ ଲାଗିଲେ । ଭାବିଲେ ଗୋପାଳବାବୁ ଫେରି ଆସିଲେ ସାଥିହୋଇ ଥିଏଟର ଦେଖିଯିବେ । ନଗଲେ ଦୀନବନ୍ଧୁ ବାବୁଙ୍କ ସରଳ ମନରେ ନିଶ୍ଚୟ ଆଘାତ ଲାଗିବ ।

 

ସେ ବୈଠକଖାନାକୁ ଯିବାକୁ ବାହାରିଛନ୍ତି ଏହି ସମୟରେ ଟେଲିଫୋନ୍‌ଟା ଝଣ ଝଣ ହୋଇ ବାଜି ଉଠିଲା । ବିଜୟବାବୁ କ୍ଷିପ୍ର ହସ୍ତରେ ରିସିଭର୍‌ଟା ଉଠାଇ ନେଲେ ।

 

–ହ୍ୟାଲୋ ! କିଏ ? ...ଗୋପାଳବାବୁ ? କଣ କହିଲ ?

 

ଆର ପାଖରୁ ଗୋପାଳବାବୁଙ୍କ ଅସ୍ପଷ୍ଟ ସ୍ୱର ଭାସି ଆସିଲା ଶୀଘ୍ର ଆସ, ହତ୍ୟାକାରୀର ସନ୍ଧାନ ପାଇଛି–କିନ୍ତୁ ମୋ ଜୀବନ ସଙ୍କଟାପନ୍ନ.....ମେନ୍‌ରୋଡ଼ର ଶେଷାଶେଷି କିଛି ଦୂରରେ ନ ୩୨ମ୍ବର ଘର ।

 

–ବର୍ତ୍ତମାନ ଯାଉଛି–କହି ବିଜୟବାବୁ ରିସିଭର୍‌ ରଖିଦେଲେ ।

 

ତାଙ୍କ ମନ ଉତ୍ତେଜନାରେ ଭରି ଉଠିଲା । ଗୋପାଳବାବୁ ବିପଦାପନ୍ନ–ହତ୍ୟାକାରୀର ସନ୍ଧାନ ମିଳିଛି ! ସେ ଆଉ କାଳ ବିଳମ୍ବ ନ କରି ପୋଷାକ ବଦଳାଇ ପକେଟରେ ଗୁପ୍ତ ଲଣ୍ଠନ ଆଉ ଗୁଳିଭରା ଛ ନଳିଆ ଅଟୋମେଟିକ ପିସ୍ତଲ ନେଇ ଦ୍ରୁତ ବେଗରେ ବାହାରିଗଲେ ।

 

ରାସ୍ତା ନିର୍ଜ୍ଜନ...ଚାରିଆଡ଼େ ନିସ୍ତବ୍‌ଧ । ଲୋକ ଚଳାଚଳ ବନ୍ଦ ହୋଇ ଆସିଲାଣି । ମେଘ କୋଳରେ ବିଜୁଳି ଝଲ୍‌ସି ଉଠୁଛି । ଖୁବ୍‌ ଅସରାଏ ବର୍ଷା ହେବ । ବିଜୟବାବୁ ଦ୍ରୁତବେଗରେ ଯିବାକୁ ଲାଗିଲେ ।

 

ପାଖରେ ଦୀନବନ୍ଧୁବାବୁଙ୍କ ଘରଲୋକ କୋଳାହଳରେ ଫାଟିପଡ଼ୁଛି । ଚାରିଆଡ଼େ ଉଜ୍ଜ୍ୱଳ ଆଲୋକରେ ଉଦ୍‌ଭାସିତ । ନନ୍ଦନପୁରର ସବୁ ଲୋକ ସେଇଠାରେ ଜମା । ତମ୍ବୁ ଭିତରୁ ଭାସି ଆସୁଛି ଅନୁପମ ବାଦ୍ୟର ମୂର୍ଚ୍ଛନା... ।

 

ବିଜୟବାବୁ ସେ ଦିଗକୁ ଦୃଷ୍ଟି ନ ଦେଇ ଆଗକୁ ଚାଲିଲେ । ପ୍ରାୟ ଅଧଘଣ୍ଟା ଅବିଶ୍ରାନ୍ତ ଭାବରେ ଆସିବା ପରେ ମେନ୍‌ରୋଡ଼ର ଶେଷସୀମାରେ ପହଞ୍ଚିଲେ ।

 

ଚାରିଆଡ଼େ ଜମାଟ ଅନ୍ଧାର । ମେନ୍‌ରୋଡ଼ର ସରୁ ରାସ୍ତାଟିଏ ଡାହାଣହାତି ଲମ୍ବି ଯାଇଛି । ସେଇ ପଥ ଦେଇ ବିଜୟବାବୁ ଯିବାକୁ ଲାଗିଲେ । କିଛିଦୂର ନିର୍ଜନ ରାସ୍ତାରେ ଆସିବା ପରେ ନିକଟରେ ରାସ୍ତାକଡ଼ରେ ଗୋଟାଏ ଅର୍ଦ୍ଧଭଗ୍ନ ଅଟ୍ଟାଳିକା ଦେଖିବାକୁ ପାଇଲେ । କୋଠାଟାର ଅବସ୍ଥା ଶୋଚନୀୟ–ଜଣାଯାଉଛି ଅନେକ ଝଡ଼ ବୋହି ଯାଇଛି କୋଠାଟି ଉପରେ । କୋଠାର ଅନେକ ସ୍ଥାନରେ ବଣୁଆଗଛ ।

 

ଘର ସାମନାରେ ଗେଟ୍‌ । ବିଜୟବାବୁ ଧୀରେ ଧୀରେ ଭିତରକୁ ଗଲେ । କାହାରି ସୋର ଶବଦ ନାହିଁ । ଅନ୍ଧାରେ ଘରଟା ପାହାଡ଼ ପରି ଛିଡ଼ା ହୋଇଛି ।

 

ବିଜୟବାବୁ ସତର୍କ ଭାବରେ ଚାରିଆଡ଼କୁ ଚାହିଁ ଉତ୍ତର ଦିଗର ଗୋଟାଏ ଦର ଆଉଜା ଝରକା ପାଖରେ ଛିଡ଼ା ହେଲେ । ହାତରେ ଗୁଳିଭରା ପିସ୍ତଲ ।

 

ଭାବିଲେ, ଗୋପାଳବାବୁ କେଉଁଠି ଅଛନ୍ତି ? ତେବେ କଣ ସେ ଶତ୍ରୁ ହସ୍ତରେ ବନ୍ଦୀ ? ହତ୍ୟାକାରୀ କଣ ଏ ପର୍ଯ୍ୟନ୍ତ ଏ ଭଙ୍ଗାଘରେ ଆତ୍ମଗୋପନ କରିଛି । ଭିତରକୁ ନ ଗଲେ ଏ ରହସ୍ୟର ଅନୁସନ୍ଧାନ କରିହେବ ନାହିଁ ।

 

ସେ ଝରକା ଫିଟାଇ ଯିବାକୁ ଉଦ୍ୟତ ହେଉଛନ୍ତି, ଏହି ସମୟରେ ପଛରେ ଖସ୍‌ଖସ୍‌ ଶବ୍ଦ ଶୁଣି ଚକିତ ହୋଇ ବିଜୁଳି ପରି ଫେରି ଚାହିଁଲେ । କିନ୍ତୁ ସାବଧାନ ହେବା ପୂର୍ବରୁ ମସ୍ତକରେ ଦାରୁଣ ଯନ୍ତ୍ରଣା ଅନୁଭବ କଲେ । ତାଙ୍କୁ ଚାରିଆଡ଼େ ଅନ୍ଧାର ଦିଶିଲା–ସେ ଯନ୍ତ୍ରଣାରେ ଅବ୍ୟକ୍ତ ଚିତ୍କାର କରି ପଡ଼ିଗଲେ ।

 

ଯେତେବେଳେ ତାଙ୍କର ଚେତନା ଫେରି ଆସିଲା, ଦେଖିଲେ ସେ ଗୋଟାଏ ସନ୍ତସନ୍ତିଆ ଅନ୍ଧାରୁଆ ଘରେ ବନ୍ଦ ହୋଇ ପଡ଼ିଛନ୍ତି–ହାତଗୋଡ଼ ଦଉଡ଼ିରେ ଦୃଢ଼ରୂପେ ବନ୍ଧା ।

 

ମୁଣ୍ଡରୁ ରକ୍ତଶ୍ରାବ ? ଏ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ–ଅସହ୍ୟ ବେଦନା ।

 

ସେ ବୁଝି ପାରିଲେ, ଭୁଲରେ ଦସ୍ୟୁ ଫାନ୍ଦରେ ଗୋଡ଼ ଦେଇଛନ୍ତି । ମନେ ପଡ଼ିଲା ଗୋପାଳବାବୁଙ୍କ ଟେଲିଫୋନ୍‌ କଥା । ପ୍ରକୃତରେ କଣ ଗୋପାଳବାବୁ ଟେଲିଫୋନ୍‌ କରିଥିଲେ ? ନା–ସେ ପ୍ରତାରିତ ହୋଇଛନ୍ତି । କୌଶଳରେ ଶତ୍ରୁ ତାଙ୍କୁ ଭୁଲାଇ ଆଣି ବନ୍ଦି କରିଛି । ଟେଲିଫୋନ୍‌ରେ ସେ ଯେଉଁ ସ୍ୱରଶୁଣିଲେ, ସେ ଗୋପାଳବାବୁଙ୍କ କଣ୍ଠସ୍ୱର ନୁହେଁ । ଉତ୍ତେଜନାରେ ସେ ଭୁଲକୁ ସତ ବୋଲି ଭାବି ଠକାମିରେ ପଡ଼ିଛନ୍ତି ।

 

କିନ୍ତୁ ଉପାୟ କଣ ? ସେ ଯେପରି ଭାବରେ ବନ୍ଧା ହୋଇଛନ୍ତି ସେଥିରୁ ରକ୍ଷା ପାଇବାର ଉପାୟ ନାହିଁ । କେଉଁଠାରେ ଅଛନ୍ତି ତା’ ମଧ୍ୟ ଜାଣିବା ଉପାୟ ନାହିଁ ।

 

ଘରେ ଝରକା ଆଦୌ ନାହିଁ । ପଚା ଦୁର୍ଗନ୍ଧରେ ତାଙ୍କର ନିଶ୍ୱାସ ବନ୍ଦ ହେବାକୁ ଲାଗିଲା-

 

କିଛିକ୍ଷଣ ନିସ୍ତେଜ ଭାବରେ ପଡ଼ି ରହିବାପରେ କବାଟଖୋଳିବା ଶବ୍ଦ ହେଲା । ବିଜୟବାବୁ ଚାହିଁ ଦେଖିଲେ ଗୋଟାଏ ଛାୟାମୂର୍ତ୍ତି କକ୍ଷ ମଧ୍ୟରେ ପ୍ରବେଶ କଲା । ସେ ତୀକ୍ଷଣ ଦୃଷ୍ଟିରେ ଚାହିଁଲେ । ଲୋକଟା ଦେହରେ କଳାରଙ୍ଗର ଓଭାରକୋଟ–ମୁହଁରେ କଳା-କନାର ମୁଖୋସ୍‌ ।

 

ଲୋକଟା ପାଖକୁ ଆସି ବିକୃତ କଣ୍ଠରେ କହିଲା–କି ବିଜୟ ! ଗୋପାଳବାବୁର ନିମନ୍ତ୍ରଣରେ ଆସିଛୁ ପରା ହତ୍ୟାକାରୀକୁ ଧରିବା–ପାଇଁ । କି ମୂର୍ଖ–ଏଇବୁଦ୍ଧିରେ ଗୋୟେନ୍ଦାଗିରି କରୁଥିଲୁ ? ଛି–

 

ବିଜୟବାବୁ ଗମ୍ଭୀର କଣ୍ଠରେ କହିଲେ–ବୁଦ୍ଧିର ଲଢ଼ାଇ ଶେଷ ହୋଇନାହିଁ ? ଏଇଟା ଶେଷଫଳ ନୁହେଁ ।

 

ଲୋକଟା ବିକଟ ସ୍ୱରରେ ହସି ଉଠିଲା–ଅନ୍ଧାର ଘର ପ୍ରତିଧ୍ୱନିତ ହୋଇଉଠିଲା । ଆଉ କି ଶେଷଫଳ ଦେଖିବାକୁ ଆଶା ଅଛି ବନ୍ଧୁ ! ବୃଥାଆଶା । ତୋର ଶେଷ ଏଇଠି । କାଲିର ସୂର୍ଯ୍ୟଉଦୟ ଦେଖିବା ତୋ କପାଳରେ ନାହିଁ ।

 

ଲୋକଟାର କଥା ଶୁଣି ତାଙ୍କର ଛାତି ଥରି ଉଠିଲେ ସୁଦ୍ଧା ନିର୍ଭୀକ ଭାବରେ କହିଲେ–କଣ ହତ୍ୟା କରିବୁ ? ସେ ଆଶା ତୋର ଆଶାରେ ହିଁ ରହିବ ।

 

–ସତେ ? ଭାରି ଦମ୍ଭ ମନରେ ବାନ୍ଧିଛୁ ତାହେଲେ । ମୋତେ ଆଜିଯାଏ ଚିହ୍ନିପାରିଲୁ ନାହିଁ । ମୁଁ ସ୍ୱୟଂ ମୃତ୍ୟୁଦୂତ–ତୋର ଯମ । ମୋ ପ୍ରତିହିଂସା ନିଆଁରେ ପଡ଼ିଲେ ବ୍ରହ୍ମାର ସାଧ୍ୟ ନାହିଁ ରକ୍ଷା କରିବାକୁ । ତିଳ ତିଳ ହୋଇ ମରିବୁ–ଶୋଭା ମଥାର ସିନ୍ଦୂର ଫିକା ପଡ଼ିବ । ଭୟନାହିଁ–ନିଜ ହାତରେ ତୋ ପରି ଗୋଟାଏ ହୀନ, ଅପଦାର୍ଥ ଗୋୟେନ୍ଦାଟାକୁ ମାରି ହାତ କଳଙ୍କିତ କରିବି ନାହିଁ । ତୋତେ ହତ୍ୟା କରିବାକୁ ଭାରି ସହଜ ଉପାୟ ଅଛି–ଯେପରି ସହଜ, ସେହିପରି ଭୀଷଣ–ନରକଠୁ ଭୀଷଣ । ତୋତେ ମିଶାଇ ଚାରି–ଆଉ ତିନିଜଣ ।

 

ବିଜୟବାବୁ କଣ କହିବା ପୂର୍ବରୁ ଲୋକଟା କ୍ଷିପ୍ର ପଦରେ ଚାଲିଗଲା । ପର ମୁହୂର୍ତ୍ତରେ କାହାର ଚିତ୍କାର ଶୁଭିଲା । ଏ କଣ ? ଏ ଯେ ସ୍ତ୍ରୀ କଣ୍ଠର ଚିତ୍କାର !

 

ମୁହୂର୍ତ୍ତକ ପରେ ଲୋକଟା ପୁନରାୟ ଘର ଭିତରକୁ ଆସିଲା । କାନ୍ଧରେ ତାର କାହାର ଅଚେତନ ଦେହ ! ଲୋକଟା କାନ୍ଧରୁ ଅସାଡ଼ ଦେହଟାକୁ ତଳେ ପକାଇ ଦେଇ ବିଭତ୍ସ କଣ୍ଠରେ ହସି ଉଠିଲା ।

 

କିଛିକ୍ଷଣ ଏକ ଦୃଷ୍ଟିରେ ତାକୁ ଚାହିଁ କହିଲା ଯା, ତୁବି ଏ ଅପଦାର୍ଥ ସହିତ ମାଟିରେ ମିଶିବୁ ଆଜି ଏ କବର ଭିତରେ ।

 

ବିଜୟବାବୁ ବିସ୍ମିତ ଦୃଷ୍ଟିରେ ଚାହିଁ ରହିଲେ ତଳେପଡ଼ିଥିବା ରମଣୀଟି ଆଡ଼େ । ଏକି ରହସ୍ୟ ! ଏ ରମଣୀ କିଏ ? ସେ ଏ ପିଶାଚ କବଳରେ କିପରି ପଡ଼ିଲା ?

 

ତାଙ୍କର ଚିନ୍ତାସୂତ୍ର ଛିନ୍ନ କରି ଲୋକଟା କହିଲା–ଏ କିଏ ଜାଣୁ ବିଜୟ ? ଇୟେ ହେଉଛି କଣ୍ଟା-ଭାରି ବିଷାକ୍ତ । ଆଜି ସେ ମୋ ବାଟରୁ ସଫା ହେବ । ତାକୁ ତୋ ପାଖକୁ କାହିଁକି ଆଣିଛି ଜାଣୁ ? ତୋରି ଉପକାର ପାଇଁ ତୁ ଟିକେ ଆରାମରେ ମରି ପାରିବୁ ବୋଲି । ମୃତ୍ୟୁ ଯେତେବେଳେ ତୋ ପାଖକୁ ଧାଇଁ ଆସିବ, ସେତେବେଳେ ଏହାର କଅଁଳ ମୁହଁ ଦେଖିଲେ ସବୁ ଯାତନା ଭୁଲିଯିବୁ–ଆରାମରେ ତୋର ଆଉ ତାର ଶେଷ ନିଶ୍ୱାସ ମିଳାଇ ଯିବ ଏହି କବର ଭିତରେ । କି ମଜ୍ଜା ! ହାଃ-ହାଃ-ହାଃ–

 

ଲୋକଟା ଉନ୍ମାଦପରି ହସି ହସି ସଶବ୍ଦରେ କବାଟ ବନ୍ଦ କରି ଚାଲିଗଲା ।

 

ବିଜୟବାବୁ ସ୍ତବ୍‌ଧ ଭାବରେ ଚାହିଁ ରହିଲେ ତା’ର ଯିବା ପଥକୁ ।

 

ଲୋକଟା ଲଣ୍ଠନଟା ଛାଡ଼ିଦେଇ ଯାଇଥାଏ । ତାହାରି ଅସ୍ପଷ୍ଟ ଆଲୋକ ରମଣୀ ମୁହଁରେ ପଡ଼ିଛି । ରମଣୀଟି ଅସାମାନ୍ୟା ସୁନ୍ଦରୀ–ଯଉବନ ଭରା ଦେହରେ ରୂପର ଢେଉ ଖେଳୁଛି-

 

ବିଜୟବାବୁ ଏକଦୃଷ୍ଟିରେ ଚାହିଁ ରହିଲେ । କିଛିକ୍ଷଣ ପରେ ଯୁବତୀଟି ଅବଶ ଆଖିପତା ମେଲି ଚାହିଁଲା । ସମ୍ମୁଖରେ ବିଜୟବାବୁଙ୍କୁ ଦେଖିବା ମାତ୍ରେ ଭୟରେ ଚିତ୍କାର କରି ଉଠିଲା ।

 

ଯୁବତୀଟି ଅପଲକ ନେତ୍ରରେ ତାଙ୍କୁ ଚାହିଁ ରହିଲା ।

 

–ତୁମକୁ ଏମାନେ କାହିଁକି ବନ୍ଦୀ କରିଛନ୍ତି–

 

–ମୁଁ ଜାଣେ ନାହିଁ–ଯୁବତୀଟି ଅସ୍ପଷ୍ଟ କଣ୍ଠରେ କହିଲା ।

 

ବିଜୟବାବୁ କଣ କହିବାକୁ ଯାଉଛନ୍ତି, ଏହି ସମୟରେ ଘର ଭିତରରେ ଗୋଟାଏ ସୁ ସୁ ଗର୍ଜନ ଶୁଣି ଚକିତ ହୋଇ ଫେରି ଚାହିଁଲେ । ପ୍ରଥମେ ଶବ୍ଦଟା କୁଆଡ଼ୁ ଆସୁଛି ବୁଝି ପାରିଲେ ନାହିଁ-। କିନ୍ତୁ ପରକ୍ଷଣରେ ବୁଝି ପାରିଲେ ।

 

ତାଙ୍କଠାରୁ କିଛିଦୂରରେ କାନ୍ଥ ଦେହରେ ଗୋଟାଏ ଗର୍ତ୍ତ–ଗର୍ତ୍ତ ଆଗରେ ଲୁହାର ଜାଲି । ଶବ୍ଦଟା ତାହାରି ଭିତରୁ ଆସୁଥିବାର ଅନୁମାନ କଲେ । ଶବ୍ଦଟା କଣ ପ୍ରଥମେ ଠିକ୍‌ କରି ପାରିଲେ ନାହିଁ । କିନ୍ତୁ ପରକ୍ଷଣରେ ଜାଲି ଆରପଟେ କଣ ଦେଖି ତାଙ୍କ ଅନ୍ତରାତ୍ମା ଥରି ଉଠିଲା । ରକ୍ତ ତାଙ୍କର ହିମ ହୋଇଗଲା । ହତ୍ୟାକାରୀର ଭୀଷଣ ଜଘନ୍ୟ ମୃତ୍ୟୁ-ଷଡ଼ଯନ୍ତ୍ର ଏତେବେଳେ ବୁଝିପାରିଲେ ।

 

ଭୟଚକିତ ଦୃଷ୍ଟିରେ ଦେଖିଲେ ଜାଲି ଆରପଟେ ଗୋଟାର ବିଷାକ୍ତ ସର୍ପ ଫଣା ଟେକି ଗର୍ଜନ କରୁଛି । ମନୁଷ୍ୟ ଗନ୍ଧ ପାଇ ଦଂଶନ କରିବାକୁ ଛଟପଟ ହେଉଛି ।

 

ଓଃ କି ଶୋଚନୀୟ ମୃତ୍ୟୁ ! ଲଣ୍ଠନ ଆଲୁଅ ପଡ଼ି ସାପ ଦେହଟା ଚକ୍‌ଚକ୍‌ କରି ଉଠିଲା-

 

ରକ୍ଷା ପାଇବାର ଉପାୟ ନାହିଁ । ନୀରବରେ ବିଜୟବାବୁ ନିଜର ଓ ଜଣେ ଅଜଣା ଯୁବତୀର ଶୋଚନୀୟ ମୃତ୍ୟୁର ଅପେକ୍ଷା କରିବାକୁ ଲାଗିଲେ ।

 

ହଠାତ୍‌ ଖଟ୍‌କରି ଗୋଟାଏ ଶବ୍ଦ ହେଲା । ବିଜୟବାବୁ ଚମକି ପଡ଼ି ଦେଖିଲେ ଗର୍ତ୍ତ ମୁହଁରେ ଥିବା ଲୁହାର କବାଟଟା ଧୀରେ ଧୀରେ ଉପରକୁ ଉଠି ଯାଉଛି ।

 

ବିଜୟବାବୁ ଭୀତିପୂର୍ଣ୍ଣ ନୟନରେ ଚାହିଁ ରହିଲେ–ମୁହଁ ତାଙ୍କର ଭୟରେ କଳା ପଡ଼ିଯାଇଛି ।

 

ସାପଟା କିଛିକ୍ଷଣ ନୀରବରେ ପଡ଼ିରହିଲା । ତା’ ପରେ ବିଜୟବାବୁଙ୍କୁ ଲକ୍ଷ୍ୟ କରି ବିଜୁଳି ବେଗରେ ଧାଇଁ ଆସିଲା ସୁ ସୁ ଗର୍ଜନ କରି ।

 

ବିଜୟବାବୁଙ୍କ ଦେହର ସ୍ପନ୍ଦନ ବନ୍ଦ ହୋଇଗଲା । ଏ ଯେ ଜୀବନ୍ତ ମୃତ୍ୟୁ ଧାଇଁ ଆସୁଛି–ମୁହଁରେ ତା’ର ଧ୍ୱଂସର ଡାକ । ନୀରବରେ ମୃତ୍ୟୁବରଣ କରିବା ଛଡ଼ା ଆଉ ଉପାୟ କଣ ? କିଏ ଅଛି ରକ୍ଷା କରିବ ।

 

ସର୍ପଟା ବିଜୁଳି ବେଗରେ ଆସି ତାଙ୍କ ମୁହଁ ପାଖରେ ଅଟକି ଗଲା । ଏତେବେଳେ ତା’ ଉପରେ ଯୁବତୀଟିର ଦୃଷ୍ଟି ପଡ଼ିଲା । ସେ ଭୟରେ ଗୋଟାଏ ବୁକୁଫଟା ଚିତ୍କାର କରି ମୂର୍ଚ୍ଛିତ ହୋଇ ପଡ଼ିଲା ।

 

ବିଜୟବାବୁ ଏକ ଦୃଷ୍ଟିରେ ଚାହିଁଛନ୍ତି ସର୍ପର ଉଦ୍ରିକ୍ତ ଫାଶକୁ । ମୁହଁରେ ତାଙ୍କର ମୃତ୍ୟୁ ଛାୟା...... । ଅସହାୟ ଭାବରେ ପଡ଼ିଛନ୍ତି ମୃତ୍ୟୁ ସମ୍ମୁଖରେ–ବାଧା ଦେବାର ଶକ୍ତି ନାହିଁ ।

 

ସର୍ପଟା କ୍ଷଣେ ସ୍ଥିର ରହି ତାଙ୍କର ମସ୍ତକ ଲକ୍ଷ୍ୟ କରି ଫଣା ଟେକିଲା–ମୁହଁରେ ସୁସୁ ପ୍ରାଣଥରା ଗର୍ଜନ । ତା’ର ବିଷାକ୍ତ ନିଶ୍ୱାସ ବାଜି ରକ୍ତ ତାଙ୍କର ହିମ ହୋଇଗଲା । ଆଉ ମୁହୂର୍ତ୍ତେ...ସର୍ପର ଉଦ୍ରିକ୍ତ ଫଣା ପଡ଼ିବା ଉପର... । ବିଜୟବାବୁ ଚକ୍ଷୁ ମୁଦ୍ରିତ କଲେ ।

 

ପରକ୍ଷଣରେ ଜଣାଗଲା କକ୍ଷଟିର ବନ୍ଦ ଦରଜା ଖୋଲି କିଏ ପ୍ରବେଶ କଲା । ହତ୍ୟାକାରୀ ? ଆସିଛ ମୃତ୍ୟୁ ସହିତ ତାଙ୍କର ଲଢ଼ାଇ ଦେଖିବା ପାଇଁ ? ଆଖି ଫିଟାଇ ଚାହିଁବାର ଶକ୍ତି ନ ଥାଏ ।

 

ସଙ୍ଗେ ସଙ୍ଗେ ପିସ୍ତଲର ଗୁରୁ ଗମ୍ଭୀର ଶବ୍ଦରେ କକ୍ଷଟା କମ୍ପି ଉଠିଲା । ବିଜୟବାବୁ ଚମକିତ ହୋଇ ବିସ୍ମିତ ଭାବରେ ଚାହିଁଲେ ଦେଖିଲେ ଶବ୍ଦ ସଙ୍ଗେ, ସଙ୍ଗେ ସର୍ପର ଉଦ୍ରିକ୍ତ ଫଣାଟା ତଳେ ଲୋଟି ପଡ଼ିଲା । ଚାହିଁ ଦେଖିଲେ ଗୁଳି ଆଘାତରେ ସର୍ପର ମସ୍ତକଟା ଚୂର୍ଣ୍ଣ ହୋଇଯାଇଛି । ଅସାଡ଼ ଦେହଟା ପଡ଼ିଛି ଚଟାଣ ଉପରେ ।

 

–ଆଠ–

 

ରାତି ଦଶଟା । ଜନଶୂନ୍ୟ ମେନ୍‌ରୋଡ଼ରେ ଗୋଟିଏ ଟାକ୍‌ସି ଆସି ନିକଟରେ ଗୋଟାଏ ହଳଦିଆ ରଙ୍ଗର କୋଠା ସାମନାରେ ଛିଡ଼ା ହେଲା । ଶବ୍ଦ ଶୁଣି ଜଣେ ଲୋକ ଗେଟ୍‌ଫିଟାଇ ଟାକ୍‌ସିଟାକୁ ଥରେ ତୀକ୍ଷଣ ଦୃଷ୍ଟିରେ ଚାହିଁ ଚାଲିଗଲା ।

 

କିଛିକ୍ଷଣ ପରେ ପୁଣି ଗେଟ୍‌ ଖୋଲିବା ଶବ୍ଦ ହେଲା । ପରମୁହୂର୍ତ୍ତରେ ଜଣେ ଲୋକ ଦ୍ରୁତପଦରେ ଆସି ଟାକ୍‌ସି ନିକଟରେ ଛିଡ଼ା ହେଲା । କାନ୍ଧରେ ତା’ର ଜଣେ ଲୋକର ଅଚେତନ ଦେହ ।

 

ଲୋକଟା କ୍ଷିପ୍ର ହସ୍ତରେ କାନ୍ଧରେ ଆଣିଥିବା ଅଚେତନ ଲୋକଟିକୁ ଟାକ୍‌ସି ଭିତରେ ଖୋଇ ଦେଇ ଡ୍ରାଇଭର ପାଖକୁ ଆସିଲା ।

 

ଚାରିଆଡ଼କୁ ଚାହିଁ ମୃଦୁ ସ୍ୱରରେ ଡ୍ରାଇଭରକୁ କହିଲା–ରହେମନ୍‌ ! ତୁମ୍‌କୋ ଆଜ ମୋଟା ବକସିସ୍‌ ମିଲେଗା । ଲେକିନ୍‌ ଜେରା ରାସ୍ତାମେ ଡେର୍‌ ହୋଗା । ରାଜୀ ହୈ ?

 

–ଜୀ ହଜୁର ! ଉସମେ କୋଇ ହରଜ୍‌ ନେହିଁ । ଆପ୍‌କେ-ଲିୟେ ସୁବେ ତଲକ୍‌ରାହ ଦେଖ୍‌ନୋକୋ ତୟାର ହୁ ।

 

–ନେହିଁ, ନେହିଁ, ଏତେନା ଡେର ହୋଗା ନେହିଁ । ସିରଫ୍‌ଆଧେ ଘଣ୍ଟାକା ଅନ୍ଦର ସବ୍‌କୁଛ ଖତମ୍‌ହୋ ଜାଏଗା । ଚଲୋ–ଫୁର୍ତ୍ତି ସେ ଗାଡ଼ି ଚଲାଓ–

 

ଲୋକଟା ପଛ ସିଟ୍‌ରେ ବସି ପଡ଼ିଲା ।

ଟାକ୍‌ସି ଜନଶୂନ୍ୟ ରାସ୍ତାରେ ଅନ୍ଧାର ଭେଦକରି ତୀର ବେଗରେ ଛୁଟି ଚାଲିଲା । ପ୍ରାୟ ପନ୍ଦର ମିନିଟ ପରେ ମେନ୍‌ରୋଡ଼ର ଶେଷ ସୀମାରେ ଟାକ୍‌ସି ପହଞ୍ଚିଲା ।

ଆଗରେ ଜଙ୍ଗଲ–ତା’ରି ଭିତରେ ଦେଇ ସରୁ ରାସ୍ତା । ସେଇ ରାସ୍ତାରେ ଟାକ୍‌ସି କିଛିଦୂର ଆସିବାପରେ ଭିତରୁ କର୍କଶ କଣ୍ଠରେ ଶୁଭିଲା–ଠୈରୋ ! ଟାକ୍‌ସି ଛିଡ଼ା ହେଲା ।

ଲୋକଟା ଟାକ୍‌ସିରୁ ଓହ୍ଳାଇ ପଡ଼ି ଅଚେତନ ଦେହଟାକୁ କାନ୍ଧରେ ବୋହି ନେଲା ।

ଡ୍ରାଇଭର ନିକଟକୁ ଯାଇ କହିଲା–ହଁପରା ଠୈର୍‌ନା–ଗାଡ଼ି ଛୋଡ଼କେ ମତ ଜାନା । ହାମ୍‌ଅବ୍‌ଭି ଆଏଗା ।

ଲୋକଟା ଅଚେତନା ଦେହଟାକୁ କାନ୍ଧରେ ବୋହି ଜଙ୍ଗଲରେ ଅଦୃଶ୍ୟ ହୋଇଗଲା ।

କିଛିକ୍ଷଣ ଅପେକ୍ଷା କରିବା ପରେ ଟାକ୍‌ସି ଡ୍ରାଇଭର ଚାରିଆଡ଼କୁ ସତର୍କ ଭାବରେ ଚାହିଁ ଓହ୍ଳାଇ ପଡ଼ିଲା । ପକେଟରୁ ପିସ୍ତଲ ବାହାର କରି ହାତରେ ଧରି ଲୋକଟି ଯେଉଁ ଦିଗକୁ ଯାଇଛି, ସେହି ଦିଗକୁ ଯାଇ ଜଙ୍ଗଲରେ ଅଦୃଶ୍ୟ ହୋଇଗଲା ।

ଟାକ୍‌ସି ଡ୍ରାଇଭର ଆଉ କେହି ନୁହେଁ–ସ୍ୱୟଂ ଗୋପାଳ ବାବୁ ! ପୂର୍ବ ଠିକାଦାର ଡ୍ରାଇଭରକୁ ଅର୍ଥରେ ବଶକରି ତାହାରି ଛଦ୍ମ ବେଶରେ ଆସିଛନ୍ତି ।

କିଛିଦୂର ଜଙ୍ଗଲରେ ଆସିବା ପରେ, ଦେଖିଲେ ଆଉ ଗୋଟାଏ କ୍ଷୁଦ୍ର ରାସ୍ତାଦେଇ ଯିବାକୁ ଲାଗିଲେ ।

ତାଙ୍କ ମନ ନାନା ଭାବନାରେ ଆନ୍ଦୋଳିତ ହେଉଥାଏ । ଭାବୁଥାନ୍ତି, ଲୋକଟା କାହାର ଅଚେତନ ଦେହକୁ ବୋହିଆଣିଛି । ତାହାର ଉଦ୍ଦେଶ୍ୟ କଣ ? ନିଶ୍ଚୟ କିଛି ନା କିଛି ଗୋଟାଏ ଅଶୁଭ ଘଟଣା ଘଟିବ, ସେ କଥା ଲୋକଟିର ବିଚଳିତ ଭାବରୁ ସ୍ପଷ୍ଟ ଅନୁମାନ କଲେ । ଭାବିଲେ, ଲୋକଟାକୁ ଯେ କୌଣସି ମତେ ନରପିଶାଚ ହାତରୁ ରକ୍ଷା କରିବାକୁ ହେବ । ସେ ଅଧିକ ଦ୍ରୁତ ବେଗରେ ଚାଲିବାକୁ ଲାଗିଲେ ।

କିଛିଦୂର ଆସିବାପରେ ନିକଟରେ ଗୋଟାଏ ଭଗ୍ନ ଅଟ୍ଟାଳିକା ଦେଖି ଛିଡ଼ାହେଲେ । ଦେଖିଲେ ତଳେ ଗୋଟାଏ କକ୍ଷ ଭିତରୁ ମୃଦୁ ଆଲୋକ ରେଖା ଦରଜା ଫାଙ୍କବାଟେ ଦିଶୁଛି ।

ସେ କାଳବିଳମ୍ବ ନ କରି କକ୍ଷଟିର ପଛରେ ଥିବା ଗୋଟାଏ ଝରକା ପାଖରେ ରୁଦ୍ଧ ନିଶ୍ୱାସରେ ଛିଡ଼ାହେଲେ ।

ଭିତରୁ ଲୋକଟାର କ୍ରୁଦ୍ଧ କଣ୍ଠସ୍ୱର ଶୁଭୁଛି । ଗୋପାଳବାବୁ କୌତୁହଳୀ ହୋଇ ସତର୍କ ଭାବରେ ଝରକା ଦରଆଉଜା କରି ଭିତରକୁ ଚାହିଁଲେ ।

ଚାହିଁ ଦେଖିଲେ ମୂର୍ଚ୍ଛିତ ହୋଇଥିବା ଲୋକଟି ତଳେ ଦୃଢ଼ରୂପେ ବନ୍ଧାହୋଇ ପଡ଼ିଛି । ଲୋକଟିର ଚେତନା ହେଲାଣି ସେ ଅବଶ ଆଖିରେ ଏକ ଦୃଷ୍ଟିରେ ଚାହିଁ ରହିଛି ତା’ ପାଖରେ ପିସ୍ତଲ ହାତରେ ଛିଡ଼ା ହୋଇଥିବା ଆତତାୟୀ ମୁହଁକୁ ।

 

ଲୋକଟା ପିସ୍ତଲ ଉଞ୍ଚାଇ କଠୋର କଣ୍ଠରେ କହିଲା–ନରେନ୍ଦ୍ରଦେବ ! ବର୍ତ୍ତମାନ ମଧ୍ୟ ସମୟ ଅଛି–ଶୀଘ୍ର କହ ସୁନ୍ଦର ବନରୁ ଯେଉଁ ଅସଂଖ୍ୟ ସୁନା, ହୀରା, ମୋତି ଆଣିଥିଲୁ, ସେ ସବୁ କେଉଁଠି ରଖିଛୁ । ସିନ୍ଦୁକ ଖୋଲିବାର ଗୁପ୍ତ ସଙ୍କେତଟା ମଧ୍ୟ କହିବାକୁ ପଡ଼ିବ । ଶୀଘ୍ର–ଡେରି କଲେ କିଛି ଫଳ ନାହିଁ ।

 

‘ନରେନ୍ଦ୍ରଦେବ !’ ଗୋପାଳବାବୁ ଚମକି ପଡ଼ିଲେ । ନରେନ୍ଦ୍ର ଦେବ ଜୀବିତ ! ଯେଉଁ ଲୋକର ଜୀବନ ଏତେଗୁଡ଼ାଏ ରହସ୍ୟ ଜାଲରେ ଛନ୍ଦା–ସେ ଆଜି ତାଙ୍କ ସମ୍ମୁଖରେ ! ଗୋପାଳବାବୁ ବିସ୍ମିତ ନୟନରେ ନରେନ୍ଦ୍ର ଦେବଙ୍କ ତେଜୋଦୀପ୍ତ ମୁଖକୁ ଚାହିଁ ରହିଲେ ।

 

ନରେନ୍ଦ୍ର ଦେବ ଗମ୍ଭୀର ଭାବରେ କହିଲେ–ଭୟ ଦେଖାଇ କାହାଠାରୁ କଥା ଆଦାୟ କରିବାକୁ ବାହାରିଛୁ, ଆଜିଯାଏ ଚିହ୍ନି ପାରିଲ ନାହିଁ ?

 

ଲୋକଟା ବିକଟ ସ୍ୱରରେ ହସି ଉଠି ବିଦ୍ରୂପ କଣ୍ଠରେ କହିଲା–ଚିହ୍ନେ ବନ୍ଧୁ ! ଭଲରୂପେ ଚିହ୍ନେ । ତୋପରି ଲମ୍ପଟ, ବିଶ୍ୱାସଘାତକକୁ କିଏ ନ ଚିହ୍ନେ ? ତୁ ଯେଉଁ ପ୍ରତାରଣା କରିଛୁ ତୋତେ ଜୀଅନ୍ତା କବର ଦେଲେବି’ ପାପ ନାହିଁ ।

 

ଲୋକଟାର କଥା ଶୁଣି ନରେନ୍ଦ୍ରଦେବଙ୍କ ମୁହଁ ରାଗରେ, ଘୃଣାରେ ନାଲ ହୋଇଉଠିଲା-

 

ଲୋକଟା ତାଙ୍କୁ ନୀରବ ଦେଖି ଗର୍ଜି ଉଠି କହିଲା–ପାଞ୍ଚମିନିଟ ସମୟ ଦେଲି ଶୀଘ୍ର ଜବାବ ଦେ । ନୋହିଲେ ତିଳ ତିଳ ହୋଇ ବିଷ ଜ୍ୱାଳାରେ ମରିବାକୁ ପଡ଼ିବ । ଯାହାପାଇଁ ଦମ୍ଭଧରି କଥା କହୁଛୁ, ସେ ଏତେବେଳକୁ ବୋଧହୁଏ ଆରପାରିକୁ ଚାଲିଯାଇ ତୋ ବାଟଚାହିଁ ବସିଥିବ । ହରନାଥ ଘରେ ଗୁପ୍ତରେ ରଖିଥିଲୁ–ନା ? ଆମ ସଙ୍ଗେ ଚାଲାଖି !

 

ମିଥ୍ୟା କଥା–ନରେନ୍ଦ୍ରଦେବ କ୍ରୁଦ୍ଧ ହୋଇ କହିଲେ ।

 

ମିଥ୍ୟା କଥା ? ତୋର କଳ୍ପନା ମିଥ୍ୟା ଆମେ କଥାର ମଣିଷ ନହୁଁ–କାମର ମଣିଷ ।

 

ଲୋକଟାର କଥା ଶୁଣି ନରେନ୍ଦ୍ରଦେବଙ୍କ ମୁହଁ ବିବର୍ଣ୍ଣ ହୋଇଉଠିଲା ।

 

ତାଙ୍କର ମୁହଁର ଭାବ ଲକ୍ଷ୍ୟକରି ଲୋକଟା ମୃଦୁହସି କହିଲା–ରାଜି ଅଛୁ ?

 

–ନା–ଜୀବନ ଗଲେ ସୁଦ୍ଧା ସେ ବିଷୟରେ ମୋ ମୁହଁରୁ ପଦେ କଥା ବାହାରିବ ନାହିଁ-। ନରେନ୍ଦ୍ରଦେବ ଗମ୍ଭୀର କଣ୍ଠରେ କହିଲେ ।

 

ରାଗରେ ଲୋକଟାର ମୁହଁ ଜଳି ଉଠିଲା । କଠୋରକଣ୍ଠରେ କହିଲା–ବହୁତ ଆଚ୍ଛା ! ତୋର ଭାଗ୍ୟଲିପି ଅନ୍ୟ ପ୍ରକାର । ଯେତେ ସହଜରେ ମୃତ୍ୟୁକୋଳକୁ ଯିବୁ ବୋଲି ଭାବିଛୁ, ମୃତ୍ୟୁ ସେତେ ଚଞ୍ଚଳ ତା’ କୋଳକୁ ତତେ ଟାଣି ନେବ ନାହିଁ । ତୁ ମରିବୁ ତିଳ ତିଳ ହୋଇ–ବିଷଜ୍ୱାଳାରେ ଘାରି ହୋଇ ।

 

ଲୋକଟା ହଠାତ୍‌ ଦରଜା ବନ୍ଦକରି ଚାଲିଗଲା । ଗୋପାଳବାବୁ କଣ କରିବେ ଭାବୁଛନ୍ତି, ଏହି ସମୟରେ ସୁ ସୁ ଶବ୍ଦ ଶୁଣି ଚକିତ ହୋଇ ଚାହିଁଲେ ଭୟ । ଚକିତ ହୋଇ ଦେଖିଲେ କକ୍ଷର କୋଣରୁ ଗୋଟାଏ ବିଷାକ୍ତ ସର୍ପ ଫଣା ଉଦ୍ୟତ କରି ନରେନ୍ଦ୍ର ଦେବଙ୍କୁ ଲକ୍ଷ୍ୟ କରି ଧାଇଁ ଆସୁଛି ।

 

ସମ୍ମୁଖରେ ସର୍ପ ଦେଖି ନରେନ୍ଦ୍ର ଦେବ ଭୟରେ ଚିତ୍କାର କରି ଉଠିଲେ । ପରକ୍ଷଣରେ ସେ ମୂର୍ଚ୍ଛିତ ହୋଇପଡ଼ିଲେ ।

 

ସର୍ପଟା ତାଙ୍କର ମସ୍ତକ ଲକ୍ଷ୍ୟ କରି ଫଣା ଟେକିଲା । ଆଉ ମୁହୂର୍ତ୍ତେ..... । ପରମୁହୂର୍ତ୍ତରେ ଗୋପାଳବାବୁଙ୍କ ହସ୍ତରେ ପିସ୍ତଲ ଗର୍ଜି ଉଠିଲା । ସଙ୍ଗେ ସଙ୍ଗେ ସର୍ପଟା ନିସ୍ତେଜ ଭାବରେ ତଳେ ଲୋଟି ପଡ଼ିଲା ।

 

ଆଉ କ୍ଷଣମାତ୍ରବିଳମ୍ବ ନ କରି ଗୋପାଳବାବୁ ଝରକାବାଟେ କକ୍ଷ ଭିତରକୁ ଡେଇଁ ପଡ଼ିଲେ । ନିକଟକୁ ଯାଇ ପକେଟରୁ ଛୁରୀ ବାହାର କରି କ୍ଷିପ୍ର ହସ୍ତରେ ନରେନ୍ଦ୍ର ଦେବଙ୍କ ହସ୍ତପଦର ବନ୍ଧନ କାଟି ପକାଇଲେ ।

 

ଭାବିବାର ସମୟ ନାହିଁ । ଟାକ୍‌ସି ଡ୍ରାଇଭର ଶୂନ୍ୟ ଦେଖି ଆଉ ତାଙ୍କର ପିସ୍ତଲ ଶବ୍ଦ ଶୁଣି ଲୋକଟାର ମନରେ ନିଶ୍ଚୟ ସନ୍ଦେହ ହୋଇଥିବ । ପରକ୍ଷଣରେ ତାଙ୍କର ଅନୁମାନ ସତ୍ୟ ହେଲା–ବାହାରେ ତାହାର ଦ୍ରୁତ ପଦଶବ୍ଦ ଶୁଭିଲା ।

 

ଗୋପାଳବାବୁ କ୍ଷଣମାତ୍ର ବିଳମ୍ବ ନ କରି ନରେନ୍ଦ୍ର ଦେବଙ୍କ ଅଚେତନ ଦେହଟା କାନ୍ଧରେ ପକାଇ ଝରକା ଡେଇଁ ପଦାକୁ ଚାଲିଆସିଲେ । ତୀକ୍ଷଣ ଦୃଷ୍ଟିରେ ଥରେ ଚାରିଆଡ଼କୁ ଚାହିଁ ଅନ୍ଧକାରମୟ ଜଙ୍ଗଲ ମଧ୍ୟ ଦେଇ ଦଉଡ଼ିବାକୁ ଲାଗିଲେ । ରାସ୍ତାର ଚିହ୍ନବର୍ଣ୍ଣ ନାହିଁ–କଣ୍ଟାବାଜି ତାଙ୍କର ଶରୀର କ୍ଷତ ବିକ୍ଷତ ହେବା ଲାଗିଲା । ସେଥିପାଇଁ ଭ୍ରୂକ୍ଷେପ ନ କରି ସେ ଏକ ନିଶ୍ୱାସରେ ଯିବାକୁ ଲାଗିଲେ ।

 

କିଛିଦୂର ଆସିବାପରେ ସେ ଗୋଟାଏ ଗଛମୂଳେ ଛିଡ଼ାହୋଇ ପଛରେ କାହାର ପଦଶବ୍ଦ ଶୁଭୁଛି କି ନାହିଁ ଶୁଣିବାକୁ ଚେଷ୍ଟା କଲେ । ଚାରିଆଡ଼େ ନିସ୍ତବ୍‌ଧ–କୌଣସି ଶବ୍ଦ ନାହିଁ । ସେ ପୁଣି ଚାଲିବାକୁ ଲାଗିଲେ ।

 

ହଠାତ୍‌ ନିକଟରେ ଗୋଟାଏ ଚିତ୍କାର ଶୁଣି ସେ ଚମକିପଡ଼ି ଛିଡ଼ା ହେଲେ, ଏ ଯେ କୌଣସି ସ୍ତ୍ରୀକଣ୍ଠର ଚିତ୍କାର ! କିଏ କାହାପ୍ରତି ଅତ୍ୟାଚାର କରୁଛି ? ଆଜି ଏ ଭୀଷଣ ଜଙ୍ଗଲରେ ଏ କି ରହସ୍ୟପୂର୍ଣ୍ଣ ଅଭିନୟ !

 

ସେ କାଳ ବିଳମ୍ବ ନକରି ଶବ୍ଦ ଲକ୍ଷ୍ୟ କରି ଦ୍ରୁତବେଗରେ ଯିବାକୁ ଲାଗିଲେ । ଲତାପତର ଉହାଡ଼ରେ ଗୋଟାଏ ଭଙ୍ଗାଘରେ କିଛି ଅଂଶ ଦେଖାଗଲା । ଶବ୍ଦଟା ତାହାରି ଭିତରୁ ଆସୁଥିବାର ଅନୁମାନ କରି କ୍ଷିପ୍ର ବେଗରେ ସେହି ଦିଗକୁ ଗଲେ ।

 

ଘର ଭିତରେ ଅନ୍ଧାର ଛମ ଛମ କରୁଛି । କେବଳ ପାଖରେ ଗୋଟାଏ ଘରେ କ୍ଷୀଣ ଆଲୁଅ ଦେଖା ଯାଉଛି ।

 

ଗୋପାଳବାବୁ କକ୍ଷଟିର ଦ୍ୱାର ଖୋଲି ଭିତରକୁ ଚାହିଁ ଯାହା ଦେଖିଲେ ତହିଁରେ ତାଙ୍କ ଦେହ ଥରି ଉଠିଲା । ଦେଖିଲେ, ଅଧା ଅନ୍ଧାର ଘର ଭିତରେ ଜଣେ ସ୍ତ୍ରୀ ଓ ଜଣେ ପୁରୁଷ ହାତ ପାଦ ବନ୍ଧା ହୋଇ ପଡ଼ିଛନ୍ତି । ଗୋଟାଏ ବିଷଧର ସର୍ପ ଫଣା ଟେକି ଲୋକଟିକୁ ଦଂଶନ କରିବାକୁ ଉଦ୍ୟତ ।

 

ଏଠାରେ ସେହି ମୃତ୍ୟୁ ଚିତ୍ର ! ଜଘନ୍ୟ ଚକ୍ରାନ୍ତ ! ସେ ମୁହୂର୍ତ୍ତେ ବିଳମ୍ବ ନକରି ସର୍ପଟାକୁ ଲକ୍ଷ୍ୟକରି ପିସ୍ତଲ ଉଠାଇଲେ । ତାଙ୍କ ହାତରେ ପିସ୍ତଲ ଗର୍ଜି ଉଠିବା ସଙ୍ଗେ ସଙ୍ଗେ ସର୍ପଟା ତଳେ ଲୋଟିପଡ଼ିଲା ।

 

ସେ ଦ୍ରୁତବେଗରେ ସେ ଦୁହିଁଙ୍କ ନିକଟକୁ ଗଲେ

 

+ + +

 

ବିଜୟବାବୁଙ୍କ କଣ୍ଠସ୍ୱର ଚିହ୍ନିପାରି ଗୋପାଳ ଚିତ୍କାର କରି ଉଠିଲେ–ବିଜୟବାବୁ ! ତୁମେ ଏଠାରେ ?

 

ସେ କ୍ଷିପ୍ର ହସ୍ତରେ ତାଙ୍କର ବନ୍ଧନ ଖୋଲିଦେଲେ । ବିସ୍ମିତ କଣ୍ଠରେ ପଚାରିଲେ–ତୁମେ ଏ ଫାନ୍ଦରେ କିପରି ପଡ଼ିଲ ବୁଝି ପାରୁନାହିଁ ।

 

ବିଜୟବାବୁ ସଂକ୍ଷେପରେ ସବୁ କହିଗଲେ । ସବୁ ଶୁଣି ଗୋପାଳବାବୁ ଗମ୍ଭୀର ଭାବରେ କହିଗଲେ–ଏ ଚକ୍ରାନ୍ତ ପଛରେ ନିଶ୍ଚୟ କିଛି ଗୁପ୍ତ ରହସ୍ୟ ହତ୍ୟାକାରୀର ଅଛି । କୌଣସି ଗୁପ୍ତ କାର୍ଯ୍ୟ ହାସଲପାଇଁ ସେ ତୁମକୁ ତା’ ବାଟରୁ ଏପରି ଭାବରେ ଅପସାରିତ କରି ନାହିଁତ ?

 

ବିଜୟବାବୁ ମନ ଚଞ୍ଚଳ ହୋଇଉଠିଲା । ସେ ଦ୍ରୁତ ଭାବରେ କଣ ଚିନ୍ତା କରିବାକୁ ଲାଗିଲେ ।

 

କିଛିକ୍ଷଣ ନୀରବ ରହି ନରେନ୍ଦ୍ର ଦେବଙ୍କୁ ଚାହିଁ କହିଲେ–ଏ ଲୋକଟି କିଏ ?

 

–ନରେନ୍ଦ୍ର ଦେବ ! –ଗୋପାଳବାବୁ କହିଲେ ।

 

–ନରେନ୍ଦ୍ରଦେବ ! ବିଜୟବାବୁଙ୍କ ମୁହଁ ଗମ୍ଭୀର ହୋଇଉଠିଲା ।

 

ଗୋପାଳବାବୁ ଯାହା ଯାହା ଘଟିଥିଲା ସବୁ କହିଗଲେ । ବିଜୟବାବୁ ନୀରବରେ ଚିନ୍ତା କରିବାକୁ ଲାଗିଲେ କିଛି କହିଲେ ନାହିଁ ।

 

ଗୋପାଳବାବୁ ଯୁବତୀକୁ ଲକ୍ଷ୍ୟକରି କହିଲେ–ଏ କିଏ ବିଜୟବାବୁ ?–ବର୍ତ୍ତମାନ ସୁଦ୍ଧା ଜାଣି ପାରିନାହିଁ ।

 

ଗୋପାଳବାବୁ ଏକ ଦୃଷ୍ଟିରେ ଯୁବତୀଟିକୁ ଚାହିଁ ରହିଲେ ।

 

କିଛିକ୍ଷଣ ପରେ ଯୁବତୀଟି ଆଖି ମେଲି ଚାହିଁଲା । ନରେନ୍ଦ୍ରଦେବଙ୍କ ମୂର୍ଚ୍ଛା ଭାବଟା ମଧ୍ୟ ଅପସାରିତ ହୋଇଯାଇଥାଏ ।

 

ଚାରିଆଡ଼କୁ ଭୟଚକିତ ଦୃଷ୍ଟିରେ ଥରେ ଚାହିଁ ଯୁବତୀଟି ଉଠି ବସିଲା । ଏହି ସମୟରେ ହଠାତ୍‌ ତା’ ଦୃଷ୍ଟି ନରେନ୍ଦ୍ର ଦେବଙ୍କ ଉପରେ ପଡ଼ିଲା । ଗୋଟାଏ ଅସ୍ଫୁଟ ଚିତ୍କାର କରି ଯୁବତୀଟି ଦୃଢ଼ ଭାବରେ ଆଲିଙ୍ଗନ କରି ଲୋତକଭରା ଆଖିରେ ଥରା କଣ୍ଠରେ ଡାକିଲା–ବାବା ! ବାବା ! ତୁମେ ଏଠାରେ ? ମୁଁ କଣ ସ୍ୱପ୍ନ ଦେଖୁଛି ।

 

ନରେନ୍ଦ୍ର ଦେବ ଆବେଗରେ ଯୁବତୀଟିକୁ କୋଳକୁ ଟାଣିନେଇ ଅଶ୍ରୁଭରା କଣ୍ଠରେ କହିଲେ–ମା ପ୍ରେମ ! ମୁଁ ଯେ ତୋ ପାଖରେ ! ତୋତେ ଏ ଜୀବନରେ କୋଳକୁ ନେବି ବୋଲି ମୋ ଆଶା ନଥିଲା ।

 

ଏ ବିସ୍ମୟକର ଦୃଶ୍ୟ ଦେଖି ବିଜୟବାବୁ ଓ ଗୋପାଳବାବୁ ମୂକ ପାଲଟି ଗଲେ । ସେମାନେ ନିର୍ବାକ ଭାବରେ ଚାହିଁ ରହିଲେ ସେ ଦୁହିଁଙ୍କ ଆଡ଼େ ।

 

ପ୍ରେମଲତା ! ଯେଉଁ ରହସ୍ୟମୟ ରମଣୀ ସହିତ କିଶୋର ବାବୁଙ୍କ ଜୀବନ ଜଡ଼ିତ ସେ ନରେନ୍ଦ୍ର ଦେବଙ୍କ କନ୍ୟା ଆଉ ତାଙ୍କର ଭଗ୍ନୀ ! ଏତେ ସ୍ୱପ୍ନାତୀତ ଘଟଣା । ତେବେ ନିଜ କନ୍ୟାକୁ ଏପରି ଗୁପ୍ତ ଭାବରେ ରଖିବାର କାରଣ କଣ ? ଏପରି କି କିଶୋରଦେବଙ୍କ ସ୍ତ୍ରୀ ପର୍ଯ୍ୟନ୍ତ ତାହାର ପରିଚୟ ଜାଣନ୍ତି ନାହିଁ । ଏହା ମଧ୍ୟରେ କି ରହସ୍ୟ ଅଛି ?

 

ହଠାତ୍‌ ବିଜୟବାବୁଙ୍କ ମୁଖ ଉଜ୍ଜ୍ୱଳ ହୋଇଉଠିଲା । ଏତେବେଳେ ସେ ସବୁ ରହସ୍ୟର କାରଣ ବୁଝି ପାରିଲେ । ଯେଉଁ କାଗଜଟି ହସ୍ତଗତ କରିବାପାଇଁ ଏତେଗୁଡ଼ାଏ ହତ୍ୟାଲୀଳା ଘଟିଲା-। ସେଥିରେ କଣ ଲେଖା ଅଛି, ବର୍ତ୍ତମାନ ବୁଝିପାରିଲେ ।

 

କିନ୍ତୁ କଣ ଗୋଟାଏ ବିଷୟ ଭାବି ହଠାତ୍‌ ତାଙ୍କର ମୁଖ ଗମ୍ଭୀର ହୋଇଉଠିଲା । ସେ ଅସ୍ଥିର ଭାବରେ ଉଠି ଛିଡ଼ା ହେଲେ । ଗୋପାଳବାବୁଙ୍କୁ ଲକ୍ଷ୍ୟକରି କହିଲେ–ଶୀଘ୍ର ଆସ ଗୋପାଳ ବାବୁ ! ଆଉ ମୁହୂର୍ତ୍ତେ ବିଳମ୍ବ କଲେ ଆମର ଏତେ ଦିନର ତପସ୍ୟା ବ୍ୟର୍ଥ ହେବ । ଓଃ କି ଭୁଲ ! ଏତେବେଳ ପର୍ଯ୍ୟନ୍ତ ହତ୍ୟାକାରୀର ଚାଲାକି ଧରି ପାରିଲି ନାହିଁ ।

 

ଗୋପାଳବାବୁ କିଛି ବୁଝି ନ ପାରି ଉଠି ଛିଡ଼ା ହେଲେ ।

 

ନରେନ୍ଦ୍ର ଦେବ ଓ ପ୍ରେମଲତାଙ୍କୁ ଚାହିଁ ବିଜୟବାବୁ ଚଞ୍ଚଳ କଣ୍ଠରେ କହିଲେ–ଶୀଘ୍ର ଆମ ସହିତ ଆସନ୍ତୁ । ତା’ ନୋହିଲେ ଆପଣଙ୍କର ସର୍ବସ୍ୱ ଚାଲିଯିବ । ଯାହାପାଇଁ ଆପଣଙ୍କୁ ଏତେ ଝଡ଼ ଝଞ୍ଜା ମଥା ପତାଇ ସହିବାକୁ ପଡ଼ିଲା ଆଉ ଆମକୁ କଲିକତାରୁ ଆସିବାକୁ ପଡ଼ିଲା ଏ ବିପଦ ଭିତରକୁ–ସେ ସବୁ ବ୍ୟର୍ଥ ହୋଇଯିବ ।

 

ବିଜୟବାବୁ ଝଡ଼ ବେଗରେ ଘରୁ ବାହାରିଗଲେ । ନରେନ୍ଦ୍ରଦେବ, ପ୍ରେମଲତା ଆଉ ଗୋପାଳବାବୁ ହଠାତ୍‌ ତାଙ୍କର ଏ ଚାଞ୍ଚଲ୍ୟର କାରଣ ବୁଝି ନ ପାରି ବିସ୍ମିତ ଭାବରେ ତାଙ୍କର ଅନୁସରଣ କଲେ ।

 

ପଥ ଜନଶୂନ୍ୟ । ଅନ୍ଧାର ଦେହରେ ମିଶି ଚାରିଜଣ ଦ୍ରୁତ ପଦରେ ଯିବାକୁ ଲାଗିଲେ ।

 

ମେନ୍‌ରୋଡ଼ କଡ଼ରେ ଗୋଟାଏ ଏକମହାଲା କୋଠା ଆଗରେ ଛିଡ଼ା ହୋଇ ବିଜୟବାବୁ ସାଙ୍କେତିକ ଘଣ୍ଟା ବଜାଇଲେ ।

 

କ୍ଷଣକପରେ ଜଣେ ଲୋକ କବାଟ ଖୋଲି ନିଦ ବାଉଳାରେ ବିରକ୍ତି-ମିଶା କଣ୍ଠରେ କହିଲା–କିଏ ? କାହାକୁ ଖୋଜୁଛନ୍ତି ?

 

ବିଜୟବାବୁ ନିଜର ନାମାଙ୍କିତ କାର୍ଡ଼ ବଢ଼ାଇ ଦେଇ କହିଲେ–ଜୀବନବାବୁଙ୍କୁ ଶୀଘ୍ର ଡାକି ଦେ ।

 

ଭୃତ୍ୟ କାର୍ଡ଼ ନେଇ ଚାଲିଗଲା ।

 

ଜୀବନବାବୁ ସ୍ଥାନୀୟ ଥାନାର ଇନ୍‌ସପେକ୍ଟର । କାର୍ଯ୍ୟୋପଲକ୍ଷେ କଲିକତାରେ ତାଙ୍କ ସହିତ ଆଳାପ ହୋଇଥିଲା ।

 

ପରକ୍ଷଣରେ ଜୀବନବାବୁ ହାସ୍ୟମୁଖରେ ଆସି ବିଜୟବାବୁଙ୍କୁ ଅଭିବାଦନ କରି କହିଲେ–ହ୍ୟାଲୋ ବିଜୟବାବୁ ! ଏତେ ରାତିରେ–

 

–ସେ କଥା ପରେ ବୁଝିବେ–ଆପଣଙ୍କ ଉପରେ ଦୁଇଜଣଙ୍କ ଭାର ଦେଉଛି । ମୁଁ ଫେରିବା ପର୍ଯ୍ୟନ୍ତ ସେମାନେ ଯେପରି ନିରାପଦରେ ରହିବେ ତାହାର ବ୍ୟବସ୍ଥା କରିବେ ।

 

ତା’ପରେ ନରେନ୍ଦ୍ରଦେବ ଓ ପ୍ରେମଲତାକୁ ଚାହିଁ କହିଲେ–ଆପଣ ନିର୍ଭୟରେ ଏ ବାବୁଙ୍କ ଘରେ ଘଣ୍ଟାଏ ମାତ୍ର ଅପେକ୍ଷା କରନ୍ତୁ । ଭୟରେ କୌଣସି କାରଣ ନାହିଁ ।

 

ବିସ୍ମିତ ଜୀବନବାବୁ କଣ କହିବା ପୂର୍ବରୁ ବିଜୟବାବୁ ଗୋପାଳବାବୁଙ୍କ ହସ୍ତଧରି ଜନଶୂନ୍ୟ ଅନ୍ଧକାରପୂର୍ଣ୍ଣ ରାସ୍ତାରେ ଅଦୃଶ୍ୟ ହୋଇଗଲେ ।

 

ନିକଟରେ ଦୀନବନ୍ଧୁ ବାବୁଙ୍କ ଆଲୋକମାଳା ଶୋଭିତ ଅଟ୍ଟାଳିକା । ତମ୍ବୁଭିତରୁ ନର୍ତ୍ତକୀର କୋମଳ କଣ୍ଠର ଅନୁପମ ସଙ୍ଗୀତର ମୂର୍ଚ୍ଛନା ଭାସି ଆସୁଛି ।

 

ବିଜୟବାବୁଙ୍କ ଦୃଷ୍ଟି ସେ ଦିଗକୁ ନାହିଁ । ସେ ନିଶବ୍ଦରେ ଦ୍ରୁତବେଗରେ ଯିବାକୁ ଲାଗିଲେ-

 

ଗୋପାଳବାବୁ ତାଙ୍କର ଏ ରହସ୍ୟମୟ ଆଚରଣ ବୁଝିନପାରି ବିସ୍ମିତ କଣ୍ଠରେ ପଚାରିଲେ–କଥା କଣ ବିଜୟବାବୁ ! କିଶୋର ବାବୁଙ୍କ ଘରେ ଯେ କେହି ନାହାନ୍ତି । ସମସ୍ତେ ଥିଏଟର–

 

ଚୁପ୍ ! ପିସ୍ତଲ ପାଖରେ ଅଛି ?–ବିଜୟବାବୁଙ୍କ କଣ୍ଠସ୍ୱର ଗମ୍ଭୀର ।

 

–ହଁ, ଅଛି ।

 

ଶୀଘ୍ର ଚାଲିଆସ–ସଂକ୍ଷେପରେ ବିଜୟବାବୁ କହିଲେ ।

 

କିଛିକ୍ଷଣ ପରେ ସେମାନେ କିଶୋରବାବୁଙ୍କ ଘରେ ଆସି ପହଞ୍ଚିଲେ । ବିଜୟବାବୁ ସତର୍କ ଭାବରେ ଚାରିଆଡ଼କୁ ଚାହିଁ ଧୀରେ ଧୀରେ ଗେଟ୍ ଖୋଲି ବୈଠକଖାନାର ରୁଦ୍ଧ କବାଟ ପାଖରେ ଛିଡ଼ାହେଲେ ।

 

ବାହାରୁ କବାଟ ବନ୍ଦ । ବିଜୟବାବୁ ପକେଟରୁ ଗୋଟାଏ ଚାବିଗେଚ୍ଛା ବାହାର କରି ପ୍ରତ୍ୟେକଟିର ସାହାଯ୍ୟରେ ତାଲା ଖୋଲିବା ଚେଷ୍ଟା କରିବାକୁ ଲାଗିଲେ । ତାଙ୍କର ଆଶା ସଫଳ ହେଲା ।

ବିଜୟବାବୁ କବାଟ ଖୋଲି ଭିତରକୁ ପଶିଯାଇ କବାଟ ଭିତରୁ ବନ୍ଦ କରିଦେଲେ । ତା’ପରେ ପକେଟରୁ ଗୁପ୍ତ ଲଣ୍ଠନ ବାହାର କରି ଦୋମହାଲା ଉପରକୁ ଯିବାକୁ ଲାଗିଲେ ।

ଗୋପାଳବାବୁ କଣ କହିବାକୁ ବାହାରୁଥିଲେ–ସେ ଇଙ୍ଗିତ ଦ୍ୱାରା ନୀରବ ରହିବାକୁ ଆଦେଶ ଦେଲେ ।

କିଶୋରବାବୁଙ୍କ ଶୟନକକ୍ଷ ନିକଟରେ ଆଉ ଗୋଟାଏ କକ୍ଷ । ବିଜୟବାବୁ ପୂର୍ବୋକ୍ତ ଉପାୟରେ କକ୍ଷଟିର କବାଟ ଖୋଲି ଭିତରକୁ ପଶି କବାଟ ବନ୍ଦ କରିଦେଲେ ।

ହସ୍ତରେ ଧରିଥିବା ଟର୍ଚ୍ଚ ଆଲୁଅ ପକାଇ ବିଜୟବାବୁ କକ୍ଷଟିକୁ ପରୀକ୍ଷା କରିବାକୁ ଲାଗିଲେ । କକ୍ଷଟିରେ ଗୋଟିଏମାତ୍ର ଝରକା । ଝରକାର କିଛି ଦୂରରେ ଗୋଟାଏ ବୃହତ୍ ଲୁହାର ସିନ୍ଦୁକ । ସିନ୍ଦୁକଟି ଆଶ୍ଚର୍ଯ୍ୟ କୌଶଳରେ ଆଧୁନିକ ବୈଜ୍ଞାନିକ ଉପାୟରେ ନିର୍ମିତ ହୋଇଛି । ସିନ୍ଦୁକଟିରେ କୌଣସି ତାଲା ପଡ଼ିନାହିଁ । ଗୋଟାଏ ସାଙ୍କେତିକ କୌଶଳରେ ତାହାକୁ ଖୋଲାଯାଇ ପାରେ ଆଉ ବନ୍ଦ କରାଯାଇପାରେ । ଏ ଗୁପ୍ତ କୌଶଳ କେବଳ କିଶୋରଦେବଙ୍କ ପରିବାରରେ ଦୁଇଜଣ ଜାଣନ୍ତି–କିଶୋରଦେବ ଆଉ ନରେନ୍ଦ୍ରଦେବ ।

ସିନ୍ଦୁକଟି ଟର୍ଚ୍ଚ ଆଲୋକରେ କିଛିକ୍ଷଣ ପରୀକ୍ଷା କରିବାପରେ ବିଜୟବାବୁ ଗୋଟିଏ ସ୍ୱସ୍ତିର ନିଶ୍ୱାସ ପକାଇ ବିସ୍ମିତ ଗୋପାଳବାବୁଙ୍କ ନିକଟକୁ ଆସି ଚାପାକଣ୍ଠରେ କହିଲେ–ସବୁ ଠିକ୍ ଅଛି । ମୁଁ ଯାହା ଭୟ କରୁଥିଲି ସେପରି କିଛି ଘଟିନାହିଁ । ଆସ, ପାଖ ଘରଟାରେ ଅପେକ୍ଷା କରିବା-। ଏ ରହସ୍ୟ ନାଟକର ଶେଷ ଅଙ୍କ ଏହି କକ୍ଷ ଅନୁଷ୍ଠିତ ହେବ । ପ୍ରଧାନ ଅଭିନେତାଙ୍କୁ ଅଭ୍ୟର୍ଥନା କରିବାପାଇଁ ପ୍ରସ୍ତୁତ ହୁଅ । ଆମର ଥିଏଟର ଦେଖା ହେବ ଏହି ଅନ୍ଧାର ଘର ଭିତରେ ଆଉ କିଛିକ୍ଷଣ ପରେ । ଏହି ନାଟକଟି ଯେପରି ରହସ୍ୟମୟ ସେହିପରି ବିଭୀଷିକା ପରିପୂର୍ଣ୍ଣ-। କୋମଳାଙ୍ଗି ନର୍ତ୍ତକୀର ଗୋଲାପି ଅଧରର ତନ୍ତ୍ରୀଥରା ସଙ୍ଗୀତ ଏ ନାଟକଟିରେ ନାହିଁ–ଅଛି ଦୁର୍ଦ୍ଧର୍ଷ ଅଭିନେତାର ଜଘନ୍ୟ ଚକ୍ରାନ୍ତ–ଆଉ ଅନ୍ତରରେ ପୈଶାଚିକ ପ୍ରତିହିଂସା ।

ଗୋପାଳବାବୁ ନିର୍ବାକ ଭାବରେ ତାଙ୍କର କଥା ଶୁଣୁଥିଲେ ? ପ୍ରକୃତ ଘଟଣା କଣ ବୁଝି ନ ପାରିଲେ ସୁଦ୍ଧା କିଛି ନା କିଛି ଗୋଟାଏ ଶୋଚନୀୟ ଘଟଣା ଯେ ଘଟିବ ଏଥିରେ ସନ୍ଦେହନାହିଁ । ତେବେ କଣ ଏ ରହସ୍ୟମୟ ନାଟକର ଅଭିନେତାର ପ୍ରକୃତ ରୂପ ଆଜି ଦେଖିପାରିବେ ? ହତ୍ୟାକାରୀ ଧରାପଡ଼ିବ ?

ସେ ନୀରବରେ ପାର୍ଶ୍ୱସ୍ଥିତ କକ୍ଷର ପର୍ଦା ଆଢ଼ୁଆଳରେ ଛପି ବସିଲେ । ହାତରେ ତାଙ୍କର ଗୁଳିଭରା ପିସ୍ତଲ.......ପନ୍ଦର ମିନିଟ୍ ଗଲା । ଗୋପାଳବାବୁ ଅଧୀର ହୋଇଉଠିଲେ । ସେ ବିଜୟବାବୁଙ୍କୁ ଚାହିଁଲେ । ଅନ୍ଧାରେ ଆଖିଦି’ଟା ତାଙ୍କର ଜଳୁଛି । ଗମ୍ଭୀର ଭାବରେ ହାତରେ ପିସ୍ତଲ ଧରି ସେ ଏକ ଦୃଷ୍ଟିରେ ଲୁହା ସିନ୍ଦୁକକୁ ଚାହିଁଛନ୍ତି ।

ଖଟ୍‌କରି କଣ ଗୋଟାଏ ଶବ୍ଦ ହେଲା । ବିଜୟ ବାବୁଙ୍କ ହସ୍ତରେ ପିସ୍ତଲ ଥରି ଉଠିଲା । ଗୋପାଳବାବୁ ଚଞ୍ଚଳ ହୋଇ ଉଠିଲେ ।

ପରକ୍ଷଣରେ ଜଣାଗଲା କିଏ ଜଣେ ଝରକା ଖୋଲି କକ୍ଷ ମଧ୍ୟରେ ପ୍ରବେଶ କଲା । କିଛି ସମୟ ନୀରବ.... । ତା’ ପରେ ହଠାତ୍ ଟର୍ଚ୍ଚ ଆଲୁଅରେ ଅନ୍ଧକାରମୟ କକ୍ଷଟି ମୁହୂର୍ତ୍ତକ ପାଇଁ ଉଜ୍ଜ୍ୱଳ ହୋଇଉଠିଲା ।

ଗୋପାଳବାବୁ ଦେଖିଲେ କକ୍ଷମଝିରେ ଟର୍ଚ୍ଚ ହାତରେ ଛିଡ଼ା ହୋଇଛି ଗୋଟାଏ ଛାୟାମୂର୍ତ୍ତି । ତାହାର ସର୍ବାଙ୍ଗ କଳା ଓଭର୍-କୋଟରେ ଆବୃତ–ମୁହଁରେ କଳାକନାର ମୁଖୋସ୍ । ଛାୟାମୂର୍ତ୍ତିର ବାମ ହାତରେ ଗୋଟାଏ ଛୋଟ ସୁଟକେଶ୍ ।

ଅଦୃଶ୍ୟ ହତ୍ୟାକାରୀର ଟର୍ଚ୍ଚ ଆଲୋକ ଲୁହା ସିନ୍ଦୁକ ଉପରେ ପଡ଼ିଲା । ଲୋକଟା ଧୀରେ ଧୀରେ ସିନ୍ଦୁକ ପାଖକୁ ଆଗେଇଗଲା । କିଛିକ୍ଷଣ ପରୀକ୍ଷା କରିବା ପରେ ଲୋକଟା ସୁଟକେଶ୍‍ଟା ଫିଟାଇ କ’ଣ ବାହାର କରିବାକୁ ଲାଗିଲା ।

ଗୋପାଳବାବୁଙ୍କ ମନ ଉତ୍ତେଜନାରେ ଭରିଉଠିଲା । ସେ ଅପଲକ ନେତ୍ରରେ ହତ୍ୟାକାରୀର କାର୍ଯ୍ୟ ଦେଖିବାକୁ ଲାଗିଲେ ।

ବିସ୍ମିତ ଭାବରେ ସେ ଦେଖିଲେ, ଲୋକଟା ଗୋଟାଏ ଶିଶିରୁ ସିନ୍ଦୁକ ଉପରେ କଣ ଢାଳିଦେଇ ସୁଟ୍କେଶ୍ରୁ ଖଣ୍ଡେ ତାର ଆଣି ସିନ୍ଦୁକର ଉପରିରାଗରେ ଧରିଲା । ପରମୁହୂର୍ତ୍ତରେ ସୁଟ୍‌କେଶ୍ ଭିତରୁ ଗୋଟାଏ ମୃଦୁଗୁଞ୍ଜନ ଧ୍ୱନି ଶୁଭିଲା । ଲୋକଟା ସିନ୍ଦୁକ ଉପରେ ତାରଟାକୁ ଗୋଲାକାର ଭାବରେ ବୁଲାଇବାକୁ ଲାଗିଲା ।

ନୀରବରେ ପାଞ୍ଚମିନିଟ ଅତିବାହିତ ହେଲା । ହଠାତ୍ ଖଟ୍ କରି ଗୋଟାଏ ଶବ୍ଦ ହେଲା-। ଗୋପାଳବାବୁ ଚକିତ ହୋଇ ଦେଖିଲେ ସିନ୍ଦୁକର ଉପରିଭାଗ ହତ୍ୟାକାରୀ ହାତରେ–ଉପରେ ଆବରଣୀ ମୁକ୍ତ ! ସେ ଅଧୀର ହୋଇଉଠିଲେ । ତାଙ୍କର ଆଖି ଆଗରେ ଯେ କିଶୋରବାବୁଙ୍କ ସର୍ବସ୍ୱ ଲୁଟି ହେବ । ଏତେବେଳ ପର୍ଯ୍ୟନ୍ତ ବିଜୟବାବୁ ଆକ୍ରମଣ କରୁନାହାନ୍ତି କାହିଁକି ?

ଲୋକଟା ଆବରଣୀ ଗୋଟାଏ କଡ଼ରେ ରଖିଦେଇ ସିନ୍ଦୁକ ଭିତରେ ନଇଁପଡ଼ି କଣ ଗୋଟାଏ ଉଠାଇ ଆଣିଲା । ଗୋପାଳବାବୁ ବିସ୍ମିତ ହୋଇ ଦେଖିଲେ, ଲୋକଟା ହାତରେ ଧରିଛି କଳା ମୁଗୁନୀ ପଥରର ରାଧାକୃଷ୍ଣଙ୍କର ଯୁଗଳମୂର୍ତ୍ତି ! ପଥରର ମୂର୍ତ୍ତିଟି ଦେଖି ଲୋକଟା ଗୋଟାଏ ଅସ୍ପଷ୍ଟ ଶବ୍ଦ କଲା ।

ଗୋପାଳବାବୁ ମଧ୍ୟ କମ୍ ବିସ୍ମିତ ହେଲେନାହିଁ । ପଥରର ମୂର୍ତ୍ତିକୁ ଯେ କାହିଁକି ଏପରି ସାବଧାନରେ ସୁରକ୍ଷିତ ଭାବରେ କିଶୋରବାବୁ ରଖିଛନ୍ତି, ସେ ବୁଝିପାରିଲେ ନାହିଁ ।

ଲୋକଟା କିଛିକ୍ଷଣ ମୂର୍ତ୍ତିଟିକୁ ଦେଖି ରଖିଦେଲା । ତା’ପରେ ସିନ୍ଦୁକ ଭିତରୁ ଗୋଟାଏ ଗୋଲାପି ରଙ୍ଗର କାଗଜ ବଣ୍ଡଲ ଉଠାଇ ଆଣିଲା । କାଗଜକୁ ଦେଖି ଲୋକଟା ଆନନ୍ଦରେ ଗୋଟାଏ ଚାପା ଚିତ୍କାର କଲା । ସେହି କାଗଜଟା ଯେ ତାହାର ଲକ୍ଷ୍ୟ ଏଥିରେ ସନ୍ଦେହ ରହିଲା ନାହିଁ ।

ଲୋକଟା ଏକଧ୍ୟାନରେ କାଗଜଟା ଫିଟାଇ ଟର୍ଚ୍ଚ ଆଲୋକରେ ଦେଖୁଛି, ବିଜୟବାବୁ ଗୋପାଳବାବୁଙ୍କୁ ଇଙ୍ଗିତଦ୍ୱାରା ପ୍ରସ୍ତୁତ ରହିବାକୁ କହି ଗୁଳିଭରା ପିସ୍ତଲ ହସ୍ତରେ ଧୀର ପଦରେ କକ୍ଷ ଭିତରକୁ ପଶିଆସିଲେ ।

 

ଲୋକଟାର ବକ୍ଷ ଲକ୍ଷ୍ୟ କରି ପିସ୍ତଲ ଉଞ୍ଚାଇ କଠୋର କଣ୍ଠରେ କହିଲେ–ଶୁଭରାତ୍ରି ବନ୍ଧୁ ! ସ୍ଥିର ହୋଇ ଦୁଇହାତ ଉପରକୁ ଉଠାଇ ଛିଡ଼ା ହୁଅ । ହଲଚଲ ହେଲେ କି ପଳାଇବାର ଚେଷ୍ଟା କଲେ ପିସ୍ତଲ ଗୁଳିରେ ତୋ ପ୍ରାଣ ଯିବ ।

 

ଲୋକଟା ବିଜୁଳି ବେଗରେ ଘୁରି ଛିଡ଼ା ହେଲା । ଦେଖିଲା ତାକୁ ଲକ୍ଷ୍ୟ କରି ଦୁଇଟା ଛ’ନଳିଆ ଅଟୋମଟିକ ପିସ୍ତଲ ଉଦ୍ୟତ ହୋଇଛି । ଲୋକଟା ଗୋଟାଏ ଅବ୍ୟକ୍ତ ଚିତ୍କାର କରିଉଠିଲା । ତା’ ହାତରୁ କାଗଜ ବଣ୍ଡଲଟା ତଳେ ଖସି ପଡ଼ିଲା ।

 

ବିଜୟବାବୁ ପକେଟରୁ ହାତକଡ଼ି ବାହାର କରି ଧୀରେ ଧୀରେ ଆଗେଇ ଆସିଲେ । କିନ୍ତୁ ସେ ହତ୍ୟାକାରୀ ନିକଟରେ ପହଞ୍ଚିବା ପୂର୍ବରୁ ଲୋକଟା ବିଜୁଳିବେଗରେ ପକେଟରୁ ପିସ୍ତଲ ବାହାର କରି ତାଙ୍କୁ ଲକ୍ଷ୍ୟ କରି ଫାୟାର କଲା ।

 

ବିଜୟବାବୁ ନିମିଷକ ମଧ୍ୟରେ ଘଟଣା ବୁଝିପାରି ତଳେ ବସିପଡ଼ିଲେ । କିନ୍ତୁ ଗୋପାଳବାବୁ ସାବଧାନ ହେବା ପୂର୍ବରୁ ଗୁଳି ଲକ୍ଷ୍ୟ ଭ୍ରଷ୍ଟ ହୋଇ ତାଙ୍କ ବାହୁରେ ବିଦ୍ଧ ହେଲା । ସେ ଚିତ୍କାର କରି ବସିପଡ଼ିଲେ–ହାତରୁ ପିସ୍ତଲଟା ଖସି ପଡ଼ିଲା ।

 

ସେହି ମୁହୂର୍ତ୍ତରେ ଲୋକଟା ଦ୍ରୁତବେଗରେ ଖୋଲା ଝରକା ନିକଟକୁ ଗଲା । କିନ୍ତୁ ସେ ଝରକା ଡେଇଁ ପଳାଇବା ପୂର୍ବରୁ ଘଟଣାଟା ବୁଝିପାରି କ୍ଷୁଧିତ ବ୍ୟାଘ୍ର ପରି ବିଜୟବାବୁ ପଳାତକ ହତ୍ୟାକାରୀ ଉପରକୁ ଡେଇଁ ପଡ଼ିଲେ ।

 

ପରମୁହୂର୍ତ୍ତରେ ତାକୁ ତଳେ ପକାଇ ନିଜର ଆୟତ୍ତାଧୀନ କରି ପିସ୍ତଲ ଛଡ଼ାଇ ନେଇ କଠୋର କଣ୍ଠରେ କହିଲେ–ସାବଧାନ ! ବେଶି ଚାଲାକି କଲେ ତୋ’ରି ପିସ୍ତଲ ଗୁଳି ତୋର ଏ ଉଦ୍ଧତ ପଣିଆର ଉତ୍ତର ଦେବ ।

 

ପରକ୍ଷଣରେ ଲୋକଟାର ହାତରେ ହାତକଡ଼ି ପଡ଼ିଲା । ଲୋକଟା ଆହତ ସିଂହପରି ଗର୍ଜି ଉଠିଲା ।

 

ବିଜୟବାବୁ ଲୋକଟାକୁ ପାର୍ଶ୍ୱବର୍ତ୍ତୀ କକ୍ଷରେ ପକାଇଦେଇ କବାଟ ବନ୍ଦ କରିଦେଲେ । ଗୋପାଳବାବୁଙ୍କ ପାଖକୁ ଆସି ପଚାରିଲେ–କଣ ହେଲା ଗୋପାଳବାବୁ ! ଆଘାତଟା କଣ ବେଶି ଗୁରୁତର ?

 

–ନାଁ–ଗୁଳିଟା ବାହୁରେ ବିଦ୍ଧ ହୋଇଛି । ଗୋପାଳବାବୁ ଉଠି ଛିଡ଼ା ହେଲେ, ବିଜୟବାବୁ ପକେଟରୁ ରୁମାଲ ବାହାର କରି କ୍ଷତସ୍ଥାନଟା ବାନ୍ଧିଦେଲେ ।

 

ତା’ ପରେ କାଗଜ ବଣ୍ଡଲଟା ଉଠାଇଆଣି ଟର୍ଚ୍ଚ ଆଲୁଅରେ ପଢ଼ିବାକୁ ଲାଗିଲେ । ଗୋପାଳବାବୁ କୌତୁହଳ ଦମନ କରି ନ ପାରି ପାଖକୁ ଘୁଞ୍ଚି ଆସିଲେ, ପଢ଼ିଲେ ଲେଖାଅଛି–

 

‘ମୋର ନାମ କୃତାନ୍ତ ଦାସ, ପିତାଙ୍କରନାମ ଧନଞ୍ଜୟ ଦାସ । ମୁଁ ତଳଲିଖିତ ସାକ୍ଷୀମାନଙ୍କ ସମ୍ମୁଖରେ ନରେନ୍ଦ୍ର ଦେବଙ୍କ କନ୍ୟା ପ୍ରେମଲତା ଦେବୀଙ୍କୁ ନିଜର ସ୍ତ୍ରୀ ରୂପେ ଗ୍ରହଣ କଲି । ଆଇନତଃ ମୋର ସ୍ତ୍ରୀ ଓ ତାହାର ପୁତ୍ର କନ୍ୟା ମୋର ସମସ୍ତ ସ୍ଥାବର, ଅସ୍ଥାବର ସମ୍ପତ୍ତିର ଉତ୍ତରାଧିକାରୀ ହେବେ ।

 

ସାକ୍ଷୀ

ସ୍ୱାକ୍ଷର

ହରନାଥ ମିଶ୍ର (ବାର ଏଟ୍‍ଲ)

କୃତାନ୍ତ ଦାସ

ନିତ୍ୟାନନ୍ଦ ଦାସ

ପ୍ରେମଲତା ଦେବୀ

ତା ୨୪ ଜାନୁଆରୀ ୧୯୪୬

 

 

ପଢ଼ିସାରି ଗୋପାଳବାବୁ ବିସ୍ମୟରେ ଅବ୍ୟକ୍ତ ଚିତ୍କାର କରି କହିଲେ–ଏ କି ରହସ୍ୟ ! ଏ ଯେ ବିବାହ ସାର୍ଟିଫିକେଟ ରେଜିଷ୍ଟାର୍ଟ କରାହୋଇଛି ! କିନ୍ତୁ ଏ ଖଣ୍ଡିକ ହସ୍ତଗତ କରିବା ପାଇଁ ହତ୍ୟାକାରୀ ଏତେଗୁଡ଼ାଏ ହତ୍ୟା କାହିଁକି କଲା ?

 

ବିଜୟବାବୁ ମୃଦୁହସି କହିଲେ–ପ୍ରତିହିଂସା ! କେବଳ ଜଘନ୍ୟ ପ୍ରତିହିଂସା ହିଁ ଏହାର ମୂଳ କାରଣ ।

 

–ତେବେ ହତ୍ୟାକାରୀ ନରେନ୍ଦ୍ରଦେବଙ୍କ–

 

–ଜାମାତା ! ପ୍ରେମଲତାର ସ୍ୱାମୀ–

 

ଗୋପାଳବାବୁ ନିର୍ବାକ ଭାବରେ କିଛିକ୍ଷଣ ଚାହିଁ ପଚାରିଲେ–କିନ୍ତୁ ଏଥିରେ ନରେନ୍ଦ୍ରଦେବଙ୍କ ଉପରେ ପ୍ରତିଶୋଧ ନେବାର କାରଣ କଣ ?

 

–ସେ କାରଣଟା ମୁଁ ମଧ୍ୟ ଅନୁମାନ କରି ପାରୁନାହିଁ–ଆଉ କ୍ଷଣକପରେ ସବୁ ଜଣା ପଡ଼ିବ ।

 

ବିଜୟବାବୁ କାଗଜଟାକୁ ପକେଟରେ ରଖି ସିନ୍ଦୁକ ଭିତରୁ ମୁଗୁନି ପଥରର ଯୁଗ ମୂର୍ତ୍ତିଟି ହାତରେ ଧରି ତୀକ୍ଷ୍ଣ ଦୃଷ୍ଟିରେ ଦେଖିବାକୁ ଲାଗିଲେ । ପଥର ମୂର୍ତ୍ତିଟି ଯେ କାହିଁକି ଏପରି ଗୁପ୍ତରେ ରଖାହୋଇଛି ସେ ବୁଝିପାରିଲେ ନାହିଁ ।

 

ହଠାତ୍ ମୂର୍ତ୍ତିଟି ପାଦଦେଶରେ ଦୁଇଧାଡ଼ି ଲେଖା ଉପରେ ତାଙ୍କର ଦୃଷ୍ଟି ପଡ଼ିଲା । ପଢ଼ିଲେ ଲେଖାଅଛି–

 

କଳାବାଦଲ କୋଳେ ବିଜୁଳି ଶୋଭା ।

 

ଝଟକୁଥାଏ ଯେହ୍ନେ ସୁବର୍ଣ୍ଣ ପ୍ରଭା ।

 

–ଏ କି ଗୋଲକ ଧନ୍ଦା ବିଜୟବାବୁ:–ଗୋପାଳବାବୁ ଲେଖାଟି ପଢ଼ି ବିସ୍ମିତ କଣ୍ଠରେ ପଚାରିଲେ ।

 

ବିଜୟବାବୁ କିଛି ଉତ୍ତର ନ ଦେଇ ଲେଖାଟିକୁ ଚାହିଁ ଗମ୍ଭୀର ଭାବରେ କଣ ଭାବିବାକୁ ଲାଗିଲେ । ହଠାତ୍ ତାଙ୍କ ଉଜ୍ଜ୍ୱଳ ହୋଇଉଠିଲା । ଅବ୍ୟକ୍ତ ସ୍ୱରରେ କହିଲେ–ପାଇଛି ଗୋପାଳ ବାବୁ ! ଏତେବେଳେକେ ଏ ରହସ୍ୟର ସନ୍ଧାନ ମିଳିଲା ।

 

ସେ ଗୋପାଳବାବୁଙ୍କୁ ପ୍ରଶ୍ନ ପଚାରିବାର ଅବକାଶ ନ ଦେଇ କ୍ଷିପ୍ର ହସ୍ତରେ ପକେଟରୁ ଛୁରୀ ବାହାର କରି ମୂର୍ତ୍ତିଟିର ଗୋଟାଏ ଯାଗାରେ ଆଘାତ କଲେ । ସଙ୍ଗେ ସଙ୍ଗେ ମୂର୍ତ୍ତି ଉପରର କଳାଅଂଶ ଝଡ଼ିପଡ଼ି ଟର୍ଚ୍ଚ ଆଲୋକରେ ଚକ୍‍ଚକ୍ କରି ଉଠିଲା ।

 

ଗୋପାଳବାବୁ ବିସ୍ମୟରେ ଚିତ୍କାର କରି କହିଲେ–କି ଆଶ୍ଚର୍ଯ୍ୟ ! ଏ ଯେ ସୁନା–

 

–ହଁ ସୁବର୍ଣ୍ଣ ପ୍ରତିମା–ଦସ୍ୟୁକୁ ପ୍ରତାରିତ କରିବା ପାଇଁ ନରେନ୍ଦ୍ରଦେବଙ୍କର ଏପରି ଆଶ୍ଚର୍ଯ୍ୟ କୌଶଳ । ଉପରେ କଳା ରଙ୍ଗର କୋଟିଂ ଦେଇ ପଥରର ସାଦୃଶ୍ୟ କରାଯାଇଛି ।

 

–କିନ୍ତୁ ହୀରା, ମୋତି କୁଆଡ଼େ ଗଲା ?

 

ସେ କଥା କହି ହେଉନାହିଁ । ନରେନ୍ଦ୍ରଦେବଙ୍କଠୁ ଉତ୍ତର ମିଳିବ ।

 

ସେ ମୂର୍ତ୍ତିଟି ସିନ୍ଦୁକରେ ରଖି ଦେଇ କହିଲେ–ଚାଲ ଗୋପାଳ ବାବୁ ! ମହାମାନ୍ୟ ଜାମାତାବାବୁଙ୍କର ନିଜର ରୂପଟା ଦେଖିବା ।

 

ବିଜୟବାବୁ ଟର୍ଚ୍ଚ ନେଇ କକ୍ଷ ଭିତରକୁ ପଶିଗଲେ । କିନ୍ତୁ ପରମୁହୂର୍ତ୍ତରେ ତାଙ୍କ କଣ୍ଠରୁ ଗୋଟାଏ ଅବ୍ୟକ୍ତ ଶବ୍ଦ ବାହାରିଲା । ଦେଖିଲେ କକ୍ଷଶୂନ୍ୟ–କେହିନାହିଁ, ହତ୍ୟାକାରୀ ଅଦୃଶ୍ୟ ! ହାତକଡ଼ିଟା ତଳେ ପଡ଼ିଛି ।

 

ବିସ୍ମୟରେ ଗୋପାଳବାବୁଙ୍କ ମୁହଁରୁ କଥା ବାହାରିଲାନାହିଁ । ଏ କି ରହସ୍ୟ ! ରୁଦ୍ଧ କକ୍ଷରୁ ଅସହାୟ ବନ୍ଦୀ କିପରି ଅଦୃଶ୍ୟ ହେଲା ?

 

ବିଜୟବାବୁଙ୍କ ଟର୍ଚ୍ଚ ଆଲୋକ ଝରକାରେ ପଡ଼ିଲା । ଦେଖିଲେ ଝରକା ଖୋଲା !! ସେ ଦ୍ରୁତବେଗରେ ଝରକା ନିକଟକୁ ଗଲେ । ଦେଖିଲେ ଝରକା ଖୋଲା !! ସେ ଦ୍ରୁତବେଗରେ ଝରକା ନିକଟକୁ ଗଲେ । ଦେଖିଲେ ଝରକା ରେଲିଂ ଦେହରୁ ଗୋଟାଏ ଦଉଡ଼ି ତଳକୁ ଲମ୍ବି ଯାଇଛି ।

 

କିନ୍ତୁ ଦଉଡ଼ି ବାନ୍ଧିଲା କିଏ ? ପରକ୍ଷଣରେ ତଳୁ ମୋଟର ଚାଲିବାର ଶବ୍ଦ ଶୁଣି ବିଜୟବାବୁ ଚକିତ ହୋଇ ଟର୍ଚ୍ଚ ଆଲୋକ ତଳକୁ ପକାଇଲେ । ଦେଖିଲେ, ମୋଟରରେ ହତ୍ୟାକାରୀ ଓ ଆଉ ଜଣେ ଲୋକ ତୀରବେଗରେ ପଳାଉଛନ୍ତି । ବିଜୟବାବୁଙ୍କ ଟର୍ଚ୍ଚ ଆଲୋକ ପକାଇବା ଦେଖି ହତ୍ୟାକାରୀ ଅଟ୍ଟହାସ୍ୟ କରି ଉଠିଲା । ତା’ର ବିକଟ ବିଦ୍ରୁପ ହସରେ ନୈଶବାୟୁ ପ୍ରତିଧ୍ୱନିତ ହୋଇଉଠିଲା ।

 

ବିଜୟବାବୁ କ୍ଷିପ୍ର କଣ୍ଠରେ କହିଲେ–ଏ ନିଶ୍ଚୟ ତା’ର ସହକାରୀର କାମ । କିଏ ଜାଣିଥିଲା ଲୋକଟା ଆଉ ଜଣକୁ ସାଥିରେ ଆଣିଛି । ଶୀଘ୍ର ଆସ ଗୋପାଳବାବୁ । ମୁହୂର୍ତ୍ତେ ବିଳମ୍ବ କଲେ ହାତରୁ ଶୀକାର ଖସିଯିବ ।

 

ବିଜୟବାବୁ ପାଗଳଙ୍କ ପରି ମୋଟର ଗ୍ୟାରେଜକୁ ଛୁଟିଲେ ଗୋପାଳବାବୁ ତାଙ୍କ ପଛେ ପଛେ ଛୁଟିଲେ ।

 

ମୁହୂର୍ତ୍ତକ ପରେ ବିଜୟବାବୁଙ୍କ ମୋଟର ତୀରବେଗରେ ଅନ୍ଧାରର ବୁକୁଚିରି ଜଳଶୂନ୍ୟ ରାସ୍ତା ଦେଇ ଛୁଟିବାକୁ ଲାଗିଲା ।

 

କିଛିଦୂର ଆସିବା ପରେ ଆଗରେ ହତ୍ୟାକାରୀ ପଳାଉଥିବା ମୋଟରର ପଛ ନାଲି ଆଲୁଅ ଦିଶିଲା । ଗୋପାଳବାବୁ ଆନନ୍ଦରେ ଚିତ୍କାର କରି ଉଠିଲେ ।

 

ବିଜୟବାବୁଙ୍କ ମୋଟର ଆହୁରି ବେଗରେ ଛୁଟିବାକୁ ଲାଗିଲା । ଚାଳିଶ...ପଚାଶ ଷାଠିଏ ମାଇଲ୍ ସ୍ପିଡ୍‍- ରେ ମୋଟର ଛୁଟି ଚାଲିଲା । ପାର୍ଶ୍ୱବର୍ତ୍ତୀ ବୃକ୍ଷଗୁଡ଼ାକ ଚକ୍ଷୁ ପଲକରେ ଅଦୃଶ୍ୟ ହୋଇଯାଉଥାଏ । କ୍ରମେ କ୍ରମେ ଦୁଇ ମୋଟରର ଦୂରତ୍ୱ କମି ଆସିଲା ।

 

ହଠାତ୍ ଅନ୍ଧାର ରାତିର ନୀରବତା ଭାଙ୍ଗି ପିସ୍ତଲ ଗର୍ଜି ଉଠିଲା । ଗୋଟାଏ ଗୁଳି ସାଁ କରି ଗୋପାଳବାବୁଙ୍କ ମଥା ଉପର ଦେଇ ଚାଲିଗଲା ।

 

ବିଜୟବାବୁ ଚିତ୍କାର କରି ଉଠିଲେ–ସାବଧାନ ଗୋପାଳ ବାବୁ ! ଶତ୍ରୁ ଜୀବନ ବିକଳରେ ଗୁଳି କରୁଛି । ତୁମର ପିସ୍ତଲ ନୀରବ କାହିଁକି ?

 

ପରକ୍ଷଣରେ ଆଗ ମୋଟରକୁ ଲକ୍ଷ୍ୟ କରି ଗୋପାଳବାବୁଙ୍କ ପିସ୍ତଲ ଗର୍ଜି ଉଠିଲା । ଉଭୟ ପକ୍ଷରୁ ପିସ୍ତଲରୁ ଗୁଳି ଚାଲିବାକୁ ଲାଗିଲା । ଦୁଇଟି ଉନ୍ମତ୍ତ ବେଗରେ ଧାବମାନ ମୋଟରର ଆରୋହୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଲାଗିଗଲା ।

 

ଦୂରରେ ବାଲିଗଞ୍ଜ ଷ୍ଟେସନର ବତୀଗୁଡ଼ାକ ଦେଖାଗଲା । କ୍ରମେ କ୍ରମେ ସେଗୁଡ଼ିକ ପାଖେଇ ଆସିଲା । ଆଗରେ ରେଳଲାଇନ୍ ଗେଟ୍ ବନ୍ଦ । ଗୋପାଳବାବୁ ଚିତ୍କାର କରି ଉଠିଲେ–ଏଇଥର ବଚ୍ଚାଙ୍କର ଅକଲ ଗୁଡ଼ୁମ–ଫାନ୍ଦରେ ପଡ଼ିଛନ୍ତି । ଯିବେ କୁଆଡ଼େ ?

 

ହଠାତ୍ ନୈଶବାୟୁ କମ୍ପାଇ ଟ୍ରେନ୍‌ର ତୀବ୍ର ହୁଇସିଲ ଶୁଭିଲା–ଖୁବ ନିକଟରେ । ବମ୍ବେ ମେଲ୍ ଛୁଟି ଆସୁଛି ଝଡ଼ ବେଗରେ ।

 

କିନ୍ତୁ ଆଗ ମୋଟର ଅଟକିବାର କୌଣସି ଲକ୍ଷଣ ଦେଖାଗଲା ନାହିଁ । ତୀରବେଗରେ ଗେଟ୍ ଆଡ଼େ ଛୁଟିବାକୁ ଲାଗିଲା ।

 

ଗୋପାଳବାବୁଙ୍କ ମୁହଁ ଭୟରେ ଶୁଖିଗଲା । ଚିତ୍କାର କରି କହିଲେ–ଲୋକ ଦିଟା ପାଗଳ ହେଲେ ନା କଣ ? ଏ ଯେ ଜାଣିଶୁଣି ଟ୍ରେନ୍ ତଳେ ଚାପା ଖାଇ ମୃତ୍ୟୁକୁ ବରଣ କରିବାକୁ ଯାଉଛନ୍ତି ?

 

ଷ୍ଟିକରିଂ ଉପରେ ବିଜୟବାବୁଙ୍କ ହାତ ଥରି ଉଠିଲା । ଚିତ୍କାର କରି କହିଲେ–ମୋଟର ଟାୟାର ଲକ୍ଷ୍ୟ କରି ଶୀଘ୍ର ଗୁଳି କର ଗୋପାଳବାବୁ ! ସେମାନଙ୍କୁ ଯେ କୌଣସି ମତେ ଅଟକାଇବାକୁ ପଡ଼ିବ । ଲାଇନ୍ ଟପିଗଲେ ଆଉ ସେମାନଙ୍କୁ ଧରି ହେବନାହିଁ ।

 

ଗୋପାଳବାବୁଙ୍କ ପିସ୍ତଲ ଗର୍ଜି ଉଠିଲା । ପରମୁହୂର୍ତ୍ତରେ ଟାୟାର ଫାଟିବା ଶଦ୍ଦରେ ଅନ୍ଧାର ରାତିରେ ବୁକୁ ଥରି ଉଠିଲା । ସଙ୍ଗେ ସଙ୍ଗେ ଶତ୍ରୁପକ୍ଷରେ ମୋଟରର ଗତି କମି ଆସିଲା ।

 

କିନ୍ତୁ ଏ କଣ ? ହତ୍ୟାକାରୀ ଯେ ମୋଟରର ଗତି କମାଇବାକୁ ନାହିଁ । ଟ୍ରେନ ପାଖେଇ ଆସିଲା...... । ଶତ୍ରୁର ମୋଟର ଗେଟଟାକୁ ସଶଦ୍ଦରେ ଚୂର୍ଣ୍ଣ କରି ଲାଇନ ଉପରେ ପଡ଼ିଲା ।

 

ଗୋପାଳବାବୁ ଭୟରେ ଆଖି ବୁଜିଲେ । ପରକ୍ଷଣରେ ଗୋଟାଏ ଭୀଷଣ ଶଦ୍ଦରେ ଚାରିଆଡ଼େ ମୁଖରିତ ହୋଇ ଉଠିଲା ।

 

ଗୋପାଳବାବୁ ଆଖି ଫିଟାଇ ଦେଖିଲେ ଟ୍ରେନ୍‌ଟା କିଛିଦୂରରେ ଛିଡ଼ା ହୋଇଛି । ମୋଟରଟା ଅର୍ଦ୍ଧଭଗ୍ନ ଅବସ୍ଥାରେ ବନ୍ଧକଡ଼ରେ ପଡ଼ିଛି ।

 

ଗେଟ୍‍ପାଖରେ ମୋଟର ଛିଡ଼ାକରି ବିଜୟବାବୁ ଉତ୍ତେଜନ ଭରା ମନରେ ଅର୍ଦ୍ଧଭଗ୍ନ ମୋଟର ନିକଟକୁ ଗଲେ । ମୋଟରରେ ଆରୋହୀ କେହି ନାହାନ୍ତି । ସେ ଚାରିଆଡ଼ ଅନୁସନ୍ଧାନ କରିବାକୁ ଲାଗିଲେ । ଦୁଇଟି ଲୋକ ଅସାଡ଼ ଭାବରେ ପଡ଼ିଥିବାର ଦେଖି ଦ୍ରୁତବେଗରେ ପାଖକୁ ଗଲେ ।

 

ପାଖକୁ ଯାଇ ଯାହା ଦେଖିଲେ, ସେଥିରେ ତାଙ୍କ ହୃଦୟ ଥରି ଉଠିଲା । କି ଶୋଚନୀୟ ଦୃଶ୍ୟ । ଏପରି ଭୟାବହ ଦୃଶ୍ୟ କେଉଁଠି ଦେଖି ନ ଥିଲେ । ଦେଖିଲେ, ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ଶରୀର ଅର୍ଦ୍ଧେକ ମାତ୍ର ଅଛି–ବାକି ଅର୍ଦ୍ଧେକ ଛିନ୍ନ ହୋଇ କିଛି ଦୂରରେ ପଡ଼ିଛି । ରକ୍ତସ୍ରୋତରେ ଚାରିଆଡ଼େ ଭାସୁଛି ।

 

ଅନ୍ୟଜଣଙ୍କ ବର୍ତ୍ତମାନ ସୁଦ୍ଧା ଜୀବିତ । ହସ୍ତପଦର ଅବସ୍ଥା ଶୋଚନୀୟ । ଲୋକଟା ମୁହଁରେ କଳାକନାର ମୁଖୋସ–ଚିହ୍ନିଲେ ସେହି ବ୍ୟକ୍ତି ହତ୍ୟାକାରୀ ।

 

ବିଜୟବାବୁ ଲୋକଟାର ମଥା କୋଳରେ ରଖି ଷ୍ଟେସନରୁ ଶୀଘ୍ର ପାଣି ଆଣିବାପାଇଁ ଗୋପାଳବାବୁଙ୍କୁ କହିଲେ ।

 

କିଛିକ୍ଷଣ ମୁହଁରେ ପାଣି ସିଞ୍ଚିବା ପରେ ଲୋକଟା ଗୋଟାଏ କରୁଣ ଆର୍ତ୍ତନାଦ କରି ଆଖି ଫିଟାଇ ଚାହିଁଲା । ଯନ୍ତ୍ରଣାରେ ଲୋକଟିର ମୁହଁ କଳା ପଡ଼ି ଯାଇଥାଏ ।

 

ବିଜୟବାବୁ ଲୋକଟିର ମୁହଁରୁ ମୁଖୋସ୍ ଖୋଲି ଦେଲେ । ଅନ୍ଧାରେ ମୁହଁଟା ପରିଚିତ ବୋଲି ଜଣା ପଡ଼ିଲା । କୌତୁହଳ ହୋଇ ମୁହଁରେ ଟର୍ଚ୍ଚ ଆଲୁଅ ପକାଇ ବିସ୍ମିତ ହୋଇ କହି ଉଠିଲେ–କି ଆଶ୍ଚର୍ଯ୍ୟ ! ଏ କିଏ ଗୋପାଳବାବୁ ? ଏ ଯେ ଦୀନବନ୍ଧୁବାବୁ !

 

–କଣ କହିଲେ–ଦୀନବନ୍ଧୁବାବୁ ! ନରେନ୍ଦ୍ର ଦେବଙ୍କ ଅନ୍ତରଙ୍ଗ ବନ୍ଧୁ ! ଏ ଯେ ସ୍ୱପ୍ନାତିତ ଘଟଣା !

 

–ହଁ–ମୋର ମଧ୍ୟ ଏ କଥା ବିଶ୍ୱାସ ହେଉନାହିଁ–କିଏ ବିଶ୍ୱାସ କରିଥିଲା ଏତେଗୁଡ଼ାଏ ରହସ୍ୟମୟ ହତ୍ୟାକାଣ୍ଡ ପଛରେ ଦୀନବନ୍ଧୁବାବୁଙ୍କ ହାତ ଅଛି ବୋଲି ।

 

–କିନ୍ତୁ ଦୀନବନ୍ଧୁବାବୁ ଷ୍ଟାର ଥିଏଟର ପାର୍ଟିର ରକ୍ଷଣା-ବେକ୍ଷଣ ଭାର ଦେଖୁଥିଲେ–ସେ ଏଠାକୁ କିପରି ଆସିଲେ ?

 

–ଥିଏଟର ପାର୍ଟି ଆାଣି ନରେନ୍ଦ୍ର ଦେବଙ୍କ ପରିବାରର ସମସ୍ତଙ୍କୁ ନିମନ୍ତ୍ରଣ କରି ସିନ୍ଦୁକରୁ ବିବାହ ସାର୍ଟିଫିକେଟ ଚୋରି କରିବାର ଅର୍ପୂବ ସୁଯୋଗ ହେବ ବୋଲି ସେଇଟା ତାଙ୍କର ଗୋଟାଏ ଅର୍ପୂବ ସୁଯୋଗ ହେବ ବୋଲି ସେଇଟା ତାଙ୍କର ଗୋଟାଏ ଅପୂର୍ବ କୌଶଳ ଆଉ ଚାଲାକି ।

 

–କି ସୁନ୍ଦର ବନ୍ଦୋବସ୍ତ ! ଶେଷବେଳକୁ ଲୋକଟା ଜାଣି ନ ଥିଲା ଏପରି ଅଚାନକ ଭାବରେ ଧରା ପଡ଼ିଯିବ । କାମ ଶେଷ ହୋଇଥିଲେ ଲୋକଟା ଯେଉଁ ଦୀନବନ୍ଧୁବାବୁ ସେହି ଦୀନବନ୍ଧୁବାବୁ ହୋଇ ରହିଥାନ୍ତା । କିଏ ଜାଣିଥାନ୍ତା ଯେ ଲୋକଟା ନରେନ୍ଦ୍ର ଦେବଙ୍କ ଜାମାତା କୃତାନ୍ତ ଦାସ–ଦୀନବନ୍ଧୁବାବୁଙ୍କ ଛଦ୍ମବେଶରେ ଏପରି ସଇତାନ ଆଉ ଧୂର୍ତ୍ତ !

 

ଗୋପାଳବାବୁ ଏକ ଦୃଷ୍ଟିରେ କୃତାନ୍ତର ମୁହଁକୁ ଚାହିଁ ରହିଲେ ।

 

ବିଜୟବାବୁ ଗମ୍ଭୀର ଭାବରେ କହିଲେ–ବାସ୍ତବିକ ଗୋପାଳ ବାବୁ ! ଦୀନବନ୍ଧୁବାବୁ ଯେ ପ୍ରେମଲତାର ସ୍ୱାମୀ କୃତାନ୍ତ–ଏ କଥା ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି । ଶ୍ୱଶୁର ସଙ୍ଗରେ ଜାମାତାର ଚାଲବାଜି ଆଉ ଜଘନ୍ୟ ଚକ୍ରାନ୍ତ ଜୀବନରେ ପ୍ରଥମ ଦେଖିଲି ।

 

ଗୋପାଳବାବୁ ଏକଦୃଷ୍ଟି ରେ ଚାହିଁ କହିଲେ–କିନ୍ତୁ ବିଜୟବାବୁ ! ମୋର ସନ୍ଦେହ ହେଉଛି ଏ କୃତାନ୍ତର ଅସଲ ରୂପ ନୁହେଁ । ଦୀନବନ୍ଧୁବାବୁ ମଧ୍ୟ ଅନ୍ୟ ଜଣେ ଲୋକ ।

 

ବିସ୍ମିତ ବିଜୟବାବୁ କଣ କହିବା ପୂର୍ବରୁ ଗୋପାଳବାବୁ କୃତାନ୍ତରେ ଦାଢ଼ି ଧରି ସଜୋରେ ଟାଣି ଆଣିଲେ– କୃତ୍ରିମ ଦାଢ଼ି ତାଙ୍କ ହାତରେ ଚାଲି ଆସିଲା ।

 

ବିଜୟବାବୁ ବିସ୍ମୟରେ ଚିତ୍କାର କରି ଉଠିଲେ–କି ଆଶ୍ଚର୍ଯ୍ୟ ! ଏ ଯେ ମାୟାଦେବୀଙ୍କ ସ୍ୱାମୀ !

 

ଗୋପାଳବାବୁଙ୍କ ମୁହଁରୁ କିଛି କଥା ବାହାରିଲା ନାହିଁ–ସେ ନିର୍ବାକ ଭାବରେ ଛିଡ଼ା ହୋଇ ରହିଲେ ।

 

–ଗୋଟାଏ ଲୋକ ଯେ ତିନିଜଣ ଲୋକର ଛଦ୍ମବେଶ ଧରିପାରେ–ମୋର ଧାରଣାହିଁ ନ ଥିଲା । ଲୋକଟା ଏକାଧାରରେ କୃତାନ୍ତ–ପ୍ରେମଲତାର ସ୍ୱାମୀ, ମାୟାଦେବୀର ସ୍ୱାମୀ ପୁଣି ଦୀନବନ୍ଧୁବାବୁ !–ଏ ଯେ ଅଦ୍ଭୁତପୂର୍ବ ଘଟଣା !

 

କୃତାନ୍ତ ନୀରବରେ ସେମାନଙ୍କ କଥା ଶୁଣୁଥିଲା–ଯାତନା ବିକୃତ ମୁହଁରେ ହସ ଟାଣି କହିଲା–ତାହାହେଲେ ମୋତେ ଚିହ୍ନି ପାରିଛ ବିଜୟବାବୁ ! ହଁ–ମୋର ତିନିଟା ରୂପ । ତୁମର ଶେଷରେ ଜୟ ହେଲା–ବୃଦ୍ଧିର ଯୁଦ୍ଧରେ ମୋତେ ଟପିଗଲ । ଓଃ କି ଯମ ଯନ୍ତ୍ରଣା ! ମୋର ସବୁ ଆଶା, ଚେଷ୍ଟା ବ୍ୟର୍ଥ ହେଲା–ଧର୍ମର ଜୟ ଶେଷରେ ହେଲା । ମୁଁ ମହାପାତକୀ–ଗୋଟାଏ ନିରୀହ, ସରଳ ବାଳିକା ମନକୁ ପୋଡ଼ି ଛାରଖାର କରି ଦେଇଛି–ତାକୁ ସର୍ବହରା କରିଛି । ତା’ର ନିଷ୍ପାପ ପ୍ରେମରେ ପଦାଘାତ କରି ମରୁଭୂଇଁକି ଠେଲି ଦେଇଛି–ତା’ର ଯଉବନ ନଷ୍ଟ କରିଛି । ଓଃ ପାପର କି ଭୀଷଣ ଫଳ ! ସରଳ ବାଳିକାର ଆଖିରେ ଲୁହରେ କି ସର୍ବଗ୍ରାସୀ ପ୍ରଳୟର ନିଆଁ । ସେ ଲୁହ ମୋ ଉପରେ ପଡ଼ିଛି–ସେହି ନିଆଁରେ ମୁଁ ପୋଡ଼ି ହୋଇ ମଲି । ମୋର କହିବାର ବେଶି କିଛି ନାହିଁ-। ଆଉ ପଦେ କହିଲେ ପାପଭାରରୁ ଟିକେ ଶାନ୍ତି ପାଇବି । ଓଃ ତଣ୍ଟି ଶୁଖିଗଲା – ପାଣି...

 

ବିଜୟବାବୁ ତା’ ମୁହଁରେ ପାଣିଦେଲେ । କିଛିକ୍ଷଣ ନୀରବ ରହି କୃତାନ୍ତ କ୍ଷୀଣ କଣ୍ଠରେ ତା’ର ପାପ କାହାଣୀ କହିବାକୁ ଲାଗିଲା–ସେ ଅନେକ ଦିନ ତଳର କଥା । ନରେନ୍ଦ୍ର ଦେବ ଆସିଥାନ୍ତି ବର୍ମା–ସାଙ୍ଗରେ ଯଉବନ-ଚପଳା ପ୍ରେମଲତା । ବର୍ମାରେ ମୋର କାଠ ବ୍ୟବସାୟ ଥାଏ-। ଭାଗ୍ୟକ୍ରମେ ତାଙ୍କ ସଙ୍ଗେ ଦେଖାହେଲା । କ୍ରମେ କ୍ରମେ ଆମ ଦୁହିଁଙ୍କ ଭିତରେ ବନ୍ଧୁତ୍ୱଟା ଗଭୀର ହେବାକୁ ଲାଗିଲା । ସେହି ସୁଯୋଗରେ ମୁଁ ତାଙ୍କର ସର୍ବନାଶର ବାଟ ଖୋଜିଲି । ପ୍ରେମଲତା ଯଉବନରେ ପାଦ ଦେଇଥାଏ–ସର୍ବାଙ୍ଗରେ ରୂପରେ ଢେଉ ଖେଳୁଥାଏ । ତାହାର ଚପଳା ଚାହାଣୀରେ ମୋର ଯୁବକ ମନ ଅଥୟ ହୋଇ ଉଠିଲା–ଯଉବନ ତନ୍ତ୍ରୀ ବେସୁରା ରାଗିଣୀରେ ବାଜି ଉଠିଲା । ଆମ ଦୁହିଁଙ୍କ ପ୍ରେମ ଗଭୀର ହୋଇଉଠିଲା । ନରେନ୍ଦ୍ରଦେବ ଏ ସବୁ ଜାଣନ୍ତି ନାହିଁ-। କିଛିଦିନ ପରେ ପ୍ରେମଠାରୁ ଜାଣିପାରିଲି ଯେ ତାଙ୍କ ବାପା ସୁନ୍ଦରବନ ପାହାଡ଼ରୁ ଅନେକ ସୁନା, ହିରା, ମୋତି ପାଇଛନ୍ତି । ସେ ଗୁଡ଼ିକ ପାଇବା ସକାଶେ ମୋ ମନ ଲୋ ଲୁପ ହୋଇଉଠିଲା-। କିନ୍ତୁ ଭାଗ୍ୟ ଖରାପ–ମୋର ଗୁପ୍ତ ପ୍ରେମ ତାଙ୍କ ବାପା ଜାଣି ପାରିଲେ । ଆହୁରି ମଧ୍ୟ ଜାଣି ପାରିଲେ ଯେ ପ୍ରେମ ଆସନ୍ନ ପ୍ରସବା । ତାଙ୍କ ମୁଣ୍ଡରେ ବଜ୍ର ପଡ଼ିଲା । ସେ ଅକଥ୍ୟ ଭାଷାରେ ମୋତେ ତିରସ୍କାର କଲେ ପ୍ରେମକୁ ବିଭା ହେବାପାଇଁ ବାଧ୍ୟ କରାଇବାରୁ ମୁଁ ନନ୍ଦନପୁର ପଳାଇ ଆସିଲି ।

 

କିନ୍ତୁ ଦିନେ ଦୁର୍ଭାଗ୍ୟକ୍ରମେ ବାଲିଗଞ୍ଜ ଷ୍ଟେସନ ପାଖରେ ତାଙ୍କ ସହିତ ମୋର ଦେଖାହେଲା । ସେ ହାତରେ ପିସ୍ତଲ ଧରି ଗର୍ଜି ଉଠି କହିଲେ–ସୟତାନ ! ଏଇ ମୁହୂର୍ତ୍ତରେ ଯଦି ପ୍ରେମକୁ ପତ୍ନୀରୂପେ ଗ୍ରହଣ ନ କରିବୁ, ତୋତେ କୁକୁରଙ୍କ ପରି ଗୁଳିକରି ମାରିବି । ମୁଁ ଭୟରେ ରାଜିହେଲି । ସେହି ମୁହୂର୍ତ୍ତରେ ସାକ୍ଷୀମାନଙ୍କ ଆଗରେ ରୀତିମତ ରେଜିଷ୍ଟାର୍ଡ କାଗଜରେ ଲେଖାହୋଇ ମୋର ବିବାହ ହୋଇଗଲା ।

 

କିନ୍ତୁ ନରେନ୍ଦ୍ରଦେବଙ୍କ ଚାଲାକି ବୁଝିପାରି ପ୍ରତିଶୋଧ ନେବି କହି ରାଗରେ ଚାଲିଆସିଲି-। ସେହିଦିନଠୁ ପ୍ରେମର ଦେଖାପାଇଲି ନାହିଁ । କିନ୍ତୁ କୌଶଳରେ ନରେନ୍ଦ୍ରବାବୁଙ୍କୁ ହରଣଚାଳ କରି ହତ୍ୟା କରିବାର ସୁଯୋଗରେ ରହିଲି । ମୋର ପ୍ରଧାନ ଚିନ୍ତା ହେଲା ବିବାହ ସାର୍ଟିଫିକେଟ ହରଣ କରିବା ।

 

କିନ୍ତୁ ହରଣଚାଳ କରିବାପରେ ବୁଝିପାରିଲି, ସେ କୌଶଳରେ ସାର୍ଟିଫିକେଟଟା ତାଙ୍କର ସେକ୍ରେଟାରୀ ବିନୋଦ ହାତରେ କିଶୋରଦେବଙ୍କ ପାଖକୁ ପଠାଇ ଦେଇଛନ୍ତି । ଆଉ ବିଳମ୍ବ ନକରି ତାହାର ଅନୁସରଣ କଲି । ବର୍ତ୍ତମାନ ସାର୍ଟିଫିକେଟ ଲାଭ କରିବାହିଁ ମୋର ପ୍ରଧାନ ଲକ୍ଷ୍ୟ ହେଲା । ସେ ଖଣ୍ଡିକ ହସ୍ତଗତ ନ କଲେ ମରିଯାଏ ନରେନ୍ଦ୍ରଦେବର ଚାତୁରୀରେ ପୋଡ଼ିହୋଇ ମରିବି, ଏ କଥା ବେଶ୍ ବୁଝିପାରିଲି ।

 

ପୋଲିସ୍ ଆଖିରେ ଧୂଳି ଦେବାପାଇଁ ଆଉ ବିନୋଦବାବୁ ପ୍ରତାରିତ କରିବାପାଇଁ କିଶୋରଦେବଙ୍କର କୋଟ୍ପରି ଅନ୍ୟ ଗୋଟାଏ ସେହି ରଙ୍ଗର କୋଟ୍ ଖରିଦ କଲି । ସେହିଦିନ ମୋର ଗୋଟାଏ ଅନୁଚର ବିନୋଦ ଇଡ଼େନ୍ ଗାର୍ଡ଼ନ୍ ଆସିଛି ବୋଲି ଖବର ଦେଲା ।

 

ମୁଁ କାଳବିଳମ୍ବ ନ କରି କିଶୋରଦେବର ଛଦ୍ମବେଶର ଇଡ଼େନଗାର୍ଡ଼ନ୍ ଗଲି । କିନ୍ତୁ ଧୂର୍ତ୍ତ ବିନୋଦ ମୋର ଆସିବା ପୂର୍ବରୁ କିଶୋର ସାଙ୍ଗରେ ଦେଖା କରିସାରିଥିବାରୁ, ସଙ୍ଗେ ସଙ୍ଗେ ମୋର ଚାଲବାଜି ଜାଣିପାରିଲା । ମୁଁ ଅନ୍ୟ ଉପାୟ ନ ଦେଖି ତାକୁ କ୍ଳୋରୋଫର୍ମରେ ଅଜ୍ଞାନ କରି ଟାକ୍ସିରେ କାମ ହାସଲ କରିବାକୁ ସୁବିଧା ହେବ ଭାବି, ଗୋଟାଏ ଟାକ୍ସିରେ ଉଠିଲି ! ରାସ୍ତାରେ ତାହାକୁ ଖୁନ୍‍କରି ତାହାର ପକେଟ ଅନୁସନ୍ଧାନ କଲି । କିନ୍ତୁ ମୋର ସବୁ ଆଶା ବିଫଳ ହେଲା । ବୁଝିପାରିଲି କିଶୋର ମୋ ପୂର୍ବରୁ ଆସି ସାର୍ଟିଫିକେଟଟା ନେଇଯାଇଛି । ଟାକ୍ସିରେ ରହିଲେ ବିପଦ ଭାବି କିପରି ପଳାୟନ କରିବି ଚିନ୍ତା କରିବାକୁ ଲାଗିଲି । ଭାଗ୍ୟକୁ ରାସ୍ତାରେ ଟ୍ରାଫିକ୍ ବନ୍ଦ ଥିବାରୁ ଟାକ୍ସି ଛିଡ଼ା ହେଲା । ସେହି ସୁଯୋଗରେ ମୁଁ ପଳାଇ ଆସିଲି ।

 

ବର୍ତ୍ତମାନ ମୋ ବିଷଦୃଷ୍ଟି ପଡ଼ିଲା କିଶୋରଦେବର ପରିବାର ଉପରେ । ପ୍ରତିଶୋଧ ନେବାର ଉପାୟ ମନେ ମନେ ଖୋଜିବାକୁ ଲାଗିଲି । ହଠାତ୍ ଗୋଟାଏ ଫନ୍ଦୀ ମୋତେ ଦିଶିଲା । ମୁଁ ସେହିଦିନ ରାତିରେ ମୋର କୋଟ୍ଟା କିଶୋରଦେବର ଅଜାଣତରେ ତାହାର ଘରେ ରଖିଦେଇ ତାହାର କୋଟ୍ଟା ନେବ ଆସିଲି । ଏପରି କରିବାର ଗୋଟାଏ ରହସ୍ୟ ଅଛି । କାରଣ ବିନୋଦକୁ କ୍ଳୋରଫରମ୍ ଦେବା ସମୟରେ ସେ ମୋ କୋଟ୍ଟା ପ୍ରାଣପଣେ ଧରିଥିଲା । ଧସ୍ତାଧସ୍ତିରେ କୋଟ୍‍ର କିଛିଅଂଶ ତା’ର ହାତ ମୁଠାରେ ରହିଗଲା ପୋଲିସ୍‍ର ଦୃଷ୍ଟି ପଡ଼ିବ ବୋଲି ଏପରି କଲି ।

 

ଇମ୍ପିରିଆଲ୍ ହୋଟେଲରେ ପହଞ୍ଚି ବୁଝିପାରିଲି ଆପଣଙ୍କ ନଜର ମୋ ଉପରେ ପଡ଼ିଛି-। ଆପଣଙ୍କ ଚକ୍ଷୁରେ ଧୂଳି ଦେବାପାଇଁ ଗୋଟାଏ ନୂତନ ଫନ୍ଦୀ ବାହାର କଲି । ପରଦିନ ସନ୍ଧ୍ୟାରେ ମୋର ଜଣେ ଅନୁଚର ଆସିଲା । ତାହାର ରୂପ ଠିକ୍ ମୋପରି । ହଠାତ୍ ଗୋଟାଏ ଫନ୍ଦୀ ମୋ ମନକୁ ଆସିଲା । ଲୋକଟାକୁ ହତ୍ୟାକରି ମୁଁ ଓ ମୋର ରକ୍ଷିତା ମାୟାଦେବୀ ନନ୍ଦନପୁର ଚାଲିଆସିଲୁ । ପରେ ଶୁଣିଲି ପୋଲିସ୍ତାକୁ ମୋର ମୃତ ଦେହ ବୋଲି ସନାକ୍ତ କରିଛି ।

 

ସେହିଦିନ ସନ୍ଧ୍ୟାରେ ଗୁପ୍ତରେ କିଶୋରବାବୁଙ୍କ ଶୟନ କକ୍ଷର ଝରକା ଉହାଡ଼ରେ ରହି ଦେଖିଲି ସେ ଫଟୋ ଭିତରେ ସାର୍ଟିଫିକେଟ ରଖୁଛନ୍ତି । ମୋ ମନ ଆନନ୍ଦରେ ନାଚି ଉଠିଲା । ତାଙ୍କୁ କୌଶଳରେ ଅନ୍ୟମନସ୍କ କରି ସାର୍ଟିଫିକେଟ୍ଟା ନେଇ ଆସିଲି ।

 

କିନ୍ତୁ ଏତେ ପରିଶ୍ରମ ବୃଥା ହେଲା–ବିଜୟବାବୁ ପୁଣି ସେ ଖଣ୍ଡିକ ହସ୍ତଗତ କଲେ ।

 

ଗୋଟାଏ କଥା କହିବାକୁ ଭୁଲିଯାଇଛି । କିଶୋରଦେବର ପରିବାର ଉପରେ ମୋର ବିଷ ନଜର ପଡ଼ିଲା । ଯେଉଁଦିନ ନରେନ୍ଦ୍ରଦେବ ଚକ୍ରାନ୍ତ କରି ମୋଠାରୁ ସାର୍ଟିଫିକେଟ ଲେଖାଇ ନେଲେ । ମୋତେ ଶୀକାର କରିବାପାଇଁ ଯେତେଜଣ ଶିକାରୀ ହୋଇଥିଲେ, ସମସ୍ତଙ୍କୁ ଜାଳିପୋଡ଼ି ମାରିବ ବୋଲି ଦୃଢ଼ ପ୍ରତିଜ୍ଞା ହେଲି । ମନେ ମନେ ଗୋଟାଏ ନୂତନ ଉପାୟ ଠିକ୍ କରି ନନ୍ଦନପୁରରେ ଦୀନବନ୍ଧୁବାବୁ ସାଜି କିଶୋରବାବୁଙ୍କ ସଙ୍ଗେ ପରିଚିତ ହୋଇ ତାଙ୍କ ମନରେ ଧାରଣା ଜନ୍ମାଇ ଦେଲି ଯେ ମୁଁ ତାଙ୍କ ପିତାଙ୍କ ବାଲ୍ୟବନ୍ଧୁ ।

 

କ୍ରମେ ଜାଣିପାରିଲି ବିନୋଦିନୀ ନାମରେ ଜଣେ ସ୍ତ୍ରୀଲୋକ ବୈଷ୍ଣବ ସାଜି କିଶୋରଦେବଙ୍କ ପାଖକୁ ଯା’ଆସ କରୁଛି । ତାକୁ ବନ୍ଦୀକରି କାରଣ ବୁଝିବାକୁ ଚେଷ୍ଟା କଲି କିନ୍ତୁ ତା ପେଟରୁ କଥା ନେଇ ପାରିଲିନାହିଁ । ବର୍ତ୍ତମାନ ସେ ଚିତ୍ତରଞ୍ଜନ ହୋଟେଲର ୩୪ ନମ୍ବର କାମେରାରେ ବନ୍ଦିନୀ ।

 

ହରନାଥକୁ ହତ୍ୟା କରିବା ପରେ ହଠାତ୍ ଜାଣି ପାରିଲି ପ୍ରେମ ତାଙ୍କରି ଘରେ ଗୁପ୍ତରେ ଅଛି । ସଙ୍ଗେ ସଙ୍ଗେ ପ୍ରତିହିଂସା ପ୍ରବୃତ୍ତି ସାର୍ଥକ କରିବାପାଇଁ ତାକୁ ନେଇ ଆସିଲି ।

 

କିନ୍ତୁ ସବୁ ମାଟି ହେଲା–ଭାବିଥିଲି ଥିଏଟର ପାର୍ଟି ଡକାଇ ସେହି ସୁଯୋଗରେ କାମ ହାସଲ କରିବି । କିନ୍ତୁ ଆପଣଙ୍କ ବୁଦ୍ଧି ନିକଟରେ ସବୁ ବିଫଳ ହେଲା । ମୋର ଆଉ କିଛି କହିବାର ନାହିଁ । କେବଳ ଏତିକି ଅନୁରୋଧ ପ୍ରେମକୁ କହିବ ସେ ଯେପରି ତା’ର ପିଶାଚ ସ୍ୱାମୀକୁ କ୍ଷମା କରିବ । ଓଃ–ତାହାହେଲେ–ଟି–କି–ଏ–ଶା–ନ୍ତି–ରେ .... ।

କୃତାନ୍ତର ଆଖି ମୁଦିହେଲା ଚିରଦିନପାଇଁ । ବିଜୟବାବୁ ଥାନାକୁ ଫୋନ୍‍କରି ଲାସ୍ ଉଠାଇବାର ବ୍ୟବସ୍ଥା କରି ମୋଟରରେ ବସିଲେ ।

ଗୋପାଳବାବୁ କହିଲେ–ଲୋକଟା ମୋତେ ଟ୍ରେନ୍‍ତଳେ ମାରିବାକୁ ଚେଷ୍ଟା କରିଥିଲା–ଶେଷରେ ନିଜେ ଟ୍ରେନ୍‍ତଳେ ଗଲା ।

–ଯିଏ ପରପାଇଁ ଖାଲ ଖୋଳେ, ତା’ପାଇଁ ଆଗରୁ ଖାଲ ଖୋଳାହୋଇଥାଏ ଗୋପାଳବାବୁ !

X X X

ଇନ୍‍ସପେକ୍ଟର ଜୀବନବାବୁ ଘର ପାଖରେ ମୋଟରରୁ ଓହ୍ଳାଇ ପଡ଼ି ବିଜୟବାବୁ କହିଲେ–ଗୋପାଳବାବୁ ! ତୁମେ ନରେନ୍ଦ୍ରଦେବ ଆଉ ପ୍ରେମଲତାକୁ ନେଇ ଘରକୁ ଯାଅ–ମୁଁ ଦୀନବନ୍ଧୁବାବୁଙ୍କ ଘରଆଡ଼େ ବୁଲିଆସେ । ମିସେସ୍‍ ମାୟାଦେବୀଙ୍କ ଖବର ନେବା ଜରୁରୀ ଦରକାର ।

ଗୋପାଳବାବୁ ସମ୍ମତି ଜଣାଇଲେ ।

ବିଜୟବାବୁ ପହଞ୍ଚି ଦେଖିଲେ, ଥିଏଟର ସେ ପର୍ଯ୍ୟନ୍ତ ଶେଷ ହୋଇନାହିଁ । ଭାବିଲେ, ଯେଉଁ ଲୋକ ନିଜର ଉଦ୍ଦେଶ୍ୟ ସିଦ୍ଧି ପାଇଁ ଏ ଆୟୋଜନ କରିଥିଲା, ସେ କାହିଁ ? ଧନ୍ୟ ନିୟତିର ଗତି !

ଦୀନବନ୍ଧୁବାବୁଙ୍କ ଭୀଷଣ ମୃତ୍ୟୁ ଖବର ଏଠାରେ ପହଞ୍ଚି ପାରିନାହିଁ । ତାଙ୍କୁ ଦେଖି ଦରଓ୍ୱାନ୍ ସଂଭ୍ରମରେ କିଶୋରବାବୁଙ୍କ ପାଖକୁ ନେଇଗଲା ।

ତାଙ୍କୁ ଦେଖି କିଶୋରବାବୁ ମୃଦୁହସି କହିଲେ–ଆପଣଙ୍କ ନିଦ ଭାଙ୍ଗିଲା ପରା ! Play ଶେଷବେଳକୁ ଦୋଷ ଛଡ଼ାଇବାକୁ ଆସୁଛନ୍ତି । ଗୋପାଳବାବୁ କାହାନ୍ତି ?

ବିଜୟବାବୁ ଗମ୍ଭୀରଭାବରେ କହିଲେ–ମାୟାଦେବୀ କାହାନ୍ତି ?

–ଦିନରାତି ପରିଶ୍ରମ କରି କ୍ଳାନ୍ତହୋଇ ସେ ଆଉ ଦୀନବନ୍ଧୁ ବାବୁ ଅଧଘଣ୍ଟା ହେବ ଶୟନ କରିବାକୁ ଯାଇଛନ୍ତି ।

–ମାୟାଦେବୀଙ୍କ କଥା କହିପାରିବି ନାହିଁ–କିନ୍ତୁ ଦୀନବନ୍ଧୁ ବାବୁଙ୍କ ନିଦ୍ରା ଏ ଜୀବନରେ ଭାଙ୍ଗିବ ନାହିଁ ।

ଏ କଣ କହୁଛନ୍ତି ଆପଣ !

–ସବୁ ବୁଝି ପାରିବେ–ଆସନ୍ତୁ ମାୟାଦେବୀଙ୍କ ସନ୍ଧାନ ନେବା ।

ତାଙ୍କ ପଛେ ପଛେ ବିସ୍ମିତ କିଶୋରବାବୁ ମାୟାଦେବୀଙ୍କ ଶୟନ କକ୍ଷକୁ ଗଲେ । ଭିତରୁ କବାଟ ବନ୍ଦ । ଅନେକ ଡକାଡକି ପରେ ଉତ୍ତର ନ ମିଳିବାରୁ ବିଜୟବାବୁ କବାଟ ଭାଙ୍ଗି ଭିତରକୁ ପଶିଯାଇ ହଠାତ୍ ଛିଡ଼ା ହୋଇଗଲେ ।

 

ଦେଖିଲେ, ମାୟାଦେବୀଙ୍କ ଅସାଡ଼ ଦେହ ତଳେ ପଡ଼ିଛି । ଅଭାଗିନୀ ବିଷଖାଇ ଆତ୍ମହତ୍ୟା କରିଛି ।

 

–ସର୍ବନାଶ ! ଏ କଣ ? –କିଶୋରବାବୁ ଚିତ୍କାର କରି ଉଠିଲେ ।

 

–ନରହତ୍ୟାକାରୀର ସହଚରୀ ପକ୍ଷରେ ଏହିମାତ୍ର ଗୋଟିଏ ପନ୍ଥା । କୃତାନ୍ତର ମୃତ୍ୟୁ ଖବର ଶୁଣିବାପରେ ପୋଲିସ୍ଆଖିରେ ଧୂଳା ପକାଇବାର ଏହି ବାଟହିଁ ଖୋଲା ଥିଲା ।

 

କୃତାନ୍ତ ! –କିଶୋରବାବୁ ସର୍ପାହତପରି ଚମକି ଉଠିଲେ ।

 

–ହଁ, ପ୍ରେମଲତାର ସ୍ୱାମୀ କୃତାନ୍ତ ! –ସେ କଥାପରେ । ଆସନ୍ତୁ, ଘରେ ଆପଣଙ୍କ ବାପା ଆଉ ଭଉଣୀ ଅପେକ୍ଷା କରି ବସିଛନ୍ତି ।

 

ବିଜୟବାବୁ ମୂର୍ଚ୍ଛିତ-ପ୍ରାୟ କିଶୋରବାବୁଙ୍କ ହାତଧରି ନେଇ ଆସିଲେ ।

 

X X X

 

ବୈଠକଖାନାରେ ବସିଥିଲେ ନରେନ୍ଦ୍ରଦେବ, କିଶୋରଦେବ, ପ୍ରେମଲତା, ବିଜୟବାବୁ ଆଉ ଗୋପାଳବାବୁ ।

 

ନରେନ୍ଦ୍ରଦେବ ଗମ୍ଭୀର ଭାବରେ କହିଲେ–କିଏ ଜାଣିଥିଲା ଲୋକଟା ଏଡ଼େ ସଇତାନ ବୋଲି । କିଶୋର ଆଖିରେ ଧୂଳି ପକାଇ ମୋ ପରିବାରର ସର୍ବନାଶ କରୁଛି ବୋଲି କିଏ ଭାବିଥିଲା । ଲୋକଟାର ବିଷ ନିଶ୍ୱାସରେ ଚାରିଜଣ ପୋଡ଼ିହୋଇ ମଲେ । ଓଃ କି ଭୀଷଣ ଲୋକ-!

 

–ପ୍ରକୃତ ରୂପରେ ଜୋଇଁର ସମ୍ମାନ ନ ପାଇଲେ ସୁଦ୍ଧା ଦୀନବନ୍ଧୁ ବେଶରେ ଯେ ସେତକ ହାସଲ କରିପାରିଛ, ଏଥିରେ ସନ୍ଦେହ ନାହିଁ–ବିଜୟବାବୁ ମୃଦୁହସି କହିଲେ ।

 

ନରେନ୍ଦ୍ର ଦେବ ଲଜ୍ଜାରେ ମୁହଁ ତଳକୁ କଲେ ।

 

ବିଜୟବାବୁ ବିବାହ ସାର୍ଟିଫିକେଟ୍‍ଟା ତାଙ୍କ ହାତକୁ ବଢ଼ାଇ ଦେଇ କହିଲେ–ନିଅନ୍ତୁ ଆପଣଙ୍କର ସାର୍ଟିଫିକେଟ୍‍ଟା । ଏହି ଖଣ୍ଡିକ ପାଇଁ ଚାରିଜଣଙ୍କର ଅମୂଲ୍ୟ ଜୀବନ ନଷ୍ଟ ହେଲା ।

 

କିଛି କ୍ଷଣ ନୀରବ ରହି କହିଲେ–ଆପଣଙ୍କୁ ଦୁଇଟା ପ୍ରଶ୍ନ ପଚାରିବାକୁ ଅଛି ।

 

–ପଚାରନ୍ତୁ–

 

–ଆପଣ ପ୍ରେମଲତାର ବିବାହ କାହିଁକି ଗୋପନ ରଖିଥିଲେ ?

 

–ପ୍ରେମ ମୋର ପ୍ରଥମ ସ୍ତ୍ରୀର କନ୍ୟା । ସେ ବିବାହ ଆଇନ ମତେ ହୋଇ ନଥିଲା । ସେ ମୋର ଗୁପ୍ତ ବିବାହ ।

 

–ସ୍ୱର୍ଣ୍ଣ ମୂର୍ତ୍ତିର ସନ୍ଧାନ ପାଇଲି–କିନ୍ତୁ ହୀରା, ମୋତି କଣ କଲେ ?

 

–ସେଗୁଡ଼ିକ ନିରାପଦ ହେବ ବୋଲି ସେହି ମୂର୍ତ୍ତି ଭିତରେ ଅଛି ।

 

–ଧନ୍ୟବାଦ ! ଆଉ କିଛି ପଚାରିବାର ନାହିଁ ।

 

କହିବା ବାହୁଲ୍ୟ, ବିନୋଦିନୀ ବୈଷ୍ଣବୀ ବେଶରେ ପ୍ରେମର ଖବର ବୁଝିଥିବାରୁ ମରିବା ପର୍ଯ୍ୟନ୍ତ ନରେନ୍ଦ୍ରଦେବ ତାହାର ପ୍ରତିପୋଷଣ ଭାର ନେଲେ ।

 

ସନ୍ଧ୍ୟା ଟ୍ରେନରେ ବିଜୟବାବୁ ଓ ଗୋପାଳବାବୁ କଲିକତା ବାହାରିଲେ । ବିଦାୟ ଦେବାବେଳେ ଉପଯୁକ୍ତ ପାରିଶ୍ରମିକ ଦେଇ ନରେନ୍ଦ୍ରଦେବ ବିଜୟବାବୁଙ୍କ ହାତଧରି କହିଲେ–ଆପଣଙ୍କ ଯୋଗୁଁ ମୋ ମା ପ୍ରେମର ଆଉ ମୋର ଜୀବନ ରକ୍ଷା ହୋଇଛି । କଣ କହି ମନର ଭାବ ଜଣାଇବି, ବୁଝିପାରୁନାହିଁ । କେବଳ ଏତିକି ଅନୁରୋଧ ପ୍ରେମର ପୁତ୍ରର ଜନ୍ମଗ୍ରହଣ ଉପଲକ୍ଷେ ନିମନ୍ତ୍ରଣ ରହିଲା–ଅନୁଗ୍ରହ କରି ଆସିବେ ।

 

–ନିଶ୍ଚୟ ! ଏ ନିମନ୍ତ୍ରଣ ମୁଁ ଆଦର ସହିତ ଗ୍ରହଣ କରୁଛି ।

 

ଷ୍ଟେସନରେ ପହଞ୍ଚି ବିଜୟବାବୁ କହିଲେ–ଅମୀୟବାବୁଙ୍କୁ ଫୋନ୍‍କରି ଜଣାଇଦିଅ ଗୋପାଳବାବୁ ! ବିଚରା କିଶୋରବାବୁଙ୍କୁ ଗିରଫ୍ କରିବାକୁ ଚାହିଁ ବସିଥିବେ.......

Image